Unknown

 

 

 

 

 

 

 

 

 

 

 

ସୂର୍ଯ୍ୟ ଶିଖା

ଶ୍ରୀମତୀ ଶକୁନ୍ତଳା ପଣ୍ଡା

 

 

 

 

 

 

 

 

 

 

ଏଇ ଗଳ୍ପଗୁଚ୍ଛଟି ମୋର ବାବା, ମା’ଙ୍କ

ହାତରେ ଦେଲି.......

ଲେଖିକା

 

ନିଜକଥା

 

ସାହିତ୍ୟ ସୃଷ୍ଟି କରିବାର ନିର୍ଦ୍ଦିଷ୍ଟ ପ୍ରୟାସ ମୋର ନାହିଁ । ଜୀବନର ଛୋଟ ବଡ଼ ଅନୁଭୂତିମାନଙ୍କୁ, ସମାଜର ଅସ୍ପଷ୍ଟ କିନ୍ତୁ ବାସ୍ତବ କେତୋଟି ଚିତ୍ରକୁ ଭାଷା ଦେଇଛି ମାତ୍ର । ସୁତରାଂ ଦୁର୍ବୋଧ୍ୟ ଉଗ୍ରାଧୁନିକତା, ବୌଦ୍ଧିକ ଅନୁଶୀଳନ ବା ପରୀକ୍ଷାମୂଳକ ସଂଯୋଜନାଠାରୁ ଖୁବ୍‌ ଦୂରରେ ଏ ଗଳ୍ପଗୁଡ଼ିକ । ଲେଖିବାକୁ ଭଲ ଲାଗେ, ତେଣୁ ଲେଖେ । ସେଇ ସାମୟିକ ସୃଷ୍ଟିର ଏଇ ସଂକ୍ଷିପ୍ତ ସଙ୍କଳନଟି ପାଠକମାନଙ୍କୁ ଆନନ୍ଦ ଦେବ ବୋଲି ଆଶା କରୁଛି ।

 

ଭୁବନେଶ୍ୱର

ଶକୁନ୍ତଳା ପଣ୍ଡା

ଜୁନ୍‌, ୧୯୭୭

 

Image

 

ସୂଚନା

 

୧.

ସୂର୍ଯ୍ୟ ଶିଖା

୨.

ସ୍ୱପ୍ନ-ଏକ ସକାଳର

୩.

ପାଉଁଶ

୪.

ଲାଭା

୫.

ଖଣ୍ଡିଏ ରୁମାଲ, ଚେନାଏ ସ୍ମୃତି

୬.

କ୍ଷୁଧା

୭.

ପଲାଶ

୮.

ଆହତ ସ୍ୱରଲିପି

୯.

ସ୍ରୋତ

୧୦.

ବିଗତ ସଂଧ୍ୟାର ଇତିକଥା

୧୧.

ଅବ୍ୟକ୍ତ

୧୨.

ସ୍ଥିର ତରଙ୍ଗ

୧୩.

ଦିଗନ୍ତ

୧୪.

ବିଦଗ୍‌ଧ ବସନ୍ତ

୧୫.

ପାହାଚ

୧୭.

ଆତ୍ମାର ନିର୍ବାସନ

୧୮.

ପତଙ୍ଗ

୧୯.

ନିଷ୍ପନ୍ଦ ମଳୟ

୨୦.

ଚୈତ୍ରର କାରୁଣ୍ୟ

୨୧.

ଅପରାହ୍‌ଣ

Image

 

ସୂର୍ଯ୍ୟ ଶିଖା

 

କାଶ୍ମୀର ଉପତ୍ୟକାରେ ରାତ୍ରି । ଘୁମନ୍ତ ବନାନୀର ସମସ୍ତ ପରିବେଶକୁ ଆଚ୍ଛନ୍ନ କରି ରଖିଛି ଏକ ଅବ୍ୟକ୍ତ ନିର୍ଜନତା । ତରଳ ରୂପା ପରି ଜହ୍ନ ଆଲୁଅ ବିଞ୍ଚି ହୋଇ ପଡ଼ିଛି । ଉଜ୍ଜ୍ୱଳ ଚନ୍ଦ୍ରାଲୋକର ପ୍ରଚ୍ଛଦପଟରେ ବୃକ୍ଷର ସାନ୍ଧ୍ର ଦୀର୍ଘ ଶାଖାଗୁଡ଼ିକ ଦେଖାଯାଉଛି ଆହୁରି କୃଷ୍ଣକାୟ । ହ୍ରଦର ଜଳରେ ଅସୁମାରି ରୂପା ଫୁଲର ଜମକ । ରାତ୍ରିର ନିସ୍ତବ୍‌ଧତାରେ ସ୍ପଷ୍ଟ ହୋଇ ଉଠୁଥିଲା ନିଶୀଥ ଟିଟ୍ଟିଭର ସ୍ୱର ।

 

ଆସ୍ତେ.....ଖୁବ୍‌ ଆସ୍ତେ ପାଦ ପକାଇ ଚାଲିଛି ଅନ୍‌ଓ୍ୱାର୍ । କ୍ଳାନ୍ତ ଶ୍ରାନ୍ତ ଆଖିପତାକୁ ଦୁଇ ହାତରେ ଘଷି ଘଷି ଆଗେଇ ଚାଲୁଛି ସେ । ନିଜର ସ୍ଥିତି ବିଷୟରେ ସେ ପୂର୍ଣ୍ଣ ସଚେତନ । ଏପରି ନ ହେଲେ ମଧ୍ୟରେ ଜୀବନର ଲୋଭ ତ୍ୟାଗ କରିବାକୁ ପଡ଼ିବ ।

 

ଜୀବନ !

 

ଏ ଜୀବନରେ ମୃତ୍ୟୁ ହିଁ ଅନିବାର୍ଯ୍ୟ । ମରଣଶୀଳ ଦୁନିଆର ଦୁଃଖ ଦୈନ୍ୟର ସ୍ୱରୂପ ଉପଲବ୍‌ଧି କରି ଗୌତମ ଦିନେ ଗୃହତ୍ୟାଗୀ ହୋଇଥିଲେ । ଦୁଃଖର କାରଣ ନିରୂପଣ କରିବା ପାଇଁ କେତେଆଡ଼ ବୁଲି ଅହୋରାତ୍ର ତପସ୍ୟା କରି ତଥାପି ସେ ମଣିଷ ଜୀବନର ଚରମ ଦୁର୍ବିପାକର ପୂର୍ଣ୍ଣ ସମାଧାନ କରି ପାରି ନ ଥିଲେ ।

 

ଏଇ ଦେଶ !

 

କେତେ ମହାପୁରୁଷମାନଙ୍କର ଜନ୍ମ ଏହିଠାରେ ହିଁ ଘଟିଛି । ଅନ୍‌ଓ୍ୱାର୍‌ର ଚିରପ୍ରିୟ ଏଇ ଦେଶ ।

 

ବହୁ ବର୍ଷ ପରେ ଏଇ ଦେଶର ପବିତ୍ର ମାଟିରେ ସେ ଗୋଡ଼ ଦେଇଛି । ମନର ପରଦାରେ ଅନେକ ଅନେକ ସ୍ମୃତିର ଝାପ୍‍ସା ଚିତ୍ର । ଅତ୍ୟନ୍ତ ଭାବପ୍ରବଣ ହୋଇ ଉଠୁଛି ସେ କ୍ଷଣକୁ କ୍ଷଣ ।

 

କର୍ତ୍ତବ୍ୟବୋଧ !

 

ନିଜକୁ ଟିକିଏ ସ୍ଥିର କରି ନେଲା ସେ । ମୁଣ୍ଡର ଟୋପିଟା ଭଲ କରି ସଜାଡ଼ି ନେଉ ନେଉ ସେ ଜାଣି ପାରିଲା ଅଣ୍ଟାର ଚମଡ଼ା ପଟିଟି ହୁଗୁଳା ହୋଇ ଯାଇଛି । ହ୍ରଦର ଜଳରେ ଟିକିଏ ଧୁଆଧୋଇ ହୋଇ ଏକ ରକମ ସନ୍ତୋଷ ଅନୁଭବ କଲା ଅନ୍‌ଓ୍ୟାର୍‌ ।

 

ଠିକ୍‌ ଅଛି । ଏଥର ସେ ଆରାମରେ ଆଗେଇ ଯାଇପାରିବି ।

 

ସେ କିଏ !

 

-ସୀମାନ୍ତ ରକ୍ଷୀ !!!

 

ଗଛ ଆଢ଼ୁଆଳରେ କଳା ଛାଇଟିଏ ହଲି ହଲି ଯାଉଛି । ଦୂରରୁ ଖେଳନାଟିଏ ପରି ମନେ ହେଉଛି ସେ । ଏଇ ଯେ ସେଇ କଳା ଛାଇ ! ଆଉ ବିଶେଷ ଦୂର ନୁହେଁ । ପରିଷ୍କାର ଭାବେ ଆବିଷ୍କାର କରି ବସିଲା ଅନ୍‌ଓ୍ୱାର୍‌ । ଛାଇଟା ହୁଏତ ତାର ପଦଶବ୍ଦ ଅନୁସରଣ କରିଛି; ନଚେତ୍‌ କଣ ଖୋଜିବାରେ ଲାଗିଛି ଯେ ! ନିଜକୁ ଯେତେ ଲୁଚାଇ ରଖିଲେ ମଧ୍ୟ ଅନ୍‌ଓ୍ୱାର୍‌ର ତୀକ୍ଷ୍‌ଣ ଦୃଷ୍ଟିରୁ ସେ ବାଦ ଯାଇ ନ ପାରେ ।

 

ସହସା ଅନ୍‌ଓ୍ୱାର୍‌ର ବନ୍ଧୁକ ଆଓ୍ୟାଜ୍‌ କରି ଉଠିଲା ।

 

ଆଃ....ଛାୟାଟି ଚିତ୍କାର କରି ଉଠିଲା ବିକଳରେ । ପୁଣି ଥରେ କରୁଣ ଚିତ୍କାର, ‘‘ବଚାଓ, ମା ବିନ୍ଦ୍‌ଓ୍ୱା !’’

 

ମା ବିନ୍ଦ୍‌ଓ୍ୱା ! ଦୌଡ଼ୁଥିବା ଅନ୍‌ଓ୍ୱାର୍‌ର ଗତି ସ୍ଥିର ହେଲା । ମୁହୂର୍ତ୍ତକ ମଧ୍ୟରେ ସେ ସ୍ତବ୍‌ଧ, ଅଥର୍ବ ପାଲଟି ଯାଇଛି ।

 

କିଏ ? କାହାରା ଏ ସ୍ୱର ?

 

ମୁଣ୍ଡ ଭିତରର ସୂକ୍ଷ୍ମତନ୍ତ୍ରୀ ସବୁ ଛିଣ୍ଡି ଯାଇ ଏକ ଅହେତୁକ ଇନ୍ଦ୍ରଜାଲ ସୃଷ୍ଟି କରିଛି । ସୈନିକର ହୃଦୟରେ ଭୟର କଂପନ । ଆକାଶର ଉପାନ୍ତରେ ଚନ୍ଦ୍ର ଲୁଚିଛି । ଶେଷ ରାତ୍ରିର ଜମାଟବନ୍ଧା ତମସାରେ କାଶ୍ମୀର ଉପତ୍ୟକା ତଥାପି ଆଚ୍ଛନ୍ନ । ଥର ଥର ହାତର ଗୁପ୍ତ ଆଲୁଅ ଜଳାଇ ସେ ଯେଉଁ ରକ୍ତରଂଜିତ ଶରୀରଟି ଆବିଷ୍କାର କଲା....ନା, ନା ଏହା କଦାପି ହୋଇ ନ ପାରେ !

 

ସୁନ୍ଦର୍‍ !!!

 

ଅନ୍‌ଓ୍ୱାରର ପ୍ରକଂପିତ ବାହୁଯୁଗଳର ନିବିଡ଼ ଆବେଷ୍ଟନୀରେ ସୁନ୍ଦର୍‌ର ଆହତ ଶରୀର । ତାର ହୃଦୟ ବିଦୀର୍ଣ୍ଣ ହେଲା ପରି ମନେ ହେଲା । କୋହ ଉପରେ କୋହ । କଣ୍ଠନଳୀ ବାଷ୍ପରୁଦ୍ଧ । ଦୁଃଖର ଉଚ୍ଛ୍ୱାସ କ୍ଷଣକୁକ୍ଷଣ ପ୍ରବଳତର ହୋଇ ଉଠୁଥାଏ ।

 

‘‘ସୁନ୍ଦର୍‌, ମୋତେ କ୍ଷମା ଦେ, ଭାଇ !’’ ଅନ୍‌ଓ୍ୱାର୍‌ର କ୍ରନ୍ଦନକାତର ସ୍ୱର ଉପତ୍ୟକାର ନିର୍ଜ୍ଜନ ପରିବେଶକୁ ଥରାଇ ଦେଉଥାଏ ବାରମ୍ୱାର ।

 

‘‘ଆଃ-ଅନୱ୍ୟାର’’.....କହୁ କହୁ ସୁନ୍ଦରର ପ୍ରାଣକପୋତ ଉଡ଼ି ଚାଲିଗଲା ।

 

ଭାଇ, ସୁନ୍ଦର୍‌ !

 

ସୁନ୍ଦରର ମୃତ ଶରୀର ଉପରେ ଲୋଟି ପଡ଼ିଲା ଅନ୍‌ଓ୍ୟାର୍‌ । ଗୋଟିଏ ପାକିସ୍ଥାନୀ ଅନୁପ୍ରବେଶକାରୀର କୋଳରେ ଏକ ଭାରତୀୟ ଜବାନ୍‌ର ମୃତ ଶରୀର । ଅତୀତର ଦଂଶନରେ କ୍ଷତବିକ୍ଷତ ମନ । ଅତିଷ୍ଠ ହୋଇ ପଡ଼ିଛି ଅନ୍‌ଓ୍ୱାର୍‌ । ପନ୍ଦର ଷୋଳ ବର୍ଷର ଦୁଇଟି ବାଳକଙ୍କର ତାରୁଣ୍ୟ, ଚପଳତା ଜୀବନ୍ତ ହୋଇ ଉଠୁଛି । ଏକାଠି ପାଠ ପଢ଼ା, ପିକ୍‌ନିକ, ସ୍କୋଟିଂ, ମାଛମାରିବା କିଛି ବାଦ ଯାଏ ନା ।

 

କୋଡ଼ିଏ ବର୍ଷ ତଳେ...

 

ଭାରତ ପାକିସ୍ଥାନ ଏକ ଦେଶ....ଅନ୍‌ଓ୍ୱାର, ସୁନ୍ଦର ଏକ ମନ, ଏକ ପ୍ରାଣ । ଜଣେ ଜଣକର ଏକାନ୍ତ ଆପଣାର । ଈର୍ଷା କରୁଥିଲେ ବନ୍ଧୁମାନେ । ସେଇ ଗୋଟିଏ ଦିନ, ଅସୁସ୍ଥ ଅନ୍‌ଓ୍ୟାର ପାଇଁ ବ୍ୟସ୍ତ ହୋଇ ପଡ଼ୁଥାଏ ସୁନ୍ଦର । ଠାକୁରାଣୀ ବିନ୍ଦ୍‌ଓ୍ୱାଙ୍କୁ ଡାକି କେତେ ବିନିଦ୍ର ରଜନୀ କଟାଇ ଦେଇଛି ସୁନ୍ଦର୍‌ ।

ଗ୍ରାମ ଠାକୁରାଣୀ ବିନ୍ଦ୍‌ଓ୍ୱା । ଭଲ ହୋଇ ତାଙ୍କୁ ପ୍ରଣାମ କରିବାକୁ ଯାଇଛି ଅନ୍‌ଓ୍ୱାର୍ ।

ହସି ହସି ଲୋଟି ଯାଏ ସୁନ୍ଦର୍‌ ।

‘‘ଆରେ, ଏ କଣ କରୁଛୁ ଅନ୍‌ଓ୍ୱାର ? ଆଲ୍ଲାଙ୍କୁ ଡାକିବା ତୋର ଧର୍ମ ।’’

‘‘ମୋ ସଙ୍ଗେ ମସଜିଦ୍‌ ଯାଇ ଆଲ୍ଲାଙ୍କୁ ତୁ ଡାକି ପାରୁଛୁ, ଅଥଚ....’’ ଅଭିମାନରେ ନୀରବ ରହେ ଅନ୍‌ଓ୍ୱାର ।

‘‘ଆଲ୍ଲା, ଈଶ୍ୱର ସବୁ ଏକ । ସୃଷ୍ଟିକର୍ତ୍ତା ମାତ୍ର ଜଣେ । ଏଇ ସବୁ ଜାତି ବିଭେଦର ବିଚାର କେବଳ ମଣିଷ ହିଁ କରିଛି’’–ପବିତ୍ର ଭାରତଭୂମିର ସନ୍ତାନ ସୁନ୍ଦରର ମୁହଁ ସତ୍ୟ, ଅହିଂସାର ଦୀପ୍ତିରେ ଉଜ୍ଜ୍ୱଳ ହୋଇ ଉଠେ ।

ଅନ୍‌ଓ୍ୱାରର ସୈନ୍ୟ ବିଭାଗରେ ନାମ ଲେଖାଇଥିବା ଖବର ସୁନ୍ଦରକୁ ଅଜଣା ନ ଥିଲା-

କିନ୍ତୁ ଏ କ’ଣ ? ସୁନ୍ଦରକୁ ଦେଖି ଏକବାରକେ ଆଶ୍ଚର୍ଯ୍ୟ ହୋଇ ପଡ଼ିଲା ଅନ୍‌ଓ୍ୱାର୍‌ ।

-ତୁ ଏକ’ଣ କଲୁ, ସୁନ୍ଦର !

-ଦେଶ ଲାଗି ନିଜ କର୍ତ୍ତବ୍ୟ ପଥ ସୁଗମ କରିବାରେ ମୁଁ କଣ ଭୁଲ କଲି ?

-ଏ କଥା ହୋଇ ପାରେ ନା, ସୁନ୍ଦର । ପ୍ରତିଭାବାନ୍‌ ଛାତ୍ର ପକ୍ଷରେ ଏ ସବୁ ଶୋଭା ପାଏ ନା ।

-ମୁଁ ଯାହା କରିବାକୁ ଯାଉଛି, ଏହାଠାରୁ ବଳି ଅଧିକ ଗୌରବମୟ କ’ଣ ବା ମୁଁ କରି ପାରିଥାନ୍ତି ?

ନୀରବ ରହିଲା ଅନ୍‌ଓ୍ୱାର୍‌ । ସୁନ୍ଦର୍‌ର ଯୁକ୍ତି ଆଗରେ ସର୍ବଦା ସେ ନୀରବ ରହି ଆସିଛି ।

ଟ୍ରେନିଂ ଶେଷ ପରେ ବିଭିନ୍ନ ରେଜିମେଣ୍ଟ୍‌ରେ ଦୁଇ ଜଣଙ୍କର ନିଯୁକ୍ତି ଆଦେଶନାମା ଦିଆଗଲା ।

ବିଦାୟ ବେଳ...ସୁନ୍ଦର ପ୍ରଥମ କରି ବିଦାୟ ନେବ ଅନ୍‌ଓ୍ୱାର୍‌ଠାରୁ । ଦିନ ସାରା ତାକୁ ଖୋଜି ଖୋଜି କ୍ଳାନ୍ତ ହୋଇ ପଡ଼ିଥିଲା ସେ । ମନେ ପକାଇଲା ଅନ୍‌ଓ୍ୱାର । ଡାଲ୍‌ ହ୍ରଦ କୂଳର ସେଇ ନିର୍ଦ୍ଦିଷ୍ଟ ସ୍ଥାନ କଥା । ସ୍କୁଲ ଛୁଟୀ ପରେ ଅସୁମାରି ସଂଧ୍ୟ ଆସରର ଅମଳିନ ସ୍ମୃତି ତାକୁ ବ୍ୟଥିତ କରି ପକାଇଲା । ଏକା ନିଶ୍ୱାସକେ ଦୌଡ଼ି ଦୌଡ଼ି ପହଞ୍ଚିଗଲା ଅନ୍ଓ୍ୱାର ।

ସୁନ୍ଦର୍‌.... !

ଉତ୍ତର ଆସିଲା ନାହିଁ । ଆନନ୍ଦର ଆତିଶଯ୍ୟରେ ଦୁଇବୁନ୍ଦା ଅଶ୍ରୁ ଝରି ପଡ଼ିଲା ଅନଓ୍ୱାର୍‌ର ଆଖିରୁ ।

 

ଠିକ୍‌ ତ ସେଇ ସ୍ଥାନରେ ବସି ରହିଛି ସୁନ୍ଦର୍‌ । ପଥରକୁ ଆଉଜି ମୂର୍ତ୍ତିଟିଏ ପରି ମନେ ହେଉଛି ସେ ।

 

ଶରତର ସୂର୍ଯ୍ୟ ପୃଥିବୀରୁ ବିଦାୟ ନେଇ ଆକାଶକୁ ବିଚିତ୍ର ରଂଗରେ ରଞ୍ଜିତ କରି ଦେଇଛି । ଗୋଧୂଳିର ଅସ୍ତାଭ ଭିତରେ ଆଗକୁ ଏକ ଦୃଷ୍ଟିରେ ଆନମନା ହୋଇ ବସି ରହିଛି ସୁନ୍ଦର-

 

-ଅନଓ୍ୱାର୍‌ !

 

ଦୁହେଁ ଦୁହିଁଙ୍କୁ ବକ୍ଷରେ ଜଡ଼େଇ ଧରିଲେ । ଦୁହିଁଙ୍କ ଆଖିରେ ଅଶ୍ରୁର ଅବାଧ ଝରଣା ।

 

-ସୈନିକର ଆଖିରେ ଅଶ୍ରୁ ଶୋଭା ପାଏନା ରେ । ପାଗଳଙ୍କପରି ଅନ୍‌ଓ୍ୱାର୍‌ର ଆଖିରୁ ଉଦ୍‌ଗତ ଅଶ୍ରୁକୁ ପୋଛି ପକାଇଲା ସୁନ୍ଦର ।

 

-ଦୁଃଖ କରନା, ଭାଇ । କର୍ତ୍ତବ୍ୟ ପଥରେ ଦୁହେଁ ଆମେ ହଜିଯିବା । ତାହା ହିଁ ଆନନ୍ଦ । ତାହା ହିଁ ପରସ୍ପରକୁ ମନେ ରଖିବାର ସୁଲଭ ପଥ । ସୁନ୍ଦରର ହୃଦୟରୁ ଅନ୍‌ଓ୍ୱାର୍‌ କେବେହେଲେ ଅଲଗା ହୋଇ ପାରେ ନା ।

 

-ଏ କ’ଣ ହେଲା, ସୁନ୍ଦର !!!

 

ଅନ୍‌ଓ୍ୱାର୍‌ର ବ୍ୟର୍ଥ ଆକୁଳତା ପ୍ରତିଧ୍ୱନି ସୃଷ୍ଟି କରୁଥିଲା ନିର୍ଜ୍ଜନ ଉପତ୍ୟକାରେ ।

 

ପଠାନ୍‌କୋଟ୍‌ ଅମ୍ବାଲା ଏକ୍‌ସପ୍ରେସ୍‌ ଟ୍ରେନ୍‌ ଦ୍ରୁତ ପଦକ୍ଷେପରେ ଆଗେଇ ଯାଉଥିଲା ।

 

-ସୁନ୍ଦର.....ସୁ...ନ୍ଦ...ର୍‌...

 

ଡାକି ଡାକି ଦୌଡ଼ୁଥିଲା ଅନ୍‌ଓ୍ୱାର । ଝରକା ପାଖରେ ରୁମାଲ ହଲାଇ ବିଦାୟ ଜଣାଉଥିଲା ସୁନ୍ଦର ।

 

ଚିର ବିଦାୟ ନେଇଗଲା ସେ । କାଶ୍ମୀର ଉପତ୍ୟକାର ବୃକ୍ଷଶାଖାମାନ ଦୋଳାୟିତ ହେଉଛି । ସେହି ମୃଦୁ ଦୋଳନରେ ଥରି ଥରି ଅସ୍ପଷ୍ଟ ଭାବରେ କିଏ ଶୁଣେଇ ଯାଉଛି ସୁନ୍ଦର୍‌ର କଥା, ସୁନ୍ଦର୍‌ର ସ୍ୱର....ଅଧୈର୍ଯ୍ୟ ହେବୁ ନାହିଁ, ଅନ୍‌ଓ୍ୱାର ।

 

-ନା, କେବେ ନୁହେଁ । ସବୁ ଦିନ ଧୈର୍ଯ୍ୟ, ସାହସ ଦେଇ ଆସିଛୁ ମୋତେ, ତା’ର ଅମର୍ଯାଦା କରି ପାରିବି ନି ମୁଁ ।

 

ସେ ପାକିସ୍ଥାନର ଅନୁପ୍ରବେଶକାରୀରୂପେ ପ୍ରବେଶ କରିଛି ସତ, କିନ୍ତୁ ତାର ବିବେକ ଏ ଦାସତ୍ୱ, ଏ ବିଭେଦରୁ ଘୃଣା କରେ । ପୃଥିବୀରେ ଶାନ୍ତିର ଆଲୋକ ବର୍ତ୍ତିକା ଗଣତନ୍ତ୍ର ରାଷ୍ଟ୍ର ଭାରତ....

 

ଅକସ୍ମାତ୍‌ ଅନ୍‌ଓ୍ୟାର୍‌ର ଭାବନା ବାଧାପ୍ରାପ୍ତ ହେଲା । ଦୂରରୁ କୋଳାହଳ ସ୍ପଷ୍ଟ ହୋଇ ଉଠୁଛି । ଭାରତୀୟ ସୈନ୍ୟମାନେ ଆଗେଇ ଆସୁଛନ୍ତି । ମୁଖରେ ସେଇ ଗୋଟିଏ ଉଚ୍ଚାରଣ-ଅନୁପ୍ରବେଶକାରୀ ।

 

ସୁନ୍ଦରକୁ ଘନିଷ୍ଠ କରି ନିର୍ଲିପ୍ତଭାବେ ବସି ରହିଲା ଅନ୍‌ଓ୍ୱାର୍‌ । ପ୍ରଭାତର ସଂଗୀତ ଗାଇ ଦଳେ ପକ୍ଷୀ ଉଡ଼ିଗଲେ । ସୀମାନ୍ତରେ ସୂର୍ଯ୍ୟ ଉଠିଛି । କେଉଁଠି କିମିତି ବରଫ‘ ଉପରେ ତାର ଲାଲରଶ୍ମି ପ୍ରତିଫଳିତ ହୋଇ ସୁନ୍ଦର ଏକ ବର୍ଣ୍ଣ ସୃଷ୍ଟି କରିଛି । ଏ ସୂର୍ଯ୍ୟ ଏକ । ହିନ୍ଦୁ, ମୁସଲ୍‌ମାନ, ଭାରତ, ପାକିସ୍ତାନର ଭେଦଭାବ ସେ ବୁଝେ ନା । *

 

*ଆକାଶବାଣୀ କଟକ ସୌଜନ୍ୟରୁ ।

Image

 

ସ୍ୱପ୍ନ-ଏକ ସକାଳର

 

ଶ୍ରାବଣର ପ୍ରାତଃ ଆକାଶ ପ୍ରତି ଦୃଷ୍ଟି ନିକ୍ଷେପ କରି ଚିନ୍ତାନ୍ୱିତ ହେଉଥିଲେ ଅସୀମ । ତିଥିଟା ମନେପକାଇବାକୁ ବାରମ୍ୱାର ଚେଷ୍ଟା କରି ସୁଦ୍ଧା ସେ ଜାଣିପାରୁ ନ ଥିଲେ । କିନ୍ତୁ ସେଇଟା ଜାଣିବାର ଆବଶ୍ୟକତା ଯେ ଅନେକ ବେଶୀ ।

 

ଆବଶ୍ୟକତାଟା କ’ଣ ଏକା ତାଙ୍କର ନା ସୁଜାତାର ବି ? ଆଜି ଭଳି ଦିନରେ ଏମିତି ଗଭୀର ନିଦରେ ଶୋଇରହିବାକୁ ସେ ମୋଟେ ପସନ୍ଦ କରୁ ନ ଥିଲେ । ସୁଜାତାକୁ ଉଠାଇବାକୁ ପଡ଼ିବ । ତା’ ପରେ ପ୍ରଥମ କରି ସେ ତାକୁ ମନେ ପକାଇଦେବେ ଆଜିର ତିଥି । ଦିନଟିର ବିଶେଷତ୍ୱ ନେଇ ସକାଳଟାରୁ ସେ ରୋମାଞ୍ଚିତ ହୋଇ ଉଠିଛନ୍ତି । ଅଥଚ ନିର୍ଲିପ୍ତ, ନିର୍ବିକାର ଭାବରେ ଶୋଇରହିଛି ସୁଜାତା ! କେବଳ ତା’ରିପାଇଁ, ଏଇ ଦିନଟି ପାଇଁ ସେ ତାଙ୍କର ବ୍ୟବସାୟ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ ବନ୍ଦ ରଖିଛନ୍ତି । ଆହୁରି ମଧ୍ୟ ତାଙ୍କ କର୍ମଚାରୀମାନଙ୍କୁ କହିଦେଇଛନ୍ତି କେହି ଯେମିତି ହେଲେ ତାଙ୍କୁ ଖୋଜି ନ ଆସନ୍ତି ।

 

ଏତେ ପ୍ରସ୍ତୁତି, ଏତେ କଳ୍ପନା ସତ୍ତ୍ୱେ ସୁଜାତାକୁ ଇମିତି ଭାବରେ ଆବିଷ୍କାର କରିବାଟା ସେ କେବେ ଆଶା କରି ନ ଥିଲେ ।

 

ଅସୀମଙ୍କର କ୍ଷୋଭ ହେଲା; କିନ୍ତୁ ହଠାତ୍‌ ଯେତେବେଳେ ଏଇ ଦିନର ତାରିଖଟା ତାଙ୍କର ମନେ ପଡ଼ିଗଲା, ମନଟାକୁ ସେ ଯଥାସମ୍ଭବ ପରିଷ୍କାର କରିନେଲେ । ଯେଉଁଦିନ ଯାହା ହେଉ ପଛକେ ଅନ୍ତତଃ ଏଇ ସ୍ମରଣୀୟ ଦିନଟାରେ ସ୍ୱାମୀ, ସ୍ତ୍ରୀଙ୍କର ମନୋମାଳିନ୍ୟଟା ଆଦୌ ଶୋଭନୀୟ ହେବନାହିଁ ।

 

ନିଜକୁ ସହଜ କରିନେବାକୁ ଅସୀମ ସିଗାରେଟ୍‌ ଲଗାଇଲେ । ବିସ୍ତୃତ ଲନ୍‌ର ଓଦାଘାସରେ ଖାଲି ପାଦ ଘୋଷାରି ଟିକିଏ ବୁଲିବା ପରେ ସୁଜାତାକୁ ଉଠାଇ ଦେବାକୁ ଘର ଭିତରକୁ ପାଦ ବଢ଼ାଇଲେ ସେ ।

 

ବଡ଼ ପୁଅ ସୁଶାନ୍ତ ଏବେ ବି ଉଠିନି । ତା ବିଛଣାରେ ଇତସ୍ତତଃ ଭାବରେ ପଡ଼ିଥିବା କେତେଖଣ୍ଡ ଇଂରେଜୀ ଉପନ୍ୟାସ ବହି ସେ ଉଠାଇଆଣି ପଢ଼ା ଟେବୁଲ୍‌ରେ ସଜାଡ଼ି ଥୋଇଦେଲେ-। କିନ୍ତୁ ସବୁ ଦିନ ଭଳି ତାକୁ ନିଦରୁ ଉଠାଇବାର ଚେଷ୍ଟା ସେ କଲେ ନାହିଁ । ନା....ବରଂ ସେ ଆଜି ଶୋଉ ଟିକିଏ ।

 

ସୁଶାନ୍ତ ସିନିୟର କେମ୍ବ୍ରିଜ୍‌ର ଛାତ୍ର, ତା ତଳ ସୁମନ୍ତ ଷାଣ୍ଡାର୍ଡ଼ ସିକ୍‌ସରେ, ଆଉ ସବା ସାନ ଝିଅ ଶୁଭ୍ରା ପାଞ୍ଚବର୍ଷର । ନୂଆକରି ସ୍କୁଲ ଯାଉଛି । ଭାରୀ ଗେହ୍ଲା ସେ ଅସୀମଙ୍କର । ନୂଆ, ନୂଆ ଇଂରେଜୀ ରାଇମ୍‌ ଶିଖି ତାଙ୍କ ଆଗରେ ନାଚି ନାଚି ଗାଇଲାବେଳେ ଦିନ ସାରାର କ୍ଳାନ୍ତି ଭୁଲନ୍ତି ସେ । ଶୁଭ୍ରା ବି ଶୋଇଛି, ଶୋଇ ଶୋଇ ହୁଏତ ପରୀ ରାଇଜର ସ୍ୱପ୍ନ ଦେଖୁଛି । ଅସୀମ ମଶାରି ଟେକୁଥିଲେ । ପୁଣି କଣ ଭାବି ଆସ୍ତେ ତାକୁ ପକାଇଦେଇ ପାଦ ଚିପି ଚିପି ଆର କୋଠରୀକୁ ପାଦ ପକାଇଲେ ।

 

ତାଙ୍କର ଓ ସୁଜାତାର ଶୟନ କକ୍ଷ । ବାଃ, ତଥାପି ଶୋଇଚ ? ଉଃ, ହୁଁ ହୋଇ ଉଠିବାକୁ ଚେଷ୍ଟା କଲେ ସୁଜାତା, ତା ପରେ ପୁଣି ସେପାଖକୁ ମୁହଁ ବୁଲାଇ ଶୋଇଗଲେ ସେ ।

 

-ସୁଜାତା....ଏ ସୁଜାତା, ଆରେ ଉଠ । କ’ଣ ଆଜି ଇମିତି ଶୋଇଚ ?

 

ସୁଜାତା ଉଠି ବସିଲେ । ଅସୀମଙ୍କୁ ଚାହିଁ ନିଦ୍ରା ଅଳସ ଭାବ ନେଇ ଟିକିଏ ହସିଲେ । ଅସୀମ ବି ହସିଲେ । ବହୁତ ଦିନ ପରେ ସୁଜାତା ଓ ସେ ଏକାଠି ହସୁଛନ୍ତି, ଅନେକ ଦିନ ପରେ ବୋଧ ହୁଏ । ତାଙ୍କର ମନେହେଉଛି ଏଇ ବୋଧହୁଏ ଜୀବନର ଶେଷ୍ଠ ମୁହୂର୍ତ୍ତ, ତାଙ୍କ ମନରେ ଟିକିଏ ବି ଗ୍ଳାନି ନାହିଁ । କିନ୍ତୁ ସୁଜାତା କେବେ ହସେନା । ସବୁବେଳେ ତା’ର ଅଭିଯୋଗ ଅସୀମର ସାରା ଦିନର କାର୍ଯ୍ୟବ୍ୟସ୍ତତା ନେଇ ।

 

ହସୁ ବିଚାରୀ । ଆଜି ତ ହସିବାର ଦିନ । ଅସୀମ ଆଶା କରିଥିଲେ ସୁଜାତା କହିବ ସେଇ ସବୁ ଥର ପରି–

 

-ଆଜି ଭଳି ଦିନରେ ତୁମେ ଅନ୍ତତଃ କୁଆଡ଼େ ଯାଆନି ।

 

-କଣ କେବଳ ତୁମ ମୁହଁକୁ ଚାହିଁ ଏଠି ବସିଥିବି ? ହସିକରି କହନ୍ତି ଅସୀମ ।

 

-ଧେତ୍‌, ତୁମକୁ ଆଉ କହିଲେ ତୁମେ ପୁଣି କ’ଣ ସବୁ କହିବ ଯେ ।

 

-ନା, ନା, ସୁଜାତା, ତୁମେ ଯାହା ଚାହଁ, ମୁଁ ବି ସେଇୟା.....ହେଇ, ଦେଖ ପ୍ରୋଗ୍ରାମ୍‌ ।

 

-ହଁ, ସତେ ତ !

 

ସୁଜାତା ମନଭରି ହସେ । ବିବାହର ସତର ବର୍ଷ ପରେ ବି ସେ ହୁଏତ ଠିକ୍‌ ସେମିତି ଅଛି । ତା’ର ତେତିଶ ବର୍ଷ ବୟସରେ ମଧ୍ୟ ମନର ବିଶେଷ ପରିବର୍ତ୍ତନ ଲକ୍ଷ୍ୟ କରି ନାହାନ୍ତି ଅସୀମ । କେବଳ ସ୍ୱାସ୍ଥ୍ୟର ସାମାନ୍ୟ ପରିବର୍ତ୍ତନ । ଟିକିଏ ଅବଶ୍ୟ ମୋଟୀ ହୋଇଛି ସୁଜାତା, ତେବେ ସୌନ୍ଦର୍ଯ୍ୟ ସେମିତି ଅତୁଟ ରହିଛି ।

 

-ଏଃ, କ’ଣ ଭାବୁଚ ? ଆଜି କ’ଣ ଏତେ ସକାଳୁ ଉଠିପଡ଼ିଛ ?

 

ଅସୀମ କିଛି କହିଲେ ନି । ସେ ଚାହୁଁଥିଲେ ସବୁ କିଛି ସୁଜାତାଠାରୁ । କିନ୍ତୁ ବିଛଣାରୁ ଉଠି ସୁଜାତା ସ୍ନାନାଗାର ଭିତରେ ହଠାତ୍‌ ପଶି କବାଟ ବନ୍ଦ କରିଦେଲା । ସେ ମନେ କରୁଥିଲେ ସୁଜାତାକୁ ହଠାତ୍‌ ଯିବାକୁ ନ ଦେଇ ସେ ଅଟକାଇ ରଖିବେ । ନା-ଥାଉ, ସେ ଆସୁ । ବାଃ, ସେଠାରୁ ଆସି ତରତର କରି ରୋଷାଇ ଘରଆଡ଼େ ଚାଲି ଯାଉଛି ସୁଜାତା ପିଲାଙ୍କ ଖାଇବା ବ୍ୟବସ୍ଥା ଦେଖିବା ପାଇଁ ।

 

-ଆରେ ଉଠ, କ’ଣ ସବୁ ଏତେ ଶୋଇଚ ! ବାପା ତୁମକୁ ଉଠାଇଲେ ନି କିମିତି ଆଜି-? କେତେ ଡେରି ହେଲାଣି ଦେଖୁଚ ?

 

ପିଲାଏ ଉଠିପଡ଼ିଲେ । ସକାଳଟା ଆହୁରି ଗହଳି ହୋଇ ଉଠିଲା । ଅସୀମ ଖୁବ୍‌ ଅସ୍ୱସ୍ତି ଅନୁଭବ କଲେ । ଓଃ, ସୁଜାତାଟା କେତେ ବଦଳିଗଲା ! ୟେ ପୁଣି କବିତା ଲେଖୁଥିଲା !! ବରଂ ତାକୁ ଏପରି ଆବିଷ୍କାର କରି ବ୍ୟଥିତ ହେବା ହିଁ ସାର ହେବ ଏ ଦିନଟାରେ ।

 

ପୁଝାରୀ ଉପରେ ପାଟିକରୁଛି ସୁଜାତା ।

 

-ବାବୁ ଏ ଯାଏ ଚା’ ଖାଇ ନାହାନ୍ତି । ବେଶ୍‌, ମୋ ଚା’ ବି ସେଇଠି ଦେଇଦିଅ । ମୁଁ ଯାଉଛି ।

 

ଅସୀମଙ୍କର ଇଛା ହେଲା କପ୍‌ ଓ ପ୍ଳେଟ୍‌ ଫୋପାଡ଼ି ପଳାଇ ଯାଆନ୍ତେ ଉଠି । ଇସ୍‌, ମନର ପୁଣି ଇମିତି ପରିବର୍ତ୍ତନ ! କୁଆଡ଼େ ଗଲା ଚାବି ଲେନ୍ଥା ? କାହିଁକି ସାଇତା ହୋଇଛି ସେ କବିତା ବହି ସବୁ ?? ସୁଜାତାର ଲେଖା.....ସତେ କବିତା ତ ନୁହେଁ, ଜୀବନ ପ୍ରତି କି ତୀକ୍ଷ୍‌ଣ ଦୃଷ୍ଟିପାତ ! ସୁଜାତାର ସୌନ୍ଦର୍ଯ୍ୟଠାରୁ ଏଇ ତାର କବିତାକୁ ଭଲ ପାଇ ସେ ବିବାହ କରିଥିଲେ ତାକୁ ।

 

ଅସୀମଙ୍କର ଅମୂଲ୍ୟ ସଂପଦ ସେଇ କବିତାଗୁଡ଼ା ଏବେ ଅବଶ୍ୟ ସମୟ କରି କେବେ ପଢ଼ିବାର ବେଳ ହୁଏନା । ୟା ବୋଲି ବହୁ ଇପ୍‌ସିତ ଏଇ ଗୋଟିଏ ଦିନକୁ ହତ୍ୟା କରୁଛି ସେ । ଅସୀମ ଅଯଥାରେ କ୍ଳାନ୍ତି ଅନୁଭବ କଲେ ।

 

ସୁଜାତାର ପାଟି ଶୁଣାଯାଉଛି ।

 

-ଆରେ, ଚା’ ଦେଲ ନି ପୁଝାରୀ ? ପିଲାଏ ରେଡ଼ି ହେଲେଣି, ଖାଇବାକୁ ଦିଅ । ଡ୍ରାଇଭରକୁ କୁହ ଗାଡ଼ି ବାହାରକରୁ ।

 

ମମି, ମୋ ଟିଫିନ୍‌ ବକ୍‌ସ ।

 

-ହେଇ, ନେ ମା ।

 

-ମମି, ମୋ ସକସ୍‌ ପାଉନି ।

 

-ଖୋଜ୍‌, ଭଲ କରି ଦେଖ୍‌ । ଦିନକ ଆଗରୁ ସିନା ନିଜ ଡ୍ରେସ୍‌ ଠିକ୍‌ କରି ରଖନ୍ତି ।

 

ବଡ଼ ପୁଅ ସୁଶାନ୍ତକୁ ଉତ୍ତର ଦେଉଛି ସୁଜାତା ।

 

ଓଃ, ସେଇ ଚିର ଅଭ୍ୟସ୍ତ ବ୍ୟସ୍ତତା, କୋଳାହଳ । ଦିନଟିଏ ସେଥିରୁ ଦୂରେଇ ରହିବାର କାମନା ତାଙ୍କର ବ୍ୟର୍ଥ ହୋଇଗଲା । ଅସୀମ ଓଠ କାମୁଡ଼ି ଉଠିଗଲେ ପାଖ ଘରକୁ । ସୁଜାତା ଆସିବନି; ପିଲାଙ୍କୁ ବିଦା କରି ସେ ପୁଣି ଯିବ ରୋଷାଇ ଘରକୁ । ଅସୀମର ସ୍ୱାସ୍ଥ୍ୟ ପ୍ରତି ତାର ବେଶ୍‌ ଚିନ୍ତା । ଅନ୍ତତଃ ଏଇ ବ୍ରେକଫାଷ୍ଟ ସମୟରେ ଖାଦ୍ୟର ପୁଷ୍ଟିକାରିତା ପ୍ରତି ତାର ତୀକ୍ଷ୍‌ଣ ଦୃଷ୍ଟି-। ଖାଲି ଖାଇବା, ଆଉ ଖାଇବା.....ଦିନକ ପାଇଁ ବି ଏଥିରୁ ମୁକ୍ତି ନାହିଁ । ବିରକ୍ତ ହୋଇ ଉଠିଲେ ଅସୀମ । କିଛି ସମୟ ଆଗରୁ ସେ ନିଜ ମନକୁ ସହଜ କରୁଥିଲେ ଅଥଚ କାହିଁକି ସେ ଅସହିଷ୍ଣୁ ହୋଇ ଉଠୁଛନ୍ତି । କାରଣର ଅନୁସନ୍ଧିତ୍ସା ଅନାବଶ୍ୟକ ।

 

ଓଃ, ଗୁଡ଼ାଏ ମୂଲ୍ୟବାନ୍‌ ସମୟ ଅକାରଣେ ନଷ୍ଟ ହୋଇଗଲା । ଅଯଥା ଭାବପ୍ରବଣତା ତାଙ୍କ ଭଳି ଜଣଙ୍କୁ ଶୋଭା ପାଏନା ।

 

ଅସୀମ ଫୋନ୍‌ ଉଠାଇଲେ । ଗାଡ଼ି ଆସିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଫାଟକ ପର୍ଯ୍ୟନ୍ତ ଚାଲିଗଲେ । ଡ୍ରାଇଭର ପିଲାଙ୍କୁ ଛାଡ଼ି ଫେରି ଆସୁଥିଲା । ସେଇ ସ୍ଥାନରୁ ସେ ଉଠିଗଲେ ନିଜ କାର୍‌ରେ । ସୁଜାତାର ଚିନ୍ତା ଅନାବଶ୍ୟକ । କେବେ କାହିଁ ଦୀର୍ଘ ସତର ବର୍ଷ ତଳେ ଠିକ୍‌ ଏଇ ଦିନରେ ସେ ବିବାହ କରିଥିଲେ ତନ୍ୱୀ, ସୁଶ୍ରୀ ସୁଜାତାକୁ । ୟା ବୋଲି ଦିନଟାକୁ ମନେପକାଇ ଏତେ ବେଶୀ ଭାବପ୍ରବଣ ହୋଇ ପାର୍ଟି, ବଂଧୁ ମିଳନର ଆୟୋଜନ କରିବାର ଆବଶ୍ୟକତା କ’ଣ ଅଛି ? ଅଧାପୋଡ଼ା ସିଗାରେଟ୍‌କୁ ସେଇ ଫାଟକ ପାଖରେ ହିଁ ପକାଇ ଦେଲେ ଅସୀମ ।

 

ଗାଡ଼ି ପୁଣି ଥରେ ଚାଲି ଯିବାର ଶବ୍ଦ ଶୁଣି ଶୟନକକ୍ଷକୁ ଫେରି ଆସୁଥିଲା ସୁଜାତା । ଏତେ ଶୀଘ୍ର ଚାଲିଗଲେ ଅସୀମ୍‌ ! ଏଇ ତ, ଏଇଠି ବସିଥିଲେ ଏବେ । ଶୟନକକ୍ଷରେ ପାଦ ଦେଇ ସେ ବିସ୍ମିତା, ବିମୂଢ଼ା ହୋଇଗଲା ।

 

ଏ କ’ଣ !!! ଘର ସାରା ତାଙ୍କ କବିତା ବହି ସବୁ ଚିରା ହୋଇ ପଡ଼ିଛି ! ଫୁଲ୍‌ ସ୍ପିଡ଼ରେ ଘୂରୁଛି ସିଲିଂ ଫ୍ୟାନ୍‌ । କାଗଜଗୁଡ଼ା ଏଣେତେଣେ ଉଡ଼ୁଛି । କିଛି ସମୟ ପୂର୍ବରୁ ଦିଆଯାଇଥିବା ଚା’ ସେମିତି ରହିଛି ଟିପଏରେ । ତାକୁ କିଛି ନ କହି ବ୍ରେକ୍‌ଫାଷ୍ଟ ନ ଖାଇ ସେମିତି ଚାଲି ଯାଇଛନ୍ତି ଅସୀମ !

 

ସୁଜାତା ନୀରବରେ ଖଟ ପାଖକୁ ଉଠିଗଲା । ତକିଆ ତଳୁ କାଗଜ ଖଣ୍ଡେ କାଢ଼ି ହାତରେ ଧରିଲା । ରାତି ଅଧରେ ବହୁ ସମୟ ଅନିଦ୍ରା ହୋଇ ସେ ଲେଖିଥିଲା ଏ କବିତା । ଦିନସାରା କାର୍ଯ୍ୟବ୍ୟସ୍ତତା ମଧ୍ୟରେ କବିତା ଲେଖା ପାଇଁ ମାନସିକ ସ୍ଥିରତା ସେ ପାଇପାରି ନ ଥିଲା-। ଅସୀମକୁ ଆଜି ଭଳି ଦିନରେ ଉପହାର ଦେଇ ହଠାତ୍‌ ଆଶ୍ଚର୍ଯ୍ୟ କରି ଦେଇଥାଆନ୍ତା ସେ ।

 

କିନ୍ତୁ !!!

 

ପାଗଳୀଙ୍କ ଭଳି ଦୌଡ଼ି ଦୌଡ଼ି ସବୁ ଚିରା କାଗଜଗୁଡାକ ଗୋଟାଇ ପକାଇଲା ସୁଜାତା-। ସବୁକୁ ଏକାଠି ବୁକୁରେ ଜାକି ଧରି କାନ୍ଦି କାନ୍ଦି ଲୋଟିପଡ଼ିଲା ସେ ସେଇ ଶଯ୍ୟାରେ ।

Image

 

ପାଉଁଶ

 

ତନ୍ଦ୍ରାଚ୍ଛନ୍ନ ଆକ୍ଷିପତା ଖୋଲିବାର ଉପକ୍ରମ କରୁଥିଲେ ସୂର୍ଯ୍ୟକୁମାର । ଅବଶ ଦେହମନ ତାଙ୍କର ଆକ୍ଷି ଦୁଇଟିକୁ ଜୋର କରି ବନ୍ଦ କରିଦେବାକୁ ଚେଷ୍ଟା କରୁଥାଏ । ସୂର୍ଯ୍ୟକୁମାର ନିଜର ଅସ୍ତିତ୍ୱ ଉପଲବ୍‌ଧି କରୁଥିଲେ । କଅଁଳ ହାତର ସ୍ପର୍ଶରେ ସେ ସଚେତନ ହୋଇ ଉଠିଲେ । ତିନି ବର୍ଷର ପୁଅ ଦୀଲୁ ତାଙ୍କୁ ମାରୁଛି ।

 

-ବାପା, ତମକୁ କନ ଶୁନା ଯାଉନି । ବୋଉ ପଲା ଖାଇବା ପାଇଁ ଡାକୁଛି । ବାପା-ଏ ବାପା...ଆଲେ, ଉଠ ।

 

-ହଁ, ଉଠିବି ତ ।

 

ସେ ଉତ୍ତର ଦେଲେ, ଅକାଳ ବାର୍ଦ୍ଧକ୍ୟଗ୍ରସ୍ତ ମନର ଉତ୍ତର । ଦୀଲୁ ସନ୍ତୁଷ୍ଟ ହୋଇ ପାରିଲାନି ଏ ଉତ୍ତରରେ । ତା କୌତୂହଳୀ ଆକ୍ଷି ଦୁଇଟି ସୂର୍ଯ୍ୟକୁମାରଙ୍କୁ ନିରୀକ୍ଷଣ କରିବାରେ ଲାଗି ଯାଇଥାଏ ।

 

ସେ ଖଟରୁ ଉଠିପଡ଼ିଲେ । ଦୀଲୁକୁ ଛାତିରେ ଟିକିଏ ଜାକି ଗେହ୍ଲା କରିଥିଲେ କିଛି ସମୟ । ଛାଡ଼ି ଦେବାରୁ ଦୌଡ଼ି ପଳାଇଲା ସେ ସମସ୍ତଙ୍କୁ ଏଇ ଖବରଟା ଜଣାଇ ଦେବାକୁ । ପ୍ରଥମେ ବଡ଼ ପୁଅ ବୁଲୁ ଆସିଥିଲା ଡାକିବାକୁ । ସୂର୍ଯ୍ୟକୁମାର ଦେଖିଛନ୍ତି, ଶୁଣିଛନ୍ତି-ବାପା, ବାପା ଖାଇବ ଆସ । ଟିକିଏ ପରେ ଦ୍ୱିତୀୟ ପୁତ୍ର ଆସି ଡାକିଥିଲା-ଆସ ବାପା । ପୁଣି ଝିଅ ସୀମାର ଡାକ-ବୋଉ ଡାକୁଛି ।

 

ସୂର୍ଯ୍ୟକୁମାର ସେମାନଙ୍କୁ ଉତ୍ତର ଦେବାକୁ ଚେଷ୍ଟା କରିନାହାନ୍ତି । ପିଲାମାନେ ବେଶୀ ଥର ଡାକିବାକୁ ସାହସ ମଧ୍ୟ କରିପାରି ନାହାନ୍ତି । ଦୀଲୁ କିନ୍ତୁ ଡରିବାର ପିଲା ନୁହେଁ । ସିଧା ଆସି ମାଡ଼ ମାରିବା ଆରମ୍ଭ କରି ଦେଇଛି ।

 

ଛୋଟ ଅଳ୍ପ ଅସାରର ବାରଣ୍ଡାରେ କ୍ଷୀଣ ଆଲୋକର ରେଖାଟିଏ ବୁଲୁଛି । ଖାଦ୍ୟ ଥାଳି ଆଡ଼କୁ ଯିବାବେଳେ ସେଇ ଡିବିର ଆଲୁଅରେ ସେ ତାଙ୍କ ସନ୍ତାନମାନଙ୍କର ମୁଖମଣ୍ଡଳ ନିରୀକ୍ଷଣ କରି ଉଦାସ ହୋଇ ପଡ଼ୁଥିଲେ, ସତେ ଯେପରି ସେମାନଙ୍କର ଭବିଷ୍ୟତର ଉଜ୍ୱଳତା ବିଷୟରେ ସେ ସନ୍ଦିହାନ ଥିଲେ । ପିଲାମାନେ ବସିଛନ୍ତି ଖାଦ୍ୟ ଥାଳି ପାଖରେ । ଆଉ ସ୍ତ୍ରୀ ସୁନୀତା ତାଙ୍କ ପ୍ରତୀକ୍ଷାରେ ଅଛନ୍ତି ।

 

ଅନ୍ୟଦିନ ହୋଇଥିଲେ ପିଲାମାନେ ଏଇ ସମୟକୁ ଖାଇ ଶୋଇପଡ଼ି ଥାଆନ୍ତେ । ବଡ଼ପୁଅ ବେଶୀ ଜିଦ୍‌ଖୋର । ବିଶେଷକରି ରାତ୍ରିଭୋଜନ ସମୟରେ ତା ରୁଚି ମୁତାବକ ଖାଦ୍ୟ ରନ୍ଧା ହୋଇ ନଥିଲେ ସେ ଖାଇବା ଟେବୁଲ ପାଖରୁ ଚିତ୍କାର କରେ–ଛିଃ, ଛିଃ, ଏଗୁଡ଼ା କ’ଣ ମଣିଷ ଖାଆନ୍ତି !

 

ଆଠ ନ’ ବର୍ଷର ପିଲା; କିନ୍ତୁ କଥା କହେ ବଡ଼ଙ୍କ ଭଳି । ଦ୍ୱିତୀୟ ପୁତ୍ର ସାତ ବର୍ଷ ବୟସର । ପଦେ କଥା ତାର-ମୋର ଆଜି ଭୋକ ନାହିଁ । ସିଧା ଉଠିଯାଏ ଖାଇବା ପାଖରୁ । ଏ ସବୁ ସୁନୀତାଙ୍କ ଦୃଷ୍ଟିରେ ପଡ଼େନା ପ୍ରାୟ । ପିଲାଙ୍କ ଖାଇବା ସମୟ ବେଳକୁ ସେ କ୍ଲବରୁ ଫେରି ନ ଥାନ୍ତି । ସୂର୍ଯ୍ୟକୁମାର ତ ପ୍ରାୟ ଗସ୍ତରେ । ନଚେତ୍‌ ଘରକୁ ଫେରିବା ବେଳକୁ ଆହୁରି ଡେରି ହୋଇଯାଏ । ଦିନେ ଦିନେ ସବୁ ଆକ୍ଷିରେ ପଡ଼େ । ପିଲାଙ୍କ ଅସନ୍ତୋଷ । ସ୍ତ୍ରୀଙ୍କ ଯଥେଚ୍ଛାଚାରିତା-!!

 

ଯଥେଚ୍ଛାଚାରିତା ନ କହି ଆଉ କିଛି କୁହାଯାଇ ପାରନ୍ତା ନାହିଁ ? ସୂର୍ଯ୍ୟକୁମାର ଭାବି ହୁଅନ୍ତି । ସୁନୀତାଙ୍କର ତାଙ୍କ ପାଇଁ ଆକର୍ଷଣ କମି ଯାଉନାହିଁ ତ ? ନିଜକୁ ଛୋଟ କରି ଦେଇ ଅନୁତପ୍ତ ହୁଅନ୍ତି ସେ ।

 

ସୁନୀତା ବ୍ୟାଡ଼୍‌ମିଣ୍ଟନ ଚମ୍ପିୟାନ୍‌ । ଗୋଟିଏ ରାତି କ୍ଳବ୍‌ ବନ୍ଦ କରିବା ତାଙ୍କ ପକ୍ଷରେ ଅସମ୍ଭବ । ଶୀତ ରାତିରେ ଖେଳ ଚାଲେ ରାତି ସାଢ଼େ ନଅଟା ପର୍ଯ୍ୟନ୍ତ । ଫୋନ୍‌ କରି ସମସ୍ତେ ଡକାଡ଼କି ହୋଇ ଯାଆନ୍ତି । ସୂର୍ଯ୍ୟକୁମାରଙ୍କର ଅନୁପସ୍ଥିତିରେ ଗାଡ଼ିଟା ନ ଥିବାରୁ ବାନ୍ଧବୀମାନଙ୍କ କାର୍‌ରେ ଯାଆନ୍ତି ସୁନୀତା ।

 

ସେଦିନ ସ୍ତ୍ରୀଙ୍କ ମୁହଁରେ ଡି. ଏଫ୍‌. ଓ.ଙ୍କ ସମୟଜ୍ଞାନ ବିଷୟରେ ପ୍ରଶଂସା କାହିଁକି କିମିତି ଖାପ୍‌ଛଡ଼ା ଲାଗିଲା ତାଙ୍କୁ । ସୁନୀତା କହୁଥିଲେ ପତ୍ନୀଙ୍କୁ ଲୁଗା ବଦଳାଇବାର ନିର୍ଦ୍ଦେଶ ଦେଇ ସେଇ ସମୟ ମଧ୍ୟରେ ତାଙ୍କୁ ନେଇଯିବା ପାଇଁ ନିଜେ ଡି. ଏଫ୍‌. ଓ. ଧାଇଁ ଆସନ୍ତି । ପ୍ରାୟ ଅଧିକାଂଶ ଦିନ ତାଙ୍କରି କାର୍‌ରେ ସୁନୀତା କ୍ଳବ ଯାଆନ୍ତି ଓ ଫେରନ୍ତି ।

 

ଏକଦା ସୁନ୍ଦରୀ, ସୁଶିକ୍ଷିତା ସୁନୀତାଙ୍କ ସଙ୍ଗେ ତାଙ୍କର ବିବାହ ପ୍ରସ୍ତାବ ଚାଲିଥିଲା ବୋଲି ଶୁଣିଥିଲେ ସୂର୍ଯ୍ୟକୁମାର । ଅପରପକ୍ଷର ମୋଟା ଟଙ୍କାର ଦାବୀ ପୂରଣରେ ସୁନୀତାଙ୍କ ପିତା ଅକ୍ଷମତା ପ୍ରକାଶ କରିବାରୁ ବିବାହ ପ୍ରସ୍ତାବ ଭାଙ୍ଗି ଯାଇଥିଲା । ଅଥଚ ଦାବୀ ପୂରଣ କରି ଯେ ତାଙ୍କୁ ବିବାହ କଲେ, ତାଙ୍କ ପସନ୍ଦ ମୁତାବକ ସେ ସୁନ୍ଦରୀ କିମ୍ବା ଶିକ୍ଷିତା ହୋଇ ପାରିଲେ ନାହିଁ । ସେଇ ଅପୂରଣୀୟ ଅଭାବ ଏବେ ବି ବନ୍ଧୁ ଡି. ଏଫ୍‌. ଓ. ଙ୍କ ପ୍ରାଣରେ ଜୀବନ୍ତ, ସୁଷ୍ପଷ୍ଟ ମଧ୍ୟ ।

 

ସୁନୀତାଙ୍କର ଉପସ୍ଥିତି ଆକସ୍ମିକ ଭାବରେ ସେ ଦରକାର କଲେ କାହିଁକି ?

 

ସୂର୍ଯ୍ୟକୁମାର ସଂକୀର୍ଣ୍ଣତାରୁ ଆଉଥରେ ନିଜକୁ ଦୂରେଇ ଆଣିଲେ । ସେ ମନେ ମନେ ସ୍ଥିର କରି ନେଲେ ପତ୍ନୀଙ୍କ ବୁଝାଇ ଦେବାକୁ ପଡ଼ିବ ତାଙ୍କୁ ଅନ୍ତତଃ ପିଲାଙ୍କ ଖାଇବା ସମୟ ପୂର୍ବରୁ ସେ ଘରକୁ ଫେରି ଆସିବା ଉଚିତ୍‌ । ତାର କାରଣ, ସେମାନେ ସବୁଦିନେ ପୁଝାରୀ, ପିଅନଙ୍କ ହାତରେ ଖାଇବାକୁ ଅସନ୍ତୁଷ୍ଟ । ତା’ଛଡ଼ା ପାଠପଢ଼ା..... । ମା’ ବାପା ଉଭୟ ଯଦି ଘରୁ ଅନୁପସ୍ଥିତ ରହନ୍ତି ପିଲା କ’ଣ ଅବା ମଣିଷ ହେବେ ? ସୂର୍ଯ୍ୟକୁମାରଙ୍କର ମନେ ପଡ଼ିଲା ଘରେ ପଢ଼ାଉଥିବା ଶିକ୍ଷକ ଠିକ୍‌ ପଢ଼େଇସାରି ଯିବା ପରେ ପୁଅ ଦୁଇଜଣ ତାଙ୍କ ପଢ଼ା ଟେବୁଲ ପାଖରେ ଟୁଇଷ୍ଟ ଆରମ୍ଭ କରି ଦେଇଥିଲେ । ତା’ପରେ ପାଟିରେ ହୁଇସିଲ୍‌ ମାରି କେଉଁ ସିନେମା ଗୀତର ସ୍ୱର....ଆଉ ଝିଅ ସୀମା ତାଳି ମାରି ହସି ଘର କମ୍ପାଉଥିଲା । ସେମାନେ ଜାଣନ୍ତି ଘରେ ମା’ ନାହିଁ, ବାପାଙ୍କ ଫେରିବା ମଧ୍ୟ ଯଥେଷ୍ଟ ଡେରି ହୁଏ । ଗୋପନରେ ଘରର ପ୍ରତ୍ୟେକ କାର୍ଯ୍ୟକଳାପ ଅନୁଧ୍ୟାନ କରିବାରେ କାହିଁକି କେଜାଣି ସେ ଆଗ୍ରହୀ ହୋଇ ଉଠିଥିଲେ ସେ ଦିନ ।

 

ସୁନୀତା ଫେରିଲେ ଅପେକ୍ଷାକୃତ ବିଳମ୍ବରେ । ବ୍ୟାଡ଼ମିଣ୍ଟନ୍‌ ଖେଳରେ ନିଜର କୃତିତ୍ୱ କଥା କେବଳ ଗପିବାରେ ପ୍ରଗ୍‌ଳଭା ସେ ସବୁଦିନ । ସୂର୍ଯ୍ୟକୁମାର ଶୁଣୁ ଶୁଣୁ ଅନ୍ୟମନସ୍କ ହୋଇ ପଡ଼ିଲେ ।

 

ଆଃ....ଟିକିଏ ତ ଚିନ୍ତା କରି ପାରନ୍ତେ ଯେ ତାଙ୍କ ସ୍ୱାମୀ ଏକା ରହି ହୁଏତ ଅସହ୍ୟ ହୋଇ ଉଠିଥିବେ, ବୁଝିଲେ ନାହିଁ, ପିଲାମାନେ ଭଲରେ ଖାଇ ଶୋଇଛନ୍ତି ତ ?

 

ମା’ ହୋଇ ସେ ନିର୍ବିକାର, ଅଥଚ ଦିନଟିଏ ଘରେ ବେଶୀ ସମୟ ରହି ସେ ଭାବୁଛନ୍ତି ପିଲାଙ୍କ କଥା ତାଙ୍କଠାରୁ ବେଶୀ । ସେ ଦିନ ଶୋଇବା ସମୟରେ ସୂର୍ଯ୍ୟକୁମାର କହିଲେ-ପିଲାମାନେ ଆଜି ପ୍ରାୟ ଓପାସ ରହିଲେ ।

 

କଥାର ବିଷୟବସ୍ତୁ ବଦଳି ଯିବାରୁ ସୁନୀତା ହୁଏତ ଅସନ୍ତୁଷ୍ଟ ଏ କଥା ସୂର୍ଯ୍ୟକୁମାରଙ୍କ ଚକ୍ଷୁରୁ ଏଡ଼ାଇ ଯାଇ ନ ଥିଲା ।

 

-ସେମାନେ ଖୁବ୍‌ ବେଶୀ ଏକଜିଦିଆ ହେଉଛନ୍ତି । ଶାସ୍ତି ଦରକାର ତାଙ୍କ ପାଇଁ ।

 

-କ୍ଷୀର ପିଇବାକୁ ପାଟିକୁ ନେଇ ଗୋଟାଏ ଗ୍ଲାସ କ୍ଷୀର ସୀମା ଢାଳି ଦେଲା । ଆଉ ମୁଁ ବି ଜାଣୁଛି ଏବେ ଏଥିରେ ପାଣି ମିଶୁଛି ।

 

ସୂର୍ଯ୍ୟକୁମାରଙ୍କର ମନ୍ତବ୍ୟରେ ସୁନୀତା ତଥାପି ହସିଲେ ଅବଜ୍ଞାର ହସ ।

 

-ଘର ଗାଈ କ୍ଷୀର ଦେଉଛି । କ୍ଷୀର ପାଣିଆ ହେବାର ସମ୍ଭାବନା ନାହିଁ ।

 

-କ୍ଷୀର ସିଝେଇବା ଲୋକର ଭୁଲ୍‌ରୁ ହୁଏତ ପାଣି ମଧ୍ୟ ମିଶି ପାରେ ।

 

-ତୁମେ କଣ ମୋ ସାଙ୍ଗ କଳି କରିବ ବୋଲି ଆଜି ଠିକ୍‌ କରିଛ ?

 

-କଳି ନୁହେଁ । କଥାଟା ବୁଝ ସୁନୀତା ।

 

ସୁନୀତା ନୀରବ ରହିଗଲେ । ଦିନେ ଘରର ଟିକିନିଖି ତଦାରଖ କରି ସେ ହୋଇଛନ୍ତି ଅସନ୍ତୁଷ୍ଟ । ଏଥର ଗ୍ରସ୍ତ କାର୍ଯ୍ୟକ୍ରମ ବଢ଼ାଇଦେଲେ ବରଂ ଭଲ ହେବ । ଅଫିସରେ ବସି ବସି ବରଂ ଫାଇଲ ଘାଣ୍ଟିବା ଆହୁରି ଭଲ ।

 

ଏକଦା ସିନିୟର ଏକ୍‌ଜିକ୍ୟୁଟିଭ ଇଂଜିନିୟର ସୂର୍ଯ୍ୟକୁମାର ଦାସ ନିଜର କର୍ମଦକ୍ଷତା ନେଇ ଗର୍ବ ଅନୁଭବ କରୁଥିଲେ । ଦୈନନ୍ଦିନ କର୍ତ୍ତବ୍ୟ ସମ୍ପାଦନରେ ସେ ହୁଅନ୍ତି ତୃପ୍ତ । କ୍ଲବ ଯିବା କମିଗଲେ, ବନ୍ଧୁମାନଙ୍କ ଘରକୁ ଯିବାରେ କିଛି ଦିନ ବନ୍ଦ ହୋଇଗଲେ ପରୋକ୍ଷ ଭାବରେ ମନ୍ତବ୍ୟ ପ୍ରକାଶ କରନ୍ତି ସେମାନେ ।

 

-ସୂର୍ଯ୍ୟକୁମାର ଖୁବ୍‌ ବେଶୀ ମନିମାଇଣ୍ଡେଡ଼ ହୋଇ ଯାଉଛି ।

 

ଈର୍ଷା, କେବଳ ଈର୍ଷା ନୁହେଁତ ଆଉ କ’ଣ ? ଥରେ କିଏ ଜଣେ କହି ପକାଇଲା–ସୂର୍ଯ୍ୟବାବୁ, ଶୁଣିଲି ହଠାତ୍‌ ଆପଣଙ୍କ ଦରମାଟା ଦୁଇଶତ ଟଙ୍କା ଅଧିକା ହୋଇ ଯାଇଛି ।

 

ତାଙ୍କ ଅଜ୍ଞତା ଓ ବୋକାମୀ ପାଇଁ ସେଦିନ ଅନ୍ୟମାନେ ଏ ପରଶ୍ରୀକାତର ବନ୍ଧୁଙ୍କୁ ସତର୍କ କରି ଦେଇଥିଲେ । କିନ୍ତୁ ସୂର୍ଯ୍ୟକୁମାର ଭାବୁଥିଲେ ନିଜର କର୍ତ୍ତବ୍ୟ ଛଡ଼ା ସେ ତ ଅଧିକ ସେମିତି କିଛି କରୁନାହାନ୍ତି । ସେଇ କେତେକ ଅସହିଷ୍ଣୁ ବନ୍ଧୁମାନଙ୍କର ବିଷୟ ତାଙ୍କୁ ଅବିଦିତ ନ ଥିଲା । ସେ ହସିବାକୁ ଲାଗିଲେ ମନକୁ ମନ । ସୁନୀତା କଥା କହୁ କହୁ ଦିନେ କହି ପକେଇଲେ ।

 

-ତୁମର କ’ଣ ସେଭିଂସ୍‌ ଅଛି କୁହ ତ ? ପିଲାଙ୍କ ଉଚ୍ଚଶିକ୍ଷା, ବିବାହ....ସବୁ ବିଷୟ ଏବେଠାରୁ ଭାବିବାର କଥା ।

 

-ନିଜର ଅନ୍ୟ ସଙ୍ଗେ ତୁଳନା କର ନା । ସୂର୍ଯ୍ୟକୁମାରଙ୍କର ସ୍ୱର ଧୀର ଅଥଚ ତାଙ୍କ ଆତ୍ମ ଅହମିକା ସୁନୀତାଙ୍କୁ ଅସହ୍ୟ ମନେ ହେଲା । ସେ ଖୁବ୍‌ ଶୀଘ୍ର ରାଗିଗଲେ ସୂର୍ଯ୍ୟକୁମାର ମଧ୍ୟ ବିରକ୍ତ ।

 

-ତୁମେ କ’ଣ ଜାଣିଛ ? ଏଇ ତ ସୁବୀର ପଟ୍ଟନାୟକ, ସ୍ତ୍ରୀ ଅନୁପମାଙ୍କ ଜନ୍ମଦିନରେ ଷ୍ଟୋନ୍‌ସେଟିଂ ସୁନାହାର, ଦାମିକା ଶାଢ଼ୀ ଉପହାର ଦେଇଥିଲେ । ଆଉ ତୁମେ ! ନିର୍ଲଜଙ୍କ ଭଳି ଅନୁରୋଧ କରୁଥିଲ ମୋ ଜନ୍ମ ଦିନର ସେଇ ଘରେ ଥିବା ନୂଆ ଶସ୍ତା ପ୍ରିଣ୍ଟ ଶାଢ଼ୀ ଖଣ୍ଡକ ପିନ୍ଧି ମନ୍ଦିର ଯିବାକୁ !

 

ଅନର୍ଗଳ କହି ଚାଲିଛନ୍ତି ସୁନୀତା....ସୂର୍ଯ୍ୟକୁମାର ଚିତ୍କାର କଲେ-ଓଃ, ଖାଲି ସେଇ ଶାଢ଼ୀ ଆଉ ଗହଣା । ବିଚିତ୍ର ଏ ନାରୀ ମନ ! –ଏଇ ପଚାଶ, ଶହେ ଭିତରେ ଶାଢ଼ୀ ଖଣ୍ଡେ ତ । ସେଇଥିପାଇଁ ଏତେ ଅଶାନ୍ତି !!

 

ସୂର୍ଯ୍ୟକୁମାରଙ୍କ ମନରେ ଅସୁମାରୀ ଭାବନାର ଢେଉ । କିନ୍ତୁ କିମିତି ହୋଇ ପାରନ୍ତା ? କାର୍‌ ଲୋନ୍‌, ପ୍ରୋଭିଡ଼େଣ୍ଟ ଫଣ୍ଡରୁ ଲୋନ ସବୁ କଟି ଯାଇ ଯାହା ବା ଟଙ୍କା ଘରକୁ ଆସେ, ସେଥିରେ ମାସକର ଘରଖର୍ଚ୍ଚଟା ପ୍ରାୟ ଚଳିଯାଏ । ଅଧିକ ବଳିଲେ ହୁଏତ ସୁନୀତାଙ୍କ ସୌଖୀନ ଖର୍ଚ୍ଚ ପାଇଁ ଅସୁବିଧା ହୁଅନ୍ତା ନାହିଁ । ନା-ସେ ଦୃଢ଼ । ସବୁ ଠିକ୍‌ ଅଛି । ଠିକ୍‌ ଚାଲିଛି । ସୁନୀତା ନିଜେ ନ ବୁଝିଲେ ତାଙ୍କ କିଛି ବୁଝାଇ ହେବ ନି । ମନଟା ଅକାରଣେ ଗୋଳମାଳ ଧରିଗଲା । ସୂର୍ଯ୍ୟକୁମାର ଅଫିସ ବାହାରିଲେ ତର ତର ହୋଇ....

 

ଫେରିବା ସମୟରେ ସେ ମନେ କଲେ ତାଙ୍କର ଆହୁରି ଡେରିରେ ବରଂ ଘରକୁ ଫେରିବା ଉଚିତ । ଶୀଘ୍ର ଫେରିବାର ଆବଶ୍ୟକତା ସେମିତି ନାହିଁ । ସୂର୍ଯ୍ୟକୁମାର ଫାଇଲ ଘାଣ୍ଟି କାଗଜ ଓଲଟାଇବାରେ ଲାଗିଲେ । ଆଜ୍ଞା...ପିଅନଟି କିଛି କହିବାକୁ ଯାଇ ଅଟକିଗଲା । ସୂର୍ଯ୍ୟକୁମାର ଅନ୍ୟମନସ୍କ ଭାବେ କାର୍‌ ପାଖକୁ ଉଠିଗଲେ । ଠିକ୍‌ ଗାଡ଼ିର ଦ୍ୱାର ଖୋଲିବାକୁ ଯାଇ ସେ ଲକ୍ଷ୍ୟ କଲେ ତାଙ୍କୁ କିଏ ଅନୁସରଣ କରୁଛି । ଆଗତ ସନ୍ଧ୍ୟାର ପତଳା ଅନ୍ଧକାର ମଧ୍ୟରେ ହୁଏ ତ ତାଙ୍କ ପାଇଁ ସଞ୍ଚିତ ଥିଲା ଜୀବନର ଚରମ ଦୁର୍ବିସହତା । ଆଃ, ସେଇ ମୁହୂର୍ତ୍ତକର ଶାସ୍ତି କଣ ଏତେ ଦାରୁଣ ! କିଏ ? କଣ୍ଟ୍ରାକ୍‌ଟର ଚନ୍ଦ୍ରମୋହନ ?? ଦୁଇ ଦିନ ତଳେ ଲୋକଟାକୁ ବିରକ୍ତିରେ ବିଦାୟ ଦେଇଥିଲେ ସେ ।

 

-ପୁଣି କୁଆଡ଼େ ? ମୁଁ ପରା ନାହିଁ କରିଥିଲି ସେ ଦିନ ।

 

-ଆଉ କିଛି କହିବା ପାଇଁ ଆସିଛି, ଆଜ୍ଞା ।

 

-ଥାଉ, କିଛି କହିବା ଦରକାର ନାହିଁ । ମୁଁ ଏବେ ଯିବା ପାଇଁ ବାହାରିଛି । ପରେ ଅଫିସ୍‌ରେ ଅନ୍ୟାନ୍ୟ କଥାବାର୍ତ୍ତା ।

 

-ସେ କଥା ନୁହେଁ, ଆଜ୍ଞା । ଏଇଟା ରଖନ୍ତୁ ।

 

ଶୁଭ୍ର ଲଫାପାର ପ୍ୟାକେଟ୍‌ଟିଏ ବଢ଼େଇ ଦେଲେ ଚନ୍ଦ୍ରମୋହନ । ଲଫାପା ଖୋଲି ଶହେ ଟଙ୍କାର ନୋଟ୍‌ ଖଣ୍ଡେ କାଢ଼ି ଆଣିଲେ ସୂର୍ଯ୍ୟକୁମାର । ବାଃ, ଆଉ ବି ତ ଅନେକ ନୋଟ୍‌ ଅଛି-। ହସି ପକାଇଲେ ସେ ।

 

-କେବେଠାରୁ ଏ ସାହସ କଲ ? ହାତରେ ଲାଖି ରହିଛି ଶହେ ଟଙ୍କାର ନୋଟ୍‌ ଖଣ୍ଡିଏ । ମାତ୍ର ଗୋଟିଏ ମୁହୂର୍ତ୍ତର ଚିନ୍ତା-ସତେ କଣ ଏଇ ଟଙ୍କାରେ ଜନ୍ମ ଦିନର ହାର, ଶାଢ଼ୀ ପିନ୍ଧି ପାରିବ ସୁନୀତା !

 

ଧେତ୍‌, ରଖ ତୁମର ଏ ଟଙ୍କା....ପୂରା ବାକ୍ୟ ଶେଷ କରି ପାରିଲେ ନି ସୂର୍ଯ୍ୟକୁମାର । କଣ୍ଟ୍ରାକ୍‌ଟର ଚନ୍ଦ୍ରମୋହନଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ ତାଙ୍କୁ ଆରେଷ୍ଟ କରାଗଲା । ପୂର୍ବନିରୂପିତ ବ୍ୟବସ୍ଥା ଅନୁଯାୟୀ ଗୁଇନ୍ଦା ପୋଲିସଙ୍କ ନିର୍ଦ୍ଦେଶରେ ଚନ୍ଦ୍ରମୋହନ ନିର୍ଭୁଲ ଭାବରେ ଅଭିନୟ କରିଛନ୍ତି ।

 

ସୁଦକ୍ଷ ଓ ସଚ୍ଚୋଟ ଇଞ୍ଜିନିୟର ହିସାବରେ ସରକାରଙ୍କ ଠାରୁ ପୁରସ୍କାର ତ ପୁଣି ପାଇବାର ଥିଲା ! ସୂର୍ଯ୍ୟକୁମାରଙ୍କର ମନ ହେଲା ସେ ହୋ ହୋ କରି ହସନ୍ତେ କି ! ! ନା-ତାଙ୍କର କାନ୍ଦିବା ଉଚିତ.....

 

କେଶ ଚାଲିଛି ଦୀର୍ଘ ତିନି ବର୍ଷ ଧରି, ସସ୍‌ପେନ୍‌ସନ ସମୟରେ ହୁଏତ ଦୟାକରି ସରକାର ଦେଉଛନ୍ତି ତିନିଶହ ଟଙ୍କା । ଅଧା ଦରମାରୁ ମଧ୍ୟ କମ୍‌ । ସେଥିରୁ ମକଦ୍ଦମା ଖର୍ଚ୍ଚ ତୁଲାଇବେ, ଘର ଖର୍ଚ୍ଚ ମଧ୍ୟ । ମଫସଲର ପାଣି କାଦୁଅ ଚକଟା ଗାଁରେ ରହିଛନ୍ତି ସେମାନେ । ମାଟି ଘର ଖଣ୍ଡିକ ଛଡ଼ା କିଛି ନାହିଁ ବୋଲି କେବେ ଆସୁ ନ ଥିଲେ ସେମାନେ । ସେଇ ହୋଇଛି ତୀର୍ଥଭୂମି । କେବେ ଭାବିଥିଲେ ପିଲାଙ୍କୁ ପବ୍ଳିକ ସ୍କୁଲରେ ପଢ଼ାଇବେ, ସେ ସ୍ୱପ୍ନ ହଜିଗଲାଣି । ବହି ବସ୍ତାନି ଧରି ଗାଁ ସ୍କୁଲକୁ ଯାଉଛନ୍ତି ସେମାନେ ।

 

ସୁନୀତାଙ୍କ ହାତରେ ଚାଟିପଟ ନାଲି ପାଣି କାଚ । ଗୋଟି ଗୋଟି ହୋଇ ଗହଣା ବିକା ସରିଛି । ସୂର୍ଯ୍ୟକୁମାରଙ୍କର ସଂସାରନୌକାଟି ତଥାପି ଚାଲିଛି । ଟିକି ନିଖି ପ୍ରତ୍ୟେକଟି କାମ ହାତରେ କରୁଛନ୍ତି ସୁନୀତା । ଅଭିଯୋଗ ନାହିଁ, ଆପତ୍ତି ନାହିଁ । ପିଲାଏ ଖାଉଛନ୍ତି....ମା’ ଯାହା କିଛି ବାଢ଼ି ଦେଉଛି ।

 

ଶାଗ ତରକାରୀ ଆଉ ରୁଟୀ-ସୁନୀତା ପ୍ରସ୍ତୁତ କରିଛନ୍ତି ଆଜିର ଡିନାର । ଗେହ୍ଲା ପୁଅ ଦୀଲୁ ସଙ୍ଗରେ ଖାଇ ବସିଛି ।

 

-ତୁମେ ତ କିଛି ଖାଉ ନ, ବାପା ।

 

ଠିକ୍‌ କହିଛି ସେ । କେତେ ସମୟ ଧରି ଶାଗ ପାଣି ଲଗାଇ ଖଣ୍ଡିଏ ରୁଟୀ ସେ ଖୁଆଇ ଚାଲିଛନ୍ତି । ପିଲାଟା କ୍ଷୀର ବି ଟିକିଏ ପିଇବାକୁ ପାଇଲା ନାହିଁ । ସୂର୍ଯ୍ୟକୁମାର ଦୀର୍ଘ ନିଶ୍ୱାସ ନେଲେ । ବଡ଼ ପିଲାମାନେ ଉଠିଗଲେଣି । ତିନି ପୁଅରେ ସୁନାନାକୀ ଝିଅ ସୀମା । ତଥାପି ସେ ଖାଉଛି..... । ରାତି ଖାଇବାରେ ପ୍ରତିଦିନ ପୁଡ଼ିଂ, କଷ୍ଟାର୍ଡ଼ କିମ୍ବା ମିଠା ଯା’ କିଛି ହେଲେ ତା, ପାଇଁ ରଖିବାକୁ ପୁଝାରୀକୁ ଆଗରୁ ନିର୍ଦ୍ଦେଶ ଦେଇଥିବେ ସୁନୀତା ।

 

ଆଃ, ପରିସ୍ଥିତିକୁ ସହଜରେ ଗ୍ରହଣ କରି ନେଇଛି ସେ । କିନ୍ତୁ ସେଇ ପିଲାମାନେ ଇମିତି ବା ହେଲେ କିମିତି ? ଆଉ ସୁନୀତା !!! ସୂର୍ଯ୍ୟକୁମାରଙ୍କ ଆକ୍ଷିରେ ପଡ଼ିଲା ନାଲି କାଚ ପିନ୍ଧା ଗୋରା ହାତ ଦୁଇଟି କଳା ତେଲ ଚିକିଟା ଡେକ୍‌ଚିକୁ ପରିଷ୍କାର କରୁଛି ।

 

କାହିଁ କ’ଣ ଆଉ ଅସୁବିଧା ଅଛି ? ସଂସାରଟି ବେଶ୍‌ ଚାଲିଛି ତ ! ସେ ଠିକ୍‌ ଅଛନ୍ତି ! ! ଖାଇବା ପାଖରୁ ଉଠି ଯାଇ ସୁନୀତାଙ୍କୁ ସେ ପ୍ରଶ୍ନ କଲେ,

 

-ସୁନୀ, ତୁମେ କ’ଣ ସୁଖରେ ଅଛ !!!

 

କିଛି ନ ବୁଝି ପାରି ବଡ଼ ବଡ଼ ଆକ୍ଷିରେ ସୂର୍ଯ୍ୟକୁମାରଙ୍କୁ ଚାହିଁ ରହିଲେ ସୁନୀତା ।

 

-ଆରେ, ଚାହିଁ ରହିଲ କଣ ? କୁହ, ତୁମକୁ କଷ୍ଟ ହେଉ ନି ? ସୂର୍ଯ୍ୟକୁମାର ଉତ୍ତେଜିତ ହୋଇ ପଡ଼ିଥିଲେ । ସୁନୀତା ଉତ୍ତର ଦେଲେ ଟିକିଏ ପରେ ।

 

-ତୁମେ ଶୋଇବ ଯାଅ । ରାତି ଡେରି ହେଲାଣି ।

 

ଓଃ, ସୁନୀତା ଯଦି କହି ପାରନ୍ତା ତାକୁ କଷ୍ଟ ହେଉଛି, ସେ ଶାନ୍ତି ପାଆନ୍ତେ ବୋଧହୁଏ । ନା-ସ୍ତ୍ରୀ, ପିଲା କେହି କିଛି କହିବେ ନି ସ୍ଥିର କରିଛନ୍ତି । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସୂର୍ଯ୍ୟକୁମାର ।

 

ଅସୁସ୍ଥ, ଦୁର୍ବଳ ରୋଗୀ ପରି ଥରି ଥରି ବିଛଣା ପର୍ଯ୍ୟନ୍ତ ଚାଲି ଯାଇଥିଲେ ସେ । ତା’ ପରେ ଆକ୍ଷିବୁଜି ନିଦ ପାଇଁ ଅପେକ୍ଷା କରୁଥିଲେ ସେ କେବଳ ।

Image

 

ଲାଭା

 

ଠିକ୍‌ ସେତେବେଳେ ସକାଳ ଓହ୍ଲାଇ ଆସିଥାଏ ପ୍ଳାଟଫର୍ମ ଉପରେ । ହଳଦିଆ ରଙ୍ଗର କାଠ ବୋର୍ଡ଼ ଉପରେ କଳାରଙ୍ଗର ଗୋଲ ଗୋଲ ଅକ୍ଷର କୋତୋଟି ଆହୁରି ପରିଷ୍କାର ଭାବରେ ପଢ଼ି ହେଉଥାଏ । ବହୁ ସମୟ ଧରି ଏଇ ଅକ୍ଷର କେତଟା ପାଇଁ ଚଞ୍ଚଳ ହୋଇ ଉଠିଥିଲା ସିଦ୍ଧାର୍ଥ । ଷ୍ଟେସନ ଯେତେ ପାଖ ହୋଇ ଆସୁଥିଲା, ତା’ର ମନେ ହେଉଥିଲା ରାସ୍ତାର ଦୀର୍ଘତା ସତେ କି ବଢ଼ି ଚାଲିଛି । ସେ କେବଳ ଯେ ଖୁବ୍‌ ଖୁସି ହେଉଥିଲା ତା ନୁହେଁ । ହଠାତ୍‌ ତା’ର କଣ ମନେ ପଡ଼ି ଯିବାରୁ ଷ୍ଟେସନ୍‌ର ଏ ପାଖ ସେ ପାଖକୁ ଆକ୍ଷି ଫୋରାଇ ଚାହିଁବାରେ ଲାଗିଲା ସେ ।

 

ତେବେ ସେମାନେ କ’ଣ ଚିଠି ପାଇଲେ ନି ? ନିଶ୍ଚୟ ତ ପାଇବାର କଥା । ସ୍କୁଲ ଛୁଟୀ ହେଲା କୋଡ଼ିଏ ଡିସେମ୍ବରରେ ତା’ର ଚାରି ପାଞ୍ଚ ଦିନ ପୂର୍ବରୁ ସେ ଲେଖିଥିଲା । ଅଥଚ କାହାରି ଦେଖା ନାହିଁ । ସେ ଭାବିଥିଲା ଗାଡ଼ି ଷ୍ଟେସନରେ ରହିବା ମାତ୍ରକେ ପ୍ରଥମେ ବାପା, ବୋଉ ଓ ଅଜନ୍ତାକୁ ସେ ନିଶ୍ଚୟ ଦେଖିବ । ତା’ପରେ ତାଙ୍କର ନୂଆଗାଡ଼ି । କେତେ ଆଶା କରିଥିଲା ସେ ନୂଆ କାର୍‌ ନେଇ ସେମାନେ ତାକୁ ନେବାକୁ ଆସିବେ । ବାଟସାରା ଅଜନ୍ତା ସାଙ୍ଗରେ ଗପ କରି କରି ଯିବା ବେଶ୍‌ ମଜା । କିନ୍ତୁ ଭାଇ ? ଅପା ? ନା, ସେମାନେ କେବେ ଆସି ପାରିବେ ନାହିଁ । ଛୁଟୀ ହେଲେ ଦିନ ନଅଟା ପର୍ଯ୍ୟନ୍ତ ଶୋଇ ରହିବା ସେମାନଙ୍କର ଅଭ୍ୟାସ ।

 

-ବାବୁ, କୁଲି....

 

ସବୁ ଯାତ୍ରୀ ପ୍ରାୟ ଓହ୍ଲାଇବାରେ ଲାଗି ଗଲେଣି । ସେ ଆଉ ବସି ରହିବ କାହିଁକି ? ଏଇଟା ସତ ଯେ ବାପା, ବୋଉ ଆସିଥିଲେ କମ୍ପାର୍ଟମେଣ୍ଟ ଭିତରକୁ ଆସି ସାରି ଥାଆନ୍ତେ ନିଶ୍ଚୟ । ଡାହାଣ ଗୋଡ଼ର ଯୋତା ଫିତାଟା ଟାଇଟ୍‌ କରି ବାନ୍ଧି ସାରି ହଠାତ୍‌ ପ୍ରସ୍ତୁତ ହୋଇଗଲା ସିଦ୍ଧାର୍ଥ । କାନ୍ଧରେ ଝୁଲୁଛି ବଡ଼ ବ୍ୟାଗ, ଆର ହାତରେ ଓ୍ୟାଟର ବଟଲ୍‌ଟା ଧରି ପ୍ଲାଟଫର୍ମ ଉପରେ ଓହ୍ଲାଇ ପଡ଼ିଲା ସେ ।

 

-ଏ ରିକ୍‍ସା ଯିବୁ ?

 

ରିକ୍‌ସାବାଲାଠାରୁ ଉତ୍ତର ପାଇବା ପାଇଁ ଅପେକ୍ଷା ନ କରି ତା ରିକ୍‌ସାରେ ବସି ସାରିଥିଲା ସେ । ଶେଷଥର ପାଇଁ ଷ୍ଟେସନ ପାଖର ରାସ୍ତାରେ ଟିକିଏ ଦୃଷ୍ଟି ଘୂରାଇ ନେଇ ନିରୁତ୍ସାହିତ ଭାବେ ସେ ବସି ରହିଥିଲା । ଠିକ୍‌ ଅଛି । ଘରେ ପହଞ୍ଚିଲେ ସମସ୍ତଙ୍କ ସଙ୍ଗେ ନିଶ୍ଚୟ ଦେଖାହେବ ।

 

ରିକ୍‌ସା ଚାଲିଛି.....ମେନ୍‌ ରୋଡ଼ରେ ପରିଷ୍କାର ଭାବରେ ଦେଖା ଯାଉଛି ତାଙ୍କ ଘରଟା-। ପହଞ୍ଚିବା ପାଇଁ ଆଉ ବେଶୀ ଡେରି ନାହିଁ । ସିଦ୍ଧାର୍ଥ ହସୁଛି ।

 

ଫାଟକ ପାଖରେ ପହଞ୍ଚି ଅଭିମାନରେ ଫାଟି ପଡ଼ିଲା ସେ । ତା’ର ଇଛା ହେଲା ଖୁବ୍‌ ଜୋର୍‌ରେ ଠେଲି, ଗୋଇଠା ମାରି ତାଙ୍କ ଲୁହା ଫାଟକଟାକୁ ସେ ଯଦି ଭାଙ୍ଗି ଦେଇ ପାରନ୍ତା ! ନଚେତ୍‌ ଚିତ୍‌କାର କରି ଘର ଲୋକମାନଙ୍କୁ ଉଠାଇ ଦିଅନ୍ତା ! କିନ୍ତୁ କିଛି ନ କରି ନୀରବରେ ସେ ଚାହିଁ ରହିଲା ଖାଲି । ଫାଟକର ବଡ଼ ତାଲାଟା ଖୋଲିବାକୁ କାହାରି ବି ମନେ ପଡ଼ିନି ଆଜି ! ଥାଉ-ବରଂ ଉତ୍ତ୍ୟକ୍ତ ହେବା ଅପେକ୍ଷା ସେ ଯଦି ଅକ୍ଳେଶରେ ଏଇଟା ଡେଇଁ ଯାଇପାରେ ? ଏଇତ ଅଜନ୍ତା ବୁଲୁଛି....

 

-ସାନ ଭାଇ, ତୁମେ କେତେବେଳେ ଆସିଲ ? ଆଜି କ’ଣ ଟ୍ରେନ୍‌ ଲେଟ୍‌ ନ ଥିଲା ? ମୁଁ ଭାବୁଥିଲି ଟ୍ରେନ୍‌ଟା ଲେଟ୍‌ ହୋଇ ଯାଆନ୍ତା କି !

 

-କାହିଁକି ଟ୍ରେନ୍‌ ତ ଠିକ୍‌ ସମୟରେ ପହଞ୍ଚିଛି ।

 

ଅଜନ୍ତା ତାକୁ ବିସ୍ମୟରେ ଚାହିଁ ରହିଥାଏ ଖାଲି ।

 

-ବାପା, ବୋଉ କ’ଣ ଉଠି ନାହାନ୍ତି ?

 

-ନା, ଉଠେଇ ଦେବି ?

 

-ଥାଉ, ବୋଉ କାଳେ ରାଗିବ ।

 

ସେ ମନେ ପକାଇଲା । ଆଗରୁ ନିଦରେ ଶୋଇବାବେଳେ ଯଦି ସେମାନେ ବୋଉକୁ ଡାକୁଥିଲେ, ସେ ଭାରୀ ବିରକ୍ତ ହୋଇ ଯାଉଥିଲା । କିନ୍ତୁ ଆଶୀଷର ବୋଉ ? ଦୀର୍ଘ ଖରା ଛୁଟୀଟା ସେ ତାଙ୍କରି ଘରେ କଟାଇ ଆସିଲା । କାହିଁକି କେଜାଣି ସେଇ ମାଉସୀଙ୍କ କଥା ତାର ଭାରୀ ମନେ ପଡ଼ୁଛି ।

 

ରାତି ସାଢ଼େ ବାରଟାରେ ଆଶୀଷ ସଙ୍ଗେ ସେ ତାଙ୍କ ଘରେ ପହଞ୍ଚିଲା । ମାଉସୀ କିନ୍ତୁ ନ ଶୋଇ ସେମିତି ଚାହିଁ ରହିଥିଲେ । ଭୋକ ନ ଥିଲେ ବି ତାଙ୍କ ବାଧ୍ୟରେ ସେ କିଛି ଖାଇଥିଲା । ତା’ପରେ ଦୁଇଘଣ୍ଟା ଧରି ସେମାନଙ୍କର କେତେ ଖବର ଅନ୍ତର ପଚାରିଥିଲେ ସେ । ଭାରୀ ସ୍ନେହୀ ସେ ମାଉସୀ । ଇସ୍‌, ଆଶୀଷର ଘରଟା ଯଦି ତାଙ୍କ ଘର ହୋଇ ଥାଆନ୍ତା !

 

-ସାନଭାଇ, ଘରକୁ ଚାଲ । ଏଠି କ’ଣ ଇମିତି ବସିଗଲ ? ତୁମକୁ କ’ଣ ଭୋକ ଲାଗୁନି-

 

ସିଦ୍ଧାର୍ଥର ଇଛା ହେଲା ପଚାରନ୍ତା ।

 

-ଆଚ୍ଛା, ଆଜି କହିଲୁ । ଆମ ବୋଉ ତ କେବେ ସକାଳୁ ଉଠେ ନାହିଁ । ୟା ବୋଲି ମୋ ଆସିବା ଦିନ ବି ଉଠିବ ନି ?

 

ସେ ଖାଲି ଭାବିଲା । କିଛି ନ କହି ଖୁବ୍‌ ଶୀଘ୍ର ଘର ଆଡ଼େ ଚାଲିଲା । ଶୀତଟା ବେଶୀ ପଡ଼ିଛି । ସେ ଦାନ୍ତ ଘଷି ନାହିଁ, ଅଥଚ ଭୋକ ଲାଗୁଚି । ସେଇ ମାଉସୀଙ୍କ ହାତତିଆରି କେତେ ନୂଆ ପ୍ରକାରର ପିଠା ଭାରି ଭଲ ଲାଗୁଥିଲା ! ନଚେତ୍‌ ରାତି ଅଧରେ ସେ ଏତେ ଗୁଡ଼ାଏ ଖାଇ ନ ଥାଆନ୍ତା । କିନ୍ତୁ ଏତେ ସକାଳୁ ଏଠି କେହି ଉଠନ୍ତି ନାହିଁ । ଆଠଟାରେ ବ୍ରେକ୍‌ଫାଷ୍ଟ ଟାଇମ୍‌, ଅଥଚ ପୂଝାରୀଟା ଭାରୀ ଡେରି କରିଦିଏ । ସବୁଦିନ ସେଇ ଏକା ପ୍ରକାରର ଖାଦ୍ୟ-ପାଉଁରୁଟି, ଅଣ୍ଡା, ବଟର ଆଉ ଫଳ । ଧେତ୍‌ ତାକୁ ଭୋକ ଲାଗୁନି । ସେ କିଛି ଖାଇବ ନାହିଁ । ଖାଲି ଏମିତି ଶୋଇ ରହିବ । କମ୍ବଳଟା ଆଉ ଟିକେ ଟାଣି ଖଟ ଉପରେ ସେମିତି ପଡ଼ିରହିଲା ସେ ।

 

ପାଖ ଘରୁ ବାପା ଡାକୁଛନ୍ତି । ଅଜନ୍ତା ବୋଧହୁଏ କହି ସାରିଲାଣି ତା ଆସିବା କଥା । ସିଦ୍ଧାର୍ଥ ନିଜକୁ ସଜାଡ଼ି ନେଇ ଆର ଘର ଆଡ଼େ ଚାଲିଲା । ବାପା ଖଟ ଉପରେ ସେମିତି ଶୋଇ ରହିଛନ୍ତି । ସ୍ଲିପିଙ୍ଗ୍‌ ଗାଉନ୍‌ଟା ଦେହରେ ଗଳାଇ ସେ ଅଦ୍‌ଭୁତ ମନେ ହେଉଛନ୍ତି । ଜଣାପଡ଼ୁଛି ରାତିରେ ବହୁ ଡେରିରେ ନିଶ୍ଚୟ କ୍ଲବରୁ ଫେରିଛନ୍ତି । ଦିନେ ରାତି ପ୍ରାୟ ଦୁଇଟା ବେଳେ ଅନ୍ୟ ଜଣଙ୍କ ଗାଡ଼ିରେ ଟଳି ଟଳି ବାପା ଫେରିବା କଥା ମନେ ପକାଇଲା ସେ । ବୋଉ ପ୍ରଥମେ କାର୍‌ରୁ ଓହ୍ଲାଇ ଆସି ତାଙ୍କୁ ଧରି ଧରି ଆଣିଲା । ପରଦିନ ଦିନ ଦଶଟାରେ ବିଛଣାରୁ ଉଠିଲେ ସେ ।

 

ବାପାଙ୍କୁ ପ୍ରଣାମ କରି ଠିଆ ହେଲା ସିଦ୍ଧାର୍ଥ ।

 

-ତୋ ବୋଉ ଆଉ ମୁଁ ଷ୍ଟେସନ ଯିବାକୁ ଭାବିଥିଲୁ । କିନ୍ତୁ ସକାଳୁ ନିଦଟା ଭାଙ୍ଗିଲା ନାହିଁ-। ଶୀତ ଭାରୀ ପଡ଼ିଛି ନା ।

 

ସିମଲାର ଥଣ୍ଡାଠାରୁ ଏଠି ତ ବେଶୀ ନୁହେଁ । ଏବେ ସେଠି ବରଫ ପଡ଼ୁଥିବ । ସକାଳୁ ସେଇ ଥଣ୍ଡାରେ ଉଠି ଡ୍ରିଲ କରିବାକୁ ହୁଏ ସବୁ ପିଲାଙ୍କୁ । ବାପାଙ୍କୁ କିଛି ଉତ୍ତର ନ ଦେଇ ସେଇ କଥା ଚିନ୍ତା କରୁଥିଲା ସେ । ତା’ପରେ ହଠାତ୍‌ ପାଖ ଗାଧୁଆ ଘରୁ ଆସୁଥିବା ବୋଉ ପ୍ରତି ଦୃଷ୍ଟି ପ୍ରସାରିତ ହୋଇ ସାରିଥିଲା ତା’ର ।

 

-ଭାରୀ ଶୁଖିଲାଟା ଦିଶୁଛୁ । ଯା ଆଗ ତୋର ନିତ୍ୟକର୍ମ ଶେଷ କରି ଆ । ବ୍ରେକ୍‌ଫାଷ୍ଟ ପରେ ଟିକିଏ ଶୋଇଯିବୁ ।

 

ସିଦ୍ଧାର୍ଥ ଭାବିଥିଲା, ଅନେକ ଦିନ ପରେ ଦେଖି ବୋଉ ହୁଏତ ତାକୁ ଅତି ଆଦରରେ କୁଣ୍ଢେଇ ପକାଇବ । ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଅତିଷ୍ଠ କରି ଦେବ ଠିକ୍‌ ସେଇ ମାଉସୀଙ୍କ ଭଳି ।

 

ବାଃ ରେ, ବାପାଙ୍କୁ କ’ଣ ପୁଣି ନିଦ ହୋଇଗଲା ?

 

ନିଃଶବ୍ଦରେ ଗାଧୁଆ ଘର ଆଡ଼େ ଚାଲିଗଲା ସିଦ୍ଧାର୍ଥ । ଭାଇ ସକାଳୁ ବ୍ୟାଡ଼ମିଣ୍ଟନ୍‌ ଖେଳି ଯାଇଛନ୍ତି । ଅପା ତା ସାଙ୍ଗମାନଙ୍କ ସାଥିରେ ପିକ୍‌ନିକ୍‌ରେ ଗଲା । ଯିବାବେଳେ ଖାମ୍‌ଖିଆଲି ଭାବରେ ତା’ ଭଲମନ୍ଦ ଦୁଇପଦ ପଚାରି ତରତର ହୋଇ ଚାଲିଗଲା ।

 

ଗାଧୁଆ ଘର ଭିତରୁ ବନ୍ଦ ଗାଧୋଇବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ନିଜକୁ ବଡ଼ ଏକା ମନେକଲା ସିଦ୍ଧାର୍ଥ । ଗରମ ପାଣି କଳଟା ଖୋଲି ଆରାମରେ ଗାଧୋଇ ଖୁବ୍‌ ଶୀଘ୍ର ଖାଇବା ଟେବୁଲ ପାଖରେ ବସିଗଲା ସେ ।

 

ବାପା, ବୋଉ ସମସ୍ତେ ତାକୁ ଅପେକ୍ଷା କରିଛନ୍ତି । ଏକଦମ୍ ଚୁପ୍‌ଚାପ୍‌ ! ଖାଇବା ବେଳେ ତା’ର ସ୍କୁଲର ଶେଷ ବର୍ଷର ପାଠ ବିଷୟରେ ସାମାନ୍ୟ ପଚାରି ବସିଲେ ବାପା । ବୋଉର ପ୍ରଶ୍ନ, ସେ କେତେଦିନ ରହିବ ? ବାସ୍‍ ଆଉ କିଛି ନାହିଁ । ଅଜନ୍ତା ତାକୁ ଖେଳିବାକୁ ଡାକୁଛି । ଏ ନୂଆ ପ୍ରକାରର ଖେଳ ସରଞ୍ଜାମଟା ତା’ ପାଇଁ ସେ ନିଜେ କିଣି ଆଣିଛି ।

 

ସିଦ୍ଧାର୍ଥର ମନ ଖୁସି ହୋଇଗଲା । ଅଜନ୍ତା ସଙ୍ଗେ ଖେଳୁ ଖେଳୁ ତାକୁ ନିଦ ଆସିବାରୁ ଖେଳ ବନ୍ଦକରି ସେ ଶୋଇଗଲା ।

 

ଛୁଟୀ ତା’ର ବଡ଼ ଲମ୍ବା । ଘରକୁ ଆସି କିଛି ଭଲ ଲାଗୁନି । ସକାଳେ ବ୍ରେକଫାଷ୍ଟ ପରେ ବାପା ଅଫିସ ବାହାରି ଯାଆନ୍ତି, ଦ୍ୱିପ୍ରହରେ ଖାଇବା ପାଇଁ କ୍ୱଚିତ୍‌ ଆସନ୍ତି, ନଚେତ୍‌ ଖାଦ୍ୟଟା ପ୍ରାୟ ପଠାଯାଏ ତାଙ୍କ ପାଇଁ । ଆଉ ବୋଉ ମଧ୍ୟ ଅଧିକାଂଶ ଦିନ ଘରେ ରହେନାହିଁ । ବାହାର କାମ ନେଇ ଦିନ ସାରା ସେ ବ୍ୟସ୍ତ । ତା’ପରେ ସନ୍ଧ୍ୟାରେ କ୍ଳବ, ଭାଇ ଓ ଅପା ସବୁବେଳେ ନିଜ ନିଜ ବନ୍ଧୁମାନଙ୍କ ଘରକୁ ଚାଲି ଯାଆନ୍ତି । ବୋଧହୁଏ ଛୁଟୀଟା ମନଇଚ୍ଛା କଟେଇବାକୁ ସେମାନେ ବାପାବୋଉଙ୍କର ଅନୁମତି ନେଇଛନ୍ତି । କେତେବେଳେ ଘରଟା ନିଃସଙ୍ଗ ମନେ ହେଉଛି ତ କେତେବେଳେ ହଠାତ୍‌ ସମସ୍ତଙ୍କର ବନ୍ଧୁମାନଙ୍କ ଗହଣରେ ଅତି ଗହଳ ହୋଇ ଯାଉଛି ।

 

ସେଦିନ ନଈ କୂଳରେ ବିନୟ ସଙ୍ଗରେ ଦେଖାହେଲା । ସେ କହିଲା–ତୁ ଗୋଟାଏ ଇଂରାଜୀ ସ୍କୁଲରେ ପଢ଼ି ମଧ୍ୟ କିଛି ବଦଳିଳୁ ନାହିଁ ।

 

ବିନୟ ନିଜେ କିନ୍ତୁ ଅନେକ ବଦଳି ଯାଇଛି । କଥାବାର୍ତ୍ତା, ଚାଲିଚଳଣ ସମ୍ପୂର୍ଣ୍ଣ ଅଲଗା । ତା’ର ପୋଷାକ ଇତ୍ୟାଦି ଦେଖିଲେ ଜଣେ ନକଲି ଚଳଚ୍ଚିତ୍ର ଅଭିନେତା ଭଳି ମନେ ହେଉଛି । ମ୍ୟାଟ୍ରିକ୍‌ ପରୀକ୍ଷା ମାତ୍ର ଅଳ୍ପ କେତେ ମାସ ଅଥଚ ସିଦ୍ଧାର୍ଥକୁ ସେ ରାତି ଡେରି ପର୍ଯ୍ୟନ୍ତ ବୁଲି ଯିବାକୁ ଡାକୁଛି । ତାକୁ ଦେଖି ତା’ ନିଜ ସ୍କୁଲର କେତେ ସାଙ୍ଗମାନଙ୍କ କଥା ମନେ ପଡ଼ିଲା ।

 

ବିନୟର ପରିବର୍ତ୍ତନ ବିଷୟ ଭାବିଲେ ମଧ୍ୟ ସେ ତାକୁ କିଛି କହିଲା ନାହିଁ, ବରଂ ହଠାତ୍‌ ତାକୁ ସେଠି ଦେଖି ସେ ଖୁବ୍‌ ଖୁସି ହେଲା ।

 

ବିନୟର ଘରେ ଘଣ୍ଟା ଘଣ୍ଟା ବସିଲେ ବି ତା’ର କ୍ଳାନ୍ତି ଆସୁନି । ବିନୟର ସାନ ଭଉଣୀ ସୁସନ୍ଧ୍ୟା ଦଶମ ଶ୍ରେଣୀରେ ପଢ଼େ । ମଝିରେ ମଝିରେ କେତେକ ପାଠ ପଚାରି ସିଦ୍ଧାର୍ଥ ସଙ୍ଗେ ତା’ର ବନ୍ଧୁତା ବଢ଼ି ଯାଇଛି । ତାଙ୍କ ଘରେ ପହଞ୍ଚି ଅଧିକାଂଶ ଦିନ ବିନୟର ଦେଖା ପାଏନା ସିଦ୍ଧାର୍ଥ-। କିନ୍ତୁ ସୁସନ୍ଧ୍ୟା ସଙ୍ଗେ ସମୟଟା ବେଶ୍‌ କଟିଯାଏ । ସେ କହେ,

 

-ସିଦ୍ଧାର୍ଥ ଭାଇ, ତୁମେ ଦିନେ ଆସିବା ବନ୍ଦ କରିଦେଲେ ବଡ଼ ଖରାପ ଲଗୁଛି ।

 

ତାକୁ ସ୍ନେହ ଆଦରରେ ବାନ୍ଧି ରଖୁଛି ସୁସନ୍ଧ୍ୟା । ସିଦ୍ଧାର୍ଥ ତା’ ସଙ୍ଗେ ମନ ଇଚ୍ଛା ଗପୁଛି, ବୁଲୁଛି, ସିନେମା ଯାଉଛି । ଏସବୁ ଟିକିଏ ବି ଖରାପ ଲାଗୁନି ତାକୁ । ନିଜକୁ ନୂଆ କରି ଆବିଷ୍କାର କଲା ସିଦ୍ଧାର୍ଥ । ଏବେ ସେ ବେଶ୍‌ ଖୁସି ରହୁଛି ତ !

 

କିନ୍ତୁ ଘରକୁ ଫେରି ଆସିଲେ ସେଇ ଅସହ୍ୟକର ପରିସ୍ଥିତି । ରାତି ବାରଟା ପୂର୍ବରୁ କ୍ଳବରୁ ବାପା, ବୋଉ ଫେରି ନ ଥାନ୍ତି । ଅପା ଓ ଭାଇ ବାହାରୁ ବୁଲି ଫେରିଥିଲେ ମଧ୍ୟ ନିଜ ନିଜ କୋଠରୀରେ ଗପ ବହି ଧରି ନୀରବରେ ବସିଥାନ୍ତି । ଅଜନ୍ତାଟା ତା’ଠାରୁ ପାଞ୍ଚ, ଛଅ ବର୍ଷ ସାନ ହେବ । ସେ ବି ଆଜିକାଲି ଘରେ ରହୁ ନାହିଁ, ଗୋଟାଏ ନାଚ ସ୍କୁଲକୁ ଚାଲିଯାଉଛି । ଏତେ ବଡ଼ ଘରଟା ଭାରୀ ଶୁନ୍‌ ଶାନ୍‌ ଲାଗୁଛି । ସିଦ୍ଧାର୍ଥର ମନ ମଧ୍ୟ କିମିତି ଫାଙ୍କା ଫାଙ୍କା ଲାଗିଲା । ବିଛଣାରେ ମୁଣ୍ଡ ମାଡ଼ି ଖୁବ୍‌ ଶୀଘ୍ର ଶୋଇଗଲା ସେ ।

 

ରାତି ଅଧରେ ହଠାତ୍‌ କାହିଁକି ନିଦଟା ଭାଙ୍ଗିଗଲା ସିଦ୍ଧାର୍ଥର । ଆର କୋଠରୀରେ ପାଟିତୁଣ୍ଡ ଶୁଣାଯାଉଛି । ବିଛଣାରେ ଉଠି ବସିଲା ସେ, ବୋଉ କାନ୍ଦୁଛି କାହିଁକି ? ବାପା ଇମିତି ଚିତ୍କାର କରୁଛନ୍ତି କାହିଁକି ? ତାଙ୍କ ଘର ଲାଇଟ୍‌ଟା ବି ଜଳୁଛି । କବାଟ ଖୋଲି ବାହାରକୁ ଉଠି ଆସିଲା ସେ । ଓଃ, ଭାଗ୍ୟକୁ ଅନ୍ୟମାନେ ଶୋଇ ଯାଇଛନ୍ତି । କେବଳ ବାପା, ବୋଉ ଆଉ ତା ନିଜ ଆକ୍ଷିରେ ନିଦ ନାହିଁ । କିନ୍ତୁ ହୋଇଛି କ’ଣ ?

 

ପାଦ ଚିପି ଚିପି ସେମାନଙ୍କ ଶୋଇବା ଘର ପାଖରେ ପହଞ୍ଚି ଯାଇଥିଲା ସିଦ୍ଧାର୍ଥ । କବାଟଟା ଭିତରୁ ଦିଆ ହୋଇଛି; ଝରକା ପାଖରେ ସାମାନ୍ୟ ଫାଙ୍କ ଦେଇ ସେ ଘର ଭିତରକୁ ଚାହିଁଲା । ବାପା ସେମିତି ଚିତ୍କାର କରି ଚାଲିଛନ୍ତି ।

 

-ତୁମରି ପାଇଁ, ହଁ, ତୁମରି ପାଇଁ ମୁଁ ପଇସା ଖାଇବା ଶିଖିଲି । ତୁମେ ଲଗାଉଥିଲ ନା ସୌମେନ୍ଦ୍ର, ସିଦ୍ଧାର୍ଥଙ୍କୁ ବିଦେଶ ପଠାଇବା, ଝିଅ ଦୁହିଁଙ୍କ ବାହାଘରରେ ବେଶୀ ଖର୍ଚ୍ଚ ନ କଲେ ଭଲ ଜ୍ୱାଇଁ ମିଳିବେ ନାହିଁ । ଓଃ ଏବେ ପୁଣି କ’ଣ ହେବ ? ମୁଁ ଆଉ କାହା ପାଖରେ ମୁହଁ ଦେଖାଇ ପାରିବି ନାହିଁ ।

 

ଏପର୍ଯ୍ୟନ୍ତ ନୀରବରେ ବସି ରହିଥିଲା ବୋଉ । ହଠାତ୍‌ ସେ ବି ପାଟି କରି ଉଠିଲା । କ’ଣ ସବୁ ସେ କହି ଚାଲିଛି ? ବାପା କୁଆଡ଼େ ତାକୁ ବାଧ୍ୟ କରି କ୍ଳବ୍‌ ନେଇ ଯାଆନ୍ତି । ନିଜର ଅନିଚ୍ଛାରେ ସେ ଅନେକ କାମ କରେ କେବଳ ତାଙ୍କରି ପାଇଁ । ଆଉ ତାଙ୍କ ବଡ଼ ଅଫିସରମାନେ....ଇସ୍‌.....ଏ ସବୁ କଥା ଶୁଣିବା ତା’ର ଅଭଦ୍ରାମୀ ।

 

ନିଜ ବିଛଣାକୁ ଫେରି ଆସି ପଡ଼ି ରହିଲା ସିଦ୍ଧାର୍ଥ । ସ୍ୱପ୍ନ ଭଳି ସେ ଦେଖୁଥିଲା ବୋଉ ଗାଲରେ ହାତ ଦେଇ ବସିଛି । ଆକ୍ଷିରୁ ଝରୁଛି ଲୁହ ଆଉ ବାପା ଆକ୍ଷି ବଡ଼ ବଡ଼ କରି ଚିତ୍କାର କରୁଛନ୍ତି । ସିଦ୍ଧାର୍ଥର ଆଶଙ୍କା ଠିକ୍‍ ହେଲା । ବାପା ହଠାତ୍‌ ଚାକିରିରୁ ସସ୍‌ପେଣ୍ଡ୍‍ ହୋଇଗଲେ । ବୋଉ ସେମାନଙ୍କୁ ଖାଇବା ଟେବୁଲ ପାଖରେ ଏ କଥା କହି ବ୍ୟସ୍ତ ହେଉଥିଲା ।

 

କିନ୍ତୁ ସନ୍ଧ୍ୟାରେ ପୁଣି ସମସ୍ତେ ସହଜ ହୋଇଗଲେ । ସେତେ କି ଆତ୍ମପ୍ରତାରଣାର ଅନ୍ତ ନାହିଁ । ସିଦ୍ଧାର୍ଥର ମନ ହେଲା ଏ ଘର ଛାଡ଼ି ଏଇ ମୁହୂର୍ତ୍ତରେ ସେ ସୁସନ୍ଧ୍ୟା ପାଖକୁ ପଳାଇ ଯାଆନ୍ତା କି ! ତା’ପରେ ହଠାତ୍‌ ଜିନିଷ ପ୍ରସ୍ତୁତ କରି ପନ୍ଦର ଶହ ମାଇଲ ଦୂରରେ ଥିବା ତା ସ୍କୁଲ ହଷ୍ଟେଲରେ ଯଦି ପହଞ୍ଚି ଯାଇ ପାରନ୍ତା ! କିନ୍ତୁ ଛୁଟୀ ତ ଆହୁରି ପନ୍ଦର ଦିନ !

 

ନା, ସବୁ ବିରକ୍ତିକର, କିଛି ସତରେ ଭଲ ଲାଗୁନି । ବହିପତ୍ର ଟାଣି ଟିକିଏ ପଢ଼ାପଢ଼ି କରିବାକୁ ଚେଷ୍ଟା କଲା ସେ । ପୁଣି କ’ଣ ଭାବି ସବୁ ଠେଲି ଦେଲା ଦୂରକୁ । ଠିକ୍‌ ବାପାଙ୍କ ଭଳି ସେ ବୋଧହୁଏ ରାଗିବାକୁ ଆରମ୍ଭ କରିଛି । ହଠାତ୍‌ ସେ ସତକୁ ସତ ଚିତ୍କାର କରି ଉଠିଲା,

 

-ମୋ ଇଚ୍ଛା, ମୋ ମନ ଯାହା ହେବ ମୁଁ କରିବି । ବାପା, ବୋଉ, ଭାଇ କାହା କଥା ମୁଁ ମାନିବି ନାହିଁ । କେହି ମୋତେ କିଛି ପାଇଁ ବାଧ୍ୟ କରି ପାରିବେ ନାହିଁ ।

 

ଚିତ୍କାର କରି ହସୁଛି ସିଦ୍ଧାର୍ଥ ପାଗଳଙ୍କ ଭଳି, କିନ୍ତୁ ତା’ କଥା ଶୁଣିବାକୁ ଘରର କେହି ପ୍ରାୟ ସେଠାରେ ନ ଥିଲେ ।

 

ସେଠାରେ ଉଠିଯାଇ ନିଜର ସବୁଠାରୁ ସୌଖୀନ ପୋଷାକ ପିନ୍ଧି ସେ ନିଜକୁ ପ୍ରସ୍ତୁତ କରିନେଲା । ତା’ପରେ ସୁସନ୍ଧ୍ୟାର ଜନ୍ମଦିନର ଉପହାର ପାଇଁ ବଗିଚାର କେତୋଟି ସୁନ୍ଦର ଗୋଲାପ ତୋଳି ସାରି ବାହାରି ଚାଲିଗଲା ସେ ।

Image

 

ଖଣ୍ଡିଏ ରୁମାଲ, ଚେନାଏ ସ୍ମୃତି

 

ଘର ଭିତରେ ଜିନିଷପତ୍ରର ଇତସ୍ତତଃ ବିକ୍ଷିପ୍ତତା ମଧ୍ୟରେ ନିସ୍ପୃହ ହୋଇ ବସିଥିଲା ସରିତା । ଇମିତି ସବୁଦିନେ ଚଳିବା ଭିତରେ କେତେ କେତେ ଘଟଣା ଘଟିଯାଏ । ସେ ସବୁ ଘଟିବାବେଳେ ହୁଏତ କେହି ଟିକିନିଖି ଦେଖି ଓଜନର ମାପକାଠିରେ ମାପି ସାଇତି ରଖି ପାରେନି-। କିନ୍ତୁ ଦିନେ ଦିନେ କେବେ କାହିଁକି ତାର ମୂଲ୍ୟ ଅମାପ ହୋଇ ଉଠେ !

 

ଇଞ୍ଜିନିୟର ସୁଶାନ୍ତ ରାୟଙ୍କର ବଦଳି ଆଦେଶ ଆସିଛି । ସପ୍ତାହକ ମଧ୍ୟରେ ବାଲେଶ୍ୱରରେ ଯୋଗ ଦେବା କଥା । କାଗଜପତ୍ର ଦେଖାଦେଖି କରିବାରେ ଅଫିସ୍‌ ଘରେ ସେ ବ୍ୟସ୍ତ । ଘର କରିଥିଲେ ଅନେକ ଜିନିଷ ଦରକାରରେ ଆସେ-ଏ ସବୁ ସ୍ତ୍ରୀ ଲୋକଙ୍କର କଥା । ଯେତେ ବିରକ୍ତ ହେଲେ ମଧ୍ୟ ସ୍ତ୍ରୀର ମନ ରଖିବାକୁ ପ୍ରତ୍ୟେକଟି ଜିନିଷ ବଦଳି ସ୍ଥାନକୁ ବାନ୍ଧି ନେଇ ଯିବାକୁ ହୁଏ ।

 

ସେଇଥିପାଇଁ ସରିତାକୁ ଅନୁରୋଧ କରିଗଲେ ତାଙ୍କର କାଗଜପତ୍ର ଦେଖିବା ସଙ୍ଗେ ସଙ୍ଗେ ସେ ଯେପରି ଦରକାରୀ, ଅଦରକାରୀ ବୁଝି କିଛି ଜିନିଷ ବନ୍ଧାବନ୍ଧି କରି ସାରିଥିବ । ସରିତାକୁ ବେଶୀ କହିବାକୁ ପଡ଼େ ନାହିଁ । ଏ ସବୁରେ ସେ ବେଶ୍‌ ଅଭ୍ୟସ୍ତା ହୋଇ ପଡ଼ିଛି । ବିବାହର ପରେ ପରେ ଶ୍ରୀଯୁକ୍ତ ରାୟଙ୍କର ଏ ଯାଯାବର ଜୀବନର ସହଯାତ୍ରିଣୀ, ସହକର୍ମିଣୀ ସରିତା । ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନରେ ପହଞ୍ଚିଲେ କେତେ କିଏ ସାଇପଡ଼ିଶା, ପର ଆପଣା ଭୁଲି ନିଜର ହୋଇ ଯାଆନ୍ତି । ଦିନେ ପୁଣି ପରିବେଶର ମାୟାମମତାକୁ ପଛରେ ପକାଇ ଦେଇ ଆସିବାକୁ ହୁଏ । ମନର ସରସତାକୁ ଟିକି ଟିକି କରି ଫିଙ୍ଗି ଦେଇ ଯିବାକୁ ହୁଏ । ଏଇତ, ମାତ୍ର ବର୍ଷଟିଏ ପୂରି ନାହିଁ ଜୟପୁରକୁ ଆସିବାର । ବଦଳି ପର୍ବ ଆରମ୍ଭ ହୋଇଗଲା ।

 

ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସୁନ୍ଦର ସହରଟି । ଘାଟୀ ଆଉ ପାହାଡ଼ିଆ ସଂକୀର୍ଣ୍ଣ ରାସ୍ତା ଟପି ଜଙ୍ଗଲ ଭିତରେ ମାଇଲ ମାଇଲ ଅତିକ୍ରମ କରି ଯିବାକୁ ହୁଏ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ । ଏଠାରେ ରହୁଥିବା ଲୋକଙ୍କର କୌଣସି ଦୃଶ୍ୟ ଆକ୍ଷିରେ ପଡ଼େ ନାହିଁ ସତ, କିନ୍ତୁ ନୂଆ ହୋଇ ଯେ ଆସେ, ତା ଆକ୍ଷିରେ ରଙ୍ଗ ଲାଗିଯାଏ ।

 

ପୁଣ୍ୟତିଥି ଦଶହରା-ସେଦିନ ପାଦ ଦେଇଥିଲା ସରିତା ପ୍ରଥମ କରି ଏଇ ଜୟପୁର ମାଟିରେ । ସୁଶାନ୍ତ, ସେ ଓ ଛୋଟ ଝିଅ ରୀତୁ । ଏଇ ତାର ସଂସାର । ସେଦିନ ସନ୍ଧ୍ୟା ଆକାଶରେ ଦଶମୀର ଚନ୍ଦ୍ର । ଶରତର ପ୍ରକୃତି ଏକ ରୂପେଲି ବସ୍ତ୍ର ପରିଧାନରେ ଅପରୁପା ମନେ ହେଉଥାଏ । ରୀତୁକୁ ନେଇ କ୍ୱାଟର୍ସ ପାଖ ରାସ୍ତାରେ ଧୀରେ ଧୀରେ ପଦଚାଳନା କରୁଥିଲା ସରିତା । ଏ ପ୍ରାକୃତିକ ପରିବେଶର ମୁକ ମୁଗ୍‌ଧା ପୂଜାରିଣୀ ପାଲଟି ଯାଇଥିଲା ସେ ଅଦୂରରେ ଚାଲି ଚାଲି ଆସୁଥିଲେ ସୁଶାନ୍ତ ପାଖ କ୍ୱାଟର୍ସ ଆଡ଼ୁ । ସାଥିରେ ଆଉ ଜଣେ କିଏ ଭଦ୍ରଲୋକ । ସେ ହୁଏତ ପାଖ କ୍ୱାଟର୍ସରେ ରହୁଥିବେ । ସାଙ୍ଗରେ ସ୍ତ୍ରୀ ପିଲାପିଲି ନିଶ୍ଚୟ ଥିବେ । ମନରେ ଅସୀମ ଆଗ୍ରହ । କିପରି ଚିହ୍ନା ପରିଚୟ ହେବ ? କିମିତି ଜଣେ ଅଚିହ୍ନା ପଡ଼ୋଶୀଙ୍କ ଘର ସହିତ ଜମି ଉଠିବ ବନ୍ଧୁତା-! ଜୀବନର ଯାତ୍ରା ପଥରେ ଅଜାଡ଼ି ହୋଇ ପଡ଼ିବ ପ୍ରତିବେଶିନୀ ପ୍ରାଣର ପ୍ରୀତିପୁଷ୍ପ !

 

କିନ୍ତୁ ଏ କଣ !! ....ଆରେ ଏଃ ରୀତୁ-ପାଟିକରି ଉଠିଲା ସରିତା । ତିନି ବର୍ଷର ପିଲାଟା-। ପାହାଡ଼ିଆ ଉଠାପଡ଼ା ରାସ୍ତାରେ ଦୌଡ଼ି ପଳାଉଛି ! ଅଧା ଅନ୍ଧାର, ଅଧା ଆଲୁଅରେ ବେଶ୍‌ ଚିହ୍ନି ପାରୁଛି ସେ ତାର ‘‘ବାବା’’ ଙ୍କୁ । ଆଠ, ଦଶ ହାତ ଦୂରରେ ସୁଶାନ୍ତ । ସଙ୍ଗରେ ଆଗନ୍ତୁକ ଭଦ୍ରବ୍ୟକ୍ତି....ରୀତୁ ତୀର ବେଗରେ ଛୁଟି ପଳାଉଛି । ମା’ର ପାଟି ଶୁଣି ଆଉ ଟିକେ ବିବ୍ରତ ହୋଇ ଦୌଡ଼ୁଛି ସେ । ସୁଶାନ୍ତ ବଦଳରେ ଆଗନ୍ତୁକଙ୍କୁ ଧରି ପକାଇଛି ସେ ଭୁଲରେ । ସରିତାର ପାଦ ଥମିଗଲା ।

 

ସେମାନେ ଆଗେଇ ଆସୁଛନ୍ତି । ରୀତୁକୁ ସେ ଟେକି ନେଉଛନ୍ତି କେତେ ଆଗ୍ରହରେ । ଗୋଟାଏ କିଛି କାଣ୍ଡ କରି ବସିବ ସେ । ଯଦି ମରାମରି ଆରମ୍ଭ କରିଦିଏନା ! ଛେପ ପକାଇଲେ ତ କଥା ସରିଗଲା । କି ଧାରଣା କରି ବସିବେ ଭଦ୍ରଲୋକ-ପିଲାଟାକୁ ଏଇ ଶିକ୍ଷା ଦେଇଛନ୍ତି !

 

କିପରି ସତରେ ମଣିଷ କରିବ ସେ ଏଇ ଅବୁଝା ପିଲାକୁ । ବାସ୍ତବିକ ଅତ୍ୟଧିକ ସ୍ନେହ ପାଇ ସେ ନଷ୍ଟ ହୋଇ ଯାଉଛି । ସରିତାର ଦୃଷ୍ଟିରେ ଆତଙ୍କ ସୁସ୍ପଷ୍ଟ । ରୀତୁ କାଖ ହୋଇ ଆସୁଛି ସେଇ ଆଗନ୍ତୁକଙ୍କ କାଖରେ । ହାତରେ ଗୋଟାଏ ଛୋଟ କଣ ଏକ ଡବା...ରୀତୁର ଅସ୍ପଷ୍ଟୋକ୍ତି-ମଉସା, ଚା’ ଖାଇବ ?

 

ଏଥର ସତକୁ ସତ ବିବ୍ରତ ହେଲା ସରିତା । ଯଦି ସେ ଭଦ୍ରଲୋକ ମନା କରି ଦିଅନ୍ତି ! ତେବେ କାନ୍ଦ ଆରମ୍ଭ କରି ବସିବ ରୀତୁ । ଭାରୀ କାନ୍ଦୁରୀଟା ତ, ନା-ବେଶ୍‌ ତ ହସୁଛି....ଓ, ପାନ ଖୁଆଇ ଦେଉଛି ! ତେବେ ବନ୍ଧୁତା ଜମି ସାରିଲାଣି । ରକ୍ଷା ହେଲା । ଅଳ୍ପ ସମୟର ପରିଚୟରେ ପୁଣି ଏତେ ବନ୍ଧୁତା !

 

ଘରକୁ ଫେରିବାର ଉପକ୍ରମ କଲା ସରିତା । ସୁଶାନ୍ତ ଡାକୁଛନ୍ତି-‘‘ଏଇ ଚିହ୍ନ ୟାଙ୍କୁ । ୟେ ଆମ ରାଜେନ୍ଦ୍ର ଭାଇ, ଆମ ପଡ଼ିଶା । ଏଠାକାର ଟ୍ରେଜେରୀ ଅପିସର ଅଛନ୍ତି ।’’ ପ୍ରତି ନମସ୍କାରରେ ପରିଚୟ ପର୍ବ ଶେଷ ହେଲା ସରିତାର ଗଜେନ୍ଦ୍ର ତ୍ରିପାଠୀଙ୍କ ସହିତ । ତାଙ୍କ କୋଳରେ ବସି ଛୋଟ ପାନ ଡବାଟା ବନ୍ଦ କରୁ କରୁ ବରାଦ କଲା ରୀତୁ-ଏ ମା’ ଚା’ ଦେ ମଉସାଙ୍କୁ । ଏଇ ଆତିଥ୍ୟ ପ୍ରକାଶରେ ତିନିହେଁ ହସି ଉଠିଲେ ।

 

ସତକୁ ସତ ଘର ଭିତରକୁ ପାଦ ବଢ଼ାଇଲେ ସରିତା । କିଛି ସମୟ ପରେ ଦୁଇ କପ୍‌ ଚା’ ଓ ପ୍ଲେଟ୍‌ରେ କିଛି ବିସ୍କୁଟ ପଠାଇ ଦେଇ ଘର ଭିତରେ କାମରେ ବ୍ୟସ୍ତ ରହିଗଲେ ସେ । ହଠାତ୍‌ ଗୋଟାଏ ବଡ଼ ଝଡ଼ ବହିଗଲା । ଜୋର୍‌ରେ କାନ୍ଦି ଉଠୁଛି ରୀତୁ । ତରତରରେ ଧାଇଁ ଗଲେ ସରିତା । ବିସ୍ମୟ ଓ ଅଜଣା ଭୟରେ ଛାତିଟା ତାଙ୍କର ନାଚି ଉଠିଲା । ସୁଶାନ୍ତ ହସି ଉଠୁଥିଲେ ସରିତାର ଅସ୍ତବ୍ୟସ୍ତତାକୁ ଦେଖି । ବତରକ୍ତିକର ପରିସ୍ଥିତି । ରୀତୁ ଉଃ, ଆଃ ହେବାରେ ଲାଗିଛି । ତାର ଛୋଟ ଛୋଟ ପାଦ ଦୁଇଟିରୁ ଟିକି ଟିକି ଜୋତା ମୋଜା ଖୋଲୁ ଖୋଲୁ ବୁଝାଇବାରେ ଲାଗିଛନ୍ତି ରାଜେନ୍ଦ୍ର ତ୍ରିପାଠୀ । କାନ୍ଦି କାନ୍ଦି କହୁଛି ରୀତୁ-ମଉସା ଚା’ ଢାଳି ଦେଲେ ।

 

ଆବେଗରେ ତାକୁ କାଖକୁ ଟାଣି ନେଲେ ସରିତା । ହସି ହସି କହିଲେ ସୁଶାନ୍ତ-ମଉସାଙ୍କୁ ଚା’ କପ୍‌ଟା ଦେଉ ଦେଉ ଟୋପାଏ ଚା’ ଚହଲି ପଡ଼ିଗଲା ।

 

ରୀତୁର କୁନି ପାଦ ଦୁଇଟି ଆଉଁଷି ଦେଇ ସରିତା କହିଲା-କିଛି ହୋଇ ନି ମା ।

 

ସତକୁ ସତ ଟିକିଏ ନାଲି ପଡ଼ି ଯାଇଥିଲା । ମା’ କୋଳରେ କାନ୍ଦ ବନ୍ଦ ହେଲା । କିନ୍ତୁ ମଉସାଙ୍କ ପାଖକୁ ଯିବାକୁ ରୀତୁ ଏକଦମ୍‌ ନାରାଜ । ରାଜେନ୍ଦ୍ର ବାବୁ ଅନେକ ଚେଷ୍ଟା କଲେ । ମାତ୍ର ବିଫଳ ହୋଇ ଶେଷରେ ଯିବା ପାଇଁ ଉଠିଲେ ।

 

-ହେଇ, ଦେଖ୍‌ ରୀତୁ, ମୁଁ ଘରକୁ ଚାଲି ଯାଉଛି । ଚାଲି-ଯିବି ?

 

କ’ଣ ଟିକିଏ ଭାବି ରୀତୁ କହିଲା–

 

ମଉସା, ଗୁଡ଼୍‌ ନାଇଟ୍‌ !

 

ବୋକା ପିଲାଟା । ରାଗରେ କାଖରୁ ଓହ୍ଲାଇ ପକାଇଲା ସରିତା, କ’ଣ ଭାବିଥିବେ ବିଚରା ଭଦ୍ରଲୋକ ? ନ ଶିଖାଇଲେ କ’ଣ ଛୋଟପିଲା ମନକୁ କହି ପାରିବ ? ହସି ହସି ସତକୁ ସତ ଚାଲି ଯାଉଥିଲେ ରାଜେନ୍ଦ୍ର ବାବୁ । ସରିତାର ମନ ବୁଝି କହିଲେ ସୁଶାନ୍ତ–

 

-ତୁମେ ବ୍ୟସ୍ତ ହୁଅନା । ସତରେ ସେ କିଛି ମନେକରି ନାହାନ୍ତି ।

 

ଏ ଥିଲା ଆଦି ପର୍ବ–

 

ନିତି ସକାଳୁ ଜିଦ୍‌ କରେ ରୀତୁ-ମଉସା ଘରକୁ ଯିବି ।

 

କୌଣସିମତେ ବୁଝାନ୍ତି ସରିତା-ତୋର ଖାଇବା ସରୁ । ନା-ନା ଜିଦ୍‌ କରି ରାହା ଧରି କାନ୍ଦେ ରୀତୁ । ରାଜେନ୍ଦ୍ରବାବୁଙ୍କର ଛୋଟ ଛୋଟ ପିଲାମାନେ ଦୌଡ଼ି ଆସି କହନ୍ତି-ମାଉସୀ, ରୀତୁକୁ ବାପା ଡାକୁଛନ୍ତି ।

 

ସୁଶାନ୍ତ ବୈଠକ ଘରୁ ପାଟିକରି ଉଠନ୍ତି-ଓଃ, ଛାଡ଼ି ଦିଅନା ରୀତୁକୁ-ଅଧଘଣ୍ଟାଏ ପରେ ସେ ଖାଇବ ।

 

ଆନନ୍ଦରେ ଡେଇଁ ଡେଇଁ ପଳାଇଯାଏ ରୀତୁ । ଦ୍ୱନ୍ଦରେ ପଡ଼େ ସରିତା । ସବୁବେଳେ ଇମିତି ପଳାଇ ଯାଉଛି । ଖାଇବା ପିଇବାରେ କୌଣସି ନିର୍ଦ୍ଦିଷ୍ଟ ସମୟ ରହୁନାହିଁ । ପର ଘରେ ଯାହା ତାହା ଖାଇ ପେଟ ଖରାପ କରିବ ।

 

ସରିତା ଚମକି ଉଠେ–ପର ! କିଏ ରାଜେନ୍ଦ୍ର ବାବୁ ! ! ରୀତୁକୁ ଯିଏ ମା’ ବାପାଙ୍କଠାରୁ ଅତ୍ୟଧିକ ସ୍ନେହ କରନ୍ତି ! ସତେ ଯେପରି ଛଅଟି ପିଲାପିଲିଙ୍କ ବାପା ହୋଇ ରାଜେନ୍ଦ୍ର ବାବୁ ବାତ୍ସଲ୍ୟ ସ୍ନେହରୁ ବଞ୍ଚିତ; ଏବଂ ରୀତୁ ହିଁ କେବଳ ତାଙ୍କର ଏ ଅଭାବ ଦୂର କରିଛି !

 

ସେଦିନ ସରିତା ମନର ସମସ୍ତ ତିକ୍ତତାର ସମାଧାନ କରି ଦେଇଥିଲେ ରାଜେନ୍ଦ୍ର ବାବୁ । ଅଫିସ ଗଲାବେଳେ ସେ ରୀତୁର ହାତ ଧରି ସରିତା ପାଖରେ ଛାଡ଼ିଦେଇ ଗଲେ, ଆଉ କହିଗଲେ–

 

-କିଛି ମନେ କରିବେନି ଶ୍ରୀମତୀ ରାୟ । ରୀତୁ ମୋ ସଙ୍ଗେ ଖାଲି କଲିଜା ଖଣ୍ଡେ ମାତ୍ର ଖାଇଛି ।

 

କଣ କହିବ କହିବ ହେଉ ହେଉ ସେ ଯାଇ ସାରିଲେଣି । ଦୂରରୁ ରୀତୁ ପାଇଁ ହାତ ହଲାଉଛନ୍ତି ସେ । ରୀତୁ ମଧ୍ୟ ହାତ ହଲାଇ ଟା....ଟା....କରୁଛି ।

 

ଶୋଇ କରି ଉଠିଲେ ପୁଣି ଜିଦ୍‌ ଆରମ୍ଭ ହୁଏ–ମଉସା ଘରକୁ ଯିବି ।

 

ଅସ୍ୱସ୍ତି ଅନୁଭବ କରେ ସରିତା । ଓଃ, କ’ଣ କରାଯିବ ୟାକୁ ! ସେଇ ଜିଦ୍‌......ସେଇ କାନ୍ଦ.....ଖାଲି ସେଇ ମଉସା ।

 

ଅବସ୍ଥା ବୁଝି ଦୌଡ଼ି ଆସନ୍ତି ରାଜେନ୍ଦ୍ର ବାବୁଙ୍କ ସ୍ତ୍ରୀ ।

 

-ତ କ୍ଷୀର ପିଇ ଦେ ମା । ମଉସାଙ୍କ ପାଖକୁ ମୁଁ ତତେ ନେଇଯିବି ।

 

ବୁଝାଇବାକୁ ଆରମ୍ଭ କରନ୍ତି ସେ, କେତେ ରକମର କହି । ନା....ନା....ସେଇ ଏକା ଜିଦ୍‌-। ସରିତା ହାତ ଉଠାଏ । ରାହା ଧରେ ରୀତୁ–ଏଁ, ଏଁ, ମା’ ମାଇଲା । ମାଉସୀ କାନ୍ଧରେ ମୁହଁ ଲୁଚାଇ ଅଭିଯୋଗ କରେ ସେ ।

 

ରାଜେନ୍ଦ୍ର ବାବୁଙ୍କ ସ୍ତ୍ରୀ ତାକୁ କୋଳରେ ବସାଇ କ୍ଷୀର ପିଆନ୍ତି । ପୁଣି ପାନିଆ ଧରି ଛୋଟ କୁଞ୍ଚକୁଞ୍ଚିଆ ବାଳରେ ରିବନ୍‌ ଭିଡ଼ନ୍ତି । ସ୍କୁଲରୁ ଫେରି ତାଙ୍କ ସାନ ପିଲାମାନେ ପାଟି କରୁଛନ୍ତି-ବୋଉ, ଚାଲ୍‌ ଖାଇବାକୁ ଦେବୁ । ଘରର କେତେ କାମ ବାକୀ ପଡ଼ିଛି, ସେଥିପ୍ରତି ଭ୍ରୂକ୍ଷେପ ନାହିଁ ।

 

ହଠାତ୍‌ ଚମକି ଉଠେ ରୀତୁ । ଅଫିସରୁ ଫେରି ରୀତୁକୁ ଡାକି ଡାକି ଆସୁଛନ୍ତି ତାର ମଉସା । ତାଙ୍କ ପାଖକୁ ଦୌଡ଼ି ପଳାଉଛି ରୀତୁ ।

 

-ଚକୋଲେଟ୍‌...ମୋ ଚକୋଲେଟ୍‌....

 

-ତୁ ଆଗ ମୋତେ ଗେଲ କର ।

 

ଛୋଟ ପିଲାଙ୍କ ପରି ନଇଁପଡ଼ିଲେ ରାଜେନ୍ଦ୍ର ବାବୁ । ତାଙ୍କ ଝାଳୁଆ ମୁହଁରେ ବୋକ ଦେଇ ଗେଲ କଲା ରୀତୁ । ତାକୁ ଚକୋଲେଟ୍‌ ପୁଡ଼ିଆଟା ଦେଉ ଦେଉ କାଖେଇ ନେଇ ଆଗେଇ ଗଲେ ସେ । ପଛରେ ରୀତୁର ମାଉସୀ ଓ ତାଙ୍କର ଛୋଟ ଛୋଟ ପିଲାମାନେ ।

 

ପାହାଡ଼ିଆ ରାସ୍ତା ଉପରକୁ ଉଠି ତାଙ୍କ କ୍ୱାଟର୍ସ ଆଡ଼କୁ ଚାଲିଛନ୍ତି ସମସ୍ତେ । କିନ୍ତୁ ସରିତା...ସେ ଏକା ରହିଗଲା । ସୁଶାନ୍ତ ଫେରି ନାହାନ୍ତି । ପାଖରେ ରୀତୁ ମଧ୍ୟ ନାହିଁ । ଟିକିଏ ଦୁଷ୍ଟାମୀ ତାର କେତେ ଭଲ ! ସେ ଯେତେବେଳେ ଅତି ବିରକ୍ତ କରେ, ସରିତା ଭାବେ-ଓଃ, ପିଲାଟା ଜନ୍ମ ନ ହୋଇଥିଲେ ସେ ଟିକିଏ ଶାନ୍ତିରେ ଥାଆନ୍ତା, କିନ୍ତୁ ? ....ରୀତୁର ଟିକିଏ ପାଟିତୁଣ୍ଡ ନାହିଁ । ଘରଟା ଶୂନ୍‌ଶାନ୍‌ । ଏ ନୀରବତା କି ଅସହ୍ୟ ସତେ ! ରୀତୁ ନ ଥିବା ଘରର ମୌନତା କି ଭୟଙ୍କର !!

 

ସହି ପାରେ ନା ସରିତା...କୌଣସି ଦିନ ଅଫିସ କିମ୍ବା ଗସ୍ତରୁ ଫେରିବାରେ ସୁଶାନ୍ତ ଡେରି କଲେ ରାଜେନ୍ଦ୍ର ବାବୁଙ୍କ କ୍ୱାଟର୍ସକୁ ଚାଲିଯାଏ ସେ ।

 

ରୀତୁ ଓ ତା’ ମଉସା–

 

ମଉସା ଯାହା କରିବେ, ପାଖରେ ଥିବ ରୀତୁ । ତାଙ୍କ ଫୁଲ ବଗିଚାରୁ ରକମ ରକମ ଫୁଲ ତୋଳି ପ୍ରଜାପତିଙ୍କ ଭଳି ଦୌଡ଼ୁଥିବ ସେ ତାର କୁନି କୁନି ପାଦରେ । ପାଖରେ ଖଣ୍ଡେ ଇଜି ଚେୟାର୍‌ରେ ବିଶ୍ରାମ କରିଥିବେ ତାର ମଉସା । ତୃପ୍ତିରେ ହସୁଥିବେ ସେ ତାରି ଆଡ଼କୁ ଚାହିଁ ଚାହିଁ । ସତେ ଯେପରି ସବୁଯାକ ଅଧିକାର ତାଙ୍କର ରୀତୁ ଉପରେ । ସରିତାର ଆହତ ମାତୃତ୍ୱ କ୍ଷଣକ ପାଇଁ ହିଂସାରେ ଭରିଯାଏ । ବଗିଚାରେ ଦୌଡ଼ାଦୌଡ଼ି କରି ଯେତେବେଳେ କ୍ଳାନ୍ତ ହୋଇଯାଏ ମଉସାଙ୍କ କୋଳରେ, ବିଶ୍ରାମ କରେ ରୀତୁ । ମା’କୁ ଖୋଜେନି ସେ । ମା’ ଆସିଛି ଜାଣି ସୁଦ୍ଧା ଆଗ୍ରହ କରେନି । ଏ କଣ କମ୍ ଆଘାତ !

 

ସରିତା ଫେରି ଆସେ ଆହତ ମନ ନେଇ । ଆଉ ରାଜେନ୍ଦ୍ର ବାବୁ ରୀତୁକୁ ବୁଝେଇସୁଝେଇ ଛାଡ଼ି ଆସନ୍ତି ନିଜେ ତା’ ମା’ ପାଖରେ ପୁଣି ସକାଳେ ଯିବାର ଆଶ୍ୱାସନା ଦେଇ । ଭାବୁଛି ସରିତା, କିଛି କାହିଁକି ବରାବର ତ ସେ ବିରକ୍ତ ହୋଇଛି ରାଜେନ୍ଦ୍ର ବାବୁଙ୍କ ଅନଧିକାରରେ ।

 

ସେ ଗୋଟାଏ ଦିନ–

 

ରାଜେନ୍ଦ୍ର ବାବୁଙ୍କ ବଦଳି ହୋଇଥିଲା ନରସିଂହ ପୁରକୁ । ସେଠାରୁ ଚାରିଶ ମାଇଲ ଦୂର-। ବିଦାୟ ମୁହୂର୍ତ୍ତର ଅଶ୍ରୁଳ ଆଲୋଡ଼ନ । ରୀତୁକୁ କୋଳ କରି କାନ୍ଦି ଉଠିଲେ ତାର ମଉସା । ରୀତୁ କଣ ବୁଝିଲା କେଜାଣି ମଉସାଙ୍କ ସଙ୍ଗେ ବୁଲିଯିବ ବୋଲି ବେଶ୍‌ ସୁର ଆରମ୍ଭ କରିଦେଲା । ରାତିସାରା ବୁଝାଇ ବୁଝାଇ ଥକି ଗଲେ ସୁଶାନ୍ତ ଓ ସରିତା । କିନ୍ତୁ ସେ କାନ୍ଦ ଥମି ନ ଥିଲା । ଶେଷ ମୁହୂର୍ତ୍ତରେ ରୀତୁକୁ ସରିତା କୋଳକୁ ବଢ଼ାଇ ଦେଇ ରୁଦ୍ଧ କଣ୍ଠରେ କହିଉଠିଥିଲେ ରାଜେନ୍ଦ୍ର ବାବୁ-ଚିରଦିନ ପାଇଁ ତୋ ମୋ ସଂପର୍କ କାବୁଲିଓ୍ୟାଲା ଓ ମିନିର ସଂପର୍କ ହୋଇ ରହିଗଲା ।

 

ସରିତାର ଆକ୍ଷିରେ ଛୋଟ କାକର ବିନ୍ଦୁ । ସେ ତା’ର ରୀତୁକୁ ପାଇଛି । ତଥାପି ତା’ ମୁହଁରେ ବିଜୟର ବିହ୍ୱଳତା ନାହିଁ । ସତେ କ’ଣ ରାଜେନ୍ଦ୍ରବାବୁ ଚାଲିଯିବେ ଜୟପୁରରୁ....ତାଙ୍କ ପ୍ରିୟ ରୀତୁକୁ ଛାଡ଼ି ???

 

X X X

 

କେଉଁ ଦିନ ମଉସାଙ୍କ ପକେଟରୁ ଖଣ୍ଡେ ଅଧା ମଇଳା ଖଦଡ଼ ରୁମାଲ ନେଇ ଆସିଥିଲା ରୀତୁ । ଏଇ ସେ ରୁମାଲ । ଏ ରୁମାଲ କଥା କହେ । ସାତ ତାଳ ପାଣି ଭିତରର ହୀରା, ନୀଳା, ମଣି, ମୁକ୍ତାର କଥା ନୁହେଁ; ରୀତୁ ଓ ତା’ର ମଉସାର କଥା । ସ୍ମୃତି ଚଳଚ୍ଚିତ୍ର ପେଡ଼ି ଇଏ । ଏ ଥାଉ....ଇମିତି ସାଇତା ହୋଇଥାଉ ।

 

ଏତିକିବେଳେ ରୀତୁର କାନ୍ଦ ଶୁଣି ଘର ଭିତରକୁ ପଶି ଆସୁଥିଲେ ସୁଶାନ୍ତ । ‘‘ମୋ ମଉସାଙ୍କ ରୁମାଲ’’ କହି ରୀତୁ ରୁମାଲ ଖଣ୍ଡି ମା’ ଠାରୁ ଛଡ଼ାଇବାରେ ଲାଗିଛି । ଆଉ ସରିତା ତାକୁ ବୁଝାବୁଝି କରାଇ ନ ଦେବାର ପ୍ରୟାସ କରୁଛନ୍ତି ।

 

ସୁଶାନ୍ତ ପାଟି କରି ଉଠିଲେ-ଆରେ, ଏ କ’ଣ ? ପିଲାଙ୍କ ପରି ରୁମାଲଟା ଛଡ଼ାଉଛ କାହିଁକି ରୀତୁଠାରୁ ?

 

ହାତଟା ମନକୁ ମନ ଢିଲା ହୋଇଗଲା ସରିତାର । ରୁମାଲଟା ନେଇ ମହା ଆନନ୍ଦରେ ପଳାଇଲା ରୀତୁ......ସୁଶାନ୍ତ ହସୁଥିଲେ ସବୁ ବୁଝିଲା ପରି । ସେ ହସ କହୁଥିଲା–ତୁମେ ସତେ କେତେ ସେଣ୍ଟିମେଣ୍ଟାଲ, ସରିତା !

Image

 

କ୍ଷୁଧା

 

ସଂଧ୍ୟା ବୋଧହୁଏ ଡେରି ଅଛି । ଶୀତ ଦିନେ ପ୍ରାୟ ଅଫିସ ଛୁଟୀ ହେଲା ବେଳକୁ ଅନ୍ଧାର ହୋଇ ଯାଇଥାଏ ।

 

ସେଇ ଅନ୍ଧାର-ଦୟାନିଧି ଜୀବନର ଆଲୋକର ଉତ୍ସ, ଆଶା ଆଉ ବିରାଟ ଏକ ଆଶ୍ୱାସନା ମଧ୍ୟ । ସଚିବାଳୟ ନିକଟସ୍ଥ ରାସ୍ତାକଡ଼ର ଏକ ପ୍ରସ୍ତର ଖଣ୍ଡକୁ ଆଶ୍ରୟ କରି ଦୀର୍ଘ ଚାରି, ପାଞ୍ଚ ଘଣ୍ଟା କାଳ ସେ ବସି ରହିଛି । ସେ ଆସିଛି ତା ଗ୍ରାମ ରାମକୁମାର ପୁରରୁ । ଆଶା, ଦେଖା କରିବ ତାର ଉଦୟ ଭାଇଙ୍କୁ ।

 

ସଚିବାଳୟର ଉଚ୍ଚ ବେତନଭୋଗୀ ବଡ଼ ହାକିମ ଉଦୟନ ଗୟ ଚୌଧୁରୀ । ଦୟାନିଧି ଭାଷାରେ ଉଦି ଭାଇ । (ଅବଶ୍ୟ ୟା ମଧ୍ୟରେ ଭାଷା ପରିମାର୍ଜିତ କରି ଉଦୟ ଭାଇ ଡାକିବ ବୋଲି ମନେ ମନେ ସ୍ଥିର କରି ରଖିଥାଏ ସେ ।)

 

ଆଃ, ଯେଉଁ ଦିନ ରାମକୁମାର ପୁର ଗ୍ରାମରେ ସେ ପ୍ରଥମ କରି ବୃତ୍ତି ପାଇଲା ଏଇ ଉଦୟ ଭାଇ କଲେଜ ଛୁଟୀରେ ଗାଁକୁ ଆସିଥିଲେ । ସ୍ନେହ ମମତାରେ ନିଜ ଭାଇ ବି ଇମିତି ହେବ ନାହିଁ । ଘଣ୍ଟା ଘଣ୍ଟା ଧରି ଆମ୍ବ ତୋଟାର ନିର୍ଜନ ପରିବେଶରେ ବୁଝାଇ ଚାଲିଥିଲେ ତାକୁ ତାର ଭବିଷ୍ୟତ ସଂପର୍କରେ । ମନରେ ପରମ ଆଗ୍ରହ । ଦୟାନିଧି ନିଜକୁ ବିଶ୍ୱାସ କଲା । ଭଲ ପାଠ ପଢ଼ି ସେ ଖୁବ୍‌ ଗୋଟାଏ ବଡ଼ ମଣିଷ ସତରେ ହେବ । ଖୁସି ଖବର ପାଇ ନନା ତାକୁ କୁଣ୍ଢାଇ ପକାଇଲେ ।

 

-ବାପାରେ, ଏ ଗାଁର ତୁ ଟେକ ରଖିବୁ । ପ୍ରଧାନ ଶିକ୍ଷକ କହିଗଲେ-ପିଲାଟା ଯାହା ବୁଦ୍ଧିଆ ଅଛି ନା ! ବୁଝିଲ ଆଚାର୍ଯ୍ୟେ, ତା’ର ପାଠ ପଢ଼ାରେ ଭରୀ ମନ । ଖାଲି ସୁବିଧା ଟିକିଏ ପାଇଲେ ନା !

 

ସୁବିଧା ???

 

ଜମି ବା କେତେ ମାଣ, ଫସଲ ବର୍ଷକୁ ନିଅଣ୍ଟ । ଦୂର ଗାଁକୁ ଯାଇ ପୁରୋହିତ କାମ କରି ରାମ ଆଚାର୍ଯ୍ୟେ ଯାହା କିଛି ଆଣନ୍ତି, ଅନ୍ତତଃ କାହାକୁ ଓପାସ ରହିବାକୁ ପଡ଼େନା । ପରିବାର କହିଲେ-ଆଚାର୍ଯ୍ୟେ, ତାଙ୍କ ପତ୍ନୀ, ଦୁଇ ଝିଅ, ତିନି ପୁଅ । ବଡ଼ ଝିଅ ଉଷା ତଳେ ଦୟାନିଧି । ଉଷାର ବୟସ ପନ୍ଦର ଟପିବା ପରଠାରୁ ବାପା, ମା ଚିନ୍ତାର ଅର୍ଗଳି ଭିତରେ ମୁଣ୍ଡ ପୂରାଇଛନ୍ତି । ଏଇ ବୟସରେ ଗାଁର ଆଉ ଆଉ ଝିଅମାନେ ବର୍ଷେ ଦି, ବର୍ଷ ହେଲା ବିବାହ କରି ଛୁଆପିଲାର ମା’ ହେବାକୁ ବାହାରିଲେଣି । ତେର ବର୍ଷର ପିଲା ଦୟାନିଧି ମୁଣ୍ଡରେ ଏ ଚିନ୍ତା ବି ସ୍ଥାନ ପାଏ । ବହି ଖୋଲି ଚାହୁଁ ଚାହୁଁ ଆପେ ଆପେ ବନ୍ଦ ହୋଇଯାଏ । ଆର ପାଖ ଘରେ ନନା, ବୋଉଙ୍କର ଅର୍ଥନୀତିକ ଆଲୋଚନା ତାର ମନକୁ କ୍ଷତ ବିକ୍ଷତ କରି ପକାଏ ।

 

ଦାୟିତ୍ୱସମ୍ପନ୍ନ ବ୍ୟକ୍ତିଙ୍କ ପରି ସେ ବି ଭାବେ ଟଙ୍କା...ଟଙ୍କା କେଉଁଠୁ ଆସି ତାଙ୍କ ଘରର ଅଗଣିତ ସମସ୍ୟାର ଆଶୁ ସମାଧାନ କରି ଦିଅନ୍ତା......ଦୟାନିଧି ଶେଷରେ ଭାବେ ପାଠ ପଢ଼ାର ପରିସମାପ୍ତି ପରେ ଚାକିରି ହିଁ ତା ଜୀବନ ଓ ଘରର ସମସ୍ତ ଦୁଃଖ ଦୁର୍ଦ୍ଦଶା ଘୁଞ୍ଚାଇ ଦେବ । ଓଷୀ ନାନୀକୁ ସିନା ସେ ବାହା କରେଇ ପାରିବ ନାହିଁ, କିନ୍ତୁ ସରସୀ ପାଇଁ ଭଲ ଭଲ ଯୌତୁକ, କଲେଜ ପଢ଼ୁଆ ଜୋଇଁ....ଟଙ୍କା ଥିଲେ ଏ ସବୁର କଣ ଅଭାବ ହୋଇପାରେ ? ମାତ୍ର ତେର ବର୍ଷ ବାଳକର ସରଳ ମନରେ ଅନେକ ଅବୋଧ୍ୟ ଗଣିତର ସୂତ୍ର ସହଜ ହୋଇ ଉଠୁଥିଲା ।

 

ସାତବର୍ଷ ଅତିକ୍ରାନ୍ତ ହୋଇ ଯାଇଛି–

 

ଦୟାନିଧିର ସେଦିନର କଳ୍ପନାର ଖିଅ ମଧ୍ୟ ବାସ୍ତବ ରୂପ ନେଇ ପାରିଲାନି । ଧାର ଉଧାର କରି, ଅଭାବ ଅନାଟନକୁ ଆକ୍ଷି ବୁଜି ମ୍ୟାଟ୍ରିକ ପରୀକ୍ଷାଟି ଦେଇଦେଲା ସେ । ହେଲେ ଦୁଇ ବର୍ଷ ହେଲା ସେମିତି ବେକାର । ଉନ୍ନତି ମଧ୍ୟରେ ଘରର ଜନସଂଖ୍ୟାକୁ ବୃଦ୍ଧି କରି ଆସିଛି ସୁନନ୍ଦା । ଆଃ, ବିଚାରୀ ସୁନନ୍ଦା !

 

ଦୟାନିଧି ଦୀର୍ଘଶ୍ୱାସ ନେଲା । ବହୁଦିନର ଅବରୁଦ୍ଧ ଆବେଗ ତାର ଉତ୍‌କୂଳ ବନ୍ୟାର ସ୍ରୋତ ଭଳି ଉଛୁଳି ଉଠିଲା । ବୋଉର ଏକା ଜିଦ୍‌-ସୁନନ୍ଦା ହିଁ ଆସିବ । କାହିଁ କେତେ ବର୍ଷ ତଳେ ମହାପ୍ରସାଦ ଦିଆନିଆ ହୋଇ ସେ ଓ ସୁନନ୍ଦାର ମା’ ଏ ବିବାହ ପାଇଁ ସତ୍ୟ କରିଥିଲେ । ଭାବୀ ସମୁଦୁଣୀଙ୍କ ମୃତ୍ୟୁ ଖବର ପରେ ଏଥିରେ ଆଉ ଡେରି କରିବାକୁ କେହି ଚାହିଁଲେନି । କଥା ଦିଆ ଯାଇଛି ଏବଂ ନିଶ୍ଚୟ ରହିବ । ଡେରି ହେଲେ ହୁଏତ ବାଧା ସୃଷ୍ଟି ହୋଇପାରେ । ଏ ଗୋଟାଏ ଦ୍ୱିଧାଗ୍ରସ୍ତ ମନର ପ୍ରଳାପ । ୟା ଆଗରେ ଦୟାନିଧିର ମୂଲ୍ୟବାନ୍‌ ଯୁକ୍ତିମାନେ ହାର ମାନିଗଲେ । ଚଉଦ ବର୍ଷର ଭଉଣୀ ସରସୀର ବିବାହ ହୋଇନି, ସୁନନ୍ଦା ଆଗ ପାଦ ଦେଲା ଏ ଘରେ ।

 

ସୂର୍ଯ୍ୟର ଶେଷ ରଶ୍ମି ଛିଟା ଲାଖି ରହିଛି ପାଖ ଗଛର ପତ୍ର ଫାଙ୍କରେ । ସୃଷ୍ଟି ସୁନ୍ଦର । ଦୟାନିଧି ଭାବପ୍ରବଣ ହେଲା ।

 

ସେଇ ରାତିରେ....ଏକ ନାଲି ରଙ୍ଗର ଜରି ଶାଢ଼ୀ ପରିଧାନ କରି ସୁନନ୍ଦା ଅପରୂପା ମନେ ହେଉଥିଲା । କପାଳରେ ଟୋପା ଟୋପା ଚନ୍ଦନ ମଧ୍ୟରେ ସିନ୍ଦୂର ବିନ୍ଦୁ । ତୋଫା ଗୋରା ମୁହଁକୁ ବେଶ୍‌ ମାନୁଥିଲା । ହାତେ ଲମ୍ବର ଓଢ଼ଣା ଟାଣି ବସି ରହିଲା ସେ । ମୁହଁରୁ ଶାଢ଼ୀଟା ଉଠେଇ ନେଇ ବୋକାଙ୍କ ଭଳି ଅପଲକ ଦୃଷ୍ଟିରେ ଚାହିଁ ରହିଥିଲା ଦୟାନିଧି । ଲାଜରେ ଆହୁରି ଝାଉଁଳି ପଡ଼ିଲା ତାର ନବବଧୂ । ଉନ୍ନତ କବରୀର ସତେଜ ଲାଲ ଗୋଲାପଟି ସତେ କି ମଧୁରାତ୍ରିର ଶୁଭେଚ୍ଛା ଜଣାଉଥିଲା ସେ ଦୁହିଙ୍କୁ ।

 

କ୍ଷଣିକର ଭାବପ୍ରବଣତାକୁ ତାତ୍ସଲ୍ୟ କରି ହୋ ହୋ ହୋଇ ହସି ଉଠିଲା ଦୟାନିଧି । ତାର ଅଟ୍ଟହାସ୍ୟର ଉତ୍ତର ଦେଲେ ନୀଡ଼ଫେରା ପକ୍ଷୀମାନେ । ଆକାଶ ପ୍ରତି ଦୃଷ୍ଟି ଫେରାଇଲା ସେ-। ଅନ୍ଧାର ମାଡ଼ି ଆସିଲାଣି । ରାସ୍ତାର ଉଜ୍ଜ୍ୱଳବତୀସବୁ ଅକସ୍ମାତ୍‌ ଜଳି ଉଠିଲା । ଅଫିସ ସବୁ ଛୁଟି ହୋଇଗଲାଣି ଅନେକ ବେଳୁ ବୋଧହୁଏ । ଦଉଡ଼ିବାକୁ ଆରମ୍ଭ କଲା ଦୟାନିଧି ।

 

ଏକାବେଳକେ ସାଷ୍ଟାଙ୍ଗ ପ୍ରଣିପାତ....

 

-ଆରେ, ଦଇଆ ତୁ କେତେବେଳେ ?

 

(ଉଦୟ ଭାଇ ତାକୁ ଚିହ୍ନିଲେ ତେବେ !)

 

ସେ ହସୁଛି ସେମିତି । ସକାଳ ସାତଟାରେ ଗାଁରୁ ବାହାରିଥିଲା ସେ । ଆସିଲାବେଳେ ପଖାଳ ପୂରା ପେଟ କରି ମଧ୍ୟ ଖାଇପାରି ନଥିଲା । ବସ୍‌ରେ ବସ୍ତା ଲଦି ହେଲା ପରି ପଇଁଚାଳିଶ ମାଇଲ ରାସ୍ତା ଅତିକ୍ରମ କରିବା ପରେ ପୂରାପୂରି କ୍ଳାନ୍ତ ହୋଇ ପଡ଼ିଛି ଦୟାନିଧି । ଭୋକ କୁଆଡ଼େ ମରି ଗଲାଣି ।

 

ଉଦୟ ଭାଇକୁ ଦେଖିବା ପରେ ବିଷଣ୍ଣ ସନ୍ଧ୍ୟାର ବିବଶତା ତାର କଟି ଯାଇ ମୁହଁରେ ଶୋଭା ପାଉଛି କ୍ଷୀଣ ଅଥଚ ଆଶାୟୀ ହସ ଟିକିଏ ।

 

ଉଦୟ ଭାଇ ତାକୁ ଆଦେଶ ଦେଲେଣି-ଯାରେ, ମୋ ଗାଡ଼ିରେ ବସ ।

 

ଗାଡ଼ି ! ମଟର କାର୍‌ ! ବେଶ୍‌ ବଡ଼ଲୋକଟା ହୋଇ ଯାଇଛି ସେ ତେବେ । ଗଦିଟା ଯେପରି ଆରାମ-ଗୋଡ଼ ରଖିବାକୁ ମଖମଲି ଗାଲିଚାଟାଏ ।

 

ଉଦୟ ଭାଇ ବେଶ୍‌ ସୁନ୍ଦର ଗାଡ଼ି ଚଳେଇ ଚାଲି ଯାଉଛି । ରାସ୍ତାର ଲୋକ, ବଡ଼ ବଡ଼ ବସ୍‌, ସାଇକେଲ୍‌ ରିକ୍‌ସା, ସୁନ୍ଦରୀ ତରୁଣୀ, ଭିକାରୀ ପିଲା ଏ ସମସ୍ତଙ୍କୁ କଟେଇ ଗାଡ଼ି ନେଇ ଯାଉଛି ସେ ବେଶ୍‌ ତ !

 

-ବୁଝିଲୁରେ, ଦୟା....

 

-ଆଜ୍ଞା ।

 

ନୂଆ ଷ୍ଟାଣ୍ଡାର୍ଡ଼ ଗାଡ଼ିଟା ମିଳିଗଲା ମୋତେ । ଭାବିଲି ସରକାରୀ କରଜ କରିବି ପଛକେ ଗାଡ଼ିଟା ହାତରୁ ଛାଡ଼ିବି ନାହିଁ ।

 

ଅଦା ବେପାରୀ ସଙ୍ଗେ ଜାହାଜର ମୂଲ । ଦୟାନିଧି ଶୁଣିବାର ଛଳନା କଲା । କିନ୍ତୁ ମନ ହେଉନି ।

 

ଉଦୟନ ରାୟ ଚୌଧୁରୀଙ୍କ ଦୃଷ୍ଟି କିନ୍ତୁ ସାମନାରେ । ଷ୍ଟିଅରିଂରେ ହାତ ରଖି ଆତ୍ମତୃପ୍ତିରେ ଅନର୍ଗଳ ଗପି ଚାଲିଥାଆନ୍ତି ସେ ।

 

କେଡ଼େ ସଅଳ ଗାଡ଼ି ଚଳେଇ ଦେଲା ଉଦୟ ଭାଇ । ଏଇ ଘର ହେବ ବୋଧହୁଏ । ଫାଟକ ଭିତରେ ଗାଡ଼ି ପୂରେଇଲାଣି ସେ । ବଗିଚାରେ ବୁଦା ବୁଦା ଶୀତଦିନିଆ ଫୁଲ । ତା’ରି ଭିତରେ ଅର୍ଦ୍ଧ ପ୍ରସ୍ଫୁଟିତ ଗୋଲାପ କଳିକାଟି ପ୍ରତି ମୁଗ୍‌ଧ ପ୍ରେମିକଙ୍କ ଭଳି ଚାହିଁ ରହିଥିଲା ଦୟାନିଧି-। ଘରୁ ଆସିବାବେଳେ ଓଠରେ ସରୁ ହସରୁ ଧାରେ ଟାଣି କବାଟ ଫାଙ୍କରେ ଚାହିଁ ଦେଇଥିଲା ଥରେ ।

 

-ଆରେ ଦଇଆ, ଏଇ ତୋ ଭାଉଜ ଆସିଗଲେ ।

 

ଦୟାନିଧି ହାତ ଯୋଡ଼ିଲା । ଭାଉଜ ଆଦରରେ କହିଲେ,

 

-ଘରକୁ ଆସ ।

 

-ଦିଅ, କିଛି ଖାଇବାକୁ ଆଣ । ଉଦୟ ଭାଇ ପାଟି କଲେ । ଏତେ ବେଳେ ଖାଦ୍ୟର ନାଁଟା ଶୁଣି ଭୋକଟା ଆପେ ଆପେ ଚେଇଁ ଉଠିଲା ଦୟାନିଧିର ପେଟରେ । କେତେଗୁଡ଼ିଏ ଗରମ ଭେଜିଟେବୁଲ ଚପ୍‌ ଆଉ କେଟ୍‌ଲିଏ ଚା’ ଧରି ଭାଉଜ ପଶି ଆସିଲେ ଖାଇବା ଟେବୁଲ ପାଖକୁ । ତା’ର ମନ ହେଲା, କହନ୍ତା-ପଖାଳ ନାହିଁ ? ତଣ୍ଟିଟା ସତେ କିଏ ଚିପି ଧରିଲା କି ! ଭୋକିଲା କାଙ୍ଗାଳ କେଉଁଠିକାର ଶୀତ ରାତିରେ ପଖାଳ ଖୋଜୁଛି ! !

 

ଭାଉଜ ହସୁଛନ୍ତି ।

 

-ଖାଉନ ଯେ, ଚୁପ କରି ବସିଲ କାହିଁକି ? ଉଦୟ ଭାଇଟା ଏତିକିବେଳେ ପାଟି କଲା-ଆରେ ଯା-ଯା ସେ ଗାଧୁଆ ଘରେ ଧୁଆଧୋଇ ହୋଇ ଆସିବୁ ।

 

ଭାଉଜ ତାଙ୍କ ପାଇଁ ଚା’ କପରେ ଢାଳୁ ଢାଳୁ ନିଜେ ବି କପ୍‌ଟେ ଧରିଛନ୍ତି । ୟେ ବୋଧହୁଏ ପଖାଳ ଖାଆନ୍ତି ନାହିଁ । ଦୟାନିଧିର ଖାଲି ମନେପଡ଼ୁଛି ସେଇ ପଖାଳ ।

 

ଛୋଟ ଖେଳ ସାଇକେଲ ରିକ୍‌ସାରେ ଦୁଇଟି ପିଲା । ଦୁଇଟି ଯାକ ପୁଅ ବେଶ୍‌ ଗୋଲଗାଲିଆ । ଦେହରେ ମାନିବା ଭଳି ଦାମୀ ପୋଷାକ । ଉଦୟ ଭାଇ ଶିଖାଇଲା-ଦୟା ଅଙ୍କଲ୍‌କୁ ନମସ୍କାର କର । ଭାଉଜ ପାଟିକଲେ–ନାଇଁ ନାଇଁ, କକା ଡାକନ୍ତୁ । ପିଲାମାନେ ବୋକାଙ୍କ ଭଳି ଚାହିଁ ରହିଲେ ଉଦୟ ଭାଇ ହସିଲା-କକା ଅର୍ଥ ଅଙ୍କଲ୍‌ । ବୁଝିଲ ତ ।

 

ପିଲାମାନେ କେତେ ଶୀଘ୍ର ଜମେଇ ନେଲେ ତା ସହିତ । ଦୟା କକା ସଙ୍ଗେ ବୁଲିଯିବୁ, ଖେଳିବୁ ଖାଇବୁ....

 

ସବୁ ନିର୍ଦ୍ୱନ୍ଦରେ ଚାଲିଛି ।

 

ରୁଟିନ୍‌ ବନ୍ଧା ପରି ସକାଳେ ଦାନ୍ତ ଘଷି ସାରିବା ବେଳକୁ ଭାଉଜ ପଠାଇ ଦେଉଛନ୍ତି ଚା’ ଜଳଖିଆ । ପୁଣି ବାରଟାରେ ଭାତ ମାଂସ ବା ମାଛ ସଙ୍ଗେ ଆଉ କେତେ କ’ଣ । ସନ୍ଧ୍ୟାରେ ସକାଳର ପୁନରାବୃତ୍ତି । ରୁଟି କିମ୍ବା ପରଟା, ତରକାରୀ, ଭଜା ପ୍ରଭୃତି । ଖାଉ ଖାଉ ଅଟକିଯାଏ ଦୟାନିଧି । ନନା, ବୋଉ, ସରସୀ, ସୁନନ୍ଦା, ଆଉ ଛୋଟ ଛୋଟ ଭାଇମାନେ । ସକାଳେ ମୁଢ଼ି ଦି’ଟା, ଦ୍ୱିପହରେ ଭାତ ମୁଠେ । ତା ବି ପଛଲୋକଙ୍କ ପାଇଁ ନ ଥାଏ । ଦିନେ ଦିନେ ସୁନନ୍ଦା ପୂରା ଓପାସ । ଏ କଥା ଜାଣି ବୋଉ ସେ ଦିନ କନ୍ଦାକଟା କଲା । ଜଗି ବସିଲା ପଛକୁ । ହାଣ୍ଡିରେ ଯାହା ବଳେ ଦିହେଁ ମିଶି ଖାଆନ୍ତି । ରାତିରେ ଅବା ଦୁହେଁ ମିଶି ଓପାସ କରୁଥିବେ କି କଣ ! ଦୁଇ ବର୍ଷ ହେଲାଣି ବଢ଼ି, ମରୁଡ଼ି ଲାଗି ରହିଛି । ଫସଲ ଆସିବ କେଉଁଠୁ ? ଚାକିରି ଖଣ୍ଡେ ଆଶାରେ ଦୀର୍ଘ ପନ୍ଦର ଦିନ ଧରି ବସିଛି ରହିଛି ସେ ବନ୍ଧୁ ଘରେ ।

 

ଖାଇବାଠାରୁ ଉଠିଯାଇ ବିଛଣାରେ ପଡ଼ିଲା ଦୟାନିଧି । ଆକ୍ଷିରେ ନିଦ ନାହିଁ । କେତେ ଆଶା କରି ଆସିଥିଲା ସେ । ଉଦୟ ଭାଇକୁ କହି କହି କିଛି ହେଉନି । ଦୌଡ଼ି ଦୌଡ଼ି ଥକିଲାଣି ସେ ।

 

ଚାକିରି କାହିଁ ? ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ଚାରିଆଡ଼େ ଖର୍ଚ୍ଚକାଟର ବ୍ୟବସ୍ଥା, ଖାଲି ଛଟେଇ । ଅଧିକା ଲୋକ ରହିବେ ନାହିଁ । ବ୍ଳକ୍‌ରେ କେତେ ପୋଷ୍ଟ ଉଠିଗଲା । ଖବର କାଗଜ ପଢ଼ି ବସିଲେ ଖାଲି ଘେରାଉ, ବିକ୍ଷୋଭ, ଅନଶନ । ଡାକ୍ତର, ଇଞ୍ଜିନିୟରମାନେ ହଜାର ହଜାର ସଂଖ୍ୟାରେ ବେକାର । ଇଞ୍ଜିନିୟରିଂ କଲେଜର ଛାତ୍ରମାନେ ସ୍ଥାନେ ସ୍ଥାନେ ଧର୍ମଘଟ ଆରମ୍ଭ କରିଦେଲେଣି । ମୁଣ୍ଟଟା ଚାପି ଧରିଲା ଦୟାନିଧି । ଉତ୍କଟ ବେକାର ସମସ୍ୟା ସଙ୍ଗେ ବଜାରର ଚଢ଼ା ଦରଦାମ । କଳାବେପାରୀମାନେ ହାତକୁ ଟାଣ କରି ରଖୁଛନ୍ତି ।

 

କ୍ଷଣକ ପାଇଁ ଦୟାନିଧି ନିଜ କଥା ଭୁଲି ଯାଇଛି । ତାର ବିଦ୍ରୋହୀ ମନ ଚିତ୍କାର କରି ଉଠୁଛି-ହଁ, ହଁ, ଏଇମାନଙ୍କୁ ହିଁ ଆଗ ଦୃଢ଼ହସ୍ତରେ ଦମନ କରିବାକୁ ପଡ଼ିବ । ଦେଶରେ ଶାନ୍ତି ଆଣିବାକୁ ହେଲେ ଏଇ ଦଲାଲ ଶ୍ରେଣୀର ଲୋକଙ୍କୁ ଦେଶମାତୃକାର ପଦତଳେ ବଳିଦେବା ଆବଶ୍ୟକ । ସମାଜବାଦ, ସ୍ୱାଧୀନତା, ଗଣତନ୍ତ୍ର–ଏଗୁଡ଼ାକ ଫାଙ୍କା ଆବାଜ । ଦୟାନିଧିର ଭୋକିଲା ପେଟରେ ନିଆଁ ଜଳିଉଠିଲା । ହାତଟା ଆପେ ଆପେ ମୁଠା ହୋଇ ଆସିଲା ।

 

ସେ ଯାଇଥିଲା କଟକ ଉଦୟ ଭାଇର ନିର୍ଦ୍ଦେଶରେ । ଉଦୟ ଭାଇଙ୍କ ସାଙ୍ଗ ହାକିମଙ୍କ ନିରାଶ ମନ ନେଇ । ନୂଆ ଲୋକଙ୍କୁ କୌଣସି ଚାକିରିରେ ଭର୍ତ୍ତି ନ କରିବାକୁ ସରକାରୀ ନିର୍ଦ୍ଦେଶ ଆସିଛି । ଉଦୟ ଭାଇଙ୍କ ସାଙ୍ଗ ଖୁବ୍‌ ଦୁଃଖ କରି ଅସହାୟତା ପ୍ରକାଶ କରିଛନ୍ତି ଚିଠିରେ । ମାସେ ଦୁଇ ମାସ ପରେ ବନ୍ଦୋବସ୍ତ କ୍ୟାମ୍ପ ପଡ଼ିଲେ ଲୋକ କିଛି ଦିନ ମଜୁରିଆ ରୂପେ ଦରକାର ହୋଇ ପାରନ୍ତି । ଯଦି ସେମିତି କିଛି ଦରକାର ହୁଏ, ସେ ଖବର ଦେବେ ବୋଲି ଆଶ୍ୱାସନା ଜଣାଇଲେ । ‘‘ଦରକାର ପଡ଼ିଲେ....ଖବର ଦେବେ’’, ମନେ ମନେ ଘୋଷି ହେଉଛି ଦୟାନିଧି ଏଇ ବାକ୍ୟଟିକୁ ।

 

ସେ ଫେରି ଆସିଛି । ତା’ର ମନେ ହେଉଛି ସନ୍ଧ୍ୟା ଆକାଶରେ ଚନ୍ଦ୍ର ନାହିଁ, ତାରା ନାହିଁ, ରାତ୍ରିର ଅନ୍ଧକାର ବି ନାହିଁ । ପୃଥିବୀ ସ୍ତବ୍‌ଧ, ସତେ ଯେପରି ପ୍ରତ୍ୟେକ ମନୁଷ୍ୟ, ପଶୁପକ୍ଷୀ ଜଡ଼ ପାଲଟି ଯାଉଛନ୍ତି । ଆଉ ଏପରି ଏକ ନିର୍ଜନ, ନିସ୍ତବ୍‌ଧ ମରୁ ପ୍ରାନ୍ତରେ ସେ ପଡ଼ି ରହିଛି । ତା’ର ଆକାର ହୁଏତ କ୍ଷୁଦ୍ରରୁ କ୍ଷୁଦ୍ରତର ହେବାରେ ଲାଗିଛି । ଦୁଃଖରେ ମୁଣ୍ଡରୁ ବାଳ ଟାଣିବାରେ ଲାଗିଛି ସେ । କଟକରୁ ଫେରି ସମସ୍ତଙ୍କୁ ଅଜାଣତରେ ନିଜ ପାଇଁ ଉଦ୍ଦିଷ୍ଟ କୋଠରୀଟିରେ ବିଛଣା ଧରି ପଡ଼ିରହିଛି ସେ । ଆର ଘରେ ଭାଉଜ ଆଉ ଉଦୟ ଭାଇ ଆଳାପରତ । କାନରେ ପଡ଼ୁଛି ।

 

-ଦେଖ, ତୁମ ପାଖରେ କେଉଁଠିଥିବ ।

 

-ନାଇଁ, ନାଇଁ, ମୋ ପାଖରେ ଆଉ କିଛି ନାହିଁ...ଯାହା ତ ଥିଲା ସବୁ ଖର୍ଚ୍ଚ ହୋଇ ଗଲାଣି...

 

-ଦିଅ ନା, ଦେଖ କେଉଁଠୁ...ଉଦୟ ଭାଇ ଚିଡ଼ି ଗଲେ । ଭାଉଜ ହସି ପକାଇଲେ ।

 

-ସକାଳେ ଥିଲା, ଯେ, ତାକୁ, ଦୀପୁଙ୍କର କନ୍‌ଭେଣ୍ଟ ସ୍କୁଲକୁ ଦରମା ଚାଳିଶ ଟଙ୍କା ପଠାଇଲି । ଦୟାଙ୍କୁ କଟକ ଯିବାପାଇଁ ପାଞ୍ଚଟଙ୍କା ଦେଲି । ଆଉ ମାତ୍ର ପାଞ୍ଚ ଟଙ୍କା ବଳିଛି । ପାଞ୍ଚ ଟଙ୍କାରେ କି ସଉଦା କରିବ କୁହ ?

 

ଉଦୟ ଭାଇ ବ୍ୟସ୍ତ ହୋଇ ପଡ଼ିଲେ । –ଆଗରୁ ଏକଥା କହିଥିଲେ ଅଫିସରେ କାହାଠାରୁ ଅବା ଦେଖି ଥାଆନ୍ତି ।

 

-ଗତ ରାତ୍ରିରେ ତୁମ ପାଞ୍ଚଜଣ ବନ୍ଧୁଙ୍କ ପାଇଁ କେତେ ଖର୍ଚ୍ଚ ହେଲା ଜାଣିଛ ?

 

-ହିସାବ ଶୁଣିବାକୁ ମୁଁ ଚାହୁଁନି ଏବେ । ଉଦୟ ଭାଇ ଚିତ୍କାର କରି ଉଠିଲେ । ଭାଉଜ ସେ ଘରୁ ପଳେଇ ଆସିଲେ କି କଣ ସେମାନଙ୍କ ପାଟି ଆଉ ଶୁଣା ଯାଉନି । ଉଦୟ ଭାଇ ଫୋନ୍‌ କରୁଛନ୍ତି କେଉଁଠିକି ।

 

ଦୟାନିଧି ଆଶ୍ଚର୍ଯ୍ୟ ହେଲା । ଏତେ ବଡ଼ ହାକିମ ! ତାଙ୍କର ପୁଣି ଏ ଅବସ୍ଥା ! ଚାଉଳଠାରୁ ଆରମ୍ଭ କରି ଗୋଟି ଗୋଟି କରି ସବୁ କିଣୁଛନ୍ତି ସେମାନେ । ସହରରେ ନିଜର ମାନ, ସମ୍ମାନକୁ ଊଣା ନ କରି ଚଳିବାକୁ ଚେଷ୍ଟା କଲେ ଖର୍ଚ୍ଚ ବେଶୀ ହେବା ତ ସ୍ୱାଭାବିକ ।

 

ସେ ଖାଉଛି, ଚାକିରି ଖୋଜି ଯାଉଛି । ଗାଡ଼ି ଖର୍ଚ୍ଚ ନେଉଛି, ପୁଣି ଆସୁଛି, ଖାଉଛି, ଦରକାରବେଳେ ପୁଣି କିଛି ଟଙ୍କା ମାଗି ନେଉଛି । ଯେଉଁଠି ସହଜରେ ମିଳିଥାଏ, ସେଠାରେ ମାଗିବା ଲୋକ ବି ନିଜର ଲଜ୍ଜା ଭୁଲି ମାଗିବାକୁ ଆଗେଇ ଆସେ । ଦୟାନିଧିର ମୁଣ୍ଡଟା ଘୂରୁଛି, ତା’ ସାଥେ ଘୂରୁଛନ୍ତି ଗାଁର ଧାର, କରଜ ମାନେ, ଅର୍ଦ୍ଧ ପାଗଳ ନନା, ରୁଗ୍‌ଣା ବୋଉ, ଆଶାୟୀ ସୁନନ୍ଦା ଏବଂ ଆଉ ଆଉ ମାନେ । କିମିତି ଚଳୁଛନ୍ତି ସେମାନେ !!! ଘର ଭିତରେ ଅନ୍ଧକାର ମଧ୍ୟରେ ଜଳ ଜଳ ହୋଇ ଦେଖା ଯାଉଛି ଦୟାନିଧିକୁ ତାର କଲ୍ୟାଣୀ-ବଧୂ ବେକର ସୁନା ସରୁ ଆମ୍ବ କଷି ହାରଟି । ଚକ୍‌ ଚକ୍‌ କଲା ଆକ୍ଷିରେ ଲୁହ । ଭଗବାନ୍‌, ଶେଷରେ ସୁନନ୍ଦା ଗହଣାରେ ଲୋଭ ! ଆଉ କିଛି ଭାବି ପାରିଲାନି ସେ । ଦପ୍‌ କରି ସେ କୋଠରୀର ଆଲୁଅ ଜଳି ଉଠିଲା । ଭାଉଜ ଠିଆ ହୋଇଛନ୍ତି । ଦୋଷୀଙ୍କ ଭଳି ଠିଆ ହୋଇ ପଡ଼ିଲା ଦୟାନିଧି ।

 

-ତୁମେ କେତେବେଳେ ଆସିଲ ଦୟା ? କଣ୍ଠରେ ତାଙ୍କର ଉଦାସତା । ସେ ମୁହଁ ଶୁଖାଇଛନ୍ତି । ପୁଣି କହିଲେ ସେ–ଅନ୍ଧାରରେ ତୁମେ ଏଇ ଘରେ ବସି ରହିଛି, ମୁଁ ଭାବିଲି ଫେରିନ ଏଯାଏ । ଆଚ୍ଛା, ତୁମ ଗାଁକୁ ଆଜି ଗାଡ଼ି ଅଛି ?

 

କାହିଁକି ? କ’ଣ ଆଉ ହେଲା ? କିଛି ଭାବି ପାରୁନି ସେ, କେବଳ ଜଳ ଜଳ କରି ଭାଉଜଙ୍କୁ ଚାହିଁ ରହିଛି । ପାଖ ଟେବୁଲ ଉପରୁ ଟେଲିଗ୍ରାମ୍‌ଟିଏ ଆଣି ବଢ଼େଇଦେଲେ ଦୟାକୁ ।

 

-ଏଇଟା ଆସିଥିଲା, ତୁମ ମା’ ଅସୁସ୍ଥା ।

 

ଦୟାନିଧିର ବାଁ ଆକ୍ଷିଟା କିମିତି ଦପ୍‌ ଦପ୍‌ କରି ଉଠିଲା । ସେ ପଥର ପାଲଟି ଯାଇଛି ।

 

ସତେକି ଦୁଃଖର ଆଉ ଶେଷ ନାହିଁ । ଗୋଟାଏ ପରେ ଗୋଟାଏ ତାକୁ ଧକାଏ ଦେଇ ଯାଉଥିବେ । ସେ ନିରୁପାୟ, ଅକର୍ମଣ୍ୟ ତା’ ପାଖରେ ଧନ ନାହିଁ । ଜାଣି ଜାଣି ସେ ନିଜ ବୋଉକୁ ଉପଯୁକ୍ତ ଔଷଧ ଆଉ ପଥ୍ୟ ଅଭାବରେ ହତ୍ୟା କରୁଛି । ଦୟାନିଧିର କଣ୍ଠରୁଦ୍ଧ ହୋଇ ଆସିଲା । ଆକ୍ଷିରେ ଅଶ୍ରୁର ଅବାରିତ ପ୍ଳାବନ । ଭାଉଜ ଆଶ୍ୱାସନା ଦେଲେ ।

 

-ଥାଉ, ଦୟା, ଦୁଃଖ କରିବାର ବେଳ ନୁହେଁ, ବରଂ ତୁମେ ଶୀଘ୍ର ଗାଁକୁ ଚାଲିଯାଅ । ବୋଉଙ୍କୁ ସୁସ୍ଥ କରିବାର ଚେଷ୍ଟା କର ।

 

ହଁ, ସେ ଯିବ, ନିଶ୍ଚୟ ଯିବ । କିନ୍ତୁ ଶେଷ ଦେଖା ଯଦି ନ ମିଳେ । ତରତର ହୋଇ ଗୋଟାଇ ପକାଇଲା ଦୟା ତାର ମଇଳା ଧୋତି, ଗାମୁଛା ଦି’ଖଣ୍ଡ । ଛିଣ୍ଡା କନା ବ୍ୟାଗରେ ତାକୁ ପୂରାଇ ଦେଉ ଦେଉ ସେ ସ୍ତବ୍‌ଧ ହୋଇଗଲା ।

 

ଗାଡ଼ି ଖର୍ଚ୍ଚ ? ଅଳ୍ପ ସମୟ ପୂର୍ବର ଉଦୟ ଭାଇ ଓ ଭାଉଜଙ୍କ କଥାବାର୍ତ୍ତା ମନେ ପଡ଼ିଲା ତାର । ଆଉ କ’ଣ ସେ ହାତ ପତାଇ ଟଙ୍କା ମାଗି ପାରିବ ? ଅନ୍ୟାୟ, କିନ୍ତୁ ଉପାୟ ???

 

ଭାଉଜ ପୁଣି ଆସିଲେଣି । ହାତରେ ଜଳଖିଆ ଥାଳିଆ ।

 

-ନିଅ, କିଛି ଖାଇଦିଅ । ଆଉରଖ, ଏଇ ପାଞ୍ଚଟା ଟଙ୍କା, ଗାଡ଼ି ଖର୍ଚ୍ଚ କରିବ ।

 

ଦୟାନିଧି ତଳକୁ ମୁହଁ ପୋତୁଛି । ମନ ହେଉଛି କହନ୍ତା-ପରିବା ଖର୍ଚ୍ଚ ? ନା, ଥାଉ-ସେ ଯିବ ବୋଉ ପାଖକୁ । ତରତର କରି ହାତ ପତାଇ ପାଞ୍ଚ ଟଙ୍କିଆ ନୋଟ୍‌ଟି ଆଣି ପକେଟ୍‌ରେ ପୂରାଇଲା ସେ । ସେଇ ମୁହୂର୍ତ୍ତର ଏକ ଦୟନୀୟ ଅସହାୟତାରେ ସେ ଛଟପଟ ହେଉଥିଲା ।

Image

 

ପଲାଶ

 

ସୁଚରିତା ଗୁଣୁ ଗୁଣୁ ଗୀତ ଗାଇ ଝରକା ପାଖକୁ ଉଠିଗଲା । ପାଖ ପଡ଼ିଆରେ ସବୁଜ ଘାସର ଅରଣ୍ୟ । କୃଷ୍ଣଚୂଡ଼ା ଗଛରେ ପାଖା ପାଖି ଲାଗି ବସିଛନ୍ତି ଦୁଇଟି ହଳଦୀବସନ୍ତ । ମନ ହେଲେ ନାଚି ନାଚି ଉଡ଼ି ଯାଉଛନ୍ତି ଏ ଡାଳରୁ ସେ ଡାଳକୁ । ସୁମଧୁର ସ୍ୱରରେ ଗାଉଛନ୍ତି ସଙ୍ଗୀତ । କୃଷ୍ଣଚୂଡ଼ାର ଗହଳ ପତ୍ରତଳୁ ମୁଣ୍ଡ ଟେକିଛି ପେନ୍ଥି ପେନ୍ଥି ଫୁଲ ।

 

ପାଗଟା ବି ଚମତ୍‌କାର ଲାଗୁଛି । ଆଜି ଶୀଘ୍ର କ୍ଳାସ୍‌ ସରି ଯିବାରୁ ସେ ଚାଲି ଆସିଛି ଘରକୁ । ସଞ୍ଜୀବ କହୁଥିଲା ସିନେମା ଯିବାକୁ । ସୁଚରିତା ଟିକିଏ ଭାବି ମନା କରି ଦେଲା । ନା-ଇମିତି ପାଗରେ ସିନେମା ଦେଖା ଚଳେ ନା; ବରଂ ଆଉଟିଂ ଭଲଲାଗେ ।

 

ସଞ୍ଜୀବ କହିଲା, ‘‘ତେବେ କୁଆଡ଼େ ଯିବା ?’’ ଟିକିଏ ଭାବି ସେ ଉତ୍ତର ଦେଲା, ‘‘ନା-ଥାଉ, ଘରକୁ ଯିବି ।’’

 

ଏକା ରହିବାକୁ ଭଲ ପାଉଥିଲା ସୁଚରିତା । ପାଗର ଉଜ୍ଜ୍ୱଳତାରେ ସେ ମୁଗ୍‌ଧ ହୋଇଥିଲା ।

 

ଝରକା ପାଖକୁ ପଢ଼ା ଟେବୁଲ୍‌ଟା ଘୁଞ୍ଚାଇ ବସିଲେ କିମିତି ହୁଅନ୍ତା ? ଚିନ୍ତାଟା ମୁଣ୍ଡକୁ ସ୍ପର୍ଶ କରିବା ମାତ୍ରକେ ଅଣ୍ଟାରେ ଲୁଗା କାନି ଭିଡ଼ି କାମରେ ଲାଗିଗଲା ସେ ।

 

ଏଥର ହେଲା । ହଁ, ଠିକ୍‌ ତ । ଟେବୁଲରେ ସଜାଇ ରଖିଲା ସୁଚରିତା କେତେ ଖଣ୍ଡ ଚିଠି ଲେଖିବା କାଗଜ ଆଉ ତା ନିଜ କଲମ । ବଡ଼ ଭଉଣୀ ରଚିତା ଅପା ଲେଖିଛି ଚିଠି । ଅନ୍ୟଟି ଦିଲ୍ଲୀରୁ ଦେଇଛି ପ୍ରଣବ । ଅନ୍ୟାନ୍ୟ ଚିଠି ଗୁଡ଼ିକର ଉତ୍ତର ଏବେ ନ ଦେଲେ ବେଶ୍‌ ଚଳିବ ।

 

ଲେଖା ଆରମ୍ଭ କରିବା ପୂର୍ବରୁ ଖୋଜିଲା ଖୋଜିଲା ଆକ୍ଷିରେ କୃଷ୍ଣଚୂଡ଼ାର ଡାଳକୁ ଚାହିଁଲା ସୁଚରିତା । ତା’ପରେ ମନକୁ ମନ କହିଲା–

 

ଧେତ୍‌, ଚଢ଼େଇ ଦୁଇଟା ଉଡ଼ିଗଲେଣି କାହିଁ କେତେବେଳୁ । ଡାଳ ତଥାପି ହଲୁଛି ଆସ୍ତେ, ଖୁବ୍‌ ଆସ୍ତେ । ଫୁଲ ସବୁ ଲୁଚାକାଳି ଖେଳୁଛନ୍ତି ସବୁଜ ଗହଳିଆ ପତ୍ର ସାଥିରେ । ଆଃ, ଚଢ଼େଇ ଦୁଇଟି ଉଡ଼ି ଆସନ୍ତେ କି !

 

ଅପାର ଚିଠି । ଗୁଡ଼ାଏ ମନସ୍ତାପ ଖାଲି । ଅତୀତ ପାଇଁ ବିଳାପ । ବୋଉ ତାର ପାଠ ବନ୍ଦ କରି ଦେଲା କଲେଜ ନ ଯାଉଣୁ । ଷୋଳ ବର୍ଷରେ ବିବାହ । ସତର ବର୍ଷରେ ପ୍ରଥମ ପିଲା । କୋଡ଼ିଏ ନ ପୂରୁଣୁ ତିନୋଟି ଛୁଆର ମା ସେ ।

 

ସୁଚରିତା ଦେଖୁଥିଲା ଦୂର ପ୍ରବାସରେ ଅପାର ମଳିନ ମୁହଁ । ରକ୍ତହୀନ ଅବସନ୍ନ ଶରୀରଟାକୁ ଘେରି ବସିଛନ୍ତି ତିନିଟା କାନ୍ଦୁରା ପିଲା । ବିଚାରୀ ଅପା ! ଏତେ ଶୀଘ୍ର ବିବାହ କରିବାକୁ ନାହିଁ କରୁଥିଲା । ସେ । ଛିଃ, ଜୀବନଟା ନଷ୍ଟ ହୋଇ ଯାଇଛି ସତେ ! ଅପା ତ ସେଇୟା ଲେଖିଛି ।

 

ଏଇ ଅଳ୍ପ ସମୟ ପୂର୍ବରୁ ଅନୁଭବ କରୁଥିବା ମାନସିକ ସୁସ୍ଥତା ହରାଇ ବସି ସେ ଅବଶ ହୋଇ ପଡ଼ିଛି । ମୁଣ୍ଡଟା ଭାରି ହୋଇ ଉଠୁଛି । ନା-ଏ କିଛି ନୁହେଁ । କପେ ଚା’ ତା’ର ଦରକାର ।

 

ସୁଚରିତା ଚା’ ଖାଇ ଫେରି ଆସିଲା ତାର ସେଇ ନିର୍ଦ୍ଧାରିତ ସ୍ଥାନକୁ । ହାତରେ ଖଣ୍ଡିଏ ନୂଆ ମାସିକ ପତ୍ରିକା । ତା’ର ସ୍ୱରଚିତ କବିତା ପ୍ରକାଶ ପାଇଛି । ନିଜ କବିତାକୁ ପଢ଼ିଥିଲେ ମଧ୍ୟ ପତ୍ରିକା ଖୋଲି ଆଉ ଥରେ ଚାହିଁଦେଲା ସେ । ତା’ପରେ ଟେବୁଲ ଉପରେ ରଖିଦେଇ ପୁଣି ଥରେ ଝରକା ରେଲିଂ ଦେଇ ବାହାରକୁ ଦୃଷ୍ଟି ପକାଇଲା ।

 

ଲନ୍‌ରେ ଦୌଡ଼ୁଛି ଗୁଣ୍ଡୁଚିମୂଷାଟିଏ । ସୁଚରିତାର ମନ ହେଲା ତା’ ସାଥିରେ ଦୌଡ଼ିବାକୁ-। ମନକୁ ମନ କହିହେଲା ସେ–

 

ବାଃ.....ସୁନ୍ଦର, ଚିତ୍ରଟିଏ ଆଙ୍କିଲେ କିମିତି ହୁଅନ୍ତା ?

 

ଟେବୁଲ ପାଖରୁ ଆସ ଡ୍ରେସିଂ ରୁମ୍‌ର ବଡ଼ ବେଲ୍‌ଜିୟମ୍‌ ଗ୍ଲାସର ଦର୍ପଣ ପାଖରେ ଠିଆ ହୋଇ ନିଜକୁ ଚାହିଁ ଦେଖିଲା ସେ ।

 

ସେ ସୁଚରିତା ମହାନ୍ତି । ବୟସ ଅଠର । କଲେଜର ପ୍ରାକ୍‌ ବୈଷୟିକ ଶ୍ରେଣୀର ଛାତ୍ରୀ । ଯୌବନଶ୍ରୀ, ଉଚ୍ଚତା, ଶାରୀରିକ ସୌନ୍ଦର୍ଯ୍ୟ, ମନର ସୌଷ୍ଠବ ସବୁ କିଛି ନେଇ ସେ ଦୀପ୍ତିମତୀ । କୃତିଛାତ୍ରୀର ଗୌରବରେ କମନୀୟ ମୁଖଟି ତାର ଆହୁରି ଉଜ୍ଜ୍ୱଳତର । ପ୍ରଣବ ଠିକ୍‌ ଏଇ ମନ୍ତବ୍ୟ କେତେଥର ଦେଇଛି ।

 

ପାଖ ଟି-ପଏର ପୁଷ୍ପଗୁଚ୍ଛ ପ୍ରତି ସୁଚରିତାର ଦୃଷ୍ଟି ପ୍ରସାରିତ ହେଲା ।

 

ସଞ୍ଜୀବ ଆସନ୍ତା ନାହିଁ ? ଖବର ଦେବେ କି ସେ ? ଆଜି ସନ୍ଧ୍ୟାଟା ଏଇ ଲନ୍‌ରେ କଟେଇଥିଲେ କିମିତି ହୋଇଥାଆନ୍ତା ? ବାପା ବୋଧହୁଏ ଘରେ ନାହାନ୍ତି । ବଡ଼ ଭାଇ ତ ରାତି ନଅଟା ପୂର୍ବରୁ ଫେରୁ ନାହାନ୍ତି ।

 

ସଞ୍ଜୀବ, ଆଲୋକ, ଜୀବନ, ସୁରଭି, ଚିତ୍ରା, ବେଶ୍‌ ଗୋଟାଏ ସଙ୍ଗୀତ ଆସର । ଖୁସି ଗପ, ଛୋଟ ଚା’ ଭୋଜିଟିଏ ।

 

ନା-ଆଉ ହାତରେ ସମୟ ନାହିଁ । ସନ୍ଧ୍ୟା ବି ହୋଇଯିବ ଏ ଆୟୋଜନ କରୁ କରୁ । ବରଂ ସଞ୍ଜୀବର କଥା ହିଁ ରହୁ । ସିନେମା ଗଲେ ବି ଚଳିବ ।

 

ସୁଚରିତା ଫୋନ୍‌ ଇଠାଇ ଡାଏଲ୍‌ କଲା-ଫାଇଭ୍‌ ଜିରୋ ଏଇଟ୍‌ ଡବଲ ଥ୍ରୀ ।

 

ବୋଉ ଆସୁଛି । ଓଃ, ରୀତା ଧରିଛି ଫୋନ୍‌ ।

 

-କିଏ, ରୀତା ?

 

...............

 

-ସଞ୍ଜୀବ ଅଛନ୍ତି ?

 

.............

 

-ଧନ୍ୟବାଦ ।

 

ଫୋନ୍‌ଟା ରିସିଭର୍‌ ଭପରେ ଥୋଇ ଦେଇ ସୁଚରିତା ଅଳି କଲା–

 

ସିନେମା ଯିବି, ବୋଉ ।

 

-ବାପା ଘରେ ନାହାନ୍ତି ।

 

-ତୁ ତ ଅଛୁ । ସଞ୍ଜୀବର ଭଉଣୀ ରୀତା ବି ଯିବ ।

 

ହଠାତ୍‌ ଫୋନ୍‌ଟା ବାଜି ଉଠିଲା । ସଞ୍ଜୀବ କହୁଛି–

 

-ହଁ, ହଁ ଯିବି ନିଶ୍ଚୟ ।

 

..............

 

-ହଉ ଆସ, ଧନ୍ୟବାଦ ।

 

ସୁଚରିତା ଭାବିଲା । ବୋଉର ଅନୁମତି ନାହିଁ, କିନ୍ତୁ ସେ ସଞ୍ଜୀବକୁ କଥା ଦେଇଛି । ସେ ତେବେ ଯିବତ ?

 

-ଆଚ୍ଛା, ବୋଉ, ମୁଁ କଣ ଯିବି ନାହିଁ ? ଏଁ, କ’ଣ କହୁଛୁ ?

 

ପରିବା କାଟିବା ପାଖରେ ତାର ଜିଦ୍‌ । ବୋଉ ଅଗତ୍ୟା ଅନୁମତି ଦେଲେ ।

 

-ଓଃ......ଯାଆ ପଛକେ, ମୋ ସାଙ୍ଗେ ଲାଗନା ।

 

ସୁଚରିତା ଶାଢ଼ୀ ବଦଳେଇଲା । ରାତ୍ରିର ରଙ୍ଗକୁ ମାନିଲା ଭଳି ଏକ ଦାମୀ ଶାଢ଼ୀ । ସାମ୍ପୁକରା କେଶଗୁଚ୍ଛ ବେକ ତଳକୁ ଠିକ୍‌ ପିଠି ସ୍ପର୍ଶ କରିଥାଏ । ଗୋଡ଼ରେ ଶାଢ଼ୀ ରଙ୍ଗର ହାଲକା ଚପଲ୍‌ ।

 

ବାହାରେ ଗାଡ଼ି ରହିବା ଶବ୍ଦ । ସୁଚରିତା ବିସ୍ମିତ ହେଲା । କେତେ ଶୀଘ୍ର ଆସିଗଲା ସଞ୍ଜୀବ ! ଡାକିବା ଆଗରୁ ବରଂ ବାହାରକୁ ଚାଲିଗଲେ କିମିତି ହୁଅନ୍ତା ।

 

-ଆରେ, ଭାଇ ଯେ, ଏତେ ଶୀଘ୍ର କ’ଣ ଫେରି ଆସିଛ ?

 

-ହୁଁ । (ସୁଚରିତା ଉପରେ ଦୃଷ୍ଟି ପକାଇ ଗମ୍ଭୀର ଭାବରେ ସେ ‘ହୁଁ’ ମାରିଲେ)

 

ସୁଚରିତା ଭାବିଲା, ୟେ ତ ଦେଖୁ ଦେଖୁ ବିଗୁଡ଼ୁଛନ୍ତି । ଇରେ ବାବା, ଯିବା ବନ୍ଦ ତେବେ-!

 

ନା-ସେ କ’ଣ କୟଦୀ ହୋଇ ରହିବ କଡ଼ା ନଜରରେ ? ବାଃରେ, ଚାଲାଖ ସମସ୍ତେ ! ମାର୍ଗାରେଟ୍‌, ଚିତ୍ରା ସମସ୍ତଙ୍କର ବୟଫ୍ରେଣ୍ଡ ଅଛନ୍ତି । ତାଙ୍କ ଘରେ ତ ଆପତ୍ତି ନାହିଁ କାହାର । ପ୍ରଣବ, ସଞ୍ଜୀବ, ରାଜେଶ, ସୁରଭି, ଚିତ୍ରା, ମାର୍ଗାରେଟ୍‌ ସମସ୍ତଙ୍କ ବନ୍ଧୁତ୍ୱ ସମାନ ତା ପାଖରେ । କେହି ନ ବୁଝନ୍ତୁ ପଛକେ, ମୁଁ ଯିବି ନିଶ୍ଚୟ । ନିଶ୍ଚୟ ଯିବି । ସୁଚରିତା ଏଇ କଥା ଭାବି ଭାବି ବାରଣ୍ଡାରୁ ଓହ୍ଲାଇ ତଳକୁ, ପୁଣି ତଳ ଉପରକୁ ହୋଇ ପାଦ ଘୋଷଣାରୁ ଥିଲା ।

 

ଏଇ ତ ସଞ୍ଜୀବ । ବାସ୍‌, ଗାଡ଼ି ସେଇଠି ଥାଉ । ବୋଉ ସାଙ୍ଗରେ ଭାଇ ବକର ବକର ଲଗେଇଛନ୍ତି । ପାଟି କରୁଥାଆନ୍ତୁ ମନଇଚ୍ଛା । ତାରି କଥା ତ ! ସେ କିନ୍ତୁ ମିଛଟାଏ ବୋଉକୁ କହି ଦେଇ ନିଶ୍ଚିନ୍ତ । ସଞ୍ଜୀବର ଭଉଣୀ ରୀତା ସିନେମା ଯାଉନି ତ ।

 

-ଯାଉଛି ବୋଉ ।

 

ସୁଚରିତା ପାଟି କଲା ସେଇଠି ଥାଇ ।

 

ପାଗଟା ଚତ୍ମକାର । ସନ୍ଧ୍ୟା ବି ସୁନ୍ଦର । ସଞ୍ଜୀବ ଭଲ ଡ୍ରାଇଭ୍‌ କରୁଛି । କିନ୍ତୁ ବେଳେ ବେଳେ ଏଆଡ଼େ ଚାହିଁ ଦେଖୁଛି ତାକୁ । ଶାଢ଼ୀଟା ବେଶ୍‌ ବାଗେଇ ପିନ୍ଧିଛି ସେ । ପ୍ଳିଟ୍‌ ଗୁଡ଼ାକ ଆଉ ଥରେ ବାଗେଇ ନେଲା ସୁଚରିତା । ସଞ୍ଜୀବ ସଙ୍ଗେ ସିନେମା ଗଲେ ଅବଶ୍ୟ ସାଙ୍ଗମାନେ କେତେ କଥା କହି ପାରନ୍ତି । ସେଦିନ କଲେଜରେ ଲିପିକାର କଥା କେଇ ପଦ-ମୋର ଯଦି କେହି ପୁରୁଷ ବନ୍ଧୁ ଥାଆନ୍ତେ ! ତା’ ପରେ ଦୀର୍ଘନିଶ୍ୱାସ । ସୁଚରିତା ବିଚାରୀ ନିର୍ବୋଧ ଲିପିକାକୁ ଦୟା କଲା । ହସୁ ହସୁ ଭାବିଲା–ଘର ଲୋକଙ୍କୁ ତ ବାଘ, ଭାଲୁ ଭଳି ଡରିବ । ଆଉ ବୟଫ୍ରେଣ୍ଡ୍‍ଙ୍କ ସହିତ ସେ ମିଶିବ କିମିତି ?

 

ସିନେମା ହଲ୍‌ ଲୋକାରଣ୍ୟ.....ଭଲ ଛବି.....ପୋଷ୍ଟରଗୁଡ଼ା ଅଭୁତ ଭାବେ ଆକର୍ଷଣୀୟ-। ଖାଲି ହିରୋ ହିରୋଇନ୍‌ଙ୍କ ଅଶ୍ଳୀଳ ଛବି ।

 

ଗାଡ଼ିରୁ ଓହ୍ଲାଇ ସଞ୍ଜୀବଠାରୁ ଟିକିଏ ଦୂରରେ ଚାଲିଲା ସୁଚରିତା । ସିନେମା ଆରମ୍ଭ ହୋଇ ଯାଇ ଭଲ ହୋଇଛି । ଆଲୁଅଗୁଡ଼ା ଲିଭିଗଲେ ଚିହ୍ନା ଲୋକ ଦେଖା ହେବେ ନାହିଁ । ସେମାନଙ୍କ ମନକୁ ବହୁ କଥା ସ୍ପର୍ଶ କରେ । ଏ ପୁଅଟି କିଏ ? ଏ ଝିଅର ବାପା, ମା କିମିତି ଲୋକ, ଏକା ପଠେଇଛନ୍ତି ଝିଅଟାକୁ ସିନେମା ଦେଖି !

 

ଏଗୁଡ଼ା ଭାବି ବେଶ୍‌ ଆମୋଦ ଅନୁଭବ କରୁଥିଲା ଲିପିକା । କହେ-ସଞ୍ଜୀବ ତତେ ଭାରୀ ପସନ୍ଦ କରେ । ପ୍ରଣବ ପସନ୍ଦ କରେ ତୋ’ର କବିତା ଲେଖାକୁ । ଆଉ ଜାଣୁ ସୁଚରିତା, ରାଜେଶ ଦିନେ ତୋ କବିତାକୁ ସୁରଦେଇ ଗାଉଥିଲା ।

 

ସେ ଦିନ କଲେଜରୁ ଫେରି ଲିପିକାର କଥା କେଇପଦ ମନରେ ଘୋଷି ହେଉଥିଲା ସୁଚରିତା । ପଢ଼ାଘର କବାଟ ବନ୍ଦ କରି ମୁଣ୍ଡ ବିନ୍ଧିବା ଛଳନା କରି ସେ ବିଛଣାରେ ପଡ଼ିରହିଥିଲା । ମନରେ ଅଜଣା ଉଲ୍ଲାସର ସ୍ପର୍ଶ । ସାନ ଭାଇମାନେ ପାଟି କରୁଥିଲେ ‘‘ଅପା, ଏ ଅଙ୍କ ଆସୁ ନି । ବୁଝେଇ ଦବୁ ଆ’’ । ତେଣେ ବୋଉ ଡାକୁଥିଲା ତାକୁ କାମରେ ସାହାଯ୍ୟ କରିବାକୁ । ସେ କାହାରି କଥା ଶୁଣିଲା ନି, ସେଇଠି ଥାଇ ଉତ୍ତର ଦେଲା-ମୋ ମୁଣ୍ଡ ବିନ୍ଧୁଛି । ବାସ, କେହି ଆଉ ଡାକିଲେ ନି ତାକୁ । ବିଛଣାରେ ପଡ଼ି ପଡ଼ି ୟାଡ଼ୁ ସାଡ଼ୁ କଳ୍ପନା କରି ସମୟ ନଷ୍ଟ କରିବାକୁ ବେଳେବେଳେ କାହିଁକି ଭଲ ଲାଗେ ?

 

ଇଣ୍ଟରଭାଲ ଆରମ୍ଭ ହେବାକୁ ଅଳ୍ପ ସମୟ ଅଛି ବୋଧହୁଏ । ସଞ୍ଜୀବ ବଡ଼ ଚାଲାଖ ସତେ ! ଇଣ୍ଟରଭାଲ ପୂର୍ବରୁ ସିଟ୍‌ ଛାଡ଼ି ବାହାରକୁ ଚାଲି ଯାଇଛି ସେ । ତା’ ପରେ ସିନେମା ଆରମ୍ଭ ହୋଇଗଲେ ଫେରି ଆସିବ, ଆଃ, ସେମାନେ ଯଦି ବିଦେଶର ପୁଅ ଝିଅ ହୋଇ ଥାଆନ୍ତେ ! ସୁଚରିତା ଦୀର୍ଘଶ୍ୱାସ ନେଇ ରୂପେଲି ପରଦା ଆଡ଼େ ଚାହିଁଲା । ନାୟିକାର ଜନ୍ମଦିନ, ଗୁଡ଼ାଏ ବନ୍ଧୁ ଏକାଠି ହୋଇ ପାଟି ହୋହଲ୍ଲା କରୁଛନ୍ତି ।

 

ସେ ଦିନ ତା’ର ଜନ୍ମତିଥିରେ....ଇସ୍‌, ଭାରୀ ମଜା ହୋଇଥିଲା ନା ? ରାଜେଶ, ମାର୍ଗାରେଟ୍‌ ଗାଇଥିଲେ ଗୀତ-ହାପି ବାର୍ଥଡ଼େ ଟୁ ୟୁ, ସୁଚରିତା । ତା’ ସଙ୍ଗେ ଆଉ କେତେ କ’ଣ ସଙ୍ଗୀତର ମୂର୍ଚ୍ଛନା । ଛୋଟ ଚା’ ଭୋଜିଟିଏ; ଦଶ ଜଣ ଭିତରେ ବନ୍ଧୁ । ଅଥଚ ଭାଇଙ୍କୁ ଦେଖିଲା ପରେ ଜନ୍ମଦିନର ଖୁସି ମଉଳି ଯାଇଥିଲା ।

 

ଅଫିସ୍‌ରୁ ଫେରି ତମ୍‌ ତମ୍‌ ଭାବ ନେଇ ସେ ଚାଲିଗଲେ ସେଇବାଟେ, ତା’ପରେ ବୋଉ ସାଙ୍ଗରେ ପାଟି-ରଚି ତାକୁ ପିଲାଟି ଦିନୁ ବାହା କରି ଦେଲୁ ଅଥଚ ସୁଚରିତା ବିଷୟରେ ତୁ ନୀରବ !

 

-ଆଜି ତା ଜନ୍ମଦିନ । ସାଙ୍ଗ ପିଲାମାନେ ଆସିଛନ୍ତି । ଆଉ, ତୁ ବିରକ୍ତ ହୋ ନା ।

 

-ବୋଉ, ସେ କଣ ତୋ ଆଖିରେ ପିଲା ?

 

-ବେଶ୍‌ ତୁ ଦେଖ୍‍ କେଉଁଠି ଭଲ ଯାଗା । ମନ ମାନିଲେ ବାହାଘର ହବ ।

 

ବନ୍ଧୁମାନଙ୍କୁ ବିଦାୟ ଦେଇ ଫେରୁଥିଲା ସୁଚରିତା । କାନରେ ପଡ଼ିଲା ସବୁ କଥା, ନିଜକୁ ଅତ୍ୟନ୍ତ ଅସହାୟ ମନେ କଲା ସେ । ଓଃ, ଏତେ ଶୀଘ୍ର ସେଇ ବନ୍ଧନ । ନା-ନା, ମୁଁ ପାରିବି ନି, ମୋଟେ ଏ ବନ୍ଧନ ଗ୍ରହଣ କରି ପାରିବି ନି ଏବେ ।

 

ସୁଚରିତା ଅନୁଭବ କଲା ତା’ ଆକ୍ଷି ଓଦା ଓଦା ଲାଗୁଛି । ସିନେମା ସରି ଆସୁଛି । ସଞ୍ଜୀବ ଯିବା ପାଇଁ ଡାକୁଛି ତାକୁ । ଅନ୍ତତଃ ଆଲୁଅ ଜଳି ଉଠିବା ଆଗରୁ ଚାଲି ଯିବା ଭଲ । ସେଉଠି ଆସିଲା । ବାପା ଯଦି ଟର୍‌ରୁ ଫେରି ଆସିଥିବେ ? ନା, ଭାବିବାର କିଛି ନାହିଁ । କେବଳ ଥରକ ପାଇଁ ତାକୁ ଖୋଜି ପାରନ୍ତି । ତା‘ପରେ ବୋଉ ନିଶ୍ଚୟ କହିବ ‘‘ରୀତା ସଙ୍ଗେ ସେ ସିନେମା ଯାଇଛି । ବେଶ୍‌, ଆଉ ପ୍ରଶ୍ନର ଆଶଙ୍କା ନାହିଁ । ସେ ଦୃଷ୍ଟିରୁ ତାର ଚିନ୍ତା ଅନାବଶ୍ୟକ ।

 

X X X

 

ଖୁବ୍‌ ଶୀଘ୍ର ଦଶହରା ଛୁଟି ଆରମ୍ଭ ହୋଇଗଲା । ସଞ୍ଜୀବ କାଲିଠାରୁ ଫୋନ୍‌ କରି କହିଛି–ସୁନ୍ଦର ଏକ ଦୃଶ୍ୟପୂର୍ଣ୍ଣ ସ୍ଥାନକୁ ଯିବା ପିକ୍‌ନିକ୍‌ରେ ନାଁଟା ନ କହି ଆଶ୍ଚର୍ଯ୍ୟ କରି ଦେବ ଭାବୁଛି, ନା ? ପଚାରିଥିଲେ ହୋଇଥାଆନ୍ତା-ଆଉ କିଏ ସବୁ ଯିବେ ? ସଞ୍ଜୀବ କହେ ‘‘ଏକାଥରକେ ନ ଜାଣିଲେ ହେବ ନାହିଁ ?’’

 

-ଥାଉ, ବାବା, ମୁଁ ମୋଟେ କିଛି ଜାଣିବାକୁ ଚାହେଁନା ।

 

ହଠାତ୍‌ ଇମିତି ଖିଆଲ କରିବସେ । ସଞ୍ଜୀବ ବଡ଼ ଲୋକର ପୁଅ ପଇସାକୁ ଖାତିର ନାହିଁ । ବନ୍ଧୁମାନଙ୍କ ପାଇଁ ଗୁଡ଼ାଏ ଖର୍ଚ୍ଚ କରେ ସେ । ପିକ୍‌ନିକ୍‌ର ଖର୍ଚ୍ଚ କଥା ପଚାରିଲେ ସେ ହୁଏ ତ ୟାଡ଼ୁ ସାଡ଼ୁ ଉତ୍ତର ଦେବ । ଠିକ୍‌ ଅଛି । ସମସ୍ତେ ଏକାଠି ହେଲେ ସବୁ କଥାବର୍ତ୍ତା ।

 

ବୋଉକୁ ବାରମ୍ୱାର ପଚାରି ରାଜି କରାଇ ନେଇଥିଲା ସୁଚରିତା । ବୋଉର ଦୁର୍ବଳତା ସେ ଜାଣିଛି । ରଚିତା ଅପାର ବାହାଘର କଥା ମନେ ପକାଇ ଦେଲେ ସୁଚରିତାର କୌଣସି ଅଳି ଅପୂରଣୀୟ ରହେ ନା ।

 

ବାପା ତ ଏତେ ସକାଳୁ ବିଛଣାରୁ ଉଠି ନାହାନ୍ତି । ଭାଗ୍ୟକୁ ଭାଇ ଦିନକ ପୂର୍ବରୁ ରାସ୍ତାରେ ଯାଇଛନ୍ତି । ସଞ୍ଜୀବ ସାଙ୍ଗରେ ବାହାରିଲା ସେ ।

 

-ଅନ୍ୟମାନେ କାହାନ୍ତି ?

 

ସଞ୍ଜୀବ ଖାଲି ହସୁଛି ଡ଼୍ରାଇଭିଂ କଲା ବେଳେ । ବିରକ୍ତ ହୋଇ କହିଲା ସୁଚରିତା–

 

-କିଛି କହୁ ନ ଯେ ସଞ୍ଜୀବ ?

 

-ଆଗ ଚାଲ ନା, ଏତେ ବ୍ୟସ୍ତ କାହିଁକି ?

 

-ବାଃ, ଏଇ ସ୍ଥାନଟାର ଏତେ ପ୍ରଶସ୍ତିଗାନ !

 

-ସୁନ୍ଦର ତୃପ୍ତିର ଅବସାଦ ନାହିଁ.....

 

-ବାସ୍‌, ବାସ୍‌, ଥାଉ.....

 

-କ’ଣ ଭାବୁଛ, ସୁଚରିତା ?

 

-ଏସବୁ ସ୍ଥାନରେ ଏକା ଏକା ଭଲ ଲାଗେ ନା । ସୁରଭି, ମାର୍ଗାରେଟ୍‌, ରାଜେଶ୍‌ଙ୍କୁ ଅନ୍ତତଃ ଖବର ଦେଇ ପାରିଥାଆନ୍ତ ।

 

-ସୁରଭିର ମା’ ଅନୁମତି ଦେଲେ ନାହିଁ । ମାର୍ଗାରେଟ୍‌, ରାଜେଶଙ୍କର ଅଲଗା ପ୍ରୋଗ୍ରାମ ହୋଇ ଯାଇଛି ।

 

-ଥାଉ ଆଉ କିଛି କୁହ ନା । ସମସ୍ତେ ନ ଆସିବାର ଥିଲେ, ବରଂ ଆଉ ଦିନେ ବ୍ୟବସ୍ଥା କରିଥିଲେ ହୋଇଥାଆନ୍ତା ।

 

ସଞ୍ଜୀବ ନିରୁତ୍ତର, ସୁଚରିତା ମଧ୍ୟ ।

 

ବୁଲି ବୁଲି ପାହାଡ଼ର ଶିଳାଲିପି ଦେଖିବାକୁ ଭଲ ଲାଗୁଛି । ଜଙ୍ଗଲର ବହୁ ଅଜଣା, ଅଶୁଣା ଗଛର ଫୁଲ, ଝରଣାର ମୃଦୁ ସଙ୍ଗୀତ । ସୁଚରିତା ଅନୁଭବ କଲା ଜୀବନର ଧାରାରେ ମଝିରେ ମଝିରେ ପରିବର୍ତ୍ତନ ଆବଶ୍ୟକ ।

 

କ୍ଳାନ୍ତ ସୁଚରିତା । ଝରଣା କୂଳରେ ଭଲ ସ୍ଥାନଟିଏ ଖୋଜି ସତରଞ୍ଜି ବିଛାଇଲା ସଞ୍ଜୀବ-। ରେକର୍ଡ଼ ପ୍ଳେୟାର ବଜାଇବାରେ ମନଦେଲା ସୁଚରିତା । ସଞ୍ଜୀବ ଲଞ୍ଚ୍‌ ପ୍ୟାକେଟ୍‌ ଖୋଲି ତା’ ହାତକୁ ବଢ଼ାଇଲା । ଗୀତ ଶୁଣୁ ଶୁଣୁ ଆକ୍ଷି ମାଡ଼ି ହୋଇ ଆସୁଛି ସୁଚରିତା ।

 

ଖରା ବେଶ୍‌ ହୋଇଛି । ସାବଲୀଳ ଭଙ୍ଗୀରେ ପ୍ରସ୍ତ ପ୍ରସ୍ତ ପଥର ଅତିକ୍ରମ କରି ଝରି ଯାଉଛି ନିର୍ଝର । ତା’ରି ହାଲକା ଶୀତଳ ସ୍ପର୍ଶରେ ଅନୁଭବ କରୁଛି ସୁଚରିତା ଶାଶ୍ୱତ ପ୍ରଶାନ୍ତି । ମନ ହେଉଛି ଘଣ୍ଟା ଘଣ୍ଟା ଧରି ଚାହିଁ ରହିଥାଆନ୍ତା ସେଇଆଡ଼େ କେବଳ ।

 

ନା, ଖରା କମିଲେ ସେମାନେ ଫେରିଯିବେ । ସନ୍ଧ୍ୟା ପୂର୍ବରୁ ଘରେ ପହଞ୍ଚିବା ନିହାତି ଆବଶ୍ୟକ । ବୋଉକୁ ସେ କଥା ଦେଇଛି । ସଞ୍ଜୀବ ରାଜି ହୋଇଛି ।

 

-ସୁଚରିତା !

 

ମୁହଁ ଫେରାଇ ଚାହିଁଲା ସେ ସଞ୍ଜୀବ ଆଡ଼େ । ଫିଲ୍ମ ଫେୟାରର କୌଣସି ଏକ ଚିତ୍ରରେ ଦୃଷ୍ଟି ନିବଦ୍ଧ କରି ସଞ୍ଜୀବ ଡାକୁଛି ତାକୁ ।

 

-କ’ଣ ହେଲା, ସଞ୍ଜୀବ ?

 

-ଗୋଟାଏ ମଜା ଚିତ୍ର ଦେଖିବ ?

 

ସଞ୍ଜୀବ ନିକଟତର ହେଲା । ଆଗ୍ରହୀ ଦୃଷ୍ଟିରେ ଚାହିଁ ରହିଥିଲା ସୁଚରିତା । ନାୟକର ବାହୁପାଶରେ ବନ୍ଦିନୀ ନାୟିକା ଆତ୍ମହରା ହୋଇ ଉଠିଛି, ନାୟକ ମୁହଁ ନୁଆଁଇ ଆଣିଛି ନାୟିକାର ମୁହଁ ପାଖକୁ । ଚିତ୍ରଟି ଦେଖି ଆମୋଦ ଅନୁଭବ କଲା ସେ । ଦେହରେ ଅପୂର୍ବ ରୋମାଞ୍ଚ, ଅନିର୍ବଚନୀୟ ଶିହରଣ । ପରକ୍ଷଣରେ ପତ୍ରିକାଟା ପକାଇ ଦେଲା ସେ ସଞ୍ଜୀବ ପାଖକୁ ।

 

-ଛିଃ, ଏକାନ୍ତ ଅଶ୍ଳୀଳ ।

 

-ନା, ଜୀବନର ଏକ ଆବଶ୍ୟକତା ।

 

-କ’ଣ ବକୁଛ ??

 

ବିରକ୍ତ ହେଲା ସୁଚରିତା ।

 

-ଖରା କମୁଛି, ଚାଲ ଯିବା ।

 

ଉଠି ଠିଆ ହେଲା ସୁଚରିତା ।

 

-ଏତେ ଚଞ୍ଚଳ ?

 

ପାଖକୁ ଆସି କହିଲା ସଞ୍ଜୀବ । ସୁଚରିତାର ହାତ ଧରି ବସିବାକୁ ଅନୁରୋଧ କଲା ସେ-

 

-ସଞ୍ଜୀବ ???

 

ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ସୁଚରିତା । ତା ଦେହରେ ଏ କି କମ୍ପନ ! ସେ ଇମିତି ଥରୁଛି କାହିଁକି ?

 

-ରୀତା ଡିଅର !!

 

-କ’ଣ ହୋଇଛି, ସଞ୍ଜୀବ ?

 

ସୁଚରିତାର କଣ୍ଠରେ ସହାନୁଭୂତିର ସ୍ପର୍ଶ । ସଞ୍ଜୀବ ସହଜ ହୋଇ ଉଠିଲା । ସୁଚରିତା ଦେଖିଲା ସେ ହସୁଛି, ନିହାତି ବାଜେ । ବିରକ୍ତିକର ମନେ ହେଲା ତାକୁ । ହାତଟା ଛଡ଼ାଇ ନେବାର ଚେଷ୍ଟା କଲା ସେ । ଆଶ୍ଚର୍ଯ୍ୟ, ସଞ୍ଜୀବ ତାକୁ ଠିକ୍‌ ସେଇ ଫିଲ୍ମ ଫେୟାରର ନାୟକଟି ଭଳି ଆକର୍ଷଣ କରିବାର ଚେଷ୍ଟା କରୁଛି । କି ଜବରଦସ୍ତ ସେ, ସୁଚରିତାର କୌଣସି ବାରଣ ମାନିବାକୁ ସେ ଏକାନ୍ତ ନାରାଜ ।

 

-ବଜାରୀ, ଅସଭ୍ୟ !

 

ଜୋର୍‌କରି ତାକୁ ଠେଲି ଦେଲା ସୁଚରିତା । ଆକସ୍ମିକ ଭାବେ ଅପ୍ରସ୍ତୁତ ଅବସ୍ଥାରେ ଗୋଟାଏ ପଥର ଉପରେ ପଡ଼ିଗଲା ସଞ୍ଜୀବ । ହାତ ପାପୁଲି ପଥରରେ ବାଜି ରକ୍ତାକ୍ତ । ସୁଚରିତା ରାଗରେ ଜଳୁଥିଲା । ଅଭଦ୍ରକୁ ଠିକ୍‌ ହୋଇଛି । ଇସ୍‌, କି ଚକ୍ରାନ୍ତ ! ଓଃ, ଏଇଥିପାଇଁ ତେବେ....କାହାକୁ ନଡାକି ଏକା ତାକୁ ନେଇଆସି....

 

ନା, ନା, ଆଉ ନୁହେଁ । ଆଜି ସଞ୍ଜୀବ ସଙ୍ଗେ....କାଲି ପ୍ରଣବ ସଙ୍ଗେ...ପୁଣି କେବେ ରାଜେଶ ମଧ୍ୟ....ଗୋଟିଏ ଗୋଟିଏ ହିଂସ୍ର, ଇତର ପଶୁ । ଏମାନେ ଚାହିଁଲେ....ଇସ୍‌, କି କଦର୍ଯ୍ୟ ମନୋଭାବ !

 

କି ସହଜ, ସରଳ ଭାବେ ସମସ୍ତଙ୍କ ବନ୍ଧୁତ୍ୱ ସେ ଗ୍ରହଣ କରି ନେଇଥିଲା । ବୋଉ କେବେ ତାକୁ ବେଶୀ ଶାସନ କରେ ନାହିଁ କେବଳ ସେ ମନଦୁଃଖ କରିବ ବୋଲି । ଆଉ ଭାଇଙ୍କର ସେଇ ଭାରି ଭାରି ମୁହଁ...କେତେ ଭଲ ସତେ ! ସବୁ ମନେ ପଡ଼ୁଛି ସୁଚରିତାର ।

 

ବୋଉ ବାରଣ, ଭାଇଙ୍କର ଗମ୍ଭୀର ବ୍ୟବହାର...ଓଃ, କେତେ ଭଲ ସେ ସବୁ । ହିଁ, ହିଁ ଶାସନ ଦରକାର । ସେମାନଙ୍କର ଶାସନର ଦୃଢ଼ତା ନଥିଲେ କେଉଁଦିନଠାରୁ ଭାସି ଯାଆନ୍ତାଣି ସେ କେଉଁ ପ୍ରଖର ସ୍ରୋତ ମୁହଁରେ ।

 

ପଶୁ ସଞ୍ଜୀବ...ନିଜକୁ ଯଦି ଜଣେ ଭାଇ, ଜଣେ ସହଜ, ସରଳ ବନ୍ଧୁ ଭାବେ...ନା....ଏକାନ୍ତ ଅସମ୍ଭବ । ଠିକ୍‌ ସମୟରେ ଏମାନଙ୍କୁ ଚିହ୍ନି ପାରିଛି ସେ ।

 

ସୁଚରିତା ଦୌଡ଼ୁଥିଲା । ବଣ, ଜଙ୍ଗଲର କଣ୍ଟା, ଗୋଡ଼ି କିଛି ନ ମାନି ସେ ସେମିତି ଦ୍ରୁତ ଗତିରେ ଦୌଡ଼ୁଥିଲା । ରାସ୍ତାର ଦୂରତା ତଥାପି ଲମ୍ୱି ଯାଉଛି । ସେଇଠି ଅପେକ୍ଷା କରିଛି ଏକ ବସ୍‌ ପରିଦର୍ଶକମାନଙ୍କୁ ଫେରାଇ ନେବାପାଇଁ ।

 

କ୍ଳିନର ଅନବରତ ଚିତ୍‌କାର କରି ଚାଲିଥିଲା-ଆସନ୍ତୁ, ଆପଣମାନେ ଦୟାକରି ଶୀଘ୍ର ଚାଲି ଆସନ୍ତୁ । ବସ୍‌ ଛାଡ଼ିବା ସମୟ ହୋଇଗଲାଣି ।

 

ସୁଚରିତା କ୍ଳାନ୍ତ ଅଥଚ ଆଶ୍ୱସ୍ତ ।

Image

 

ଆହତ ସ୍ୱରଲିପି

 

ବିକାଶ ଭାବୁଥିଲା । ବର୍ତ୍ତମାନର ଚରମ ସତ୍ୟ ବିଷୟରେ ଭାବିବାର ଅବକାଶ ଆଉ କାହିଁ ? କେବଳ ଅତୀତ....ଆକ୍ଷି ଆଗରେ ଜଳ ଜଳ ହୋଇ ସ୍ମୃତିମାନେ ନାଚିବାକୁ ଆରମ୍ଭ କରିଥିଲେ । ସେ ଜାଣିଥିଲା, ବର୍ତ୍ତମାନ ପାଇଁ ଅନେକ ଚେଷ୍ଟା ସତ୍ତ୍ୱେ ବି କିଛି କରାଯାଇ ପାରୁନି । ଆଉ ଭବିଷ୍ୟତ ! ବର୍ତ୍ତମାନର ପନ୍ଥା ଯେ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ, ଅନିଶ୍ଚିତ ବସ୍ତୁ ପ୍ରତି ଆଶା କରି ବ୍ୟର୍ଥତାର ସ୍ୱପ୍ନ ଦେଖିବା ପାଇଁ ହିଁ ସାର ହେବ ।

 

ସବୁ ଗଣ୍ଡଗୋଳିଆ ଧରି କେବଳ ଅତୀତର ଉତ୍ପୀଡ଼ନ ହିଁ ସହିବାକୁ ହେଉଥିଲା ବିକାଶ ଚୌଧୁରୀକୁ । ନୂଆ ହୋଇ ସେ ଯେତେବେଳେ ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରୋଣୀ ପାଇ ଏମ୍‌.ଏ.ପାଶ୍‌ କରି ଗାଁ ଅନନ୍ତପୁରରେ ପହଞ୍ଚିଲା, ସେ ଦିନର ସ୍ମୃତି ଏବେ ବି ସଜୀବ । ସେ ଛଅବର୍ଷ ତଳର କଥା ।

 

ଅନନ୍ତପୁରରେ ନୂଆ ହୋଇ ଖୋଲିଥାଏ କଲେଜ । କଲେଜ ପରିଚାଳନା କମିଟିର ଉଦ୍ୟୋକ୍ତାମାନେ ଅନୁରୋଧ କଲେ–

 

-ଆମକୁ ନିରାଶ କରନ୍ତୁ ନାହିଁ, ବିକାଶ ବାବୁ ! କଥାଟା ଟିକିଏ ଚିନ୍ତାକଲା ବିକାଶ । ଏଇ ଗାଁ ମାଟିର ପାଣି ପବନ ସବୁ ତା’ର ପରମ ଆତ୍ମୀୟ । ତୋଟାରେ ଆମ୍ୱ ତୋଳିବାଠାରୁ ନଈ ବାଲିରେ ଡୁ ଡୁ ଖେଳର ଚିତ୍ର ଏବେ ବି ମନର ଅରଣ୍ୟରେ ଅଜସ୍ର ପ୍ରତିଧ୍ୱନି ସୃଷ୍ଟି କରେ । ଏଇ ତାର ଉପଯୁକ୍ତ କର୍ମସ୍ଥଳୀ । ହୁଏତ ସରକାରୀ ଚାକିରୀର କେତେଗୁଡ଼ିଏ ସୁବିଧାର ଅଭାବ ହୋଇପାରେ । କିନ୍ତୁ ଜନ୍ମମାଟିର ଆକର୍ଷଣ ତା’ ପାଇଁ କିଛି କମ୍‌ ନୁହେଁ ।

 

ଚାକିରୀର ପ୍ରଥମ ବର୍ଷ ବିବାହ ହୁଏ ବନାନୀ ସଙ୍ଗେ । ଝିଅଟି ମନ୍ଦ ନୁହେଁ । ବାପା, ମା’ଙ୍କ ନିର୍ବାଚନରେ ବାଧା ଦେଇ ନଥିଲେ ମଧ୍ୟ ପଛରେ ସେ ବନାନୀକୁ ବେଶ୍‌ ପସନ୍ଦ କରି ପାରିଥିଲା । ଦେହର ରଙ୍ଗ ଖୁବ୍‌ ବେଶୀ ଗୌର ନ ହେଲେ ମଧ୍ୟ ସେ ସୁନ୍ଦରୀ । ଦେହରେ ଭରି ରହିଛି ଲାବଣ୍ୟ । ବୟସର ତରଙ୍ଗ ଢେଉ ଭାଙ୍ଗୁଛି ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗରେ । ବନାନୀ ମନସ୍ତତ୍ତ୍ୱରେ ଏମ୍‌. ଏ. ଆଉ ସୁଲେଖିକା ମଧ୍ୟ । ବିକାଶ ଖୁସି ହୋଇଥିଲା । ତାର ଧାରଣା, ଯେ ଲେଖାଲେଖି କରେ ହୁଏତ ଅନ୍ୟର ମନ ବୁଝିବାରେ ତା’ର ଅସୀମ ଶକ୍ତି ଥିବ । ବନାନୀକୁ ବିବାହ କଲା ପରେ ଏ ଧାରଣା ବାସ୍ତବ ରୂପ ନେଲା ।

 

ଘରଠାରୁ କଲେଜର ଦୂରତ୍ୱ ଅନେକ ବେଶୀ । ବାପାଙ୍କ ପରାମର୍ଶରେ କଲେଜ ପାଖରେ ଛୋଟ ଘରଟିଏ ଭଡ଼ା ନେଇ ସେ ତା’ର ନୂତନ ଜୀବନ ଆରମ୍ଭ କଲା । ସେ ଓ ବନାନୀ । ସହରର ଝିଅ । ପିଲାଟି ଦିନରୁ ସହରରେ ବଢ଼ି ଆସିଥିଲେ ମଧ୍ୟ ଅନନ୍ତପୁର ଭଳି ଏକ ମଫସଲ ଗାଁର ଶାନ୍ତ, ସ୍ନିଗ୍‌ଧ ବାତାବରଣ ବନାନୀକୁ ହୁଏତ ସନ୍ତୋଷ ଦେଇ ପାରିଥିଲା । ପରିବେଶ ବିରୁଦ୍ଧରେ କେବେ ସେ ସୁର ତୋଳିବା ବିକାଶର ମନେ ପଡ଼ୁ ନାହିଁ ।

 

ବିବାହର ଛଅଟି ବର୍ଷ ମଧ୍ୟରେ କୋଳକୁ ଆସିଲେ ପାପୁ, ତାଜୁ ଓ ରତ୍ନା । ଦୁଇଟି ପୁଅ ପରେ ଝିଅ ରତ୍ନା ସତେ କି ରତ୍ନଟିଏ ! ଠିକ୍‌ ବିକାଶ ପରି ସଫା ରଙ୍ଗ ଆଉ ବନାନୀର ଲମ୍ୱା ଶରୀର ଗଠନର କି ଅଦଭୂତ ସାମଞ୍ଜସ୍ୟ ! ଘରର ପ୍ରତ୍ୟେକଟି କାମ ନିଜ ହାତରେ ପରମ ତୃପ୍ତିରେ କରେ ବନାନୀ । ଘରର ଶାନ୍ତି ଶୃଙ୍ଖଳା କ୍ଷୁଣ୍ଣ ହେବା ଦୃଷ୍ଟିରୁ ପତ୍ନୀର ଚାକିରୀ କଥା କେବେ ଉଠାଇ ନାହିଁ ବିକାଶ ।

 

ବନାନୀ ଯଦି ଚାକିରୀ କରୁଥାଆନ୍ତା.....ସମୟର ଚାପରେ ପଡ଼ି ସେ ଅନୁତାପ କରୁଛି ଏବେ । ପରିଚିତ କାହାର କୋମଳ ସ୍ପର୍ଶରେ ପଛକୁ ଚାହିଁଲା ସେ ।

 

-ଆରେ ବନାନୀ, ତୁମ ଆକ୍ଷିରେ ଲୁହ !

 

ବନାନୀ ଆକ୍ଷି ପୋଛି ପକାଇଲା । ହାତରେ କେତେ ଗୁଡ଼ାଏ ଚିଠି ।

 

-ଦେଖୁଛ, ଚାକିରୀ ଆଉ କେଉଁଠି ନାହିଁ । ଏ ବର୍ଷ ପାଶ୍‌ କରିଥିବା ପ୍ରାର୍ଥୀମାନେ ବେକାର ହୋଇ ବସି ରହିଛନ୍ତି । ଅଧ୍ୟାପିକା ଚାକିରୀ ତା ଛାଡ଼, ଶିକ୍ଷୟିତ୍ରୀ ଚାକିରୀ ଖଣ୍ଡେ ମିଳିବାର ଆଶା ଗଲା ।

 

ବିକାଶ ସାନ୍ତ୍ୱନା ଦେଲେ-ଥାଉ ବନାନୀ, ତୁମେ ପଦାକୁ ଗଲେ ଆମ ଘର ଚଳିବ କିମିତି-?

 

ଜୀବନ-ଯନ୍ତ୍ରଣାର ସେ ରୁକ୍ଷ ସ୍ୱରଲିପି ବନାନୀ କାନକୁ ଖାପଛଡ଼ା ଲାଗିଲା । ସତେ କ’ଣ ବିକାଶ ଏଇୟା ଚାହାଁନ୍ତି । ଅନନ୍ତପୁର କଲେଜରେ ନିଷ୍ଠାପର ଅଧ୍ୟାପକ ଭାବେ ଛଅଟି ବର୍ଷ କଟାଇବା ପରେ ସ୍ଥାଣୁ, ଅଥର୍ବ ପାଲଟିଛି ବିକାଶ । କେବେ ଆପତ୍ତି କରି ନ ସେ । ଦରମା କମ୍‌ । ବାର୍ଷିକ ବୃଦ୍ଧି ବି ନାହିଁ, ତଥାପି ସେ ଚାହିଥିଲା ଜନ୍ମମାଟିର ସେଇ ଶିଶୁ-ଅନୁଷ୍ଠାନଟିର ସର୍ବାଙ୍ଗୀନ ଉନ୍ନତି । ବାସ୍ତବିକ ତା’ରି ପ୍ରଚେଷ୍ଟାରେ ସବୁ କିଛି ସମ୍ଭବ ହୋଇଛି । କଲେଜରେ ଅଧିକା ଦୁଇଟି ଶ୍ରେଣୀ ଖୋଲା ଯାଇଛି । ବିଜ୍ଞାନ ପାଠ ପାଇଁ ଉନ୍ନତ ଧରଣର ପରୀକ୍ଷାଗାର ମଧ୍ୟ ପ୍ରତିଷ୍ଠିତ ହୋଇଛି । ଆଖ ପାଖ ଧନୀ ଲୋକଙ୍କୁ ବୁଝାଇବା ପରେ ନିୟମିତ ଭାବେ ଯଥେଷ୍ଟ ଆର୍ଥିକ ସାହାଯ୍ୟ ବି ଆସୁଛି । ଛାତ୍ରାବାସ ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା । ଦୂରରୁ ଆସୁଥିବା ଛାତ୍ରମାନଙ୍କର ରହିବାର ଆଉ ଅସୁବିଧା ନାହିଁ ।

 

ବିକାଶ ଭାବୁଥିଲା–ସହରର କେଉଁ କଲେଜରେ ରହିଥିଲେ ହୁଏତ ବେତନ ବୃଦ୍ଧି, ସିନିୟରିଟି, ଅନ୍ୟାନ୍ୟ ସୁବିଧା ସହଜଲଭ୍ୟ ହୋଇ ପାରିଥାଆନ୍ତା । କିନ୍ତୁ ଏଇ ଆତ୍ମତୃପ୍ତି !!!

 

ଆଃ, ତୃପ୍ତିରେ ଆଖି ବୁଜି ହୋଇ ଆସିଲା ବିକାଶର । ପରକ୍ଷଣରେ ଦୁଃଖର କଳାଛାଇରେ ମୁହଁର ରଙ୍ଗ ତାର ବିବର୍ଣ୍ଣ ହୋଇ ଉଠିଲା ।

 

ସେ ଦିନ କଲେଜ ପରିଚାଳନା କମିଟିର ଏଇ ସଭାରେ ଆୟବ୍ୟୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖୁ ଆଲୋଚନା କରିବାକୁ ବିକାଶ ଦାବୀ କରିଥିଲା । ତା’ର ଉଦ୍ଦେଶ୍ୟ ଥିଲା ବଳକା ଅର୍ଥର ପରିମାଣଟା ସଠିକ ଭାବେ ଜାଣିବା ପରେ ଛାତ୍ରୀମାନଙ୍କର ଅବସରରେ ବିଶ୍ରାମ ନେବାପାଇଁ ଏକ କମନ୍‌ରୁମ୍‌ ନିର୍ମାଣ କରିବା ବିଷୟ ବିଚାର କରାଯାଇପାରେ । କୋକ୍ଷାଧ୍ୟକ୍ଷ ସହସା ବିବ୍ରତ ହେଲେ । ଟଙ୍କା, ପଇସାର ହିସାବ ତ ସହଜ ନୁହେଁ । ତା’ଛଡ଼ା ଗୋଳମାଳିଆ କରି ପ୍ରସ୍ତୁତ କରିଥିବା ଚିଠାଟି ବିକାଶ ଚୌଧୁରୀର ସହସ୍ର ଆଖି ଆଗରେ ଉପସ୍ଥାପନ କରିବା ଆଦୌ ବିଜ୍ଞତା ହେବ ନାହିଁ । ଅଯଥାରେ ଚିତ୍କାର କରି ଉଠିଲେ ସେ ।

 

-ଆଚ୍ଛା ଲୋକ ଆପଣ, ବିକାଶ ବାବୁ ! ପଇସା ପତ୍ରର ହିସାବ କ’ଣ ଇମିତି ହୋଇଯାଏ ? ସେଥିପାଇଁ ସମୟ ଦରକାର । ବୁଝିଲେ ?

 

-ତା’ ମୁଁ ବୁଝିଛି ଯେ....ହେଲେ....

 

-କ’ଣ କହିଲେ, ଆପଣ ମୋତେ ସନ୍ଦେହ କରୁଛନ୍ତି ? କ’ଣ ଆପଣ ବୁଝିଛନ୍ତି ?

 

ଅନ୍ୟମାନେ ନୀରବରେ ଆଖି ଫେରାଇ ନେଲେ ।

 

-ଆଃ, ଆପଣ ବ୍ୟସ୍ତ ହେଉଛନ୍ତି କାହିଁକି ? ସେ ହିସାବ ଯଥା ସମୟରେ ହେବ ।

 

ଆଡ଼ଭୋକେଟ ଶିବରାୟ, ବିକାଶ ପ୍ରତି ମନ୍ତବ୍ୟ ଦେଲେ । ବିକାଶ ହସିଲେ ସରଳ, ନମ୍ରତାର ହସ ।

 

-ଜଣେ ସଭ୍ୟ ହିସାବରେ ଏ ବିଷୟରେ ଦାବୀ କରିବାର ଅଧିକାର ମୋର ଅବଶ୍ୟ ଅଛି । ମୋଟା ଅଙ୍କରେ ବାହାରୁ ଚାନ୍ଦା ଆସୁଛି । ସରକାରୀ ସାହାଯ୍ୟ ବି ମିଳୁଛି । ପ୍ରତିମାସ ଦରମାରୁ କିଛି ଅଂଶ ତ୍ୟାଗ କରୁଛନ୍ତି । ନିରୀୟ ସ୍ପଳ୍ପବେତନଭେରାଗୀ ଅଧ୍ୟାପକମାନେ । ଅଥଚ ହିସାବ କଥା ପଡ଼ିଲେ କୋଷାଧ୍ୟକ୍ଷ ମହାଶୟ ଚିତ୍କାର କରି ଉଠୁଛନ୍ତି !

 

ମିଷ୍ଟର ଚୌଧୁରୀ, ନିଜର ସ୍ଥିତି ବୋଧହୁଏ ଭୁଲି ଯାଉଛନ୍ତି ଆପଣ । କୋଷାଧ୍ୟକ୍ଷ ପାଟିକଲେ ।

 

-ସେ ବିଷୟରେ ମୁଁ ବେଶ୍‌ ସଚେତନ ଅଛି ଆଜ୍ଞା ।

 

କିଛିକ୍ଷଣ ପାଇଁ ସଭାଗୃହରେ ନୀରବତା ରାଜତ୍ୱ କଲା । ପୁଣି ଚାଲିଲା ଆଲୋଚନା, କଲେଜର ଆୟବ୍ୟୟ, ବଳକା ଅର୍ଥବିଷୟରେ । କିନ୍ତୁ ହିସାବ ପରିଷ୍କାର ହେଉନାହିଁ । ସେଇ ଗୋଳମାଳିଆ କଥା । ଦୁର୍ନୀତି-ଏଠାରେ ବି ବ୍ୟାପିଛି ଏ ରୋଗ । ବହୁ ତଳକୁ ଚାଲି ଯାଇଛି ଦୁର୍ନୀତିର ଚେର । ଏଇ ସଂକ୍ରାମକ ରୋଗର ପ୍ରତିଷେଧକ ବ୍ୟବସ୍ଥା କ’ଣ ଯେ କରିପାରେ ଏକାକୀ ବିକାଶ ?

 

ଏ ଘଟଣା ପରେ ସେ କଲେଜ ଯାଏ । ଯନ୍ତ୍ର ପରି ପିଲାଙ୍କୁ ପଢ଼ାଏ । ପୁଣି ଛୁଟୀ ହେଲେ ଘରକୁ ଫେରେ ।

 

ଦିନକର କଥା । ଛୁଟୀ ପରେ ଝିଅମାନେ ଏକାଠି ହୋଇ ବିକାଶ ପାଖରେ ଆପତ୍ତି କଲେ–

 

-ସାର୍‌, କମନ୍‌ ରୁମ୍‌ ନଥିବାରୁ ଆମର ଖୁବ୍‌ ବେଶୀ ଅସୁବିଧା ହେଉଛି । ବର୍ଷା ବେଳେ ଗଛତଳେ ତ ବସି ହେଉନାହିଁ । କେତେ, ଏପାଖ, ସେପାଖ ହୋଇ ବୁଲିବୁ ?

 

ବିକାଶର ଓଠରେ ଭାଷା ନାହିଁ । ଉଦାସ ଆଖି ଦୁଇଟି କେବଳ ବିସ୍ଫାରିତ ହୋଇ ପାରିଛି । ଅନ୍ୟମନସ୍କ ଭାବରେ କଲେଜର ଅଧ୍ୟକ୍ଷଙ୍କ ଅଫିସ ଘର ପାଖରେ ସେ କେତେ ସମୟ ଠିଆ ହୋଇ ରହିଲା । ଭିତରକୁ ପଶିବାର ଉପାୟ ନାହିଁ । ବାହାରେ ଥାଇ ସେ ଶୁଣିଲା ତାରି ନାଁରେ ଚକ୍ରାନ୍ତ । ବିକାଶର ଅଧିକା ଯୋଗ୍ୟତା ବା କ’ଣ ଅଛି ? କେବଳ ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀ ପାଇ ପାଶ୍‌ କଲେ କ’ଣ ହେବ ? ଜୟନ୍ତ ରାୟଙ୍କ କଥାଟା ଚିନ୍ତା କରନ୍ତୁ ତ ।

 

ଅଧ୍ୟକ୍ଷ ବାଧା ଦେଲେ ।

 

-ଆପଣମାନେ ଜାଣନ୍ତି ନାହିଁ, ବିକାଶ ଚୌଧୁରୀ ଇଚ୍ଛା କରିଥିଲେ ଛଅବର୍ଷ ତଳେ କୌଣସି ଏକ ସରକାରୀ କଲେଜରେ ସ୍ଥାନ ପାଇ ପାରିଥାଆନ୍ତେ । କେବଳ ଆମ ସମସ୍ତଙ୍କ ଅନୁରୋଧ ଏଡ଼ାଇ ନ ଦେଇ ଏଇ ଅନୁଷ୍ଠାନରେ ସେ ଯୋଗଦେଲେ । ଏଠାରୁ ଗଲେ ସେ କଣ କରିବେ ? ଆପଣମାନେ ସହାନୁଭୂତିର ସହିତ ଏ ବିଷୟରେ ପୁର୍ନବିଚାର କରିବେ ବୋଲି ମୁଁ ଆଶା କରୁଛି ।

 

ବିକାଶର ଦୁଇ ଆଖି ଲୁହ ଭର୍ତ୍ତି ହୋଇଗଲା । ଭାବାବେଶଜନିତ କୋହ ସେ ଦାନ୍ତ ଚିପି ସଂଯତ କରି ନେବାକୁ ଚେଷ୍ଟା କଲା ।

 

ଅଧ୍ୟକ୍ଷ ମହାଶୟ କେତେ କ’ଣ କହିବାକୁ ଚାହାନ୍ତି । ମାତ୍ର ତାଙ୍କର ଏଇ ପ୍ରତିରୋଧ ଯେତେ ମୃଦୁ ଓ ନମ୍ରତାସମ୍ପନ୍ନ ହେଲେହେଁ ଅନ୍ୟମାନଙ୍କ ମନରେ ଯେ ବିଷମୟ ପ୍ରତିକ୍ରିୟା ସୃଷ୍ଟି ନ କରିବ କିଏ କହିବ ? ସେ ମଧ୍ୟ ଚାକିରି କରିଛନ୍ତି ଏଇ ଘରୋଇ ଅନୁଷ୍ଠାନଟିରେ । ସୁତରାଂ ଦୁଃଖପୂର୍ଣ୍ଣ ହେଲେ ହେଁ ମୌନତ୍ୱ ବରଂ ଶ୍ରେୟସ୍କର ।

 

ଉଦ୍ୟୋକ୍ତାମାନେ ପୁଣି ସ୍ୱର ଉତ୍ତୋଳନ କଲେ ।

 

-ଅବଶ୍ୟ ବିକାଶ ଚୌଧୁରୀ ଏ କଲେଜରୁ ଚାଲିଗଲେ ଗୋଟିଏ ଭୟ ଅଛି । ଛାତ୍ରମାନେ ଧର୍ମଘଟ କରିପାରନ୍ତି । ବିକାଶ ଚୌଧୁରୀ ମଧ୍ୟ ସେମାନଙ୍କର ଉତ୍ତେଜନା ବୃଦ୍ଧି ପାଇବାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସହାୟକ ହୋଇ ପାରନ୍ତି । ତଥାପି ଅନୁଷ୍ଠାନର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଉଚ୍ଚ ଯୋଗ୍ୟତାସମ୍ପନ୍ନ ଅଧ୍ୟାପକଙ୍କୁ ନିଯୁକ୍ତି ନ ଦେବା ଆମର ଭୁଲ୍‍ ନୁହେଁକି ?

 

ଅଧ୍ୟକ୍ଷଙ୍କ ଅଫିସ ଘରେ ଏକାନ୍ତଭାବେ ନୀରବତାର ରାଜତ୍ୱ । ସେମାନଙ୍କର ନିଷ୍ପତ୍ତି ବିକାଶ ଚୌଧୁରୀକୁ ବିଦାୟ ଦେବେ । ଜୟନ୍ତ ରାୟଙ୍କୁ ଆଣିବେ । ପରିଚାଳନା କମିଟିର ସମ୍ପାଦକଙ୍କର ଭ୍ରାତୁଷ୍ପୁତ୍ର ଜୟନ୍ତ ରାୟ । ସେଇଟା ହିଁ ତାଙ୍କର ବିରାଟ ଯୋଗ୍ୟତା । ବିକାଶ ଟିକିଏ ହସିଲା । ପୁଣି ଯଦି କେବେ ଜୟନ୍ତ ରାୟ ମନକୁ ନ ଆସେ ? ସେ ବି ବିଦାୟ ନେବେ ଠିକ୍‌ ବିକାଶ ପରି । ଘରୋଇ କଲେଜରେ ସବୁଠି ଏଇ ଅବସ୍ଥା । ସେଇ ଚାକିରି ତ ମିଳୁ ନାହିଁ । ଏମ୍‌. ଏ. ପାଶ ପରେ ଶତ ସହସ୍ର ଯୁବକ ଆଜି ବେକାର ।

 

ବିକାଶର ଇଚ୍ଛା ହେଲା ସେଇଠି ଠିଆ ହୋଇ ମନଭରି ହସନ୍ତା । ଏଇ ଅନନ୍ତପୁର କଲେଜ । ନିଜର ସମସ୍ତ ନିଷ୍ଠା ଖଟାଇ ସେ ଚାହିଁଥିଲା କୌଣସି ସରକାରୀ କଲେଜଠାରୁ ତାକୁ ଅଧିକ ଉନ୍ନତ କରିବ । କିନ୍ତୁ ପରିଣାମ ବିପରୀତ ହେଲା...ନା, ଆଊ ମୁହୂର୍ତ୍ତଟିଏ ବି ନୁହେଁ । ପାପୁ, ତାଜୁ ଓ ରତ୍ନା । କଣ ହେବ ଏମାନଙ୍କ ଅବସ୍ଥା ? କେବେ କେବେ ଚିନ୍ତା କରିଛି ଘରେ ଯାଇ ରହିବ-। କିନ୍ତୁ ତା’ ବି ଅସମ୍ଭବ । ଘରେ ଥିବା ସାମାନ୍ୟ ଜମିବାଡ଼ିର ଉତ୍ତରାଧିକାରୀ ଅନେକ ବେଶୀ । ତେବେ ଉପାୟ ?

 

ବିକାଶ ନିଜେ ଇସ୍ତଫା ପଠାଇ ଦେଲା । ଆଉ କଲେଜକୁ ଯାଇ ପିଲାଙ୍କୁ ପଢ଼ାଇବାର ମାନସିକ ପ୍ରସ୍ତୁତି ତା’ର ନଥିଲା । ଖୁବ୍‌ ଆଶ୍ଚର୍ଯ୍ୟ ହେଲା ସେ । ଯେଉଁମାନେ ଛଅବର୍ଷ ତଳେ ସମ୍ମାନର ସହ ତାକୁ ଏଇ ଅନୁଷ୍ଠାନକୁ ପାଛୋଟି ନେଇଥିଲେ, ସେମାନେ ସମସ୍ତେ ଆଜିର ଏଇ ନିଷ୍ପତ୍ତିରେ ନୀରବ ସମ୍ମତି ଦେଲେ ।

 

କୁଆଡ଼ୁ କ’ଣ ଖବର ପାଇ କଲେଜରେ ଧର୍ମଘଟର ସୂତ୍ରପାତ ହେଲା । ଇସ୍ତଫାର କାରଣ ଯେ ଅଧ୍ୟାପକଙ୍କ ଇଚ୍ଛାକୃତ ନୁହେଁ, ଏ ବିଷୟରେ ଛାତ୍ରମାନେ ଦୃଢ଼ଥିଲେ । ଛାତ୍ର ପ୍ରତିନିଧିମାନେ ବିକାଶକୁ ସାକ୍ଷାତ କଲେ । ହୁଏତ ସେମାନେ ଆଶା କରିଥିଲେ ସେଇଠୁଁ ହିଁ ଘଟଣାର ସତ୍ୟାସତ୍ୟ ଖବର ଜାଣିବେ । ବିକାଶର ମନ ଆନ୍ଦୋଳିତ ହେଲା । ଏଇ ଛାତ୍ରଛାତ୍ରୀଙ୍କର ସୁବିଧା ଅସୁବିଧା ବୁଝି ଛଅଟି ବର୍ଷ କଟି ଯାଇଛି ତାଙ୍କର । କେବେ ତ ସେ ବିଶୃଙ୍ଖଳାକୁ ପ୍ରଶ୍ରୟ ଦେଇ ନାହାନ୍ତି । ଆଉ ଆଜି !!! ସେ ମିଥ୍ୟାର ଆଶ୍ରୟ ନେଲେ ।

 

-ମୋ ସ୍ୱାର୍ଥ ଦୃଷ୍ଟିରୁ ମୁଁ ଇସ୍ତାଫା ଦେଇଛି । ଏଥିରେ ଅନ୍ୟ କାହାର ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ ।

 

-କିନ୍ତୁ ସାର, କାହିଁକି ? କେବେ ତ ଆପଣ ଏ ବିଷୟରେ ଚିନ୍ତା କରି ନଥିଲେ ।

 

ବିକାଶର ପ୍ରଜ୍ଜ୍ୱଳିତ ନୟନକୁ କିମିତି ଗୋଟିଏ ଜ୍ୟୋତି ବାହାରୁ ଥିଲା । ସେ ହସିଲେ ।

 

-ଚିରଦିନ ଏଇ କଲେଜରେ ଅଧ୍ୟାପନା କରିବି ବୋଲି କ’ଣ ମୁଁ ଲେଖି ଦେଇଛି ?

 

ଛାତ୍ରପ୍ରତିନିଧିମାନେ ଶଙ୍କି ଗଲେ । ସେମାନେ ଫେରିଲେ । ଅଶାନ୍ତିର ପରିସମାପ୍ତି ହେଲା ।

 

ବିକାଶ ଚୌଧୁରୀକୁ ସମସ୍ତେ ହୁଏତ ଭୁଲି ଗଲେଣି । ତାଙ୍କ ସ୍ଥାନରେ ନୂଆ ଅଧ୍ୟାପକ ଆସିଛନ୍ତି । ସବୁ ଦିନ ଭଳି ପଢ଼ାପଢ଼ି ଚାଲିଛି । ବାଟର କଣ୍ଟାଟି ସଫା କରି ଦେଇ କଲେଜ ପରିଚାଳନା କମିଟିର ଉଦ୍ୟୋକ୍ତାମାନେ ପରମ ଶାନ୍ତିରେ ଶୋଇ ପାରୁଛନ୍ତି । କିନ୍ତୁ ସେ ନିଜେ ? ....ତା’ର ପତ୍ନୀ ଆଉ ତିନୋଟି ଶିଶୁ ?? କି ବ୍ୟବସ୍ଥା ହୋଇପାରେ ଏମାନଙ୍କ ପାଇଁ ???

 

ବସି ବସି ଅନାବଶ୍ୟକ ଚିନ୍ତାରେ ସମୟ ନଷ୍ଟ କରିବା ଛଡ଼ା କର୍ମ ସନ୍ଧାନର କୌଣସି ପନ୍ଥା ଆଉ ନ ଥିଲା । ଡାକରେ ଆସିଥିବା ଚିଠିରୁ ହୁଏତ କିଛି ଖବର ମିଳିପାରେ । କାରଣ, ବିକାଶ ଆବେଦନ କରିଥିଲା କେତୋଟି କଲେଜକୁ । ନା....ତା’ ବି ନୁହେଁ । କେହି ଦୁଃଖ ବୁଝିବେ ନାହିଁ । ଏ ଚିଠି ଗୁଡ଼ାକ ଅଧିକାଂଶ ବନାନୀର । ବିଚାରୀ ଗୁଡ଼ିଏ ମୂଲ୍ୟବାନ୍‌ ସାହିତ୍ୟ ପତ୍ରିକାରେ ଲେଖାଲେଖି କରି ବେଶ୍‌ ପ୍ରତିଷ୍ଠିତ ହୋଇ ପାରିଥିଲା । ସେଇ ସଂପାଦକମାନଙ୍କର ଅଭିଯୋଗ-ଆପଣ କ’ଣ ଲେଖାଲେଖି ଛାଡ଼ି ଦେଲେ ?

 

ଏତେ ଦୁଃଖରେ ବି ବିକାଶର ହସିବାକୁ ମନ ହେଉଛି । ବନାନୀର ସେମାନଙ୍କୁ ଉତ୍ତର ଦେବା ବୋଧହୁଏ ଉଚିତ ।

 

-ଲେଖିବା ପାଇଁ କାଗଜ ଆଉ ଡାକରେ ପଠାଇବାର ଟିକେଟ କିଣିବା ପାଇଁ ପଇସାର ଅଭାବ ହେତୁ ବାଧ୍ୟରେ ଲେଖିବା ବନ୍ଦ କରିଛି ।

 

ଏଇ ନିରାଟ ସତ କଥାଟା ସେମାନଙ୍କୁ ଜଣାଇବାରେ କାହିଁକି ଯେ ତା’ର କୁଣ୍ଠା....

 

ପୁଣି ପୋଷ୍ଟମ୍ୟାନ ଆସିଛି ।

 

-ମନି ଅର୍ଡ଼ର ଅଛି ।

 

-ଆରେ, ଟଙ୍କା କିଏ ପଠାଇଲା !

 

ଅକସ୍ମାତ୍‌ ଆନନ୍ଦରେ ବିହ୍ୱଳ ହେବାକୁ ଯାଇ ଦୁଃଖରେ ଭାଙ୍ଗି ପଡ଼ିଲା ବିକାଶ । ହୁଏ ତ ଭୁଲ୍‌ରେ ଏ ଘରକୁ ଚାଲି ଆସିଛି ପୋଷ୍ଟମ୍ୟାନ୍‌ ।

 

ସେ ବାଧା ଦେଇ ଆଉଥରେ କହିଲା ।

 

-ଆଜ୍ଞା, ଟଙ୍କାଟା ମା’ଙ୍କ ନାମରେ । ବିକାଶ ପାଟି କରି ଡାକିଲା-ବନାନୀ, ତୁମର ଟଙ୍କା ଆସିଛି ।

 

ଏ କଥା ଶୁଣିବା ଆଗରୁ ବନାନୀ ଉପସ୍ଥିତ ରହି ଟଙ୍କା ରଖିବାର ଉପକ୍ରମ କରିଥିଲେ । ସ୍ୱାମୀଙ୍କ ହାତରେ ଦେଢ଼ଶହ ଟଙ୍କା ଧରେଇ ଦେଇ ସେ କହିଲେ-କେଉଁଠି କ’ଣ ବାକି ରଖିଛ କିଛି ସୁଝି ଦିଅ । ତା’ ସଙ୍ଗେ ଗତ ମାସର ଘର ଭଡ଼ାଟା ବି; ଆଉ ଏଇ ପଚାଶଟା ଟଙ୍କା ଘର ଖର୍ଚ୍ଚ ପାଇଁ ମୋ ହାତରେ ଥାଉ ।

 

-କିନ୍ତୁ ଏ ଟଙ୍କା ???

 

ସ୍ୱାମୀଙ୍କ ସ୍ଥିର ଦୃଷ୍ଟି ପ୍ରତି ସିଧାସଳଖ ଭାବେ ଦୃଷ୍ଟି ବିନିମୟ କରିବା ପାଇଁ ଶକ୍ତି ନଥିଲା ବନାନୀର ।

 

-ତୁମେ ନୀରବ ରହିଗଲ କାହିଁକି, ବନାନୀ ?

 

ସ୍ତ୍ରୀଙ୍କର ହାତ ଟାଣି ପାଖ ଆସନରେ ବସିବାର ନିର୍ଦ୍ଦେଶ ଦେଲେ ବିକାଶ । ତଳକୁ ମୁହଁ ପୋତିଲେ ବନାନୀ ।

 

-କେତେ ଗୁଡ଼ିଏ ମାସିକ ଉପନ୍ୟାସରେ ମୁଁ ଲେଖିବା ଆରମ୍ଭ କରିଦେଇଛି । ବିଶେଷ କରି ରହସ୍ୟ ଉପନ୍ୟାସ ପାଇଁ ଅର୍ଥର ପରିମାଣଟା ଟିକିଏ ବେଶୀ ।

 

ସ୍ୱାମୀ, ସ୍ତ୍ରୀ କାହାରି ମୁହଁରେ କଥା ନାହିଁ । ବିକାଶର ମନ ହେଉଥିଲା କହନ୍ତା-ଅଧିକ ଅଶ୍ଳୀଳ ଲେଖା ପାଇଁ ପାରିଶ୍ରମିକଟା ଆହୁରି ଅଧିକ, ବନାନୀ ।

 

ନା, ସେ କିଛି କହିବ ନାହିଁ । ତଣ୍ଟି ଭିତରେ ଜମାଟ ବାନ୍ଧୁଥିବା ବରଫଖଣ୍ଡମାନ ତରଳି ଯିବାରେ ବି ବିପଦ ଅଛି । ବିଶ୍ୱନିୟନ୍ତାଙ୍କ ଉଦ୍ଦେଶ୍ୟରେ ଏ ମୁଣ୍ଡ ନୁଆଇଁଲା ବିକାଶ ।

 

-ହେ ତମସାଚ୍ଛନ୍ନ ରାତ୍ରିର ଆଲୋକ, ତୁମ ଉଜ୍ଜ୍ୱଳତାର ଅଣୁ ମାତ୍ର ଏ ମାନବ ସମାଜକୁ ପ୍ରଦାନ କରି, ଏ ଲୋଭ, ମୋହର ଅନ୍ଧକାରରୁ ତାକୁ ଉଦ୍ଧାର କର ।

 

ବିକାଶ ଉଠି ଠିଆ ହେଲା । ବନାନୀ ଦୂରେଇ ଯାଇଛି ସେ ସ୍ଥାନରୁ । ନିର୍ବାକ, ନିଷ୍ପନ୍ଦ ବିକାଶ । ସେ ଯିବ ବାହାରକୁ ଛୋଟ ଛୋଟ ହାତ ଉଧାର ସବୁ ସୁଝିବାକୁ । ପବନରେ ଉଡ଼ି ତଳେ ପଡ଼ୁଥିବା କେତେ ଖଣ୍ଡ ଦଶ ଖଣ୍ଡିଆ ନୋଟକୁ ଝିଅ ରତ୍ନା ଗୋଟାଇ ଆଣୁଥିଲା ।

 

ସାର୍ଟର ବୋତାମ ଦେଉ ଦେଉ ସେ ଆଡ଼କୁ ଚାହିଁ ଉଦାସ ହୋଇ ପଡ଼ୁଥିଲା ବିକାଶ ।

Image

 

ସ୍ରୋତ

 

ପୌଷର ରାତ୍ରି । ରାସ୍ତାରେ କୁହୁଡ଼ି । ସୁମିତ୍ରାଙ୍କ ଦୃଷ୍ଟି ପଲକହୀନ । ପ୍ରତିବିମ୍ୱିତ ସ୍ମୃତିମାନଙ୍କୁ ନିରୀକ୍ଷଣ କରି ଅଧୀରା ହେଉଥିଲେ ସେ ।

 

ଓଃ, ସେ ତେବେ କ’ଣ ଆସିବ ନାହିଁ ??? ଘରୁ ବାହାରକୁ, ପୁଣି ବାହାରୁ ଘରକୁ ଅକାରଣେ ବାରମ୍ୱାର ଯିବା ଆସିବା କରୁଥିଲେ ସେ ମନରେ । ମନରେ ଅସୁମାରୀ ଚିନ୍ତା ଆଉ ଆଶଙ୍କା ।

 

ରାତି ବେଶୀ ନ ହେଲେ ବି ମନେ ହେଉଛି ଅନେକ ବେଳ ହେଲାଣି । ଶୁବ୍‌ ଶୀଘ୍ର ରୋଷାଇ ସାରି ଶାଶୁ, ଶ୍ୱଶରଙ୍କୁ ଖାଇବାକୁ ଦେଇଦେଇଛନ୍ତି ସୁମିତ୍ରା । ତା’ ପରେ ପିଲାଙ୍କ ପାଳି-ଜିତା ଆଉ ମୁନା । ନା, ସେମାନେ ଖାଇବେ ନାହିଁ । ସେଇ ଏକ ଜିଦ୍‌-ସେ ଆସୁ । ଚନ୍ଦ୍ରଶେଖର ବି କହିଗଲେ-ମୋ ପାଇଁ ବ୍ୟସ୍ତ ହେବ ନାହିଁ । ଟିକିଏ ଡେରିରେ ଫେରିବି ।

 

ସୁମିତ୍ରା ଶୁଣିଥିଲେ ସବୁ ଯନ୍ତ୍ରଚାଳିତ ପରି । କିନ୍ତୁ ମନଟା ଅନ୍ୟ ପାଖରେ । ଆରେ, କେହି ତ ଖାଉ ନାହାନ୍ତି । ଏତେ ଗୁଡ଼ାଏ ରୋଷାଇ ସେ କଲେ କାହାପାଇଁ ? ନା, ସେମାନେ ତ ନିଶ୍ଚୟ ଆସିବାର କଥା । ଜଣେ ନୁହେଁ, ଦୁଇ ଜଣ । ସେ ଜଣକ କଥା ଥିଲା ଅଲଗା । ଏ କିନ୍ତୁ ନୂଆ ଆସିବା ।

 

ବୈଠକ ଘର ପାଖ ସଂକୀର୍ଣ୍ଣ କୋଠରୀଟିରେ ସ୍ୱାମୀଙ୍କ ପାଇଁ ବିଛଣା କରିଛନ୍ତି ସୁମିତ୍ରା-। କୌଣସିମତେ ଜାଗା କରି ଗୋଡ଼ତଳ ଆଡ଼କୁ ବିଛଣା କରି ଶୋଇଯିବେ ସେ ନିଜେ ଆଉ ମୁନା-। ଜିତା ଶୋଇବ ବୁଢ଼ାବୁଢ଼ୀଙ୍କ ଘରେ । ଆଃ....କ୍ଳାନ୍ତିରେ ଆଖିପତା ମାଡ଼ି ହୋଇ ପଡ଼ୁଛି-। ଦିନ ସାରା କାମ ଲାଗିଛି । ଘରକାମ ସାରି କୋଠରୀ ଗୁଡ଼ିକ ସଜାଡ଼ିବାରେ ଲାଗିଥିଲେ ସେ । ବାଇଶବର୍ଷର ଘରକରଣା । ଛୋଟ ଘରଟାରେ ବହୁ ଲୋକଙ୍କ ସଙ୍ଗେ ଖୁନ୍ଦାଖୁନ୍ଦି ହୋଇ ରହିଛି ଦରକାରୀ ଅଦରକାରୀ ଗୁଡ଼ାଏ ଜିନିଷ । କାହାକୁ କୁଆଡ଼େ ନେବେ ? ବହୁ କଷ୍ଟ କରି ନିଜ ଶୋଇବା ଘରଟିକୁ ପରିଷ୍କାର କରିଥିଲେ ସେ ଦୁଇ ଦିନ ଲାଗି ଲାଗି । ଚିରା ଶାଢ଼ୀ ଖଣ୍ଡେ ଧରି ଖଟ, ଚେୟାର, ଶେଷରେ ପାରଦ ଛାଡ଼ି ଆସୁଥିବା ଡ୍ରେସିଂ ଟେବୁଲର ଆଇନା ଖଣ୍ଡିକ ପୋଛା ପୋଛି କରି ନେଇଥିଲେ । ବହୁ କାଳରୁ ଭଙ୍ଗା ଟ୍ରଙ୍କ୍‌ରେ ସାଇତା ହୋଇ ରହିଥିବା ଦୁଇଖଣ୍ଡ ବିଛଣାଚଦର ଖଟର ଗଦି ଉପରେ ପକାଇ ସେ ଆଶ୍ୱସ୍ତ । ଗଦି ଚିରା, ତକିଆଖୋଳ ଚିରା । ଉପରେ ଚଦର ପକାଇ ଦେଇ ସେ ସବୁକୁ ଘୋଡ଼ାଇ ଦେବାର ଚେଷ୍ଟା କରିଥିଲେ ସେ । ହଁ, ସେମାନେ ଟିକିଏ କଷ୍ଟ କରି ନେବେ । କିନ୍ତୁ ଚଳିଯିବ ଯେ । ନମି, ତାଙ୍କ ଆଦରର ନମିତା । ଏଇ ଘରର ଝିଅ । ତା’ ପାଇଁ ତ ଏ ସବୁ କିଛି କରିବାର ନ ଥିଲା କିନ୍ତୁ ସାଙ୍ଗରେ ଜୋଇଁ । ପ୍ରଥମ କରି ଆସୁଛନ୍ତି ସେମାନେ ।

 

ତାଙ୍କର ଏଇ ଅଭାବଗ୍ରସ୍ତ ସଂସାର ସଙ୍ଗେ ଚିର ଅଭ୍ୟସ୍ତ ସେ । ନମିତା ଝିଅଟା ଅତି ସାଦାସିଧା । ଆଉ କେହି ତା’ ପରି ହେଲେ ନାହିଁ । ଶାଢ଼ୀ ରଫୁ କରି କଲେଜ ପିନ୍ଧିଯାଏ । ରୋଷାଇ ନ ସରୁଣୁ ଡାଲିରେ ଭାତ ଗୋଳାଇ ସାଦା ସନ୍ତୁଳା ଟିକେ ହୋଇଗଲେ ଯଥେଷ୍ଟ ହୋଇଯାଏ ତା’ର । କଲେଜରୁ ଫେରି ଆସିଲେ ଯାବତୀୟ କାମର ଦାୟିତ୍ୱ ନିଜ ହାତକୁ ନିଏ ନମିତା । ଭାଇ, ଭଉଣୀ ତିନି ଜଣଙ୍କ ମଧ୍ୟରେ ନେତ୍ରୀ ସେ ‘‘ବୋଉ ତ ସବୁବେଳେ ଖଟୁଛି । ଆମେ ଟିକେ ତାକୁ ସାହାଯ୍ୟ କଲେ କ୍ଷତି କଣ ?’’ ସାନ ଭଉଣୀ ସୁଜାତାକୁ ଉତ୍ତର ଦିଏ ସେ ।

 

ବଗିଚାରେ ଫଳଫୁଲ ସତେ କି ହସୁଥାଏ ସେତେବେଳେ । ଆଉ ସେହି ଝିଅଟା ମୁହଁ ସବୁବେଳେ ହସ ହସ । ପାଠପଢ଼ା ଯେମିତି ଘର କାମଟି ମଧ୍ୟ ସେମିତି ଯତ୍ନରେ କରେ ସେ । ସୁମିତ୍ରା ମନେ ମନେ ଆନନ୍ଦ ଅନୁଭବ କରୁଥିଲେ । ଆଃ....ସେ ଗଲା ନାହିଁ ଯେ ଏ ଘରୁ ଲକ୍ଷ୍ମୀ ସତେ କି ଚାଲିଗଲେ । ସାନ ଝିଅ ସୁଜାତାଟା ଠିକ୍ ତାର ଓଲଟା । ରେଡ଼ିଓ ଶୁଣିବା, ପତ୍ରପତ୍ରିକା ପଢ଼ିବାରେ ଛୁଟି ଦିନ ଗୁଡାକ କୁଆଡ଼େ ସରିଯାଏ ତା’ର । କିଛି ବୁଝେ ନା, କିଛି ଜାଣେ ନା । ସବୁବେଳେ ବିରକ୍ତ ଅସନ୍ତୁଷ୍ଟ । ଅନ୍ୟ ସାଙ୍ଗ ଝିଅମାନଙ୍କ ଭଳି ସେ ବି ପିନ୍ଧିବାକୁ ଚାହେଁ ଦାମୀ ପୋଷାକ, ଶାଢ଼ୀ ଇତ୍ୟାଦି କେତେ କ’ଣ । ହଉ, ନମି ଆସୁ । ସୁମିତ୍ରା ସବୁ ଚିନ୍ତା ତ୍ୟାଗ କରି କେବଳ ଅପେକ୍ଷା କରିଥିଲେ ନମିତାକୁ । ତାଙ୍କର ବିଶ୍ୱାସ ସେ ଆସି ପହଞ୍ଚିଲେ ହୁଏତ ସବୁ ଠିକ୍‌ଠାକ୍ ହୋଇଯିବ ତାଙ୍କ ପରିବାରର ।

 

ଭିତରୁ ଶାଶୁ ପାଟି କରୁଛନ୍ତି–‘‘ମା’ ମୋର କେତେବେଳେ ଆସିବ, ଲୋ ସୁମି ?’’

 

ଦଶ ଏଗାର ବର୍ଷର ପୁଅ ମୁନା ଡାକୁଛି

 

-ବୋଉ, ଏ ବୋଉ, ମୁଁ ଶୋଉଛି । ବଡ଼ ନାନୀ ଆସିଲେ ନିଶ୍ଚୟ ଉଠେଇ ଦେବୁ ।

 

ତକିଆଟା ଉପରେ ପେଟେଇ ପଡ଼ି ରେଡ଼ିଓ ଶୁଣୁଛି ସୁଜାତା । ଏ’ ଘରେ କେହି ଖାଉ ନାହାନ୍ତି, କି କାହାରି ଆକ୍ଷିରେ ନିଦ ନାହିଁ । ସମସ୍ତେ ଅପେକ୍ଷା କରିଛନ୍ତି ସେହି ଗୋଟିଏ ମୁହୂର୍ତ୍ତର ଆନନ୍ଦର ଉତ୍ସକୁ ।

 

ସୁମିତ୍ରାଙ୍କ ତଣ୍ଟିରେ କୋହ ଜମୁଛି । ସେଇ ଯେ ବାହା ହୋଇ ଯାଇଛି ଝିଅ । କେବେ ଆଣିବାର ସୁଯୋଗ ଆଉ ହୋଇ ପାରି ନି । ଜୋଇଁ ଶ୍ରୀକାନ୍ତ ବାଙ୍ଗାଲୋରରେ ଇଞ୍ଜିନିୟର । ଛୁଟୀ ନେଇ ଓଡ଼ିଶା ଆସୁଛନ୍ତି । ମନକୁ ମନ ଚିଠି ଲେଖିଛି ନମିତା । କିଛି ଦିନ ଏଠି କଟେଇ ଶ୍ୱଶୁର ଘରକୁ ଯିବେ ସେମାନ । ନିମନ୍ତ୍ରଣ ତ କରି ନାହିଁ । କିଏ ଜାଣେ ଶ୍ରୀକାନ୍ତ କ’ଣ ଭାବୁଥିବେ ।

 

ଫାଟକ ପାଖରେ ପାହାଚ ତଳକୁ ଓହ୍ଲାଇ ଆଉ ଥରେ ରାସ୍ତାକୁ ଚାହିଁଲେ ସେ । ନା, ରାସ୍ତାଟା ସେମିତି ଫାଙ୍କା । ସାମନାରେ ଦୁଇଟା ଘର ଛାଡ଼ି ସେଇ ଯେଉଁ ବଡ଼ ଘରଟାରେ ରହୁଥିଲେ ଶ୍ରୀକାନ୍ତର ବାପା । ରିଟାୟାର କରି ସାରିବା ପରେ କେବଳ ପୁରୀ ଘରଟା ଛଡ଼ା ସେ ସବୁ ବିକ୍ରୀ କରି ଦେଇଥିଲେ ।

 

ଏଇ ଘରେ ଥିଲାବେଳେ....ଶ୍ରୀକାନ୍ତ ଯାଉଥିଲା କଲେଜ, ନମିତା ବି । ଆଶ୍ଚର୍ଯ୍ୟ ! ସେମାନେ ପୁଣି ବିବାହ କଲେ । ନମିତାଟା ଟିକିଏ ବି ପସନ୍ଦ କରୁ ନ ଥିଲା ଶ୍ରୀକାନ୍ତକୁ ।

 

ନିଜ ଅଜାଣତରେ ଉଦାସ ହୋଇ ପଡ଼ିଲେ ସୁମିତ୍ରା । ସେଇ ଯେଉଁ ପିଲାଟି ନମିତା ସଙ୍ଗେ ଥରେ ଦି’ଥର ଆସିଥିଲା ? କ’ଣ ତା ନାଁ ଟି ? ହଁ, ସୁଜିତ । ଗୋରା ଲମ୍ୱା ଚେହେରା, ଉଜ୍ଜ୍ୱଳ ଆକ୍ଷି । ସବୁ ମନେ ପଡୁଛି । କଲେଜର ଛାତ୍ରନେତା ସେ । ଭଲ ପଢ଼େ । ନମିତା ଠାରୁ ତିନିଟା ଉପରେ କ୍ଳାସରେ ପଢ଼ୁଥିଲା ସେ । କିନ୍ତୁ ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ଭାରୀ ଭଲ ଲାଗୁଥିଲା ତାଙ୍କୁ । ସେ ଦିନ କଲେଜରୁ ଫେରି ଜିଦ୍ କଲା ନମିତା ।

 

-ବୋଉ, ସୁଜିତ୍ ବାବୁଙ୍କୁ କହ, ଏଇଠି ଖାଇକରି ଯିବେ । ତୁ ଜାଣିନୁ ପଖାଳ ଶାଗରେ ତାଙ୍କର ବଡ଼ ଲୋଭ ।

 

ପଖାଳ ଖାଇ ବସନ୍ତି ସେମାନେ । ପରଷି ଦିଅନ୍ତି ସୁମିତ୍ରା । ଯେଉଁଦିନ ଚନ୍ଦ୍ରଶେଖର ବାବୁଙ୍କ ପାଖରେ ସେ ଏ ପ୍ରସ୍ତାବ ଦେଲେ....ଓଃ, କି ରାଗ ତାଙ୍କର !

 

-ପିଲାଟାର ବାପା, ମା’ କେହି ନାହାନ୍ତି । କେଉଁ ଗାଁରେ ଖଣ୍ଡେ ଭଙ୍ଗା କୁଡ଼ିଆ । ଖାଲି ଅଧ୍ୟାପକ ଚାକିରିଟାଏ କରିଛି ବୋଲି ଝିଅ ଦେବି ସେଠି ?

 

ସୁମିତ୍ରା ଆକ୍ଷି ପୋଛିଲେ । ଝିଅ ସୁନ୍ଦର, ଗୁଣର ମଧ୍ୟ । ଏତିକି ଛଡ଼ା ଆଉ ତ କିଛି ସଂପତ୍ତି ନାହିଁ ତାଙ୍କର । ତେବେ କାହିଁକି ଏ ବୃଥା ଆସ୍ଫାଳନ । ଆଉ ବଡ଼ କଥା ହେଲା ଝିଅର ମନ-। ମା’ ହୋଇ ସେ କ’ଣ ବୁଝି ନାହାନ୍ତି । ମୁହଁ ଖୋଲି ସେ କ’ଣ କହନ୍ତା ବେଶୀ ? ନା, ତାକୁ ଅଯଥା ପଚାରି ସେ କ’ଣ ପାଇବେ ?

 

ବରଂ ସେ ଜିଦ୍ କରେ-ଥାଉ, ବୋଉ, ଏବେ ବାହାଘର କଥା ବନ୍ଦ କର । ଘରର ଅବସ୍ଥା ତ ଜାଣୁ ।

 

ପନ୍ଦର ବର୍ଷର ସାନ ଝିଅ ସୁଜାତା କହେ

 

-ଉଁ ହୁଁ, ସୁଜିତ୍ ବାବୁଙ୍କୁ ଯଦି, ବୋଉ, ତୁ ଜୋଇଁ କରୁ, ନାନୀ କେବେ ହେଲେ ନାରାଜ ହେବନି ।

 

-କ’ଣ କହିଲୁ ? କହତ ଆଉ ଥରେ । ଦେଖିବୁ ପୁଣି ।

 

ଅଟା ଚକଟିବା ପାଖରୁ ଉଠି ତାକୁ ମାରିବାକୁ ଦୌଡ଼ିଲା ନମିତା । ମୁହଁରେ ଶାନ୍ତ, ସଲ୍ଲଜ ହସ ।

 

-ମୁଁ ସତ କହୁଛି, ବୋଉ । ଦୁହିଁଙ୍କର ଏକଦମ୍ ଏକା ମନ, ଏକ ଆଦର୍ଶ । ସେ ଛାତ୍ରନେତା, ଏ ବି ନେତ୍ରୀ । ଭାରୀ ଭଲ ହେବ, ଲୋ ବୋଉ ।

 

-ଓଃ, ବୋଉ ଦେଖିଲୁ ଜିତାକୁ ।

 

ତାଙ୍କୁ ମଝିରେ ରଖି ଦୁଇ ଝିଅ ଗୋଡ଼ାଗୋଡ଼ି ହେଉଥିଲେ । ସୁମିତ୍ରା ହସିବେ ନା କଳି ଭାଙ୍ଗିବେ ।

 

ଆଉ ଦିନେ....

 

ନମିତା କଲେଜରୁ ଫେରି ଅଭିଯୋଗ ସ୍ୱରରେ କହିଲା ।

 

-ବୋଉ, ଜାଣିଛୁ । ୟାଙ୍କ ପୁଅ ମ....

 

-କିଏ ?

 

ଏଇ ଶ୍ରୀକାନ୍ତ ମ । ନିହାତି ଗୋଟିଏ ବଜାରୀ, ଲୋଫର ! ଆମ ସାଙ୍ଗମାନଙ୍କୁ ରାସ୍ତାରେ ଚଲେଇ ଦେଉନି ତେବେ ଶୁଣୁଛି ତା’ର କେଉଁଠି ଚାକିରି ହୋଇଛି, ଚାଲିଯିବ । ଓଃ, ରକ୍ଷା ବାବା !

 

ସେ କଥାରେ ଗୁରୁତ୍ୱ ନ ଦେଇ ହସିଥିଲେ ସୁମିତ୍ରା ।

 

ଏବେକାର ପିଲାମାନେ ସମସ୍ତେ ସେଇୟା ।

 

-କିନ୍ତୁ, ବୋଉ, ସୁଜିତ ବାବୁ.....

 

କଥାଟା କହୁ କହୁ ହଠାତ୍‍ ଅଟକି ଗଲା ନମିତା । ସୁମିତ୍ରା ଦୁଃଖରେ ଭାଙ୍ଗି ପଡ଼ୁଥିଲେ ଚନ୍ଦ୍ରଶେଖରଙ୍କ କଥାଗୁଡ଼ା ମନେ ପକାଇ ।

 

ବଡ଼ଲୋକ ଘରୁ ବାହାଘର ପ୍ରସ୍ତାବ ଆସିଛି । ଏଥିରେ ମନା କରିବ କିଏ ? ମା’ ହୋଇ ସେ କିଛି କରି ପାରିଲେ ନାହିଁ । ସ୍ୱାମୀଙ୍କର ବାଧ୍ୟବାଧକତାରେ ମୁହଁରେ ହସ ଖେଳାଇ ଅଲିଅଳି ଝିଅକୁ ତାଙ୍କର କହିଥିଲେ ସେ ସେଦିନ ।

 

-ମା’ ନମି, ଶ୍ରୀକାନ୍ତ ପିଲାଟା ଏବେ ବଦଳି ଗଲାଣି ବହୁତ ।

 

-ତୁ କିମିତି ଜାଣିଲୁ ?

 

ଆଶ୍ଚଯ୍ୟରେ ପ୍ରଶ୍ନ କଲା ନମିତା ।

 

-ତୋ ବାପା କହୁଥିଲେ ପରା ।

 

ଟିକିଏ ନୀରବ ରହି ପ୍ରଶ୍ନ କଲା ନମିତା ।

 

-ଆଚ୍ଛା, ବୋଉ, ଇଞ୍ଜିନିୟର ହୋଇଗଲେ କ’ଣ ପ୍ରକୃତି ବଦଳି ଯାଏ ?

 

ଝିଅର କଥା ଶୁଣି ସେ ଥକା ହୋଇଗଲେ । ଜାଣିଶୁଣି ଏ ସବୁ କ’ଣ ହେବାକୁ ଯାଉଛି-? ନମିତାର ହସ ତାଙ୍କ ଦେହରେ ତୀର ଭଳି ବିଦ୍ଧ ହେଲା ।

 

ନା, ଯାହା ଭାଗ୍ୟରେ ଥିଲା ହେଲା । ସେ କ’ଣ କରି ପାରିଥାଆନ୍ତେ ? ସେ ଗୋଟିଏ ଯନ୍ତ୍ରଚାଳିତ ଜୀବ ପାଲଟିଗଲେ । ବାହାଘର ଆୟୋଜନର ବ୍ୟସ୍ତତା ମଧ୍ୟରେ କେବେ କିମିତି ସେ ଦେଖିଥିଲେ ଲୁଚି ଲୁଚି କାନ୍ଦୁଛି ନମିତା । ବାପା ହୋଇ ଚନ୍ଦ୍ରଶେଖର ସାନ୍ତ୍ୱନା ଦେଲେ ।

 

-ତୁମେ ବ୍ୟସ୍ତ ହୁଅ ନା । ବଡ଼ ଘରେ ବୋହୁ ଦେଲେ ସେ କ’ଣ ଇମିତି କାନ୍ଦିବ ?

 

ଛଅମାସ କଟିଗଲାଣି । କିମିତି ଚଳୁଛି ଅଲିଅଳି ରାଜଜେମା ତାଙ୍କର ? ଛୋଟ ଚିଠି ଖଣ୍ଡକରେ ସାଧାରଣ ଭଲମନ୍ଦ ଖବର ଛଡ଼ା ପ୍ରାୟ କିଛି ନ ଥାଏ ।

 

ନମିତାର ଆସିବା ପାଇଁ ସମୟର ବ୍ୟବଧାନ କମି ଆସିବା ସଙ୍ଗେ ସଙ୍ଗେ ସେ ଅନୁଭବ କରୁଥିଲେ ସୁଖମିଶା ଏକ ଆତଙ୍କ । ଗାଡ଼ିର ଲାଇଟ୍‌ ପଡ଼ୁଛି । ବାଙ୍ଗାଲୋରରୁ ନିଜ ନୂଆ କାର୍‌ରେ ଆସୁଛନ୍ତି ଶ୍ରୀକାନ୍ତ, ନମିତା ଲେଖିଥିଲା ତ । ବାଟରେ ରହି ରହି ସେମାନେ ଆସିବେ । ସୁମିତ୍ରା ଅସ୍ତବ୍ୟସ୍ତ ହୋଇ ଡାକିଲେ ।

 

-ଏ ଜିତା, ମୁନା, ନାନୀ ଆସିଗଲା ରେ !

 

ସେତିକିବେଳେ ବାହାରୁ ବୁଲି ଫେରି ଆସିଥିଲେ ଚନ୍ଦ୍ରଶେଖର । ସମସ୍ତେ ଆଗ୍ରହରେ ଫାଟକ ପାଖକୁ ଦୌଡ଼ିଗଲେ ।

 

ହସ ହସ ମୁହଁରେ ଗାଡ଼ିରୁ ଓହ୍ଲାଇ ଆସିଲା ଶ୍ରୀକାନ୍ତ । ଦେହରେ ଉଗ୍ର ଆଧୁନିକ ପୋଷାକ । ଦେଖିଲେ ମନେ ହେବ ଜଣେ ସିନେମାର ଅଭିନେତା । ସେଇ କଥା ଗୁଣୁ ଗୁଣୁ ସ୍ୱରରେ କଥାବାର୍ତ୍ତା ହେଉଛନ୍ତି ଜିତା ଆଉ ମୁନା । କିନ୍ତୁ ତାଙ୍କ ପଛରେ ଯେ ଗାଡ଼ିରୁ ଓହ୍ଲାଇ ଆସିଲା ସେ କ’ଣ ତାଙ୍କର ନମିତା !!!

 

ସେ ପ୍ରମାଣ କରି ସାରିବା ପରେ ମଧ୍ୟ ସୁମିତ୍ରାଙ୍କର ଅଶ୍ୱସ୍ତି ଭାବ କଟି ନ ଥାଏ । ଓଠରେ ଲିପ୍‌ଷ୍ଟିକ୍‌, ମୁହଁରେ ଦାମୀ ମେକ୍‌ଅପ୍‌ର ପ୍ରଲେପ । ଶାଢ଼ୀ, ଗହଣାରେ ଏକ ଭିନ୍ନ ରୁଚି । ମୁନା ଦୌଡ଼ିଲା ଜିନିଷ ଉଠାଇ ଆଣିବାକୁ । ନମିତା ପଚାରିଲା-‘‘ଆଉ କ’ଣ କେହି ନାହାନ୍ତି ? ଡାକ୍‌, ବଡ଼ ସୁଟକେଶ୍‌ ଦୁଇଟା ଅଛି ଯେ ।’’

 

ଚନ୍ଦ୍ରଶେଖର ଦୌଡ଼ି ଆସିଲେ ।

 

-ତୁ ଘରକୁ ଯା’, ମା । ମୁଁ ନେଇ ଯାଉଛି ।

 

ଘର ଭିତରେ ପଶି ଖୁସି ହେବା ପରିବର୍ତ୍ତେ ଅସମ୍ଭବ ଭାବେ ଗମ୍ଭୀର ହୋଇ ଗଲା ନମିତା । ସେଇ ଘର, ସେଇ ମଳିନ ବାତାବରଣ । କେଉଁଠି କିଛି ପରିବର୍ତ୍ତନ ନାହିଁ ।

 

-ଏ ବୋଉ, ଏଇ ଘରଟା !

 

-ହଁ, ମା, ସେ ଘରଟା ତୁମମାନଙ୍କ ପାଟି ସଫାକରି ରଖିଛି ।

 

ନମିତା କିଛି ନ କହିଲେ ମଧ୍ୟ ଚାରି ଆଡ଼କୁ ଦୃଷ୍ଟି ପକାଇ ବିବ୍ରତ । ସେଇ ଘରଟାକୁ ଶୟନକକ୍ଷରୂପେ ବ୍ୟବହାର କରିବାକୁ ସେ ଯେ ପସନ୍ଦ କରୁ ନାହିଁ, ଏ କଥା ବୁଝିଗଲେ ସୁମିତ୍ରା । ଆଃ, ଏ ଝିଅଟା କ’ଣ ବା କେତୁଟା ଦିନରେ ସବୁ ଭୁଲି ଗଲା ! ହଉ, ସେ ସୁଖରେ ଥାଉ ।

 

ମୁନା ଆଉ ଜିତା ଚାହିଁ ବସିଛନ୍ତି । ନାନୀ ଗପିବ କେତେ କଥା । ବହୁତ ଦିନ ପରେ ଦେଖା । ସେ ଘରେ ଦୁଇଟା ବୁଢ଼ା ବୁଢ଼ୀ ଅପେକ୍ଷା କରିଛନ୍ତି ଗେହ୍ଲା ନାତୁଣୀଟିକୁ । ନା, ସେ ଭଲ ଅଛି । ବାସ୍‌, ସେତିକି ଯଥେଷ୍ଟ ।

 

-କ’ଣ ଖାଇବାକୁ ରଖିଛୁ ?

 

-ହଁ, ଆସ ତୁମେ ସବୁ । ମୁଁ ବଢ଼ାବଢ଼ି କରୁଛି ।

 

-ଶୁଣ, ବୋଉ, ତୋ ଜୋଇଁ କହୁଥିଲେ ଦୁଇ ଦିନ ଏଠି ରହିବା ପାଇଁ । ମାତ୍ର ଆମ ଘରର ଯାହା ପରିସ୍ଥିତି ଦେଖୁଛି......

 

ସୁମିତ୍ରା ବିସ୍ମିତ ହେଲେ ନାହିଁ । ବରଂ ହସ ହସ ମୁହଁରେ କହିଲେ-‘‘ଥାଉ, ମା । ପରେ ସେ ସବୁ କଥାବାର୍ତ୍ତା । ଏ ତ ଭଡ଼ାଘର ।’’ ଏତିକି କହି ସେ କାମ ବାହାନାରେ ରୋଷାଇ ଘର ଆଡ଼କୁ ଚାଲିଗଲେ । ବାହାଘର ବେଳେ ଦୁଇମାଣ ଧାନଜମି ବିକ୍ରୀ ହୋଇଥିବା କଥା ନମିତା ଜାଣିଥିଲେ ମଧ୍ୟ ଆଉ ଥରେ ମନେ ପକାଇ ଦେବାକୁ ସେ ଚାହିଁଲେ ନାହିଁ । ନିଜ ଅଜାଣତରେ ଗାଲରେ ହାତ ଦେଇ ବସି ରହିବା କଥା ତାଙ୍କର ଖିଆଲ ନ ଥିଲା । ହଠାତ୍‌ ପୁଅ ମୁନାର କଥାରେ ପ୍ରକୃତିସ୍ଥ ହେଲେ ସେ ।

 

-ବୋଉ, ଜାଣିଛୁ । ଶ୍ରୀକାନ୍ତ ଭାଇନାଙ୍କ ସୁଟକେଶରେ ମଦବୋତଲ ! ନାନୀ ବି ପିଏ ଲୋ ବୋଉ । ସେଇ ଘର ପରଦା ଟାଣି ଗିଲାସରେ ଢାଳିଲାବେଳେ ମୁଁ ଚାହିଁ ଦେଖୁଥିଲି । ନାନୀ କହିଲା–କେଡ଼େ ଅଭଦ୍ରଙ୍କ ପରି ଚାହିଁଚି ମ । ପଳା ଏଠୁ, ତା’ ପରେ ସେମାନେ ଏଡ଼େ ଜୋରରେ ହସିଲେ ଯେ....

 

ଏକା ନିଶ୍ୱାସକେ ମୁନା କହି ଚାଲିଥିଲା । ତାକୁ ବଧା ଦେବାର ଶକ୍ତି ସତେ କି ଲୋପ ପାଇଥିଲା ସୁମିତ୍ରାଙ୍କର । ଦେହରେ ଅଦ୍ଭୁତ ଏକ ଜ୍ୱାଳା । ତଣ୍ଟି ରୁଦ୍ଧ । ଆଉ ଟିକକରେ ସେ ସତେ କି କାନ୍ଦିବେ ! ମନେ ପଡ଼ିଲା, ଝିଅକୁ ଶାଶୁ ଘରକୁ ବିଦା କରିବା ବେଳେ ସେ କହିଥିଲେ-

 

-ମା’, ଶ୍ରୀକାନ୍ତ ମନରେ କେବେ କଷ୍ଟ ଦେବୁ ନାହିଁ । ତୋ’ ଶାଶୁ, ଶ୍ୱଶୁରଙ୍କୁ ନିଜ ବାପା, ମା’ଙ୍କ ଠାରୁ ଅଧିକ ଭକ୍ତି କରିବୁ ।

 

ହେଇତ ସେ ସ୍ୱପ୍ନ ଦେଖୁଥିଲେ କି କ’ଣ ? କିଏ କହିଲା ନମିତା ବଦଳିଛି ? ହସି ହସି ହାତ ବଢ଼ାଇଲେ ସେ ପାଗଳୀଙ୍କ ପରି । ତାଙ୍କୁ ମନେ ହେଲା, ସେଇ ସାଧାସିଧା ଝିଅଟି ତାଙ୍କ ପାଖରେ ଠିଆ ହୋଇ କହୁଛି–

 

-ତୁ ଭୁଲ କରିଛୁ, ବୋଉ । ଜାଣି ଜାଣିତ ଶ୍ରୀକାନ୍ତଙ୍କ ସଙ୍ଗେ ମୋତେ ଛନ୍ଦିଦେଲୁ । ଆଉ ତାଙ୍କରି ଖୁସି ପାଇଁ ତ.....

 

ହଁ, ହଁ, ମୋରି ଭୁଲ । ମୁଁ ଭୁଲ କରିଛି । ଓଃ....ହସୁ ହସୁ କାନ୍ଦି ପକାଇଲି ସୁମିତ୍ରା । ମୁନା ପାଟି କଲା-ତୁ କାନ୍ଦୁଛୁ, ବୋଉ !

 

ଶୂନ୍ୟ ଅଗଣାଟାରେ ଏକ ମାତ୍ର ଆଶ୍ରା ମୁନାକୁ କୋଳକରି ହସି ପକାଇଲେ ସୁମିତ୍ରା ।

 

-ନା, ରେ । ତୋ ନାନୀ ଆସିଛି ପରା । ମୁଁ କାନ୍ଦିବି କାହିଁକି ?

Image

 

Unknown

ବିଗତ ସନ୍ଧ୍ୟାର ଇତିକଥା

 

-ଜୀବନ !

 

ଆଃ.....ଛାଡ଼ନା ହାତଟା ! ମୋ ମନରେ ଏ ଯେଉଁ କମ୍ପନ....ମୁଁ ଜଳି ଯାଉଛି, ଜୀବନ...ଆଃ, ଛାଡ଼ିଦିଅ ! ତୁମେ ନୀରବ କାହିଁକି ? କ’ଣ କହିବାକୁ ଚାହୁଁଛ ? କୁହନା ତୁମେ ଇମିତି ଗମ୍ଭୀର ହୋଇ ପଡ଼ନା, ଜୀବନ ।

 

ମୋ ମନରେ ଅସହ୍ୟ ଯନ୍ତ୍ରଣା ଭରି ତୁମେ ନୀରବ ରହି ପାରୁଛ ? ଛି, ଛାଡ଼ିଦିଅ ହାତଟା...ତୁମେ ଭାରୀ ଭଲ, ଜୀବନ । ଏଇତ କେତେ ପାଖରେ ମୁଁ ।

 

ତଥାପି ମୋତେ ସ୍ପର୍ଶ କରିବାକୁ ତୁମେ ଦ୍ୱନ୍ଦ୍ୱରେ ପଡ଼ି ଯାଇଛି । କୁହତ, କେତେ ସମୟ ଇମିତି ହାତଟା ଚାପି ଧରିଥିବ ? ଭାରୀ କ୍ଳାନ୍ତ ହୋଇଛ ତୁମେ । ବରଂ ଶୋଇପଡ଼ । ଆଜି ଭାରୀ ଭଲ ଲାଗୁଛି ତୁମକୁ । କଣ ମନ ହେଉଛି ଜାଣ...ହେଇ ଦେଖ, ମୁଁ ତୁମ ହାତ ଚୁମ୍ବନ କଲି !!!

 

-ଆର ପାଖ ଘରେ ସୁଦୀପ୍ତ ! ସେ ହୁଏ ତ ନିଶ୍ଚିନ୍ତରେ ଶୋଇଯାଇଛନ୍ତି । ଆଉ ମଧ୍ୟ ଠିକ୍‌ ଜାଣନ୍ତି, ମୁଁ ଆସିବି । ବେଡ଼୍‌ ଲାଇଟ୍‌ଟି ଲିଭାଇ ଚୁପ୍‌ଚାପ ତାଙ୍କରି ପାଖରେ ହିଁ ଶୋଇଯିବି । ଆଃ...ସୁଦୀପ୍ତ ମୁଁ କ’ଣ କଲି ଜାଣ, ଜୀବନ ! ତାଙ୍କ ସରଳ, ନିଷ୍ପାପ ମନକୁ ମୁଁ କଳଙ୍କିତ କରି ଦେଇଛି । ଏଇ କ୍ଷଣିକ ଭୁଲ ପାଇଁ ମୁଁ ଆହୁରି ଜଳିଲିଣି । ଆଚ୍ଛା, ଜୀବନ ! ତୁମେ କହି ପାରିବ ଆଜି ଏଇ ବିଗତ ସନ୍ଧ୍ୟାର ଇତିକଥା ?

 

-ଆମେ ବସିଥିଲେ ତିନି ଜଣ-ତୁମେ, ସୁଦୀପ୍ତ ଆଉ ମୁଁ । ପାଖ ଟି ପଏରେ ଡ୍ରାଇ ଜିନ୍‌ର ତିନୋଟି ଗ୍ଲାସ । ସୁଦୀପ୍ତ ମୋତେ ଉତ୍ସାହିତ କରୁଥିଲେ । ଆଉ ତୁମେ ମୋ ଗ୍ଲାସରେ ଢାଳି ଦେଉଥିଲ ଆହୁରି ବେଶୀ...ମୁଁ ବାଧା ଦେଲି ।

 

-ଥାଉ, ଜୀବନ ! ପାରିବି ନି । ତୁମମାନଙ୍କ ଭଳି ମୁଁ ତ ଅଭ୍ୟସ୍ତ ନୁହେଁ ।

 

ତୁମେ ହସିଲ ମୋ କଥାରେ ଗୁରୁତ୍ୱ ନ ଦେଇ । ଆଉ ସୁଦୀପ୍ତ କହିଲେ-ନିଜ ଘରେ ଥରେ ଅଧେ ପିଇ କେହି କେବେ ମାତାଲ ହୁଏ ନା, ଶିଖା ।

 

ଆମର ଏଇ ସାଂଧ୍ୟ ଆସର ପରେ ତୁମଙ୍କୁ ତୁମ କ୍ୱାଟର୍ସକୁ ଫେରି ଯିବାକୁ ବାରଣ କଲେ ସୁଦୀପ୍ତ । ତୁମ ଭଳି ଅବିବାହିତଙ୍କର କି ଚିନ୍ତା କହିଲ ? ପିଅନ୍‌ଟି ଛଡ଼ା ସେଠାରେ ହୁଏତ ବ୍ୟସ୍ତ ହେବାକୁ କେହି ନ ଥିଲେ । ତେଣୁ ତୁମର ରାଜି ନ ହେବାର ପ୍ରଶ୍ନ ଉଠି ନଥିଲା । କିନ୍ତୁ ଜୀବନ, ଏ କ’ଣ ହେଲା କୁହତ !

 

ତୁମ ଶୋଇବା ଘର କବାଟ ଆଉଜେଇ ଚଞ୍ଚଳ ପଦକ୍ଷେପରେ ମୁଁ ଫେରି ଆସିଲି । କିଏ ଜାଣେ, ତୁମେ କଣ ଶୋଇ ପାରିବ ?

 

ହଁ, ସୁଦୀପ୍ତଙ୍କ କଥା କହୁଛି । ମୁଁ ସେମିତି ଛିଡ଼ା ହୋଇ ଚାହିଁ ରହିଥିଲି ତାଙ୍କ ସୁସୁପ୍ତ ମୁଖମଣ୍ଡଳ ଆଡ଼େ । ସେ ନିଶ୍ଚିନ୍ତରେ ଶୋଇ ଯାଇଛନ୍ତି । କେରାଏ କେଶ ତାଙ୍କ କପାଳରେ ଝୁଲି ପଡ଼ିଥାଏ । ଭାବିଲି ସୁଦୀପ୍ତଙ୍କୁ ଚୁମ୍ବନ କରିବି ।

 

ନା, ଜୀବନ ! ସେ ଶକ୍ତି ମୋର ଆଉ ନଥିଲା । ସେଥିପାଇଁ ଅବଶ୍ୟ ତୁମଙ୍କୁ ଏକାନ୍ତ ଭାବରେ ଦାୟୀ କରିବା ଭଳି ଭୁଲ ମୁଁ କରୁନାହିଁ । ସୁଦୀପ୍ତଙ୍କ ଶଯ୍ୟାଧାରରେ ବସି ମୁଁ ଭାବୁଥିଲି ତୁମରି କଥା-କମ୍‌ ହସ ଲାଗୁନାହିଁ । ମୋ ସ୍ୱାମୀ, ମୋ ସଂସାର ସତେ ସବୁ ଯେମିତି ପଛରେ ରହି ଯାଉଥିଲେ । ଆଉ ତୁମେ ଏକାନ୍ତ ଭାବେ ଘନିଷ୍ଠ ହୋଇ ଉଠୁଥିଲ ।

 

ନା, ନା, ଭୁଲ-ଏସବୁ ନିରାଟ ମିଛ । ଜୀବନ, ତୁମେ କିଏ ? ସୁଦୀପ୍ତଙ୍କର ବନ୍ଧୁ ତ ! ଆଉ ସୁଦୀପ୍ତ ମୋର ସ୍ୱାମୀ । ତାଙ୍କ ଆକ୍ଷିରେ ଧୂଳିର ପରଦା ଢାଙ୍କି ମୁଁ ବୋଧହୁଏ ତୁମ ପ୍ରତି ଆକୃଷ୍ଟ ହୋଇ ପଡ଼ୁଛି । ହେଇ, ମନେକର ଆଜି ଆକସ୍ମିକ ଭାବରେ ତୁମେ ମୋତେ ତୁମ ଦୁଇ ବାହୁର ନିବିଡ଼ ଆଶ୍ଲେଷ ମଧ୍ୟରେ ହୁଏତ ରଖିବାକୁ ଚେଷ୍ଟା କରି ଥାଆନ୍ତ । ଇସ୍‌, କି କଦର୍ଯ୍ୟ ! ନା, ଜୀବନ ! ଏ କଥା ମୁଁ ଭାବି ପାରୁନାହିଁ । ଅଥଚ ୟା ପୂର୍ବରୁ କେବେ ଇମିତି ମୁଁ ଅନୁଭବ କରି ନଥିଲି-

 

ତୁମର ମନେଥିବ ଜୀବନ । ସେଦିନ ଜ୍ୟୋତ୍ସ୍ନାର ନିର୍ମେଘ ଆକାଶ ତଳେ ସୁଦୀପ୍ତ, ତୁମେ ଆଉ ମୁଁ କ୍ୱାଟର୍ସର ସବୁଜ ଲନ୍‌ରେ ବସି ଗୁଡ଼ାଏ ଅଳସ ଆଲୋଚନା କରୁଥିଲେ । ରାତି ସେମିତି କିଛି ଡେରି ହୋଇ ନ ଥିଲା । ସୁଦୀପ୍ତ ଉଠି ଆସିଲେ । ମୋ ମନ ହଠାତ୍‌ କରୁଣ ହୋଇଗଲା । ମୁଁ କହିଲି–ତୁମେ ଆଉ ଟିକିଏ ବସ ।

 

ସୁଦୀପ୍ତ ହସିଲେ–ଦେଖିଲୁ ତ ଜୀବନ । ବିବାହ କରିବା ପରେ ସ୍ତ୍ରୀର ମନ ପାଖରେ ପୂରାପୂରି ଆତ୍ମ ସମର୍ପଣ କରିବା ଉଚିତ୍‌, ନଚେତ୍‌ ବୈବାହିକ ଜୀବନରେ ଝଡ଼, ଝଞ୍ଜା ଘନେଇ ଆସେ ।

 

ଓଃ, ଏସବୁ କଣ କହି ଯାଉଛନ୍ତି ସୁଦୀପ୍ତ ! ମୁଁ ଅଭିମାନରେ ଫାଟି ପଡ଼ୁଥିଲି । ତୁମେ ବୁଝିନେଲ, ଜୀବନ; କିନ୍ତୁ ସେ ବୁଝିଲେନି । ଉଠି ଚାଲିଗଲେ । ସେମିତି ଯାଉ ଯାଉ କହିଲେ–ତୁ ଏଥର ଶିଖାକୁ ସମ୍ଭାଳ, ଜୀବନ । ଏ ଜ୍ୟୋତ୍ସ୍ନାର ଚାନ୍ଦୁଆ ତଳୁ ଯଦି ସେ ମୋ ଅନ୍ଧକାର ପ୍ରକୋଷ୍ଠରେ ପ୍ରବେଶ କରେ, ତେବେ ଆଉ ରକ୍ଷା ନାହିଁ ।

 

ତାଙ୍କ ସଙ୍ଗେ ତାଳ ଦେଇ ତୁମେ ହସିଲ । ମୁଁ କିନ୍ତୁ କାନ୍ଦି ପକାଇଲି । ତୁମେ ବୁଝାଇଲ, କଲେଜ ଛାଡ଼ିବା ପରେ ଏ ଚାକିରି ଜୀବନରେ ସୁଦୀପ୍ତ କୁଆଡ଼େ ଏକଦମ୍‌ ବଦଳିଗଲେ । ଆଉ ସେଇ ସନ୍ଧ୍ୟାରେ ତୁମର ପ୍ରସ୍ତାବ-ଆସ, ଶିଖା, ମୁଁ ଗାଡ଼ି ବାହାର କରୁଛି । ସମୁଦ୍ରକୂଳ ଆଡ଼ୁ ଟିକିଏ ବୁଲି ଆସିବା ।

 

ହଁ, ଜୀବନ, ତାଙ୍କ ଉପରେ ଏତେ ରାଗ ସତ୍ତ୍ୱେ ସମୁଦ୍ରକୂଳର ନାଁ ଶୁଣି ପିଲାଙ୍କ ପରି ମୁଁ ନାଚି ଉଠିଲି । ସତେ, ଜୀବନ, ତୁମେ ନେଇଯାଇ ପାରିବ !!! ତୁମ ସଙ୍ଗେ ସେଇ ସାଗରବେଳାରେ ମୁଁ କେତେ ସମୟ ବସି ରହିଥିଲି କେଜାଣି ! ତୁମେ କି ସୁନ୍ଦର ଗୀତ ଗାଇପାର । ଗୋଟିଏ ପରେ ଗୋଟିଏ ତୁମେ ଗାଇ ଚାଲିଥିଲ । ଆଶ୍ଚର୍ଯ୍ୟ ତୁମର ଶକ୍ତି । ତୁମଙ୍କୁ ଦେଖି ଦେଖି ମୁଁ ଭାବେ ମୁଁ ଯଦି ତୁମ ପରି ଆକାଶବାଣୀର ଶ୍ରେଷ୍ଠ ଶିଳ୍ପୀ ହୋଇ ପାରନ୍ତି ନା...ହଁ, ମନେ ପଡ଼ୁଛି । ସେଇଦିନଠାରୁ ମୁଁ ତୁମ ସଙ୍ଗେ ଆହୁରି ଘନିଷ୍ଠ ହୋଇ ପଡ଼ିଲି ।

 

ଆଚ୍ଛା, ଜୀବନ, ତୁମର ମନେପଡ଼େନା ଏ ସବୁ ? ନିତି ସନ୍ଧ୍ୟାର କମନୀୟ ଲଗ୍ନରେ ତୁମର ବନ୍ଧୁତ୍ୱ ମୋତେ ପରୀ ରାଇଜର ରୂପକଥା ଶୁଣାଉ ଥିଲା । ମୋତେ ବଞ୍ଚାଇ ଦେଲ ତୁମେ । ତୁମ, ମୋର ଏଇ ନିର୍ଦ୍ଦୋଷ ବନ୍ଧୁତ୍ୱ ହୁଏତ ଆଉ କେଉଁ ସ୍ୱାମୀର ଆକ୍ଷିରେ ବିଷର ଅଞ୍ଜନ ବୋଳି ଦେଇଥାଆନ୍ତା; କିନ୍ତୁ ସୁଦୀପ୍ତ...ସେମିତି ନିର୍ଲିପ୍ତ । ଦିନେ ମୁଁ ତାଙ୍କୁ ଏ ବିଷୟରେ ପଚାରିଲି । ସେ କଣ କହିଲେ ଜାଣ ?

 

-ତୁମେ ମୋ ସ୍ତ୍ରୀ, ଶିଖା ଆଉ ଜୀବନ ମୋର ବନ୍ଧୁ । କୁହ ତ କାହାକୁ ଅବିଶ୍ୱାସ କରିବି-?

 

ଜାଣିଛ ଜୀବନ, ସେତେବେଳେ ସୁଦୀପ୍ତଙ୍କର ମୁଖମଣ୍ଡଳ ଆହୁରି ଉଜ୍ଜ୍ୱଳ ଦେଖା ଯାଉଥିଲା । ମୋ ଆକ୍ଷି ଛଳଛଳ ହୋଇ ଉଠିଲା । ତାଙ୍କର ପ୍ରଜ୍ଞା, ଦୂରଦୃଷ୍ଟି ଆଗରେ ମୁଁ କେତେ ନଗଣ୍ୟ । ମୋତେ ସେ ନିକଟତର କରି ଆଣି କହୁଥିଲେ-ଏସବୁ ବାଜେ ଚିନ୍ତା । ଏଥିରେ ମନ ସଂକୀର୍ଣ୍ଣ ନ କରି ଯାହା ଚିରନ୍ତନ, ଶାଶ୍ୱତ, ତାରି ପ୍ରତି ମନୋନିବେଶ କର । ତୁମେ ବୋଧହୁଏ ଜାଣି ନାହଁ, ଶିଖା, ଏଇ ଅନୁସନ୍ଧିତ୍ସା ମୋତେ ବହୁକ୍ଷଣ ଅନ୍ୟମନସ୍କ କରେ ।

 

ବୁଝିଲ ଜୀବନ, ମୁଁ ସତେ କି ବୌଦ୍ଧବାଣୀ ଶୁଣୁଥିଲି । ଆଉ ତୁମେ ଯଦି ଠିକ୍‌ ସେଇ ମୁହୂର୍ତ୍ତରେ ଆସି ପହଞ୍ଚି ନ ଥାଆନ୍ତ, ମୁଁ ତ ପ୍ରାୟ ବୌଦ୍ଧ ଭିକ୍ଷୁଣୀ ସାଜିବାକୁ ଯାଉଥିଲି ସେଦିନ । ଆଚ୍ଛା, ଗୋଟିଏ କଥା ପଚାରିବି ଜୀବନ ? ଅନେକ ଚେଷ୍ଟା କଲି; କିନ୍ତୁ କାହିଁ ଏତେ ଦିନର ପୃଷ୍ଠା ଲେଉଟେଇ ତୁମର ଏଇ ଦୁର୍ବଳ ରୂପଟା ତ ମୁଁ କେବେ ଦେଖି ପାରିଲିନି । ତେବେ କାହିଁକି, କାହିଁକି ତୁମେ ମୋର କର ସ୍ପର୍ଶ କଲ ? ଉତ୍ତର ଦିଅ, ଜୀବନ । ଛିଃ, ତୁମ ମନର ଏଇ ଆବିଳତା ପାଇଁ ତୁମଙ୍କୁ ଟିକିଏ ଦୁଃଖ ଲାଗେନା ! ଅନୁତପ୍ତ ବି ଲାଗେନା ?

 

ନା-ନା-ଜୀବନ, ତୁମେ ଆବିଳ ହୋଇପାରନା, ତୁମେ ଭଲ, ସୁଦୀପ୍ତ ବି ଭଲ, ଆଉ ମୁଁ.... । ମୋ ମନର ଏଇ ଅସହ୍ୟ ଜ୍ଜ୍ୱଳନକୁ ଯଦି ନିର୍ବାପିତ କରିଦିଏ, ତେବେ ମୁଁ ବି ଭଲ ଜୀବନ । ମୋ ମନର ପରଦାରେ କିନ୍ତୁ ସେ ଦୃଶ୍ୟର ପଟ୍ଟପରିବର୍ତ୍ତନ ହୋଇପାରୁନି । ସେଇ ଦୃଶ୍ୟ-ତୁମେ ଆଗେଇ ଆସୁଥିଲ । ଆଉ ଅତ୍ୟନ୍ତ ଆବେଗରେ ମୋ ହାତ ତୁମ ହାତରେ ଚାପି ରଖି ଅଶାନ୍ତ ଦୃଷ୍ଟିରେ ଚାହିଁ ରହିଥିଲ ମୋତେ । କିନ୍ତୁ ଜୀବନ, ତଥାପି ତୁମେ ନିଜକୁ ସଂଯତ ରଖି ପାରିଥିଲ । ଯଦି ସଂଯମର ସୀମା ଟପିବାକୁ ତୁମେ ଟିକିଏ ଚେଷ୍ଟା କରି ଥାଆନ୍ତ, ତା’ହେଲେ ତୁମଙ୍କୁ ମୁଁ କଦାପି କ୍ଷମା କରି ପାରି ନ ଥାନ୍ତି । ନା, ନା...କଦାପି ନୁହେଁ । ବାସ୍ତବିକ ତୁମେ ଆଉ ଆଗେଇ ପାରିଲ ନି । ତୁମେ କେତେ ଭଲ, ଜୀବନ, ତୁମେ କେତେ ଭଲ ! ମୁଁ ଖାଲି ଏଇୟା ଭାବୁ ଭାବୁ ତୁମର ହାତ ଚୁମ୍ବନ କଲି ।

 

ତୁମେ କୁହ ସୁଦୀପ୍ତ, ମୁଁ କଣ ପାପ କଲି ? କୁହନା...ନିଦ୍ରା ତେଜି ଥରେ ମୋତେ ଚାହିଁ ଦେଖ ସୁଦୀପ୍ତ । ଆକ୍ଷିରେ ମୋର ଅଶ୍ରୁର ବନ୍ୟା ! ମୋ ମନ ହୃଦୟ ସବୁ ତୁମେ ଅଧିକାର କରି ବସିଛ । ମୁଁ ଏକାନ୍ତ ଭାବେ ତୁମର । ଅନାବିଳ ବନ୍ଧୁତ୍ୱ ଛଡ଼ା ଜୀବନକୁ ମୁଁ କିଛି ହିଁ ଦେଇପାରେନା । ସେଇ ଗୋଟିଏ ମୁହୂର୍ତ୍ତ ଲାଗି ଜଳି ଜଳି ମୋ ମନର ସମସ୍ତ କଳୁଷତା ମୁଁ ଜାଳି ଦେଲିଣି ସୁଦୀପ୍ତ । ମୁଁ ଶିଖା, ତୁମର ପତ୍ନୀ । ତୁମେ ମୋତେ ଏଥର କ୍ଷମା କର ।

 

ଜୀବନ, ଏଇ ରାତ୍ରିରେ ତୁମ, ମୋ ମନରେ ଯଦି କିଛି ଆବିଳତା ଥାଏ, ତା କେବଳ ରାତ୍ରିଟି ପାଇଁ ହିଁ ରହୁ । ତୁମେ ଫେରି ଆସ ଜୀବନ । ଫେରିଆସୁ ଆମର ପୂର୍ବଦିନ ଗୁଡ଼ିକ ।

 

ରାତ୍ରି ବଢ଼ୁଛି । ସୁଦୀପ୍ତ ସୁନିଦ୍ରାରେ ଅଚେତନ । ମୋ ଆକ୍ଷିରେ ତନ୍ଦ୍ରାର ପ୍ରଲେପ ଗାଢ଼ ହୋଇ ଆସିଲାଣି । ତୁମକୁ ମୋ ଅନୁରୋଧ ଜୀବନ, ତୁମେ ଶୋଇଯାଅ ।

Image

 

ଅବ୍ୟକ୍ତ

 

ମୁଁ ପାଗଳ ହୋଇ ଯାଇଥିଲି । ଜୀବନବ୍ୟାପୀ ନୀରବ ସାଧନାର ଏଇ ଚରମ ବିଫଳତା, ମୋ ମନର ଅସୀମ ଗ୍ଲାନି...ଓଃ...ଏଇ ସାଗରର ଦିଗନ୍ତବିସ୍ତାରୀ ଜଳରାଶିରେ ମୁଁ ଯଦି ଅନନ୍ତ କାଳ ଧରି ଭାସି ଭାସି ଚାଲନ୍ତି !!! ଢେଉମାନେ ଶୁଣନ୍ତେ ମୋ ଅନ୍ତରର ମର୍ମସ୍ପର୍ଶୀ କ୍ରନ୍ଦନ...ମୁଁ ଅସହାୟ, ନିରୁପାୟ, ନିହାତି ଏକାକୀ ।

 

ସେଦିନ ସେଇ ମଧ୍ୟାହ୍ନର ପ୍ରାରମ୍ଭରେ ସ୍ନିଗ୍‌ଧା ମୋ ସାନ ଭଉଣୀ ହଠାତ୍‌ ଆସି ଖବର ଦେଲା ।

 

-ଭାଇ, ରଞ୍ଜନଭାଇ ବାପାଙ୍କୁ ଚିଠି ଦେଇଛନ୍ତି । ଏ ମାସରେ ସେ ଫେରୁଛନ୍ତି ।

 

ରଞ୍ଜନ ବାପାଙ୍କୁ ଲେଖିଛି ? କାହିଁକି ?? ମୁଁ ତାକୁ କିଛି ଉତ୍ତର ଦେଇ ନଥିଲି । ସ୍ନିଗ୍‌ଧା ଜାଣି ନଥିଲା ଯେ ଖୁସି ହେବା ପରିବର୍ତ୍ତେ ମୁଁ ଅନୁଭବ କରୁଛି ତୀବ୍ର ବ୍ୟଥା । ଯନ୍ତ୍ରଣାର ଏକ ସମ୍ମୋହନ ଶକ୍ତିରେ ମୋର ବାକ୍‌ଶକ୍ତି ବାଧାପ୍ରାପ୍ତ ହୋଇଥିଲା ।

 

ରଞ୍ଜନ ବିଦେଶରୁ ଫେରୁଛି ବିଶେଷ ଯୋଗ୍ୟତାର ସହ । ସେ ଥିଲା ମୋର ସହପାଠୀ-। ସେ କ’ଣ ପଢ଼େ ମୁଁ ଜାଣେନା, କିନ୍ତୁ ପ୍ରତ୍ୟେକ ବର୍ଷ ସେ ପାଶ୍‌ କରି ଯାଉଥିଲା, କପି କରି ହେଉ ନଚେତ୍‌ ପାଟିତୁଣ୍ଡ କରି । କେବେ କେବେ ମଧ୍ୟ ଶିକ୍ଷକ ବା ପରୀକ୍ଷକମାନଙ୍କୁ ଧମକ ଦେଇ ସେ କାର୍ଯ୍ୟ ହାସଲ କରୁଥିଲା । ଫେସନ କରିବା, ଝିଅମାନଙ୍କ ପଛରେ ଗୋଡ଼ାଇ ଅଶ୍ଳୀଳ ମନ୍ତବ୍ୟ ଦେବା–ଏସବୁ ଥିଲା ରଞ୍ଜନଦଳୀୟ ପିଲାଙ୍କ ପ୍ରଧାନ କାମ । ତା’ଛଡ଼ା ‘‘କେବଳ ବୟସ୍କଙ୍କ ପାଇଁ’’ ଲେଖାଥିବା କୌଣସି ଚଳଚ୍ଚିତ୍ର ସେମାନଙ୍କ ଦୃଷ୍ଟିରୁ ବାଦ ଯାଏନା ।

 

ମୁଁ ଥିଲି ଏ ସବୁର ବିପରୀତ । ଶୀତ ସକାଳର ଉଷ୍ମତା ଅନୁଭବ କରିବା ମୋ ଭାଗ୍ୟରେ କେବେ ନ ଥିଲା । ବାପାଙ୍କ ଆଦର୍ଶ ଶିକ୍ଷା ଆମ ଭାଇ ଭଉଣୀଙ୍କ ଚରିତ୍ର ଗଠନର ସହାୟତା କରିଥିଲା । ସେ ଥିଲେ ଜଣେ ଆଦର୍ଶ ଅଧ୍ୟାପକ । ସୀମିତ ବେତନରେ ଘର ଚଳାଉଥିଲେ ମା । ଆମ ଚାରି ଭାଇଭଉଣୀଙ୍କର ଆତ୍ମନିର୍ଭରଶୀଳତା, କର୍ତ୍ତବ୍ୟବୋଧ ଜ୍ଞାନ ଯଥେଷ୍ଟ ଥିବାରୁ ଘରେ ଅଶାନ୍ତି, ଅସନ୍ତୋଷର ବହ୍ନି ପ୍ରଜ୍ଜ୍ୱଳିତ ହୋଇ ଥିବାର ମୋର ଅନ୍ତତଃ ମନେ ପଡ଼ୁନାହିଁ । ସ୍କୁଲ ପରେ କଲେଜରେ ପହଞ୍ଚି ବହୁ ରଞ୍ଜନକୁ ମୁଁ ଆବିଷ୍କାର କରିଥିଲି । ରଞ୍ଜନ ମିଶିଗଲା ସେ ସ୍ରୋତରେ । ନିଜକୁ ମୁଁ ଆହୁରି ନିଃସଙ୍ଗ ମନେ କଲି, କିନ୍ତୁ ବାପାଙ୍କର ସେଇ ଉପଦେଶ–ଛାତ୍ରାଣାଂ ଅଧ୍ୟୟନଂ ତପଃ-ହଁ, ଅଧ୍ୟୟନ ପାଇଁ ସବୁ ସହି ଯାଉଥିଲି ମୁଁ । ଆଉ ସରୀତା-!!!

 

(ଦୀର୍ଘଶ୍ୱାସର କି ତୀବ୍ର ଯନ୍ତ୍ରଣା ! ଆଉ ପାରୁ ନି ମୁଁ ।)

 

ବାପାଙ୍କର ଜଣେ ଅନ୍ତରଙ୍ଗ ମୃତ ବନ୍ଧୁଙ୍କର ଏକମାତ୍ର କନ୍ୟା, ସରୀତା । ସହରରେ ତା’ର ସମସ୍ତ ଦାୟିତ୍ୱ ବହନ କରିଥିଲେ ବାପା । ଶାନ୍ତ, ସରଳ, ସୁଶ୍ରୀ ଏଇ ସରୀତା ମୋ ମନର ଏକ ନିର୍ଦ୍ଦିଷ୍ଟ ସ୍ଥାନ ଅଧିକାର କରିଥିଲା ।

 

-ରୀତା, ତୁମେ ଏମାନଙ୍କୁ ପସନ୍ଦ କର ?

 

-ଛିଃ, ମୋଟେ ନୁହେଁ । ବାପା, ମା’ଙ୍କ ପଇସା ନଷ୍ଟ କରି କାହିଁକି ଏମାନେ ପାଠ ପଢ଼ନ୍ତି-?

 

ତା’ପରେ ଯୁବ ବିଶୃଙ୍ଖଳା ଉପରେ ଆମର ଗଭୀର ଆଲୋଚନା । ଆଲୋଚନା ଘୂରି ଆସେ ମା’ମାନଙ୍କ ପ୍ରତି । ପିଲାଦିନରୁ ଯଦି ପ୍ରତ୍ୟେକ ମା’ ଯତ୍ନ କରନ୍ତେ....ହୁଏତ ସରୀତା ଲାଜେଇ ଯାଏ ମୋର କ’ଣ ସବୁ ମନ୍ତବ୍ୟ ଶୁଣି ।

 

ରୀତା, ତୁମେ କ’ଣ କିଛି ବୁଝିଲିନି । ଆଉ ମୋ ବାପା, ମା !!! ସବୁ ଆଦର୍ଶର ସମାଧି ଦେବାକୁ ମୁଁ ଧାଇଁ ଆସିଛି ଏଇଠିକୁ ।

 

ନା-ରୀତାର ମନରେ ଆଲୋଡ଼ନ ସୃଷ୍ଟି କରିବାକୁ ମୁଁ ଚାହିଁ ନ ଥିଲି । ସେ ଛାତ୍ରୀ, ମୁଁ ବି ଛାତ୍ର । ମୋର ବିଶ୍ୱାସ ଥିଲା ସେ ମୋତେ ବୁଝେ ।

 

(ଆଃ, ନା-ଭୁଲ ହୋଇଗଲା)

 

ଆପାତତଃ ସରୀତା ନେଇ ମୋ ମନର ଅସ୍ଥିରତା ବନ୍ଦ ରହୁ ।

 

ସଂବିତ୍‌ ମୋ ସାନଭାଇ, ସେତେବେଳେ ପ୍ରି-ୟୁନିଭରସିଟି କଳାର ଛାତ୍ର ବୋଧହୁଏ । ଆଶ୍ଚର୍ଯ୍ୟ ପ୍ରକାର ପିଲା । ଅସତ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ କେବେ ପଛେଇ ନାହିଁ ସେ-। କିନ୍ତୁ ସେ କ’ଣ ପୁରସ୍କାର ପାଇଲା ? ଛୁରୀକା ଘାତରେ ସେ ଆହତ ହୋଇ ଯେଉଁଦିନ ଘରକୁ ଫେରିଲା, ବାପା, ମା ବ୍ୟଥିତ ହୋଇ ପଡ଼ିଥିଲେ । ତା’ର ଭୁଲ ?

 

ଅଧ୍ୟାପକ ସମର ସେନ୍‌ଙ୍କ କ୍ଲାସରେ କେତେକ ଛାତ୍ର ଅତ୍ୟଧିକ ଗଣ୍ଡଗୋଳ ସୃଷ୍ଟି କରିବାରୁ ସେ ସେମାନଙ୍କୁ ଶାସ୍ତି ଦେବାକୁ ଧମକାଇଥିଲେ । ସେଇ ଛାତ୍ରମାନେ ସମର ସେନଙ୍କ ପାଇଁ ପ୍ରତିଶୋଧର ଚକ୍ରାନ୍ତ କରିବା ସମୟରେ ସନ୍ଧାନ ପାଇଥିଲା ସଂବିତ୍‌ । ଅଧ୍ୟାପକଙ୍କୁ ସତର୍କତା ଅବଲମ୍ବନ ପାଇଁ ସେ ଯଥାସମୟରେ ଜଣାଇଥିଲା । ତାରି ଫଳରେ ସେ ପାଇଲା ଛୁରୀକାଘାତ ।

 

(ସଂବିତ୍‌, ଆଜିକା ଦିନ ହୋଇଥିଲେ ସେଇ ଅସାମାଜିକ ପିଲାମାନଙ୍କର ମୁଁ ଉପଯୁକ୍ତ ବ୍ୟବସ୍ଥା କରିପାରିଥାନ୍ତି !)

 

ବାପା ପଚାରିଲେ, ‘‘ସୁଧୀର’’ ।

 

-ମତେ ଡାକିଲେ ?

 

-କ’ଣ ଭାବୁଛୁ ?

 

-ପ୍ରତିକାର ।

 

-କିଛି ହିଁ କରାଯାଇ ପାରିବ ନାହିଁ । ଏମାନେ ହିଂସ୍ର, ଦୁର୍ଦ୍ଦାନ୍ତ ।

 

-ଆମେ ବି ହିଂସ୍ର ହେବା, ବାପା ।

 

-ପରିଣତି ବିଷମୟ ହେବ, ସୁଧୀର ।

 

ତା’ପରେ ଆମର ନୀରବତା । ବାପାଙ୍କର ବାଧ୍ୟ ସନ୍ତାନ ସାଜି ତାଙ୍କ ନିର୍ଦ୍ଦେଶରେ ମୁଁ ଯାଇଥିଲି ରଞ୍ଜନକୁ ଡାକି । ବାପାଙ୍କର ସବୁ ପ୍ରକାର ବୁଝାସୁଝା ସତ୍ତ୍ୱେ ମଧ୍ୟ ରଞ୍ଜନ ଅଦ୍ଭୁତଭାବେ ଯୁକ୍ତି କରିଥିଲା ତାଙ୍କ ସଙ୍ଗେ ।

 

-ସଂବିତ୍‌କୁ ଆପଣ ସାବଧାନ କରାନ୍ତୁ, ମଉସା । ତା’ର ଏପରି କରିବା ଯେ ଭୀଷଣ ଭୁଲ ହୋଇଛି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

 

ସେ ଚାଲି ଯାଇଥିଲା ଭାରି ପଦକ୍ଷେପରେ । ଆଉ ସତର୍କ କରି ଦେଇଥିଲା ସଂବିତ୍‌କୁ, ଆମ ସମସ୍ତଙ୍କୁ ମଧ୍ୟ । ଭୀରୁ ଭଳି ଆମେ ଚାହିଁ ରହିଥିଲୁ ତା’ର ଗତିପଥକୁ ।

 

(ଆଃ, ମୁଁ ହାତ ମୁଠା, ମୁଠା କରୁଛି ତାହା ଉଦ୍ଦେଶ୍ୟରେ ? )

 

ସାଇନ୍‌ସ୍‌ ଗ୍ରାଜୁଏଟ ହେବା ପରେ ରଞ୍ଜନ କୌଣସି ଏକ ଘରୋଇ ପ୍ରତିଷ୍ଠିତ କମ୍ପାନୀରେ ଅକ୍ଲେଶରେ ନିଯୁକ୍ତି ପାଇଗଲା । ତାର ଯୋଗ୍ୟତା ତା’ ମାମୁଁଙ୍କ ଚେଷ୍ଟା ତୁଳନାରେ ବିଶେଷ କିଛି ନ ଥିଲା । କମ୍ପାନୀର ଜଣେ ବଡ଼ ଅଫିସର ସେ । ତାଙ୍କରି ଚେଷ୍ଟାରେ ରଞ୍ଜନ ଗଲା ଆମେରିକା ବିଶେଷ ଯୋଗ୍ୟତା ଅର୍ଜନ ପାଇଁ ।

 

ଆଉ ମୁଁ....ପୋଷ୍ଟ ଗ୍ରାଜୁଏଟ କରିବା ପରେ ଏଇ ଦୁଇ ବର୍ଷ ଧରି କେବଳ ବେକାରୀକୁ ସାଥି କରିଛି । ୟୁନିଭର୍‌ସିଟିର କୃତୀ ଛାତ୍ର ମୁଁ, ମୋ ମନର ସମସ୍ତ ଆଶା ଧ୍ୱଂସସ୍ତୂପରେ ପରିଣତ । ୟା ପରେ ପାଉଁଶକୁ ଖୋଜି ମୁଁ ପାଇଛି ଗୋଟାଏ ନିର୍ମଳ ଅତୀତ, ଯାହାର ମୂଲ୍ୟ କିଛି ହିଁ ନାହିଁ । ଏ ଯୁଗ ମୋତେ ପ୍ରତ୍ୟାଖ୍ୟାନ କରି ସ୍ମୃତିର ଅଳିଆ ଗଦାରେ ନିକ୍ଷେପ କରିଛି ।

 

(ଆଃ.....କି ଯନ୍ତ୍ରଣା !)

 

ସରୀତା, ତୁମେ ଭାବିଛ ମୁଁ ବ୍ୟର୍ଥ ପ୍ରେମିକ ସାଜି ଗୁଡ଼ାଏ ରମ୍‌, ହୁସ୍କି, ବ୍ରାଣ୍ଡି ବୋତଲ ଶୂନ୍ୟ କରୁଥିବି, ଅଥଚ ରଞ୍ଜନ ହାତରେ ହାତ ଛନ୍ଦି ତୁମେ ଉପଭୋଗ କରୁଥିବ ଯୁଗ୍ମଜୀବନ ।

 

ନା, ନା, କେବେହେଲେ ହୋଇ ପାରେନା । ଆଃ, ସେଇ ଚିଠି !

 

-ମଉସା, ମୁଁ ଫେରୁଛି ଏଇ ମାସରେ । ଆପଣଙ୍କ ଆଶୀର୍ବାଦକୁ ପାଥେୟ କରି ନିଜକୁ ମୁଁ ସଜାଡ଼ି ନେଇଛି । ଆଶାକରେ ସରୀତାକୁ ମୋ ହାତରେ ଟେକି ଦେବାକୁ....

 

-ବାପା !

 

-ହଁ, ସୁଧୀର, ସେ ଯଥେଷ୍ଟ ବଦଳିଛି ।

 

-କିନ୍ତୁ.....

 

-ସରୀତା ହିଁ ତା’ ପାଇଁ ଉପଯୁକ୍ତ । ରଞ୍ଜନ ଜୀବନର ଅବଶିଷ୍ଟାଂଶକୁ ସେ ଗଢ଼ି ତୋଳିବ ସୁନ୍ଦର କରି ।

 

ବାପା ଚାଲି ଯାଇଥିଲେ । ଓଃ, ଆଉ ପଦେ କଥା, ବାପା, ମୋ ଅନ୍ତରର କଥା, ଶୁଣିବେ ନାହିଁ ? ମୁଁ ଆପଣଙ୍କର ସେଇ ଚିର ବାଧ୍ୟ ସନ୍ତାନ ସୁଧୀର, ଅଳି କରୁଛି ପ୍ରଥମ ଥର ପାଇଁ । ସରିତା, ହଁ, ହଁ ବାପା....ରଞ୍ଜନ ଯାହା ଚାହେଁ, ମୁଁ ବି ସେଇୟା...

 

ଓଃ, ତଣ୍ଟି ପାଖରେ କି ଅସହ୍ୟ ଯନ୍ତ୍ରଣା ! ମୁଁ କହିବି ନିଶ୍ଚୟ ସବୁ ସତ୍ତ୍ୱେ ।

 

ପାରିଲିନି...କିଛି ବି କହି ପାରିଲିନି । ପାଗଳ ମୁଁ, ଗୋଟାଏ ବଦ୍ଧ ପାଗଳ, ନିପଟ ବୋକା ।

 

ଏ ଦଗ୍‌ଧ ମନର ଧୂସର ବନାନୀରେ କେବଳ ଶୂନ୍ୟତାର ଝଡ଼ ମଥା ପିଟୁଛି । ମୁଁ ସୁଧୀର ଦାସ ମୋ ଆଦର୍ଶମାନଙ୍କୁ ସାଥି କରି ଚାଲିଛି । ଚାଲିଥିବି ଜୀବନର ଦିଗ୍‌ବଳୟ ଯାଏଁ ।

Image

 

ସ୍ଥିର ତରଙ୍ଗ

 

ରାତି ପାହିବାକୁ ଆହୁରି ଡେରିଥିଲା । ନିସ୍ତବ୍‌ଧତାର ଅନ୍ଧକାରରେ ଅସଂଖ୍ୟ ତାରାମାନଙ୍କର ରାଜତ୍ୱ । ଆକାଶ ନିର୍ମଳ । ସକାଳ ହେବ ସୁନ୍ଦର ଆଉ ଶାଶ୍ୱତ । ପ୍ରଭାତର ପ୍ରଥମ ସୂର୍ଯ୍ୟରଶ୍ମିକୁ ପ୍ରାଣଭରି ଉପଭୋଗ କରିବାର ଅସୀମ ଲିପ୍‌ସା ରାମଶଙ୍କରଙ୍କର । ନିଜ ଦେହ ମନର ସମଗ୍ର ସତ୍ତାରେ ଧରି ରଖିବେ ସେଇ ସୂର୍ଯ୍ୟକିରଣ ସବୁକୁ ।

ନିଦ ଭାଙ୍ଗିଯିବାରୁ ସେ ମନେ କରିଥିଲେ ପାଖ ଝରକାଟି ଖୋଲି ଆଉ ଟିକିଏ ଦେଖନ୍ତେ ଶାନ୍ତ ସକାଳର ଦୃଶ୍ୟ । ନା, ଖାଲି ଅନ୍ଧାର । ଝରକା ଫାଙ୍କରେ ଆକାଶର କିଛି ଅଂଶକୁ ଚାହିଁ ଚାହିଁ ନିଶ୍ଚୁପ ହୋଇ ପଡ଼ି ରହିବା ଛଡ଼ା ଅନ୍ୟ ଉପାୟ ନ ଥିଲା ତାଙ୍କର । ଛୋଟ ବି ପୟ ଉପରେ ସାଇତା ହୋଇ ରହିଛି କେତେ ଖଣ୍ଡ ପ୍ରାର୍ଥନା, ଭଜନର ବହି । କିନ୍ତୁ ଚେଷ୍ଟା କରି ତ ଖଟରେ ଉଠି ବସି ହେଉନାହିଁ । ଆଉ ପ୍ରାର୍ଥନା କରିବେ କିମିତି ? ତଥାପି ମନର ବଳ ଅଦ୍ୟମ ।

ରାମଶଙ୍କର ଭାବୁଛନ୍ତି କେହି ଯଦି ତାଙ୍କୁ ଏ ବିଛଣାରେ ଧରି ବସେଇ ଦିଅନ୍ତା, ହାତ ପାଖରେ ବହି କେତେ ଖଣ୍ଡ ପାଇଗଲେ ପ୍ରାର୍ଥନା କରି ସେ ସବୁ ଯନ୍ତ୍ରଣା ଭୁଲି ପାରନ୍ତେ । ମୁଣ୍ଡଟା ଭାରି ଭାରି ଲାଗୁଛି । ତଥାପି ଉଚ୍ଚାରଣ କରୁଥିଲେ ସେ ବାରମ୍ବାର–

‘‘ଈଶାବାସ୍ୟମ୍‌ ଇଦମ୍‌ ସର୍ବମ୍‌

ଯତ୍‌ କିଂ ଚ ଜଗତ୍ୟାଂ ଜଗତ୍‌ ।

ତେନ ତ୍ୟକ୍ତେନ ଭୁଂଜୀଥାଃ

ମା ଗୃଧଃ କସ୍ୟଚିତ୍‌ ଧନମ୍‌ ।’’

 

ମନ ପ୍ରଫୁଲ୍ଲ ହେଲା କ୍ଷଣକ ପାଇଁ । ପରେ ପରେ ପୁଣି ଉଃ ଆଃ ହେବାରେ ଲାଗିଲେ ସେ ।

 

ଓଃ, ଦିନ ଦୁଇଟା ଭିତରେ ହଠାତ୍‌ କି ଜର ମାଡ଼ି ଆସିଲା ତାଙ୍କୁ । କେବେ ସେ ଆଶା କରି ନଥିଲେ ଏଠି ଆସି ଏକା ଏକା ପଡ଼ି ଏମିତି କଷ୍ଟ ପାଇବେ ବୋଲି ।

 

ଏକା କିଏ ? ସେ ! ତାଙ୍କର ସମସ୍ତେ ଅଛନ୍ତି ବୋଲି ତ କାହାରି କଥା ନ ଶୁଣି ତରତର ହୋଇ ପଳାଇ ଆସିଥିଲେ ସେ । ଅଥଚ ଦୁଇଦିନ ହେଲା ସେ ଘରୁ ବାହାରି ପାରୁ ନାହାନ୍ତି । କେତେ ଭାବିଥିଲେ ଆଖପାଖର ପ୍ରତ୍ୟେକଙ୍କୁ ଟିକିଏ ଦେଖି ଆସିବେ । ଛଅମାସ ତଳେ ଯାହା ଆସିଥିଲେ । ଅନ୍ତରର ମମତା ଆର୍ଦ୍ର, ଆକ୍ଷି ସଜଳ ଆଉ ହୃଦୟରେ ସବୁ ପାଇ ଯିବାର ଭାବ । ସୌଭାଗ୍ୟର ମା’ ବଞ୍ଚିଥିବା ବେଳେ ଏଇ କଥା ଶୁଣିଲେ କହନ୍ତି,

 

-ତୁମ ଭଳି ଲୋକର ଘରସଂସାର କରିବା ଉଚିତ ନଥିଲା ।

 

କିନ୍ତୁ ସେ ବି ଧୀରେ ଧୀରେ ତାଙ୍କରି ଆଦର୍ଶରେ ନିଜକୁ ଗଢ଼ି ନେଇଥିଲେ । ସଂସାର ଛାଡ଼ିଗଲା ବେଳେ ବୋହୂ ମାଳତୀକୁ ପାଖକୁ ଡାକି ରାମଶଙ୍କରଙ୍କର ଦାୟିତ୍ୱ ବୁଝାଇ ଦେଲାବେଳେ ଆକ୍ଷିରୁ ଝରି ଆସିଥିଲା ଦୁଇ ଧାର ଅଶ୍ରୁ ।

 

ଦୀର୍ଘଶ୍ୱାସ ନେଲେ ରାମଶଙ୍କର । ମଣିଷ ଅସୁସ୍ଥ, ଦୁର୍ବଳ ହେଲେ ନିଜ ସମସ୍ତଙ୍କୁ ମନେ ପକାଏ । ଏଇତ ଭୁବନେଶ୍ୱର ଛାଡ଼ିବା ବେଳେ ମାଳତୀ କହୁଥିଲା–

 

-ବାପା, ଏଥର ଆଉ ସାଡ଼େ ଯାଆନ୍ତୁ ନାହିଁ । କିଏ ଅଛି ଯେ ଆପଣଙ୍କର ଯତ୍ନ ନେବ-?

ତାକୁ ଶାସନ କରିବା ଦୃଷ୍ଟିରେ ଚାହିଁଲେ ରାମଶଙ୍କର । ମୁଖ ଆନତ କରି ଅଭିମାନଭରା ସ୍ୱରରେ ସେ କହିଲା,

-ଆପଣ ତ ସବୁବେଳେ ଏମିତି । କାହାରି କଥା ଶୁଣିବେ ନାହିଁ ।

ହଁ, ସତ କଥା । ବୋହୂ ଠିକ୍‌ କହୁଥିଲା, ବୟସ ଅଶୀ ଟପିବା ପରେ ମନର ବଳ ଉପରେ ଏତେ ବେଶୀ ବିଶ୍ୱାସ ରଖିବା ଉଚିତ ହୋଇ ନାହିଁ ।

.....ତେବେ.....ଏମାନେ ୟାଡ଼େ କଣ କରିବେ ?

ଶେଷ ମୁହୂର୍ତ୍ତରେ ସେ ଧାଇଁ ଆସିଥିଲେ କେହି ଡାକିଯିବା ପୂର୍ବରୁ । ଏମିତି ଦିନ ଆସିଲେ କେବେ କେବେ କେହି ୟାଡ଼ୁ ଡାକି ଯାଆନ୍ତି; କିନ୍ତୁ କାହାରି ନିମନ୍ତ୍ରଣକୁ ଅପେକ୍ଷା କରି ବସି ରହିବା ଭଳି ଆତ୍ମ ଅହଙ୍କାର ତାଙ୍କର କେବେ ହୋଇ ନାହିଁ । କେବଳ କର୍ତ୍ତବ୍ୟ ଭାବି ସେ କରି ଚାଲିଛନ୍ତି ସବୁ । ଗାଁ ନୁହେଁ କିମ୍ବା ଆଧୁନିକ ରୁଚିସମ୍ପନ୍ନ ସହର ମଧ୍ୟ ନୁହେଁ । ଛୋଟ ସବ୍‌ଡ଼ିଭିଜନଟିଏ । ତାକୁଇ ନିଜ କାର୍ଯ୍ୟସ୍ଥଳୀ ରୂପେ ଧରି ନେଇଛନ୍ତି ସେ ।

କେତେଟା ବର୍ଷ ତଳେ କିଛି ନଥିଲା ଏଠି । କେବଳ ତାଙ୍କରି ଚେଷ୍ଟାରେ ଗଢ଼ି ଉଠିଲା କଲେଜ, ଡାକ୍ତରଖାନା, ବାଳିକା ବିଦ୍ୟାଳୟ ଇମିତି କେତେ କଣ ଛୋଟ ବଡ଼ ଅନୁଷ୍ଠାନ । ସଭିଏଁ ହେଲେ କର୍ମଠ । ନୀରବ କର୍ମୀ ସେ । ସେଇ କର୍ମରତ ଜୀବନ ମାଧ୍ୟମରେ ଗାନ୍ଧିଜୀଙ୍କ ନୀତି ଅନୁସରଣ କରି ସେ ବି ଚଳାଇଥିଲେ ଅହିଂସା ଆନ୍ଦୋଳନ । ଗାଁ, ଗାଁ, ଘର ଘର ବୁଲି ପ୍ରଚାର କରୁଥିଲେ ସ୍ୱରାଜ୍ୟ ଆନ୍ଦୋଳନର ବାର୍ତ୍ତା ।

ରାମଶଙ୍କର ବନ୍ଦୀଜୀବନ କଥା ମନେ ପକାଉଥିଲେ । ଓଃ, କି ଆତ୍ମତୃପ୍ତି ! କର୍ମକ୍ଳାନ୍ତ ଜୀବନର କ୍ଷଣିକ ବିଶ୍ରାମ । ପ୍ରତ୍ୟେକଟି ମୁହୂର୍ତ୍ତରେ ଆସନ୍ତା ଦିନ ପାଇଁ ନୂଆ ଯୋଜନାର ପରିକଳ୍ପନାର ପ୍ରସ୍ତୁତିରେ କଟାଉଥିଲେ ସେ । କାଁ ଭାଁ କେବେ ତ ଦିନକ ପାଇଁ ମଧ୍ୟ ବିଷଣ୍ଡ ହୋଇ ନଥିଲା ତାଙ୍କର ମନ । କିନ୍ତୁ ଏବେ....ଏଇ ବୟସ ନେଇ ଯାଉଛି ତାଙ୍କ ଶକ୍ତି ସାମର୍ଥ୍ୟ ସବୁ । ପାଖରେ ମାଳତୀ ଥିଲେ ଦେହ ଖରାପ କଥା ଭାବିବାର ଅବକାଶ ପାଆନ୍ତି ନାହିଁ ସେ ।

 

-ବାପା, ଟିକିଏ ଲେମ୍ବୁ ସରବତ ଆଣେ । ମୁଣ୍ଡ ବିନ୍ଧୁଥିବ, ଟିକିଏ ଚିପି ଦେବେ କି ?

 

କି ଯତ୍ନ ତା’ର ! ରୋଗୀ ତ ନୁହେଁ, ତା’ ପାଖରେ ଥିଲେ ନିଜକୁ ଜଣେ ବିଳାସପ୍ରିୟ ବ୍ୟକ୍ତି ବୋଲି ମନେ କରନ୍ତି ସେ । ତାଙ୍କର ସମସ୍ତ ଶ୍ରଦ୍ଧାର ଅଧିକାରିଣୀ ମାଳତୀ । ମନେପଡ଼ୁଛି କୋଡ଼ିଏ ବର୍ଷ ତଳର ସେଇ କାନ୍ଦୁରୀ ଝିଅଟା କଥା....

 

ଆଃ, ସେଇ ହୃଦୟବିଦାରକ ଦୃଶ୍ୟ । ମା’ର ଶବ ପାଖରେ କାନ୍ଦି କାନ୍ଦି ଲୋଟି ଯାଉଥାଏ ଝିଅଟି । ରାମଶଙ୍କର ଫେରୁଥିଲେ ଦୂରଗାଁରୁ ତାଙ୍କ ସହକର୍ମୀମାନଙ୍କ ସଙ୍ଗେ । ଛୋଟ କୁଡ଼ିଆଟି ଭିତରେ ପଶି ଦିଆସିଲି କାଠି ଜଳାଇ ଏ ଦୃଶ୍ୟ ଦେଖି ସେ ହତବାକ୍‌ ହୋଇ ପଡ଼ିଲେ । ଝିଅଟି ସାନ୍ତ୍ୱନା ପାଇ ଥର ଥର ଗଳାରେ କହିଲା–

 

-ବାପା ଲୁଣ ମାରିବାକୁ ଯାଇ ସାତଦିନ ହେବ ଆଉ ଫେରି ନାହାନ୍ତି । ଭୋକ ଉପାସରେ ଜର ଭୋଗି ମୋ ମା’ ଚାଲିଗଲା ।

 

-ତୁ ପରା ମୋ ଝିଅ । ଆଉ ବ୍ୟସ୍ତ ହ’ନା ।

 

ଦଶବର୍ଷର ଝିଅଟିର ଆକ୍ଷିରୁ ଅସରା ଅସରା ଲୁହ ବହି ଯାଉଥାଏ । ଶବ ସଂସ୍କାର ପରେ ତାକୁ ସାଙ୍ଗରେ ନେଇ ଫେରିଥିଲେ ରାମଶଙ୍କର ।

 

ସେଇ ଝିଅ ମାଳତୀ । ନିଜ ଶିକ୍ଷା, ଦୀକ୍ଷାରେ ବଢ଼ାଇ ଆଉ ପାଖରୁ ଛାଡ଼ି ଦେବାକୁ ମନ ବଳି ନ ଥିଲା ତାଙ୍କର । ବଡ଼ପୁଅ ସୌଭାଗ୍ୟ ପାଇଁ ତାକୁ ବଧୂବରଣ କରିନେଲେ ସେ ।

 

ଗାନ୍ଧିଜୀଙ୍କ ପରିକଳ୍ପିତ ବେସିକ ସ୍କୁଲରେ ପଢ଼ି କର୍ମୀଟିଏ ହେଲା ସୌଭାଗ୍ୟ । ରାମଶଙ୍କରଙ୍କ ଟିକିଏ ଚେଷ୍ଟାରେ ସୌଭାଗ୍ୟର ଭାଗ୍ୟ ପରିବର୍ତ୍ତିତ ହୋଇ ପାରିଥାନ୍ତା । ଅନ୍ୟମାନଙ୍କ ପରି ସେ ମଧ୍ୟ ବଡ଼ ଚାକିରି କରି ପାରିଥାନ୍ତା । ମାତ୍ର ଏବେ ସେ ଖଦୀ ବୋର୍ଡ଼ର ଜଣେ ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ।

 

ସାନ ପୁଅ ଜ୍ୟୋତିଶଙ୍କର ତା’ ନିଜ ଇଚ୍ଛାରେ ଚଳେ । ଟଙ୍କା ଛଡ଼ା ସଂସାରରେ ତା’ର ଆଉ କିଛି ଚିନ୍ତା ନ ଥାଏ । ଝଡ଼ ଭଳି ଦିନେ ହଠାତ୍‌ ବାପାଙ୍କର ଶୋଇବା ଘର ଭିତରକୁ ପଶି ଆସି ସେ କହିଲା-

 

-ବାପା, ଗୋଟାଏ କାମ ଥିଲା ।

 

ସେ ଦିନ ବି ଭାରୀ ଅସୁସ୍ଥ ଥିଲେ ରାମଶଙ୍କର । ପୁଅକୁ ମୁହଁ ଉଠାଇ ଚାହିଁଲେ ସେ ।

 

-ବଡ଼ ହଇରାଣରେ ପଡ଼ି ଆସିବାକୁ ହେଲା ।

 

ରାମଶଙ୍କର ବିଚଳିତ ନ ହୋଇ ପ୍ରଶ୍ନ କଲେ,

 

-କ’ଣ ତେବେ କହୁଚୁ ?

 

-ଏଇତ ଥରେ ଯଦି ଏସ୍‌. ଡି. ଓଙ୍କୁ ଆପଣ ଟିକିଏ ମୋ ପାଇଁ କହି ଦିଅନ୍ତେ....

 

ବହୁତ ଥର ଏଇ ପ୍ରକାର ଦରକାରରେ ଆସି ତାଙ୍କ ମନକୁ ବିଷାକ୍ତ କରେ ସେ । ଆଉ ସବୁ ଥର ପରି ରାମଶଙ୍କର ତାକୁ ବିରକ୍ତିରେ ‘‘ନାଁ’’ କହି ବିଦାୟ ଦିଅନ୍ତି ।

 

ଭଲ ମନ୍ଦ କିଛି ବୁଝିବା କଥା ନାହିଁ । ବାପା ମା, ଭାଇ, ଭାଉଜ, ଘର କିଛି ଚିନ୍ତା ନାହିଁ । ଖାଲି ସେ, ତାର ଅଲଗା ପରିବାର ଆଉ ପ୍ରଚୁର ଅର୍ଥ ଅର୍ଜନର ପନ୍ଥା । ଟଙ୍କା.....ଖାଲି ଟଙ୍କା ।

 

ହସିଲେ ରାମଶଙ୍କର । ତାଙ୍କ ପାଖରେ କ’ଣ ବା ଅଛି ? ସଂସାରରୁ ବିଦାୟ ନେବା ବେଳେ ସଙ୍ଗରେ କଣ ସେ କିଛି ନେଇ ପାରିବେ ? ଚାହିଁଲେ ମଧ୍ୟ କିଏ ବାଧ୍ୟ କରି ତାଙ୍କ ଯିବା ବନ୍ଦ କରି ପାରିବ ? ତେବେ କାହିଁକି ଏତେ ଲୋଭ, ମୋହ ?

 

ରାଜ୍ୟ ବିଧାନ ସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇ ବହୁଥର ସେ ଆସିଛନ୍ତି । ସେଇ ପ୍ରଶାନ୍ତ ମୁଖ, ସେଇ ଉଦାର ମନ । କେତେ ଥର ପ୍ରସ୍ତାବ କରାଯାଇଛି ତାଙ୍କୁ ମନ୍ତ୍ରୀମଣ୍ଡଳରେ ନେବାକୁ । କିନ୍ତୁ ରାମଶଙ୍କରଙ୍କର ସେଇ ଗୋଟିଏ ମାତ୍ର ଉତ୍ତର–

 

-ଉଡ଼ା ଚଢ଼େଇକୁ ସୁନା ପଞ୍ଜୁରୀର ଲୋଭ ଦେଖାଅ ନାହିଁ ।

 

କ୍ଷମତାସୀନ ଦଳ ନିଶ୍ଚିତଭାବେ ଅନୁଭବ କରନ୍ତି ଯେ ଏକମାତ୍ର ରାମଶଙ୍କରଙ୍କୁ ତାଙ୍କ ଦଳକୁ ନେଇ ଆସି ପାରିଲେ ବହୁ ବିଶୃଙ୍ଖଳାରୁ ରକ୍ଷା ମିଳନ୍ତା । ନା, ହୋଇ ପାରେ ନା । ସେଇ ଅଟଳ ଜିଦ୍‌ ।

 

ସବୁ ସମୟରେ, ସବୁ କ୍ଷେତ୍ରରେ ପ୍ରୟୋଜନ ହୋଇଛି ରାମଶଙ୍କରଙ୍କ ବୁଦ୍ଧି । ସବୁ ରାଜନୀତିକ ଦଳ ଦରକାର କରନ୍ତି ତାଙ୍କୁ । ନିରପେକ୍ଷ ଭାବରେ ସବୁ ବୁଝାନ୍ତି ସେ, ନିଜ ଆଦର୍ଶରୁ ତିଳେ ବି ଟଳନ୍ତି ନାହିଁ । ସୌଭାଗ୍ୟକୁ ଚାକିରିରୁ ଛଟେଇ କରାଯିବାର କେତେ ପ୍ରକାର ପ୍ରତିଶୋଧକମୂଳକ ଚକ୍ରାନ୍ତ ତାଙ୍କ କାନରେ ପଡ଼ିଛି । ବୋର୍ଡ଼ର ମୁଖ୍ୟ ତାଙ୍କର ଅତି ଜଣାଶୁଣା । ବହୁ ଦିନ ଧରି ରାମଶଙ୍କରଙ୍କର ଜଣେ ବିଶ୍ୱସ୍ତ ସହକର୍ମୀ ଥିଲେ ସେ, ମାତ୍ର ଦଳ ପରିବର୍ତ୍ତନ କରି ସେ ବେଶ୍‌ ସୁପ୍ରତିଷ୍ଠିତ ବର୍ତ୍ତମାନ । ସୌଭାଗ୍ୟର ଚାକିରି ପାଇଁ ତାଙ୍କୁ ପୁଣି କହିବାକୁ ଯାଇ ଥାଆନ୍ତେ ରାମଶଙ୍କର !

 

ନା, ଅସମ୍ଭବ । ସେ କାମ କେବେ କରି ପାରିଲେ ନାହିଁ ସେ । ସେ ଦିନର କଥା । ବଡ଼ ନାତି ଟାଇଫଏଡ଼ ଜ୍ୱରରେ ଅଜ୍ଞାନପ୍ରାୟ ପଡ଼ିଥାଏ । ବୋହୂ ମାଳତୀର ଶୁଷ୍କ, ନୀରସ ମୁହଁ । ସୌଭାଗ୍ୟ ଯାଇଥାଏ କିଛି ଟଙ୍କା ଧାର ଆଣିବା ଉଦ୍ଦେଶ୍ୟରେ । ଡାକ୍ତରଙ୍କ ଫିସ ଦିଆ ହେଲା, କିନ୍ତୁ ଔଷଧ କିଣିବାକୁ ଘରେ ପଇସାଟିଏ ବି ବଳି ନ ଥିଲା ।

 

ଏ ଘଟଣାରେ ରାମଶଙ୍କରଙ୍କ ପରି ସ୍ଥିତପ୍ରଜ୍ଞ ବ୍ୟକ୍ତି ମଧ୍ୟ ଚିନ୍ତାନ୍ୱିତ ହୋଇପଡ଼ିଲେ । କେବେ ସେ ଭାବିଛନ୍ତି ନିଜ ଘର କଥା ? ସାରା ସଂସାରଟା ପରା ତାଙ୍କର ପରିବାର । ଗୋଟିଏ ଘର କଥା ଭାବିବେ କ’ଣ ? ଅନ୍ୟର ଅଭାବ, ଅସୁବିଧା ସେ ଦେଖି ସହି ପାରନ୍ତେ କିପରି ? ହାତରେ ପଇସା ରହିଲେ ନିଜ କର୍ମୀମାନଙ୍କର ସୁଖ, ଦୁଃଖ ବୁଝି ବରାବର ସାହାଯ୍ୟ କରି ଆସନ୍ତି ସେ । କେତେ ଦୁଃସ୍ଥ ସେମାନେ ଏକା ସେ ଜାଣନ୍ତି ସବୁ । ନିର୍ବାଚନ ସମୟରେ ରାମଶଙ୍କରଙ୍କ ପାଇଁ ନିଷ୍ଠାପର ଭାବରେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ସେମାନେ । ବ୍ୟବସ୍ଥାପକ ହେବା ପରେ ସେମାନଙ୍କୁ ଭୁଲି ଯାଇ ନାହାନ୍ତି ସେ । ସେଥିପାଇଁ ତ ତାଙ୍କ ହାତ ଖାଲି । ଏଣେ ବଡ଼ ନାତିର ଚିକିତ୍ସା ପାଇଁ ପଇସାଟିଏ ବି ଯୋଗାଡ଼ ହୋଇ ପାରୁନାହିଁ ।

 

ସେଇ ସନ୍ଧ୍ୟାରେ ତାଙ୍କ ନାତିକୁ ଦେଖିବାକୁ ଆସିଲେ କ୍ଷମତାସୀନ ଦଳର ମୁଖ୍ୟ ନେତା-। କଥାବାର୍ତ୍ତା କରୁ କରୁ ବୁଝିଲେ ରାମଶଙ୍କରଙ୍କ ଭୟଙ୍କର ଅସୁବିଧା କଥା । ବିଦାୟ ନେବା ସମୟରେ ପକେଟରୁ କାଢ଼ିଥିଲେ ମୋଟା ଅଙ୍କର ଦଶହଜାର ଟଙ୍କାର ବିଡ଼ା ।

 

-ଏ କିଛି ପାଖରେ ଥାଉ, ରାମଶଙ୍କର ବାବୁ । ଅସୁବିଧା ତ ଭାରୀ ଅଛି ।

 

ଚମକି ପଡ଼ିଲେ ରାମଶଙ୍କର । ସୁଯୋଗ ମିଳିଗଲା ତେବେ । ଏଇଥିପାଇଁ ନାତିକୁ ଦେଖି ଆସିଥିଲେ ମାନ୍ୟବର ନେତା । ସାମାନ୍ୟ ହସି କହିଲେ ରାମଶଙ୍କର ।

 

-ମାତ୍ର ପଚାଶଟା ଟଙ୍କା ଦରକାର ଥିଲା । ଏତେ ଗୁଡ଼ା ନେଇ କ’ଣ କରିବି ? ସୌଭାଗ୍ୟ ଫେରୁ ଥିବ କି କ’ଣ ଔଷଧ ନେଇ ।

 

ନିରାଶ ହୋଇ ଫେରିଗଲେ ମୁଖ୍ୟ । ଧାର ଟଙ୍କାରେ ନାତିକୁ ଔଷଧ ଦିଆ ହେଲା । ସେଇ ରାତିରେ ଅନିଦ୍ରା ହୋଇ ପ୍ରାର୍ଥନା, ଭଜନ କରି ମନର ଅସ୍ଥିରତା ଦୂର କରିଥିଲେ ରାମଶଙ୍କର-

 

ନା-କ’ଣ ଆଉ କରି ପାରିଲେ ସେ ? ଆହୁରି ତ ବହୁତ କରିବାର ଥିଲା । ସମୟ ଚାଲିଗଲା ଧୀର ପଦକ୍ଷେପରେ । ସେ ଖାଲି ପଡ଼ି ରହିଛନ୍ତି ମାତ୍ର ଗୋଟିଏ ଲକ୍ଷ୍ୟରେ ।

 

ସକାଳକୁ ଅପେକ୍ଷା କରି ବିଛଣାରେ ପଡ଼ି ରହିଛନ୍ତି ରାମଶଙ୍କର । କେହି ନ ଆସିବାଯାଏ ସେ ଉଠି ପାରିବେ ନାହିଁ, ନିତ୍ୟକର୍ମ ଶେଷ କରି ପାରିବେ ନାହିଁ ।

 

-ହଉ, ସବୁ ସେଇ ସତ୍ୟମୟଙ୍କ ଇଚ୍ଛା । ଗୁଣୁ ଗୁଣୁ କରି ଭଜନର ସୁର ଧରୁଛନ୍ତି । କେତେବେଳେ କଣ୍ଠ ବସି ବେସୁରା ହେଉଛି ସ୍ୱର । ସେ ଦିଗକୁ ଲକ୍ଷ୍ୟ ନାହିଁ ତାଙ୍କର । ମନେ ମନେ କହି ଚାଲିଛନ୍ତି ସେ,

 

-ହେ କୃପାମୟ, ତୁ ସାରା ବିଶ୍ୱର ସ୍ରଷ୍ଟା । ମୁଁ ତୋ’ର ଆରାଧନା କରୁଛି । ସାହାଯ୍ୟ ମାଗୁଛି । ତୁ ମୋତେ ସିଧା ବାଟ ଦେଖା ।

 

ହାତ ଯୋଡ଼ିଲେ ରାମଶଙ୍କର । ଦୃଷ୍ଟି ଫେରିଲା ଝରକା ପାଖକୁ । ଆକାଶ ସଫା ହୋଇ ଆସୁଛି । ବାହାରେ ଲୋକ କୋଳାହଳ, ଘର ଭିତରକୁ ପଶି ଆସିଲେ ସେମାନେ ଦଶ, ବାର ଜଣ-

 

-ଆପଣ ନିଶ୍ଚୟ ଆସିଥିବେ ବୋଲି ଆମେ ଭାବୁଥିଲୁ ।

 

ରାମଶଙ୍କର କିଛି ଉତ୍ତର ଦେଲେ ନାହିଁ । ଓଠରେ ଲାଖି ରହିଥିଲା ତୃପ୍ତିର ହସ । ବାର୍ଦ୍ଧକ୍ୟଗ୍ରସ୍ତ ଅସୁସ୍ଥ ଶରୀର ତାଙ୍କୁ ବାଧା ଦେଇ ସ୍ମରଣ କରାଇ ଦେଉଥିଲା-ଥାଉ, ଏମାନଙ୍କୁ ମନା କରି ଦିଅ । ଗାଁ ଗାଁ ବୁଲି ପତକା ଉତ୍ତୋଳନ କରିବା, ସଭାସମିତିରେ ସଭାପତିତ୍ୱ କରିବାର ଶକ୍ତି ତୁମର ନାହିଁ । ତୁମେ ଅସୁସ୍ଥ, ଦୁର୍ବଳ ।

 

ନା, ରାମଶଙ୍କର କିଛି କହିଲେ ନାହିଁ । ବରଂ ନିର୍ଦ୍ଦେଶ ଦେଲେ ତାଙ୍କୁ ଧରି ବସେଇ ଦେବାକୁ ଏବଂ ସାମ୍ନା ଝରକାଟା ଭଲ କରି ଖୋଲି ଦେବାକୁ । ତା’ ପରେ ସେ ହାତଯୋଡ଼ି କହୁଥିଲେ,

 

-ହେ, ସୂର୍ଯ୍ୟ ମୋର ପ୍ରମାଣ ଗ୍ରହଣ କର ।

Image

 

ଦିଗନ୍ତ

 

ବର୍ଷା ଅନ୍ଧାର ରାତ୍ରି । ଦୀର୍ଘ ତିନି ଦିନ ଧରି ଝଡ଼ି ବର୍ଷାରେ ଘରୁ ବାହାରକୁ ବାହାରିବା ମଧ୍ୟ କଷ୍ଟକର । ସେଥିରେ ପୁଣି ସହରତଳି ଅଞ୍ଚଳର ଗଳି ସବୁର ଅବସ୍ଥା ଆହୁରି ଶୋଚନୀୟ । ଜନଶୂନ୍ୟ ପଥ ରାତ୍ରିର ନିସ୍ତବ୍‌ଧତାକୁ ଗଭୀର କରିଛି । ତନ୍ମୟ ଦୃଢ଼, ଅବିଚଳିତଭାବେ ଚାଲିଛି । ଗଳି ପରେ ଗଳି ଅତିକ୍ରମ କରି ପଚା ନର୍ଦ୍ଦମା ପାଣିରେ ଆଣ୍ଠୁ ପର୍ଯ୍ୟନ୍ତ ପ୍ୟାଣ୍ଟ ଟେକି ଚାଲୁ ଚାଲୁ ମନେ ପକାଉଥିଲା ସେଇ ନିର୍ଯ୍ୟାତିତମାନଙ୍କର କାହାଣୀ । ସାରା ଜୀବନ ଧରି ସେମାନେ ଅବହେଳିତ । ଏଇ ପୂତିଗନ୍ଧମୟ ନର୍ଦ୍ଦମା କଡ଼ରେ ଜୀବନର ଆରମ୍ଭ ଆଉ ଶେଷ ।

 

ବାଧ୍ୟ ହୋଇ ନାକରେ ରୁମାଲ ଦେଲା ତନ୍ମୟ । ଦୀର୍ଘ ଦିନଧରି କାଚ ଘର ମଧ୍ୟରେ ଆବଦ୍ଧ ରହି ସେ କେବଳ କଳ୍ପନା କରିଥିଲା ବାହାରଟା ସୁନା ଝଲମଲ ନଚେତ୍‌ ଠିକ୍‌ ଗୋଟାଏ ସୌଖୀନ ଗୋଲାପ ବଗିଚା । ଆଉ ତାର ବନ୍ଧୁମାନେ ମଧ୍ୟ ତାରି ପରି ସ୍ୱପ୍ନ ଦେଖନ୍ତି । ସେ ମିଶିଛି କେବଳ ସେଇମାନଙ୍କ ସଙ୍ଗେ । ସେମାନଙ୍କୁ ବାଦ ଦେଲେ ଆଉ ବି ଅନ୍ୟ ପ୍ରକାରର ମଣିଷ ଥାଇ ପାରନ୍ତି, ଏ କଥା ଭାବିବା ପାଇଁ ହୁଏତ ସେତେବେଳେ ସେ ସୁଯୋଗ ପାଇ ନ ଥିଲା ।

 

ଏକା ସତ୍ୟପ୍ରିୟ-ବାପାଙ୍କ ଷ୍ଟେନୋର ପୁଅ । ତନ୍ମୟଠାରୁ ବୟସରେ ଅଳ୍ପ ବଡ଼ ହେବ । ତାଙ୍କ କ୍ୱାଟର୍ସର ପାଖାପାଖି ଆଜ୍‌ବେଷ୍ଟସ ଘର ଖଣ୍ଡିକ ସତ୍ୟପ୍ରିୟର । କେତେଥର ଲୁଚି ଲୁଚି ତା’ ସଙ୍ଗେ ଖେଳିବାକୁ ଚାଲି ଯାଉଥିଲା ତନ୍ମୟ । ସେମାନଙ୍କର ସୁରମ୍ୟ ଓ ଆଭିଜାତ୍ୟପୂର୍ଣ୍ଣ ସରକାରୀ କ୍ୱାଟର୍ସଟି ପାଖରେ ଅତ୍ୟନ୍ତ ମଳିନ, ନିଷ୍ପ୍ରଭ ସେଇ ଆଜବେଷ୍ଟସର ଛୋଟ ଘରଟି ।

 

ଦିନେ ପାଖ ରାସ୍ତାରେ ବୁଲୁଥିବା ସମୟରେ ତନ୍ମୟର ଦୃଷ୍ଟି ଆକର୍ଷଣ କଲା ଗୋଟିଏ ଦୃଶ୍ୟ ।

 

-ସତରେ କ’ଣ ଏମାନେ ଖାଇବାକୁ ପାଉ ନାହାନ୍ତି ?

 

-ପାଉଥିଲେ ମାଗନ୍ତେ କାହିଁକି ?

 

-କାମ କଲେ ତ ପଇସା ପାଆନ୍ତେ ।

 

-ଏ ସମସ୍ତଙ୍କୁ ପ୍ରାୟ କାମ ମିଳେ ନା ।

 

-ତୁ ଏସବୁ କିମିତି ଜାଣିଲୁ ?

 

ତନ୍ମୟ ଆଉ କୌଣସି ଉତ୍ତର ନ ଦେଇ ସେ ପାଖରୁ ଆସୁଥିବା ଲୋକଟି ଆଡ଼କୁ ହାତ ନିର୍ଦ୍ଦେଶ କରି ସତ୍ୟପ୍ରିୟ କହିଲା,

 

-ଏ ବୋଧହୁଏ ତୁମ ଡ୍ରାଇଭର । ଇୟାଡ଼େ ଆସୁଛି ତତେ ଡାକିବାକୁ ।

 

ତନ୍ମୟର ଦୃଷ୍ଟି ତଥା ସେଇ ରୁଗ୍‌ଣ, ବିକଳାଙ୍ଗଙ୍କ ପାଖକୁ ଫେରି ନ ଥାଏ ।

 

ତା’ପରେ ଆଉ ଦିନେ...

 

ବିରାଟ ଜନ ପଟୁଆର ଚାଲିଥାଏ ରାସ୍ତାରେ । ଖାଦ୍ୟ ଦାବି କରି ଚିତ୍କାର କରୁ ଥାଆନ୍ତି ସେମାନେ । ଦରଦାମ ବୃଦ୍ଧି ବିରୁଦ୍ଧରେ ସ୍ଲୋଗାନ ଦେଉଥାଆନ୍ତି ଚିତ୍କାର କରି । ବେକାରସମସ୍ୟାର ଦୂରୀକରଣ ମଧ୍ୟ ସେମାନଙ୍କର ଅନ୍ୟ ଏକ ଦାବି ।

 

ତନ୍ମୟର କିଶୋର ମନରେ ବହୁ ପ୍ରଶ୍ନ ଜଟିଳ ହୋଇ ଉଠିଲା । ଇସ୍‌, ଏତେ ଲୋକ ତେବେ ଖାଇବାକୁ ପାଉ ନାହାନ୍ତି ! ଘରର କେହି ତା କଥାରେ ଗୁରୁତ୍ୱ ନ ଦେବାରୁ ଲୁଚି, ଲୁଚି ସତ୍ୟପ୍ରିୟର ଘରକୁ ଚାଲିଯାଇଥିଲା ସେ ।

 

-ବୋକାଟା କିରେ ? ପ୍ରତିବାଦ କରୁଥିବା ମାତ୍ର କେତୁଟା ଲୋକଙ୍କୁ ଦେଖି ତୁ ବ୍ୟସ୍ତ ହୋଇ ପଡ଼ୁଛୁ କିନ୍ତୁ ଏଇ ଦେଶର କୋଟି କୋଟି ମୂକ, ଜନତା ଦିନକୁ ମୁଠାଏ ବି ଖାଦ୍ୟ ପାଆନ୍ତି ନାହିଁ ।

 

ତନ୍ମୟ ତଥାପି ନୀରବ । ସେ ଯେମିତି ହଠାତ୍‌ ଗୁଡ଼ାଏ ଅସୁବିଧାର ସମ୍ମୁଖୀନ ହୋଇ ପଡ଼ିଛି । ତାକୁ ହଲାଇ ଦେଇ ସତ୍ୟପ୍ରିୟ କହିଲା,

 

-ଦରଦାମ ବଢ଼ିଗଲେ ତୁମ ଘରେ କିଛି ଅଭାବ ହୁଏ ନା । ଆଉ ତୋ ସାଙ୍ଗ ପ୍ରଫୁଲ୍ଲ, ଜୀବନ, ଶୀତାଂଶୁଙ୍କର ସୌଖୀନ ଜୀବନ ଯାପନ ପାଇଁ ମଧ୍ୟ ଟଙ୍କାର ଅଭାବ ହୁଏ ନା ।

 

ନିଜ କଥା କହିଲାନି ସତ୍ୟପ୍ରିୟ । ତନ୍ମୟ କିନ୍ତୁ ସବୁ ବୁଝି ପାରୁଥିଲା । ସେ ଦୁହିଙ୍କ ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ତା’ ଦେହରେ ଦେଢ଼ ଶହ ଟଙ୍କାର ସାର୍ଟ ପ୍ୟାଣ୍ଟ ଅଥଚ ସତ୍ୟପ୍ରିୟର ଚିରା ମଇଳା ପୋଷାକର ମୂଲ୍ୟ.... ? ପଚାରିବାକୁ ଇଚ୍ଛା ହେଉଥିଲା ମାତ୍ର ଦୁଇଶ ପଚାଶ ଟଙ୍କାରେ ତାଙ୍କ ପରିବାରର ଛଅ, ସାତ ଜଣ ଚଳନ୍ତି କିପରି ?

 

-କ’ଣ ଭାବୁଛୁ କିରେ ?

 

-ନା, ଘରକୁ ଯିବାକୁ ହେବ । ବୋଉ ମୋତେ ସାଙ୍ଗରେ ନେଇ କୁଆଡ଼େ ବୁଲିଯିବ କହୁଥିଲା ।

 

ସତ୍ୟପ୍ରିୟର ଉତ୍ତରକୁ ଅପେକ୍ଷା ନ କରି ଘରକୁ ଦୌଡ଼ି ଦୌଡ଼ି ପଳାଇଗଲା ସେ ।

 

ବର୍ଷର ଛୁଟୀ ଦିନ କେତୁଟା ଖୁବ୍‌ ଶୀଘ୍ର ସରିଯାଏ । ତା’ପରେ ଦୂର ସହରର ତା’ ସ୍କୁଲର କାରାଗାର ଭିତରକୁ ଫେରିଯାଏ ତନ୍ମୟ । ଦିନ ଗଡ଼ି ଚାଲେ ସମଧର୍ମୀ ବନ୍ଧୁମାନଙ୍କ ମେଳରେ ।

 

କଲେଜ ଶିକ୍ଷା କାଳରେ ହଠାତ୍‌ କାହିଁକି ନିଜର ମନୋଭାବ ପ୍ରତି ସତର୍କତା ସହିତ ଦୃଷ୍ଟିପାତ କରି ସେ ଆଶ୍ଚର୍ଯ୍ୟ ହୋଇ ପଡ଼ିଲା । ଅନେକ କିଛି ଭାବି ବସିବା ଏବଂ ସମାଧାନ ନପାଇ ଉତ୍ୟକ୍ତ ହୋଇ ପଡ଼ିବା ତା’ର ଅଭ୍ୟାସରେ ପରିଣତ ହୋଇ ଯାଇଥିଲା । ନିଜର ଉତ୍ୟକ୍ତ ହେବାର କାରଣ ସଂପର୍କରେ ଅନୁଧ୍ୟାନ କଲେ ମଧ୍ୟ ସେ ଶାନ୍ତି ପାଇ ପାରୁନଥିଲା ।

 

ଶିକ୍ଷା ଶେଷରେ ଘରକୁ ଫେରି ସତ୍ୟପ୍ରିୟର କୃତିତ୍ୱ ସମ୍ବାଦ ପାଇ ତାକୁ ଅଭିନନ୍ଦନ ଜଣାଇବାକୁ ପ୍ରଥମେ ହିଁ ଚାଲିଯାଇଥିଲା ତନ୍ମୟ । କିନ୍ତୁ ଆଶ୍ଚର୍ଯ୍ୟ, ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ କୃତିଛାତ୍ର ମନରେ ଆନନ୍ଦ ଉତ୍ସାହର ଟିକିଏ ବି ସନ୍ଧାନ ପାଇଲାନି ସେ ।

 

-ତୁମେ କ’ଣ ଭାବୁଛ ମୁଁ ଠିକ୍‌ ଜାଣିଛି, ତନ୍ମୟ ଭାଇ ।

 

-ଜ୍ୟୋତିଷ ବିଦ୍ୟା କେବେଠାରୁ ତୁ ଶିଖିଲୁଣି ?

 

ହସି ହସି ସତ୍ୟପ୍ରିୟର ଭଉଣୀ ସୁମିତ୍ରାକୁ ଉତ୍ତର ଦେଉଥିଲେ ମଧ୍ୟ ନିଜର ଅଜାଣତରେ ଗମ୍ଭୀର ହୋଇ ପଡ଼ୁଥିଲା ତନ୍ମୟ । ହାତରେ ଛୋଟ ଆଟାଚିଟା ଧରି କୁଆଡ଼େ ବାହାରିଥାଏ ସତ୍ୟପ୍ରିୟ । ତର ତର ହୋଇ ଗଲା ବେଳେ ତନ୍ମୟ ଆଡ଼େ ଚାହିଁ ସେ କହିଲା,

 

-ଟିକିଏ କାମରେ ଯାଉଛି ବାଲେଶ୍ୱର । ଫେରିବାକୁ ଡେରି ହୋଇ ପାରେ

 

ଚା’ କପ୍‌ଟା ଓଠରେ ଲଗାଇ ନେଇ ତନ୍ମୟ କହିଲା,

 

-ସୁମି, ମୋ ଭାବନା କ’ଣ ତୁ ଜାଣି ପାରିଛୁ ପରା ?

 

-ଏଇ ଭାଇଙ୍କ କଥା କହୁଥିଲି । ସେ ଅନେକ ବଦଳି ଯିବା ପରି ମନେ ହେଉ ନାହାନ୍ତି-?

 

-ଖୁବ୍‌ ମନକଷ୍ଟରେ ଅଛି ବୋଧହୁଏ । କିନ୍ତୁ ହଠାତ୍‌ କ’ଣ ହେଲା, ସୁମି ?

 

-ଡାକ୍ତରୀରେ ସର୍ବଶ୍ରେଷ୍ଠ ଯୋଗ୍ୟତା ପାଇ ମଧ୍ୟ ତାଙ୍କୁ ଚାକିରି ଖଣ୍ଡିଏ ମିଳିଲାନି ।

 

-ସେଥିରେ ମନକଷ୍ଟ କରିବାର କ’ଣ ଅଛି । ଚାକିରି ନ ପାଇ ତ ଅନେକ ଡାକ୍ତର ବସି ରହିଛନ୍ତି ।

 

-ଭାଇ ଆବେଦନ କରିଥିଲେ କିଛି ଦିନ ତଳେ । ଆଉ ଅନ୍ୟମାନେ ବି । କିନ୍ତୁ ଭାଇଙ୍କ ଯୋଗ୍ୟତା ? ସେମାନେ ପାଇ ପାରିଲେ, ଅଥଚ ସେ ! ସେଇ କଥା ତୁମକୁ ପଚାରିବାକୁ ଅପେକ୍ଷା କରିଛି ମୁଁ ।

 

-ମତେ ପଚାରିବୁ ?

 

-ହଁ, ତନ୍ମୟ ଭାଇ । ମଉସା ଅର୍ଥାତ୍‌ ତୁମର ବାପା ଯୋଗ୍ୟପ୍ରାର୍ଥୀ ବାଛିବା ପାଇଁ ପ୍ରଧାନ ବିଚାରକ ହୋଇଥିଲେ.....

 

-ଆଉ କିଛି କହିଲୁନି ଯେ ।

 

-ନା, ସତ କଥା ତୁମେ ଶୁଣି ପାରିବନି ।

 

-ସୁମି !

 

-ତୁମେ ତ କିଛି ନ ଶୁଣି ରାଗି ଯାଉଛ ।

 

ସୁମିତ୍ରା ଆକ୍ଷିରେ ଚିକ୍‌ ଚିକ୍‌ କରୁଥିଲା ଲୁହ । ସେ କହିଲା,

 

-ବିଚାରକଙ୍କୁ ସନ୍ତୁଷ୍ଟ କରିବା ଭଳି ସମ୍ବଳ ଆମର ନ ଥିଲା, ତନ୍ମୟ ଭାଇ ।

 

-ଓଃ, ଥାଉ କହିବା ଦରକାର ନାହିଁ ।

 

ତରତରରେ ସେଠାରୁ ଉଠି ବାହାରକୁ ଚାଲି ଆସିଲା ତନ୍ମୟ । ସୁମିତ୍ରାର ଲୁହ ଧୁଆ ମୁହଁ, ସତ୍ୟପ୍ରିୟର ଶୁଖିଲା, ବିରସ ଭାବ, ଏ ସବୁ ଦିନ ସାରା ତ ମନକୁ ଆଚ୍ଛନ୍ନ କରି ରଖିଥିଲା ।

 

ରାତିରେ ଖାଇବା ଟେବୁଲରେ ବାପାଙ୍କ ସଙ୍ଗେ ଦେଖା । ହସ ହସ ମୁହଁରେ ଗପି ଚାଲିଥିଲେ ସେ ଅନେକ କିଛି । ତନ୍ମୟର ମନରେ ଯୁକ୍ତିର ଦୀପଶିଖା ତେଜି ହୋଇ ଉଠିଲା । ଧୀର ସ୍ୱରରେ ସେ କହିଲା,

 

-କିନ୍ତୁ ମୋର ବିଦେଶ ଯିବା ପ୍ରସ୍ତାବ ଉଠାଇଛନ୍ତି କାହିଁକି ?

 

-ଏଠି ରହି ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାଟା ତୋ ପାଇଁ ଯେ ମୂଲ୍ୟହୀନ ।

 

-କାହିଁକି ବାପା ?

 

-ମୁଁ ଠିକ୍‌ କରିଛି, ବ୍ୟବସାୟ ସଂକ୍ରାନ୍ତରେ ତୁ ଦୁଇବର୍ଷ ବାହାରେ ପଢ଼ି ଆସିବୁ । ମୋର ବି ଅବସର ଗ୍ରହଣର ସମୟ ଆସିଗଲା । ତୁ ଠିକ୍‌ ମୋତେ ସାହାଯ୍ୟ କରି ପାରିବୁ ।

 

-ସରକାରୀ ବୃତ୍ତି ନ ପାଇଲେ ହାତରୁ ଏତେ ଟଙ୍କା ଖର୍ଚ୍ଚ କରି ଯିବା କଥା ମୁଁ ଭାବି ପାରୁନି ।

 

-ସେ ଚିନ୍ତା ତୋତେ କରିବାକୁ ହେବ ନାହିଁ । ସବୁ ପ୍ରକାର ପ୍ଲାନ୍‌ ମୁଁ କରି ରଖିଛି ଆଗରୁ-

 

ଆତ୍ମପ୍ରସାଦରେ ଖୁବ୍‌ ହସୁଥିଲେ ଶଙ୍କର ପ୍ରସାଦ ।

 

-ଆପଣ ବ୍ୟବସାୟ ଆରମ୍ଭ କରିବେ, ପୁଣି ବାଣୀର ବିବାହ ଦିନ ସ୍ଥିର ହୋଇ ଯାଇଛି । ତା’ପରେ ଚିନ୍ମୟର କଲେଜ ପାଇଁ ମାସକୁ ମାସ ମୋଟା ଟଙ୍କା ଦରକାର, ତା ଛଡ଼ା ଘରଖର୍ଚ୍ଚ....

 

-ତୁ ବହୁତ ଭାବୁଛୁ, ତନୁ । କହିଲି ତ ତୋର ବ୍ୟସ୍ତ ହେବା ଆଦୌ ଦରକାର ନାହିଁ । ବରଂ ଏ ଛୁଟୀରେ ଏଠି ନ ବସି ବୋଉ, ବାଣୀ ? ଚିନ୍ମୟଙ୍କୁ ସାଙ୍ଗରେ ନେଇ କିଛି ଦିନ ପାଇଁ ତୁ କୁଆଡ଼େ ବୁଲିଆ । ତୋ ବୋଉ ବହୁତ ଲଗାଉଥିଲା ଯିବାକୁ ।

 

ତନ୍ମୟ ଦୃଢ଼ ସ୍ୱରରେ ପ୍ରତିବାଦ କଲା,

 

-ମୁଁ କୁଆଡ଼େ ଯାଇ ପାରିବି ନି, ବାପା ।

 

-ତନ୍ମୟ !

 

ଚିତ୍କାର କରି ଉଠିଲେ ଶଙ୍କର ପ୍ରସାଦ । ବେପରଓ୍ୟା ଭାବରେ ସେଠାରୁ ଉଠି ଚାଲିଗଲା ତନ୍ମୟ ।

 

ସେ କାନ୍ଦି ଜାଣି ନାହିଁ । ତା ଆକ୍ଷି ଜଳି ଉଠୁଛି । ମନରେ ପ୍ରଜ୍ଜ୍ୱଳିତ ଅଗ୍ନିଶିଖା । ଏତେବେଳେ ସେ ଖୋଜୁଛି ସତ୍ୟପ୍ରିୟକୁ । ଦିନ ଦିନ ଧରି ଅସ୍ଥିର ଭାବେ ଏଣେତେଣେ ବୁଲୁଥିବା ବେଳେ ସେ ଆବିଷ୍କାର କରିଛି ନିର୍ମଳ, ମନୋଜ, ଜୟନ୍ତ ଏମିତି ଅନେକ କେତେ ଜଣଙ୍କୁ ।

 

-ବାଜେ କଥା । ଆମ ସଙ୍ଗେ ତୁମେ ରହି ପାରିବନି ।

 

-ଯଦି କହେ, ନିଶ୍ଚୟ ପାରିବି । କ’ଣ ତୁମ ଦଳର କାର୍ଯ୍ୟ ?

 

-ଏ ପାଖୁ ଆସ ।

 

ନିର୍ଜନ ସହରତଳି ଅଞ୍ଚଳର ଏକ ଅପରିଚ୍ଛନ୍ନ ଅନାମଧେୟ ଗଳି ରାସ୍ତାରେ ଆସି ପହଞ୍ଚି ଯାଇଥିଲା ତନ୍ମୟ । କଣିକିଆ ଗୋଟାଏ ଭଙ୍ଗା ଘର ଭିତରକୁ ତାକୁ ଟାଣି ନେଇଗଲା ଜୟନ୍ତ । ସେଇଠି ସେମାନେ ଏକାଠି ହେଉଥିଲେ । କାର୍ଯ୍ୟକ୍ରମ ଥିଲା ସମାଜର ଦୁର୍ଦ୍ଦାନ୍ତ ଦସ୍ୟୁମାନଙ୍କୁ ହତ୍ୟା କରିବା । କ୍ଷଣକ ପାଇଁ ଶିହରି ଉଠିଲା ତନ୍ମୟ । ପୁଣି ମନତଳର ସେଇ ଜ୍ୱଳନ୍ତା ଶିକ୍ଷା ଆଉଥରେ ତେଜିୟାନ ହୋଇଉଠିଲା ।

 

ଜୟନ୍ତ ଓ ତା’ର ଅନ୍ୟ ବଂଧୁମାନେ ତାକୁ ଖୁସିରେ କୁଣ୍ଢାଇ ପକାଇଲେ ।

 

X X X

 

ସେ ଦିନ ଚାଲିଥିଲା ଏକ କାଳ ରାତ୍ରିର ପ୍ରସ୍ତୁତି । ସନ୍ଧ୍ୟାର ଅଧା ଅନ୍ଧାରରେ ଫେରୁଥିଲା ତନ୍ମୟ । ଆଲୋଚନାଟା ତାକୁ ସ୍ତବ୍‌ଧ କରିଦେଲା । ଶଙ୍କର ପ୍ରସାଦ ରାୟଙ୍କୁ ହତ୍ୟା କରିବାର ଯୋଜନା । କିନ୍ତୁ ଏଥିରେ ତା’ର ଭାବିବାର କ’ଣ ଅଛି ? ସମାଜର ପ୍ରଧାନ ସମାଜପତିମାନଙ୍କ ମଧ୍ୟରୁ ସେ ତ ଅନ୍ୟତମ । ନିଜ ଛାତି ଭିତରେ ଯନ୍ତ୍ରଣା ଅନୁଭବ କଲା ତନ୍ମୟ । ସତେ ଯେମିତି ରକ୍ତପ୍ରବାହ ଦ୍ରୁତଗତିରେ ଚାଲିଛି । ଏ ଶଙ୍କର ପ୍ରସାଦ ରାୟଙ୍କ ରକ୍ତ ।

 

କ୍ଷଣକ ପାଇଁ ଚିନ୍ତାରେ ବାଧା ସୃଷ୍ଟି କଲା ଗୋଟିଏ ଛୋଟ ଶିଶୁଟିର କ୍ରନ୍ଦନ । ଦିନକ ପୂର୍ବରୁ ତାକୁ ଚୋରାଇ ଅଣାଯାଇଛି । ଶିଶୁଟିର ବାପା, ମା’ଙ୍କ ଠାରୁ ମୋଟା ଦଶହଜାର ଟଙ୍କା ଆଦାୟ କରି ସାରିଲେ ତାକୁ ସେମାନଙ୍କୁ ଫେରାଇ ଦିଆଯିବ ବୋଲି ସର୍ତ୍ତ ରଖାଯାଇଛି । ଆଉ ମାତ୍ର କିଛି ସମୟ ପରେ ତାକୁ ଅଳ୍ପ ମାତ୍ରାର ନିଦ ଔଷଧ ଦେଇ ସହର ବାହାରକୁ ସ୍ଥାନାନ୍ତରିତ କରାଯିବାର ଯୋଜନା ହୋଇଛି । ନଚେତ୍‌ ପୋଲିସର ଦୃଷ୍ଟି ପଡ଼ିପାରେ । ଶିଶୁଟି ପାଣି ଟୋପାଏ ବି ପାଟିରେ ଦେବାକୁ ନାରାଜ । ସେ ଚାହୁଁଛି ତା’ ବାପା ମା’ଙ୍କର ସ୍ନେହସ୍ପର୍ଶ ।

 

ଦୁଃଖରେ ନିଜ ମୁଣ୍ଡବାଳ ସବୁ ଅଡ଼ୁଆ କରିବାରେ ଲାଗିଲା ତନ୍ମୟ । ବହୁଦିନ ଧରି ଘରେ ସେ କାହାକୁ ଭଲକରି କଥା ପଦେ କହି ପାରିନି । ଖିଆପିଆରେ ମଧ୍ୟ ଠିକ୍ ନାହିଁ । ରାତି ଅଧରେ ତା ଶୁଖିଲା ଚେହେରା ଦେଖି ବୋଉ ସେ ଦିନ କାନ୍ଦି ପକାଇଲା । ଓଃ, କି ଯନ୍ତ୍ରଣା ! ତନ୍ମୟର ମନେ ହେଲା ସେଇ ଦୁଇବର୍ଷ ଶିଶୁ ସେ ବୋଧହୁଏ ନିଜେ ।

 

ଉଠି ଠିଆ ହୋଇ ଯାଇ କୌଣସି ପ୍ରକାର ନିଜକୁ ସମ୍ଭାଳି ନେଇ ଚିତ୍କାର କଲା ସେ,

 

-ବନ୍ଦ କର ଏ ପ୍ରସ୍ତାବ ।

 

-ମାନେ ?

 

ଦୃଷ୍ଟି ଫେରାଇ ଚାହିଁ ରହିଥିଲେ ସମସ୍ତେ । ଅକସ୍ମାତ୍‌ ହିଂସ୍ର ଜନ୍ତୁ ପରି ଆକ୍ରମଣ କଲେ ସେମାନେ ତନ୍ମୟକୁ ।

 

-କିଏ ତୁମେ ? ଆମ ଭିତରେ କ’ଣ ତୁମର ଉଦ୍ଦେଶ୍ୟ ?

 

-ତାଙ୍କୁ କହିବାକୁ ଦିଅ, ବନ୍ଧୁଗଣ । ଉତ୍ୟକ୍ତ ହେବାର ସମୟ ଏ ନୁହେଁ ।

 

ସମସ୍ତଙ୍କୁ ଛଡ଼ାଇ ଆଣିଲା ଜୟନ୍ତ ।

 

-ମୁଁ ତନ୍ମୟ ରାୟ । ମିଥ୍ୟାକୁ ଏକାନ୍ତ ଘୃଣା କରେ । ଶଙ୍କର ପ୍ରସାଦ ରାୟ ମୋର ବାପା-। ଚରମ ସତ୍ୟ ପ୍ରକାଶ କରିବାରେ ମୁଁ ତିଳେ ହେଲେ କୁଣ୍ଠା ପ୍ରକାଶ କରୁନି । ସେ ଏ ସମାଜର ଏକ ଦୁର୍ଦ୍ଦାନ୍ତ ଶୋଷକ, କିନ୍ତୁ ତାଙ୍କୁ ହତ୍ୟାକଲେ....

 

-କଣ ତୁମେ କହିବାକୁ ଚାହଁ ?

 

ଜୟନ୍ତ ପ୍ରଶ୍ନ କଲା ତନ୍ମୟକୁ । ଅନ୍ୟମାନଙ୍କର ଆକ୍ଷି ପ୍ରତିହିଂସା ନେବାକୁ ଜଳୁଥିଲା କେବଳ ।

 

‘‘ହଁ କହୁଛି, ତାଙ୍କୁ ହତ୍ୟାକଲେ ସେ ଲୋକଚକ୍ଷୁରେ ଆଉ ଶୋଷକ ହୋଇ ରହିବେ ନାହିଁ, ବରଂ ଶହୀଦ ହୋଇଯିବେ । ତୁମେମାନେ କଣ ଚାହଁ ଗୋଟାଏ ଶୋଷକ ମୃତ୍ୟୁ ପରେ ଶହୀଦର ସମ୍ମାନ ପାଉ !!’’

 

ସମସ୍ତେ ଘେରି ବସିଲେ ତନ୍ମୟକୁ । ନିଜକୁ ଅତ୍ୟନ୍ତ ଶକ୍ତିସମ୍ପନ୍ନ ମନେ କରି ବୁଝାଇ ଚାଲିଥିଲା ସେ । ଏଇ ଭଳି ଦୁର୍ଦ୍ଦାନ୍ତ ମଣିଷକୁ ହତ୍ୟା ନ କରି କିପରି ଉଦ୍ଦେଶ୍ୟ ସାଧନ କରାଯାଇପାରେ, ତା’ର ପରୀକ୍ଷା ସ୍ୱରୂପ ଶଙ୍କର ପ୍ରସାଦଙ୍କ ଦାୟିତ୍ୱ ତା’ର ।

 

-ମାତ୍ର ଅଳ୍ପ କେତୋଟି ଦିନ ମଧ୍ୟରେ ଯଦି ତୁମର ଅନ୍ୟ ରୂପର ସନ୍ଧାନ ମିଳେ, ତେବେ-? ଏହାର ଶାସ୍ତି ଅତ୍ୟନ୍ତ ଭୟଙ୍କର ହେବ, ଜାଣିଥାଅ ।

 

ନିଜଘରୁ ଦଳ ପାଇଁ ଦଶହଜାର ଟଙ୍କା ଆଣି ଦେବାର ପ୍ରତିଶ୍ରୁତି ଦେଇ ଶିଶୁଟିକୁ ଫେରାଇ ଦେବା ଉଦ୍ଦେଶ୍ୟରେ କୋଳରେ ଜାକି ଧରିଲା ତନ୍ମୟ ।

 

ତିନି ଦିନ ପରେ-ତନ୍ମୟ ଫେରୁଛି ଅନେକ ଖବର ନେଇ । ଶଙ୍କର ପ୍ରସାଦଙ୍କ ଘର ଖାନତଲାସ କରାଯିବା ପରେ ତାଙ୍କୁ ଗ୍ରେପ୍ତାର କରାଯାଇଛି । ତାଙ୍କ ବିରୁଦ୍ଧରେ ଅଭିଯୋଗମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

 

ତନ୍ମୟର ଗତି ପ୍ରଖର ହେଲା । ଝଡ଼ ବତାସ ରାତ୍ରି ତାକୁ କୌଣସି ବାଧା ଦେଇ ପାରୁନାହିଁ । ବିଜୁଳିର ଝଲକରେ ସଂକୀର୍ଣ୍ଣ ଗଳି ପାଖର ଭଙ୍ଗା କୋଠାଟି ହଠାତ୍‌ ସ୍ପଷ୍ଟ ହୋଇ ଉଠିଲା ତା’ ଆଗରେ । କେଉଁଠି ଯେମିତି ବର୍ଷା ପାଣି ଜମି ରହି ଏକ ତାଳରେ ଥପ୍‌, ଥପ୍‌ କରି ପଡ଼ିବା ଆରମ୍ଭ କରିଛି । ଠିକ୍‌ ସେମିତି ଶୁଣା ଯାଉଛି ପୋଲିସର ବୁଟ୍‌ ଜୋତାର ଶବ୍ଦ ।

 

ତନ୍ମୟ ଟିକିଏ ଦୂରରେ ଲୁଚି ରହି ଭଙ୍ଗା ଘର ଆଡ଼େ ଚାହିଁ ରହିଲା । ଆଉ ଥରେ ବିଜୁଳି ମାରିବାରୁ ସଶସ୍ତ୍ର ପୋଲିସ ପହରା ସେ ସ୍ପଷ୍ଟ ଭାବରେ ଦେଖି ପାରିଲା । ଘଟଣାଟା ବୁଝିବାରେ ଆଉ ବିଳମ୍ବ ହେଲା ନାହିଁ ତା’ର ।

 

ଏଥର ତା କର୍ତ୍ତବ୍ୟ ତାକୁ ସ୍ଥିର କରିବାକୁ ହେବ । ଦଳର ଗିରଫ ହୋଇଥିବା ସଭ୍ୟମାନଙ୍କୁ କୌଣସି ପ୍ରକାରେ ସମସ୍ତ ଖବର ଜଣାଇ ଦେବାକୁ ହେବ ତାକୁ । ତା ଛଡ଼ା ପୋଲିସ ହାତରୁ ଖସି ପଳାଇ ଯାଇଥିବା ବିପ୍ଳବୀ ବନ୍ଧୁମାନଙ୍କର ସନ୍ଧାନ ନେଇ ପୁଣି ସେମାନେ ଆଗେଇ ଯିବେ ଲକ୍ଷ୍ୟ ପଥରେ । ଅଯଥାରେ ଗୋଟିଏ ମିନିଟ୍‌ ଆଉ ସେଠାରେ ନଷ୍ଟ କରିବାକୁ ଚାହିଁଲାନି ସେ ।

Image

 

ବିଦଗ୍‌ଧ ବସନ୍ତ

 

ଦ୍ୱୈପାୟନର ଗଳ୍ପ–

 

କଣ୍ଟକିତ ଅଥଚ କେତେ ମଧୁର ସେ ସ୍ମୃତି । ଆଜିର ଅବସନ୍ନ ଦ୍ୱୈପାୟନ କେତେ ଦୁର୍ଗମ ପଥ ଅତିକ୍ରମ କରି ଫେରି ଆସିବା ପରେ ଯେମିତି ପ୍ରଚୁର ଅଭିଜ୍ଞତାରେ ବୃଦ୍ଧ ପାଲଟିଛି । ନଈକୂଳର ଫାଙ୍କା ଫାଙ୍କା ରାସ୍ତାଟା ଏବେ ବି ରହିଛି ଶୂନ୍ୟ, ନିଃସଙ୍ଗ ଠିକ୍‌ ତା ଜୀବନ ପରି । ଦୁଇଟି ବର୍ଷର ସ୍ୱଳ୍ପ ସମୟ ମନେ ହେଉଛି ଯୁଗ ଯୁଗ ଭଳି, ଏ ଭିତରେସେ ବହୁତ ବୁଲିଛି । କ’ଣ କେତେ ଭାବିଛି । ଚିନ୍ତା ନାହିଁ; ନିଜର ଖର୍ଚ୍ଚ ମେଣ୍ଟାଇବା ପାଇଁ କୁଲିକାମ କରିବାକୁ ଲଜ୍ଜା ଲାଗି ନାହିଁ । ଅପରିପକ୍ୱ ବୟସର ଭୁଲଟିଏ ପାଇଁ....ସାରା ଜୀବନ ଧରି ସେ ପାଇବା ଶାସ୍ତି ?

 

ରାସ୍ତାରୁ ସରୁ ଛୋଟ ଛୋଟ ଗୋଡ଼ି ଗୋଟାଇ ନଦୀ ପାଣିକୁ ନିକ୍ଷେପ କଲା ଦ୍ୱୈପାୟନ-। ହଲି ହଲି ଆଉ ଟିକେ ଚଞ୍ଚଳ ଗତିରେ ସ୍ରୋତଟି ଆଗେଇ ଗଲା । ମନରେ ଅହେତୁକୀ ଚମକ । ସଳିତା ? ତା’ର ଚାଲିଚଳଣ ଏମିତି ହାଲୁକା । ମନର ଅସହ୍ୟ ଯନ୍ତ୍ରଣା ସତ୍ତ୍ୱେ ମଧ୍ୟ ପାଗଳ ଭଳି ନଦୀ ସ୍ରୋତକୁ ଚାହିଁ ରହିଲା ସେ । ମୁଣ୍ଡ ଉପର ଗଛରୁ ଟପ୍‍ ଟପ୍‍ ଝରୁଛି ସନ୍ଧ୍ୟାର ଶିଶିର । ଶୀତଳ, ମୃଦୁ କୌଣସି ଏକ ସ୍ପର୍ଶର ଶିହରଣରେ କମ୍ପି ଉଠିଲା ଦ୍ୱୈପାୟନ । ସେ ଆତ୍ମବିସ୍ମୃତ । ସଳିତା ତା’କାନ୍ଧକୁ ସ୍ପର୍ଶ କରୁଛି.....

 

-ଭୁଲିଗଲ ?

 

-ନା ।

 

-ତେବେ ?

 

-ଆଉ କିମିତି ପାଇବି ?

 

-ଭୁଲ କରିଛି ।

 

-ଏକା ନୁହଁ, ଦୁହେଁ...

 

ତା’ପରେ ଦୀର୍ଘଶ୍ୱାସର ସ୍ୱର ।

 

ଅଳ୍ପ ପାଖରୁ ରାସ୍ତାରେ ଯେମିତି ଖିଲିଖିଲି ହସି ଉଠିଲା । ଚମକି ଉଠି ଚାହିଁଲା ଦ୍ୱୈପାୟନ ।

 

ହସି ହସି ଚାଲି ଯାଉଛନ୍ତି ଦୁଇଟି କିଶୋରୀ । ସ୍କୁଟର ଷ୍ଟାର୍ଟ କରି ଆଉ କିଛି ଦୂର ଆଗେଇ ଗଲା ସେ ।

 

ଘରଟା ଭିତରୁ ବନ୍ଦ ଅଛି । ମନେ ହେଉଛି ବହୁତ ଦିନ ଧରି ଲୋକ ଚଳାଚଳ ସତେ କି ହୋଇନାହିଁ । ବନ୍ଦ ଫାଟକ ପାଖରୁ ବଗିଚାର ଶୁଷ୍କ, ଉଦାସ ଫୁଲ ଗଛମାନେ ତାକୁ ସମବେଦନା ଜଣାଉଥିଲେ । କଲେଜରୁ ଫେରିବା ବାଟରେ ଏଇ ଘରଟା ସବୁବେଳେ ଦୃଷ୍ଟିରେ ପଡ଼ିଛି । ସେତେବେଳେ ଏ ଘରର ଝରକା, କବାଟରେ ଝୁଲୁଥିଲା ନୀଳ ପରଦା । ଫୁଲମାନେ ହସୁଥିଲେ । ଘାସର ଗାଲିଚାରେ କୋମଳ ପାଦ ଦୁଇଟି ଘୋଷାରି ହାଲକା, ଛନ୍ଦମୟ ରୀତିରେ ସେ ଆସୁଥିଲା । କେତେବେଳେ ହାତରେ ବହି ଧରି ଦିନ ଦଶଟା ବେଳେ କଲେଜ୍ ବାହାରି ଥାଏ ସେ । ନଚେତ୍‌ ଅପରାହ୍ନରେ ବାନ୍ଧବୀମାନଙ୍କ ସଙ୍ଗେ ଠିକ୍‌ ଏଇ ସମୟରେ ହିଁ ବୁଲୁଥାଏ ସେ ବଗିଚାରେ ନଚେତ୍‌ ପାଖ ରାସ୍ତାରେ ।

 

ଗୋପନରେ ତାକୁ ଦେଖି ନେବା ପାଇଁ ଅନେକ ଥର ସୁଯୋଗ ନେଇଛି ଦ୍ୱୈପାୟନ । କିନ୍ତୁ ଆଳାପର ସୁଯୋଗ ପାଇଲା ଆକସ୍ମିକ ଭାବରେ । ବସ୍‌ରୁ ଓହ୍ଲାଇ ତର ତର ହୋଇ ଚାଲୁଥାଏ ସଳିତା । ସାଇକେଲରୁ ଓହ୍ଲାଇ ପାଖାପାଖି ଚାଲିଲା ଦ୍ୱୈପାୟନ ।

 

-ସଳିତା, ମୁଁ ଦ୍ୱୈପାୟନ ପଟ୍ଟନାୟକ, ଏ ବର୍ଷ ନାଁ ଲେଖାଇଛି ଏମ୍‌.ଏ ରେ । ତୁମେ ବୋଧହୁଏ....

 

-ଆଇ, ଏ ପଢ଼ୁଛି, ପ୍ରଥମ ବର୍ଷ ।

 

-ଅନେକ ଭାବିଛି...କିନ୍ତୁ.....

 

ସଳିତା ପଛକୁ ଚାହିଁଲା । ଦୁଇଟା ଉଜ୍ଜ୍ୱଳକଳା ଆୟତ୍ତ ଆକ୍ଷି । ଦ୍ୱୈପାୟନ ଚାହିଁ ରହିଥିଲା ପଲକହୀନଭାବେ ।

 

-ବିଶ୍ୱାସ କରିବ.... ମୁଁ ତୁମକୁ....

 

କଥା ଢୋକିଲା ସେ ‘‘ଭଲ ପାଏ ଖୁବ୍‌’’ କହିବ କି ? ମନର ଭାବରେ ଭାଷା ଦେଇ କ’ଣ କହିଲେ ସଳିତା ତାକୁ ବୁଝିବ ଭାବୁଥଲା ଦ୍ୱୈପାୟନ । ସଳିତା ଫିକ୍‌ କରି ଟିକିଏ ହସି ଦେଇ ଆଗେଇଗଲା ।

 

ଧୀରେ ଧୀରେ ଆଳାପ । ଅତି ପରିଚିତ ବନ୍ଧୁ ଦୁଇଟି ପରି ସେମାନେ ଏକାଠି ହସିଲେ-। ସ୍ୱଳ୍ପ ଆଳାପ ମଧ୍ୟରେ ସେମାନେ ନିକଟତର ହେଲେ । ପିରିୟଡ଼ ନ ସରିବା ଆଗରୁ ଜଣେ ଜଣକୁ ଅପେକ୍ଷା କରି ସାଙ୍ଗମାନଙ୍କ ଦୃଷ୍ଟିର ଅନ୍ତରରାଳେ ଘନିଷ୍ଠ ହେବାକୁ ଚେଷ୍ଟା କଲେ । ମାତ୍ର ଅଳ୍ପ କେତୋଟି ଦିନର ପରିଚୟ, ଅଥଚ କେତେ ନିଜର ହୋଇଗଲା ସଳିତା । ଦ୍ୱୈପାୟନର ଛାତିରେ ମୁଣ୍ଡ ରଖି ସୁଖଦିନର ସ୍ୱପ୍ନ ଦେଖୁଥିଲା ସେ ।

 

କିନ୍ତୁ କାହିଁକି ଦ୍ୱୈପାୟନ ହଠାତ୍‌ ପ୍ରସ୍ତାବ ଦେଲା ଦୂରକୁ ଚାଲିଯିବାକୁ ? ବାପା, ମା, ଭଉଣୀ ସମସ୍ତଙ୍କ ବନ୍ଧନକୁ ଅକ୍ଲେଶରେ ପାଦରେ ଦଳି ସଳିତା କିମିତି ପଥ ଭୂଲି ଆଗେଇ ଆସିଲା ତା ସଙ୍ଗରେ ! ସେଦିନ ସେମାନେ କଲେଜରୁ ଆଉ ଘରକୁ ନଫେରି ଚାଲି ଯାଇଥିଲେ ଅନେକ ଦୂରକୁ ।

 

ସେ ଓ ସଳିତା ।

 

ସଳିତା ଓ ସେ ।

 

କୌଣସି ତୃତୀୟ ବ୍ୟକ୍ତି ସେମାନଙ୍କର ପ୍ରେମର ସନ୍ଧାନ ପାଇ ପାରି ନଥିଲେ । ଠିକ୍‌ ସେଇଥିପାଇଁ ପଥଭ୍ରଷ୍ଟ ଦ୍ୱୈପାୟନ ଫେରି ଆସିପାରିଲା ଘରର ସୁନା ପୁଅ ହୋଇ । ବର୍ଷଟିଏ ନଷ୍ଟ ହୋଇ ଯାଇଥିଲେ ମଧ୍ୟ ବାପାଙ୍କର ପଇସାକୁ ଭ୍ରୂପେକ୍ଷ ନକରି ପୁଣି ଆରମ୍ଭ କଲା ପୂର୍ବପରି ହଷ୍ଟେଲ ଜୀବନ ଓ ଏମ୍‌.ଏ. ପଢ଼ା ।

 

କିନ୍ତୁ ସଳିତା ??? କେଉଁଠି ସେ ? ତା’ର ଭବିଷ୍ୟତ ? ଶରତର ଏଇ ଆକାଶ ଭଳି ସ୍ୱଚ୍ଛ, ଉଜ୍ଜଳ ତା’ର ମନ । ଆଃ, ଦ୍ୱୈପାୟନ ନିଜକୁ ଧିକ୍‌କାର କରିବାରେ ଲାଗିଲା । ସେ ଯଦି ଥରଟିଏ ପାଇଁ ଫେରି ଆସି ପାରନ୍ତା !

 

ଅଳ୍ପ ଦୂରର ଗୋଟିଏ ଛୋଟିଆ ରେଷ୍ଟୁରାଣ୍ଟରେ କଫି କପ୍‌ଟିଏ ପାଇଁ ବରାଦ କରି ବାହାରେ ପଡ଼ିଥିବା ଗୋଟିଏ ଚେୟାରରେ କ୍ଳାନ୍ତ ମନ ନେଇ ବସି ପଡ଼ିଲା ଦ୍ୱୈପାୟନ । ପକେଟ୍‌ରୁ ଭଙ୍ଗା ଭଙ୍ଗି ହୋଇ ରହିଥିବା ଖବର କାଗଜ ଖଣ୍ଡିକ ପଢ଼ିବାକୁ ଆରମ୍ଭ କରି ଧିରେ ଧିରେ ନିଜକୁ ଅଧିକରୁ ଅଧିକ ଅସହାୟ ମନେ କରୁଥିଲା ସେ ।

 

ସଳିତାର ଆତ୍ମକଥନ–

 

ସ୍ୱପ୍ନର ସୌଖୀନ ସିଢ଼ି ଆରୋହଣ କରି ଦ୍ୱୈପାୟନ ସଙ୍ଗେ ମୁଁ ଆଗେଇ ଆସିଥିଲି । ଏ ଜୀବନର ସୌରଭରେ ମୁଁ ଆତ୍ମହରା । ହାଲୁକା ହାଲୁକା ମେଘସବୁ ସନ୍ଧ୍ୟା ଆକାଶରେ ଖେଳ ଆରମ୍ଭ କରି ଦେଇଥିଲେ । ଜ୍ୟୋସ୍ନାରାତ୍ରି ଅଭିସାର ପାଇଁ ପ୍ରସ୍ତୁତ ହେଉଥିଲା ।

 

ମୁଁ ଅପେକ୍ଷା କରିଥିଲି ଦ୍ୱୈପାୟନକୁ । ନା, ସେ ଫେରିନାହିଁ । ଅଭିସାରିକା ରାତ୍ରିର ସୌନ୍ଦର୍ଯ୍ୟ ମୋ ପାଇଁ ଅସହ୍ୟକର । ଦୂର ସାଗରର ଢେଉମାନେ ମଥା ପିଟି ଅନବରତ ଚିତ୍କାର କରି ଚାଲିଥାନ୍ତି । ମୁଁ କିନ୍ତୁ ଅସ୍ଥିର, ବିଚଳିତ ନୁହେଁ । ମୋର ବିଶ୍ୱାସ ଟିକିଏ ଡେରି ହେଲେ ମଧ୍ୟ ସେ ଫେରିବ । ସେ ମୋତେ ଅତ୍ୟନ୍ତ ଭଲପାଏ, ଏ ମିଛ ନୁହେଁ ।

 

ଦୁଇଟି ଦିନ ତଳେ ହାତରେ ହାତ ଛନ୍ଦି ଆମେ ଆସିଥିଲୁ ମହାନଗରୀର ଏଇ ସୌଖୀନ ହୋଟେଲ୍‌କୁ । କିନ୍ତୁ ଆଜି ଏଇ ତୃତୀୟ ଦିନ ପ୍ରଭାତରେ ମୋତେ ପ୍ରଶ୍ନ କଳା ଦ୍ୱୈପାୟନ,

 

-ତୁମ ପାଖରେ ଟଙ୍କା କିଛି ଅଛି, ସଳିତା ?

 

-ନାଁ, ତ ।

 

ମୁଁ ଚକିତ ସ୍ୱରରେ ଉତ୍ତର ଦେଲି ।

 

-ଏବେ କ’ଣ କରିବା ? ତୁମ ଘରକୁ ଆଉ ଯିବା ନାହିଁ ?

 

ମୁହଁରେ ସ୍ୱାଭାବିକ ଦୃଢ଼ତା ଆଣି ହସି ହସି ସେ କହିଲା,

 

-ଯିବା ତ ନିଶ୍ଚୟ । କିନ୍ତୁ ହୋଟେଲ୍‌ବାଲାକୁ ଦେବାକୁ ଆହୁରି ଦେଢ଼ଶ ଟଙ୍କା ବାକି ଅଛି-

 

ମୁଁ ବିସ୍ମିତ ହୋଇ ଉତ୍ତର ଦେଲି,

 

-ଓଃ, ଆଉ ତ କିଛି ଉପାୟ ନାହିଁ ।

 

ଦ୍ୱୈପାୟନର ଦୃଷ୍ଟି ମୋ ହାରର ଲକେଟ୍‌ରେ । କ୍ଷଣିକ ଉତ୍ତେଜନାରେ ମୋ ହାର କାନର ସେଟ୍‌ଟା ଓହ୍ଲାଇ ତାକୁ ମୁଁ ଧରାଇ ଦେଲି ।

 

-ଦେଖ, ଡେରି କରିବନି । ନୂଆ ଜାଗା କିଛି ଟଙ୍କା ଆଣିଲେ ହୋଟେଲ୍‌ ପଇସା ଦେଇ ଆମେ ତମ ଘର ପର୍ଯ୍ୟନ୍ତ ଯେମିତି ଯାଇ ପାରିବା ।

 

ସେ ଧୀର ପଦକ୍ଷେପରେ ମୋ ଅଳଙ୍କାର ନେଇ ଚାଲିଗଲା । ମୁଁ ହୁଏତ ଆଗାମୀ ଜୀବନର କଳ୍ପନାରେ ଗୁଣୁ ଗୁଣୁ ଗୀତ ଗାଇ ଏଇ ଅଳସ ମୂହୂର୍ତ୍ତଗୁଡ଼ିକୁ ସହଜ କରିବାକୁ ଚେଷ୍ଟା କରୁଥିଲି । ଓଃ, ପର ଦିନ ସକାଳେ ଏ କି ବ୍ୟତିକ୍ରମ ! ଦ୍ୱୈପାୟନ ଫେରିନାହିଁ । ହୋଟେଲ ମାଲିକ ସାଙ୍ଗେ ପୋଲିସ । ସେମାନଙ୍କ ହାତରେ ମୋର ଫଟୋ ଆଉ ପୂରା ବିବରଣୀ–

 

ମୁଁ ସଳିତା ମହାନ୍ତି, ବୟସ ଷୋଳବର୍ଷ, ଆଇ. ଏ ପ୍ରଥମ ବର୍ଷର ଛାତ୍ରୀ.....ମୋର କଲେଜର ନାମ....ମୋର ପିତାଙ୍କ ନାମ....ମୋ ଠିକଣା, ଓଃ, ମୁଁ ଘର ଛାଡ଼ିଛି । ଦ୍ୱୈପାୟନର ପ୍ରବଞ୍ଚନାର ଶୀକାର ହୋଇ ମୁଁ କ’ଣ କରିଛି ! ବିସ୍ମୟ ଓ ବେଦନାର ମୁଁ ହତବାକ୍‌ ହୋଇପଡ଼ିଲି । କିଛି ସମୟ ପୂର୍ବର ମୋ କଳ୍ପନାର ସ୍ୱର୍ଣ୍ଣସୌଧ ଉପରେ ହଠାତ୍‌ ଗୋଟିଏ ଧ୍ୱସଂକାରୀ ମାରଣାସ୍ତ୍ର ନିକ୍ଷେପ କରି ଖଳନାୟକ ପଳାଇ ଯାଇଛି । ମୋ ଚେତନାରୁ ପୃଥିବୀର ସବୁକିଛି ଅନ୍ତର୍ହିତ ହୋଇ ଯାଇଥିଲା....ମୁଁ ସଂଜ୍ଞାହୀନା ହୋଇ ଢଳି ପଡ଼ିଲି ।

 

ମୋ ସହରକୁ ମୋତେ ନେଇଯିବା ପୂର୍ବରୁ ମୁଁ କୌଶଳରେ ଖସି ଆସିଥିଲି ସେମାନଙ୍କ ପାଖରୁ । ଏ ତୃତୀୟ ସହରରେ ବହୁ ଆକ୍ଷିର ଲୋଭନୀୟ ଉଜ୍ଜଳ ଦୃଷ୍ଟିରୁ ବଞ୍ଚାଇ ଘୂରି ବୁଲୁଥିଲି ମୁଁ-। ଏଠାରେ ଭାଗ୍ୟକୁ ମୋ ପରିଚୟ କେହି ଜାଣନ୍ତି ନାହିଁ । ମୁଁ କିମିତି ପହଞ୍ଚିଲି ? କୁଆଡ଼େ ଯିବି-? ମୁଁ ଲକ୍ଷହୀନା......ପୁଣି ପୋଲିସ୍‌ର ଦୃଷ୍ଟିରେ ପଡ଼ିଲି ।

 

ମୋ ପରିଚୟର ସନ୍ଧାନ ପାଇବା ପର୍ଯ୍ୟନ୍ତ ମୋତେ ଏଇ ଶିଶୁ ମହିଳା ଅନାଥାଶ୍ରମରେ ସେମାନେ ରଖି ଦେଇ ଗଲେ । ମାତ୍ର ଦୁଇଟି ଦିନରେ ମୁଁ ଦ୍ୱୈପାୟନର ଧକ୍‌କା ସତେ କି ଭୂଲିଗଲି-। ଆଶ୍ଚର୍ଯ୍ୟ, ଅମୃତ ସହର ଏ ! ଏତେ ଐଶ୍ୱର୍ଯ୍ୟ, ମଣିମୁକ୍ତାର ଗନ୍ତାଘରର ଉତ୍ତରାଧିକାରିଣୀ ମୁଁ-! ଇସ୍‌, କେତେ ସୁନ୍ଦର ଏଇ କୁନି କୁନି ପିଲାମାନେ ! ମୁଁ ବି ପିଲା ହୋଇଗଲି-। ସେମାନଙ୍କୁ ପାଖରେ ପାଇଲେ ଜୀବନର ସମସ୍ତ ସୁଖ ପାଇଯିବା ପରି ମନେ ହେଲା ମୋର ।

 

କିନ୍ତୁ ଏମିତି ଭାବରେ ଆଜି କାହିଁକି ବ୍ୟଥିତ ହୋଇ ପଡ଼ୁଛି ମୁଁ ? ନା, ନା.....ମିଛ, ସବୁ ମିଛ । ହେଇତ ଏଠାକାର ଉଦ୍ୟାନରେ ଅସଂଖ୍ୟ ଫୁଲ । ମୃଦୁମନ୍ଦ ସମୀରଣରେ ଭାସି ଆସୁଛି ସୌରଭ । ଏକ ସୁନ୍ଦର ଛୋଟ ଘର । ମୁଁ ଓ ମୋ ସଂସାର । ଦ୍ୱୈପାୟନ ଆଉ ମୁଁ....ଇମିତି ଶିଶୁମାନଙ୍କର ହସ, ଖେଳ, କାନ୍ଦ....ଓଃ. ମନରେ ପୁଣି ଚିନ୍ତାର ଝଡ଼ । ଏମାନେ ହୁଏତ ଖୁବ୍‌ ଶୀଘ୍ର ମୋ ପରିଚୟ ପାଇଯିବେ । ଏଠାରୁ ମୋତେ ପୁଣି ନେଇଯିବେ । ମୋର ଆତ୍ମୀୟ ସହରକୁ.....ତା’ପରେ ଅପମାନର ଏକ ଦୀର୍ଘ ଜର୍ଜରିତ ଜୀବନ । ଏଇତ, ବୁଲ୍‌ ବୁଲ୍ ହସୁଛି । ତିନି ବର୍ଷର ପୁଅଟିଏ । ମୋତେ ଭାରୀ ମାନେ । ମୁଁ ହସି ହସି ପଚାରିଲି,

 

-ବୁଲ୍‌ବୁଲ୍, ମୋ ପୁଅ ହେବୁ ?

 

ସେ ମୁଣ୍ଡ ଝୁଙ୍କାଇ ‘‘ହୁଁ’’ କହିଲା । ମୁଁ ପୁଣି କହିବାକୁ ଆରମ୍ଭ କଲି,

 

-ମୁଁ ତୋ ପାଇଁ ଚାକିରି ଖୋଜି କରିବି । ତୋତେ ପାଠ ପଢ଼ାଇବି, ଖୁବ୍‌ ବେଶି ପାଠ । ତୁ ଗୋଟାଏ ବଡ଼ ମଣିଷ ହେବୁ । ହେବୁ ନା ?

 

ସେଇ ‘‘ହୁଁ’’ । ସତେ ଯେମିତି ସବୁ ବୁଝିଗଲା ବୋକାଟା । ବୁଲ୍‌ବୁଲ୍‌କୁ କୋଳରେ ଜାକି ହସୁ ହସୁ ମୁଁ ଗୁଡାଏ କାନ୍ଦି ପକାଇଲି ।

 

ଆସନ୍ତି କାଲି ପାଇଁ ମୋର କଳ୍ପନା.....

 

ସକାଳ ପାହିଲେ ମୁଁ ଏଠି ନଥିବି । ବୁଲ୍‌ବୁଲ୍‌କୁ ଧରି ନିଶ୍ଚୟ ପଳାଇବି ଦୁରକୁ, ଖୁବ୍‌ ଦୂରକୁ । ମୁଁ ମିସ୍‌ ସଳିତା ମହାନ୍ତି ନୁହେଁ । ମୁଁ ଭୁଲିଯାଇଛି, ମୋ ମା’ ଦିନେ ମୋତେ ଏଇ ବୁଲ୍‌ବୁଲ୍‌ଠାରୁ ଆହୁରି ଯଥେଷ୍ଟ ଅଧିକ ସ୍ନେହ, ଆଦର କରି ବଢ଼ାଇ ଆଣିଥିଲେ ! ମୋତେ ନେଇ ତାଙ୍କର ଭବିଷ୍ୟତର କେତେକ ଆଶାଥିଲା ମଧ୍ୟ । ଗୋଟାଏ ମରୀଚିକାର ସ୍ରୋତରେ ଭାସି ଆସି ମୁଁ ବୁଡ଼ି ଯାଉଥିବା ବେଳେ ହଠାତ୍‌ ଏକ ଆଶ୍ରା ପାଇ ଯାଇଛି....ହଁ, ମୁଁ ବି ମା’....ମୁଁ ବୁଲ୍‌ବୁଲ୍‌ର ମା’....ଓଃ, କି ମୁକ୍ତି ! ଆଃ, କି ତୃପ୍ତି !!

 

ଶେଷାଂଶ–

 

ଦ୍ୱୈପାୟନ ପୁରୁଣା ଖବରକାଗଜର ନିର୍ଦ୍ଦିଷ୍ଟ ଅଂଶଟିକୁ ପଢ଼ୁଛି । ସଳିତାର ଆକସ୍ମିକ ପଳାୟନର ଖବର ବରମ୍ବାର ପଢ଼ି ନିଜ ମନକୁ ଅକାରଣେ ଦଗଧ୍‌ କରି ଚାଲିଛି ସେ । ଅନ୍ୟମାନଙ୍କ ଦୃଷ୍ଟିରୁ ନିଜକୁ ରକ୍ଷା କରିବା ପାଇଁ ଅତ୍ୟନ୍ତ ସତର୍କତାର ସହିତ ରୁମାଲ୍‌ରେ ଆକ୍ଷି ପୋଛି ନିଜକୁ ସହଜ କରିବାର ଚେଷ୍ଟା କରୁଛି ସେ । ଧୀରେ ଧୀରେ ରେଷ୍ଟୁରାଣ୍ଟର ଚେୟାର ଛାଡ଼ି ସ୍କୁଟର ଷ୍ଟାର୍ଟ କରିଛି ହଷ୍ଟେଲ ପର୍ଯ୍ୟନ୍ତ ଯିବା ପାଇଁ । ଏତିକି ଦୂର ଯିବାରେ ତାକୁ ବେଶୀ ସମୟ ଲାଗିବ ନାହିଁ, କିମ୍ୱା ପଥଶ୍ରାନ୍ତ ହୋଇ ସେ କ୍ଲାନ୍ତି ଅନୁଭବ କରିବ ନାହିଁ ।

 

କିନ୍ତୁ ଜୀବନର ସେ ସୁଦୀର୍ଘ ପଥ ???

Image

 

ପାହାଚ

 

ଅନ୍ଧାରକୁ ପଛ କରି ପାଦ ଚିପି ଚିପି ଅତି ସନ୍ତର୍ପଣରେ ଆଗେଇ ଆସୁଛି ରାଜୁ । ହାତରେ ଟର୍ଚ୍ଚ ଜଳୁଛି, ଲିଭୁଛି ପୁଣି ଜଳୁଛି । ଟର୍ଚ୍ଚ ଜଳେଇ ରଖିଲେ ମା’ ରାଗି ଯାଆନ୍ତି ।

 

-ଓଃ, ଅଯଥାରେ ବ୍ୟାଟେରୀ ଶେଷ କରନା, ରାଜୁ ।

 

-ହେଇ ମା, ଜମା କଥା ମାନୁନି । ଦେଖ, ସବୁ ବ୍ୟାଟେରୀ ଜଳିଗଲା ।

 

ମୀତୁ ନାନୀର ଚିତ୍କାର ବି ରାଜୁ ଶୁଣି, ଶୁଣି ପାରେ ନାହିଁ । ସେ ସେତେବେଳେ ଭଙ୍ଗା ରେଡ଼ିଓ ଭିତରକୁ ଟର୍ଚ୍ଚ ପକାଇ ସେ ଛିଣ୍ଡିଯାଇଥିବା ତାରଟା ସଜାଡ଼ିବାରେ ବ୍ୟସ୍ତ ଥାଏ । ମୀତୁ ନାନୀ ଅତ୍ୟନ୍ତ ଆକସ୍ମିକ ଭାବରେ ଦୌଡ଼ି ଆସି ଟର୍ଚ୍ଚଟା ଛଡ଼ାଇ ନିଏ । ରାଜୁ କାନ୍ଦେ ଖୁବ୍‌ ପାଟି କରି । ଜଣେଇ ଦେବାକୁ ପ୍ରବଳ ଇଚ୍ଛା ସେ କାନ୍ଦୁଛି ଏବଂ ଏଥିପାଇଁ ଦାୟୀ ମୀତୁ ନାନୀଟା କିନ୍ତୁ ମା’ଙ୍କ ବିଚାରରେ ସମାନ ଭାବରେ ମାଡ଼ଟା ଦୁହିଁଙ୍କ ପିଠିରେ ହୁଏ । କାରଣ ନବୁଝି ରାଗ ଆଉ ଅଭିମାନରେ ଆହୁରି ଜୋରରେ କାନ୍ଦେ ସେ । ଚିତ୍କାରରେ ଘର ଫାଟି ପଡ଼େ ।

 

ଏଠାରେ ମା’ ନାହାନ୍ତି । ମୀତୁ ନାନୀ ଲାଇଟ୍‌ ଲିଭିବା ଦେଖି ଡରି ଡରି ଦୌଡ଼ିଛି ପାଖ ସାଙ୍ଗଙ୍କ ଫ୍ଲାଟକୁ । ତେବେ ଟର୍ଚ୍ଚର ଅଧିକାର ?

 

-‘‘ମୋର’’ !

 

ବାରମ୍ବାର ‘‘ମୋର’’ କହି ହସି ଉଠିଲା ରାଜୁ । ଉଁ ହୁଁ ପୂରା ଜଳେଇ ରଖିଲେ ଯେ ବ୍ୟାଟେରୀ ସରିଯିବ । ଏଇ ତ ରାସ୍ତା ଆସିଗଲା । ଟର୍ଚ୍ଚ ଲିଭାଇ ପାହାଚ ତଳକୁ ଓହ୍ଲାଇ ଆସିଲା ସେ । କିନ୍ତୁ ରାସ୍ତାରେ ପାଦ ଥୋଇବା ଆଗରୁ ସ୍କୁଟର ଶବ୍ଦଶୁଣି ଆତଙ୍କିତ ହୋଇ ଉଠିଲା ରାଜୁ । ବାପା କିମ୍ବା ମଉସା ଯଦି ଆସି ଯାଆନ୍ତି, ସେ ଆଉ ଯାଇ ପାରିବ ନାହିଁ । ନା, କେହି ନାହାନ୍ତି । ରକ୍ଷା, ସ୍କୁଟରଟା ସିଧା ଚାଲିଗଲା । ଘର ଭିତରର ଅନ୍ଧାର ରାସ୍ତାରେ ନାହିଁ । ଆହୁରି ଫୁର୍ତ୍ତିରେ ଚାଲିଲା ରାଜୁ ।

 

ଛକଟା ବେଶୀ ଦୂର ନୁହେଁ । ଛୋଟ ଏକ ପାନ ଦୋକାନ, ସବୁ ପ୍ରାୟ ମିଳେ ସେଠାରେ-। ସ୍କୁଲ ଫେରିବାବେଳେ ଏ ଦୋକାନଟା ସବୁବେଳେ ତା ଆକ୍ଷୀରେ ପଡ଼େ । ଅନେକ ଲଜେନ୍‌ସ, ଚକୋଲେଟ୍‌ ସଜେଇ ରଖିଛି ଦୋକାନୀ । ଭାରୀ ଲୋଭ ହୁଏ ରାଜୁ । ମାତ୍ର ପାଞ୍ଚ ପଇସା ଦେଲେ ଗୋଟାଏ ଦେଇ ଦେବ । ସବୁଦିନେ ଭାବେ, ଗୋଟାଏ କିଣିଲେ କ୍ଷତି କଣ ? ମୀତୁ ନାନୀ ତ ଜଗି ବସିନି ଯେ ମା’ଙ୍କୁ କହିଦେବ । ନା, ଥାଉ । ଭଲ ପିଲାମାନେ ଏମିତି ଲୁଚାଇ ଖାଆନ୍ତି ନାହିଁ । ତା’ଛଡ଼ା ପାନ ଦୋକାନୀଟା ଯଦି ବାଜେ ଚକୋଲେଟ୍‌ ରଖିଥିବ....କାଚ ବୋତଲରେ ସଜା ହୋଇଥିବା ନାଲି, ନେଳି ଲଜେନ୍‌ସ, ଚକୋଲେଟ୍‌କୁ ଚାହିଁ ଚାହିଁ ଦୋକାନ ଆଡ଼କୁ ଚାଲିଲା ସେ । ନିହାତି ଏକ ଜାଣିବାଶୁଣିବା ଲୋକପରି ରାଜୁ ଦୋକାନୀକୁ ପ୍ରଶ୍ନ କଲା–ଏ, ମହମବତୀ ଅଛି ?

 

ଅଛି, ବାବୁ । କେତେଟା ନବ ?

 

ଦୋକାନୀ ହସୁଛି । ସେଆଡ଼େ ନ ଚାହିଁ ପ୍ୟାଣ୍ଟ ପକେଟରୁ ପଇସା କାଢ଼ି ଗଣିବାରେ ବ୍ୟସ୍ତ ଅଛି ରାଜୁ । ମନେ ପଡ଼ିବାରୁ କହିଲା,

 

-ଦୁଇଟା ମହମବତୀ ଦିଅ ।

 

ଦୋକାନୀକୁ କୋଡ଼ିଏ ପଇସା ଧରେଇ ବାକୀ ପଇସାକୁ ଆଉ ଥରେ ଦେଖି ରଖିଲା ସେ । ମା’ଙ୍କୁ ମାଗିଲେ ସବୁ ସମୟରେ ପଇସା ମିଳେନା । ରାଜୁର ମନେ ପଡ଼ିଲା ସେଇ ଦୃଶ୍ୟ...

 

ମା’ ଅସୁସ୍ଥ । ବାପା ନେଇ ଆସିଲେ ସେମାନଙ୍କୁ ତାଙ୍କ ସ୍କୁଲ ପାଖରେ ମଉସାଙ୍କ ଘରକୁ । ଆସିବାବେଳେ ସେ ମା’ଙ୍କ ଶୋଇବା ଘରର ପରଦା ଆଡ଼େଇ ଲୁଚି ଦେଖୁଥିଲା । ମା’ କ୍ଷୀଣ କଣ୍ଠରେ କହୁଥିବାର ସେ ଶୁଣିଛି-ରାଜୁ ପାଖରେ କିଛି ପଇସା ଥାଉ, ଦରକାର ପଡ଼ିଲେ ମୀତୁ ବି ତା’ ପାଖରୁ ନେବ । ମୀତୁ ନାନୀ ବି ରାଜି ହୋଇଗଲା, କାରଣ ପଇସା ହଜାଇବାରେ ବେଶ୍‌ ଅଭ୍ୟସ୍ତ ସେ ।

 

ମା’ଙ୍କ ଖଟ ପାଖରେ ଠିଆ ହୋଇ ବାପା କହୁଥିଲେ-ତୁମେ ବ୍ୟସ୍ତ ହୁଏନା, ପିଲାଙ୍କର କିଛି ଅସୁବିଧା ହେବ ନାହିଁ ।

 

ମଉସାଙ୍କ ଘରକୁ ବାହାରି ଭବିଷ୍ୟତର ଆମୋଦଜନିତ କଳ୍ପନାରେ ମଗ୍ନ ଥିଲା ରାଜୁ । ହଠାତ୍‌ ବାପାଙ୍କର କଥା ପଦକ ତା’ ମନରେ ଅସଂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କଲା । ବ୍ୟସ୍ତତା କ’ଣ ପାଇଁ ? ଦୌଡ଼ି ଯାଇ ପଚାରି ଦେବାକୁ ମନେ ହେଉଛି । କିନ୍ତୁ ବାପାଙ୍କର ମନା ଅଛି ମା’ଙ୍କ ପାଖକୁ ନ ଯିବାକୁ । ରାଜୁ ଅସ୍ଥିର ହେଲା । ମୀତୁ ନାନୀ ରିକ୍‌ସାରେ ବସି ସାରିଲାଣି । ସେ ଖାଲି ଭାବୁଛି, ବାପା କାହିଁକି ଅଯଥାରେ ଡେରି କରୁଛନ୍ତି ? ଓଃ ଶୀଘ୍ର ଗଲେ ବେଶ୍‌ ମଜା ।

 

ମଜା ତ-ପ୍ରଥମେ ସେ ଭାବିଥିଲା ଏତେ ଶୀଘ୍ର ବିଛଣାରୁ ଉଠିବ ନାହିଁ । କିନ୍ତୁ ସକାଳୁ ଉଠି ଛାତରେ ବୁଲିବାକୁ ଏଠି ତାକୁ ଭାରୀ ଭଲ ଲାଗୁଛି । ବ୍ରସ୍‌ରେ ପେଷ୍ଟ ଦେଇ ମନ ଇଚ୍ଛା ବୁଲି ଚାରିଆଡ଼କୁ ଚାହିଁବା ତା’ର ଅଭ୍ୟାସ ହୋଇଗଲାଣି । ସେ ପାଖେ ସ୍କୁଲ, ପ୍ରଧାନ ରାସ୍ତା, ଆଉ ଧାଡ଼ି ଧାଡ଼ି ଡ୍ରୁପିଂ ଦେବଦାରୁ ।

 

ବଣିଗୁଡ଼ା ସକାଳୁ କଳି ଆରମ୍ଭ କରି ଦେଲେଣି । ଘରଚଟିଆଙ୍କ ଚେଁ, ଚାଁରେ ରାଜୁ ଊତ୍‌କ୍ଷିପ୍ତ ହୋଇ ଉଠିଲା । ପାଖରେ ରାଜୁକୁ ଦେଖି ମଧ୍ୟ ଚଢ଼େଇଗୁଡ଼ାକଙ୍କର ଟିକିଏ ହେଲେ ଡର ନାହିଁ । ଦୌଡ଼ି ଦୌଡ଼ି ତାଙ୍କୁ ସବୁ ଉଡ଼ାଇ ଦେଲା ସେ ।

 

ନାଲି ସୂର୍ଯ୍ୟ ସୁନ୍ଦର ଦିଶୁଛନ୍ତି । ତଳକୁ ଯାଇ ମୀତୁ ନାନୀକୁ ଉଠାଇଲେ କିମିତି ହୁଅନ୍ତା-?

 

-ମୀତୁ ନାନୀ, ଏ ମୀତୁ ନାନୀ, ଉଠ୍‌, ସୂର୍ଯ୍ୟ ଉଦୟ ଦେଖିବୁ ।

 

-ଉଁ, ହୁଁ.....କାଲି ତୋ’ଠୁ ଆଗ ଉଠି ଦେଖିବି ରହିଥା ।

 

ଛାତ ଉପରର ସବୁ ଦୃଶ୍ୟ ବର୍ଣ୍ଣନା କରିଗଲା ରାଜୁ । ତଥାପି ମୀତୁ ଶୋଇଗଲା ସେ ପାଖୁ ମୁହଁ ବୁଲେଇ । ଲୁଚି ଲୁଚି ମଉସାଙ୍କ ଶୋଇବା ଘର ପାଖରେ ଚାହିଁଲା ସେ । ନା, ସମସ୍ତେ ଶୋଇଛନ୍ତି, ସେ ପ୍ରଥମେ ଉଠିଛି । ବିସ୍କୁଟ ଡବା ଖୋଲି ଖାଉ ଖାଉ ସେ ଭାବିଲା ବାପା ଆସି ଯଦି ଦେଖନ୍ତି ସେ ପଢ଼ୁଛି ଆଉ ମୀତୁ ନାନୀ ଶୋଇଛି !

 

ରାଜୁ ପାଟି କରି ପଢ଼ିବାକୁ ଆରମ୍ଭ କଲା । ମୁଉସା ଆସି ମୀତୁ ନାନୀକୁ ଉଠାଇଲେ । ତାକୁ ଖୁସି ଲାଗୁଥାଏ । ସେ ଆହୁରି ମନ ଦେଇ ପଢ଼ିବାକୁ ଆରମ୍ଭ କରିଦେଲା ।

 

ରାଜୁ ମା’ଙ୍କୁ ଚିଠି ଲେଖିଛି-ସେ ଭଲ ଅଛି, ପାଖରେ ବହୁତ ସାଙ୍ଗଙ୍କ ଘର, ତା’ ବନ୍ଧୁକଟା ଭାରୀ କାମରେ ଲାଗୁଛି । ଘରକୁ ଫେରିଲେ ସେ ବହୁତ କଥା କହିବ । ଓଃ, ମୀତୁ ନାନୀଟା ଖାଲି ତାକୁ ଜଗିଛି, ମା’ଙ୍କୁ ଲେଖିଦେଲା ରାଜୁ ଆଜି ଦୁଧ ନ ପିଇ ଶୋଇଗଲା ।

 

ରହ, ମୁଁ ବି କହିଦେବି ଯେ ସ୍କୁଲରୁ ଫେରି ନ ଖାଇ ସେ ଦିନ ମିତୁ ନାନୀ ଖେଳି ଚାଲିଗଲା । ମଉସା ଅଫିସରୁ ଫେରି ତାକୁ ପାଖ ଫ୍ଲାଟରୁ ଡକାଇ ପଠାଇଲେ ।

 

ଇସ୍‌, ଘରେ ପହଞ୍ଚି ସେ ପ୍ରଥମେ ମା’ଙ୍କୁ ଆଶ୍ଚର୍ଯ୍ୟ କରି ଦେବ ।

 

-ଜାଣିଛ ମା, ମୁଁ ଶିକାର କରି ଯାଇଥିଲି ।

 

-ଶିକାର ?

 

-ହଁ, ବନ୍ଧୁକଟା ତୁମ ପାଖରୁ ମଗାଇ ପଠାଇଥିଲି ନା । ମୋ ସାଙ୍ଗ ମୁନାର ବଡ଼ ଭାଇ ଗୋଟିଏ ବଡ଼ ବନ୍ଧୁକ ନେଇ ଯାଆନ୍ତି । ଆମର ଦୁଇଟା ଛୋଟ ବନ୍ଧୁକ....

 

ମା’ ଏକବାରକେ ଆଶ୍ଚର୍ଯ୍ୟ...

 

-କିରେ ଜଙ୍ଗଲ କାହିଁ ?

 

-ତୁମେ ଜାଣନା, ମା । ଆମ ସ୍କୁଲ ପାଖରୁ ବହୁ ଦୁରକୁ ବାଣୀବିହାର ଆଡ଼କୁ ଆମେ ଚାଲି ଚାଲି ଯାଇଥିଲୁ । ମୁନାଙ୍କ ଭାଇ ଗୋଟିଏ ସାପ ମାରିଦେଲେ, ଆଉ କେତେଗୁଡ଼ା ଚଢ଼େଇ ମଧ୍ୟ ।

 

ଛଅ ସାତ ବର୍ଷର ରାଜୁ ମହମବତୀ ଦୁଇଟି ଧରି ସେମିତି ପାହାଚ ପରେ ପାହାଚ ଅତିକ୍ରମ କରି ଆସୁଛି ।

 

ମା’ଙ୍କ ଦେହ ତ ଭଲ ହୋଇ ଯାଇଥିବ । ତାଙ୍କ କୋଳରେ ଶୋଇ ସବୁ କଥା ଶୁଣାଇବି-। ଆଜିକା କଥାଟା ବି । କାହିଁ, ଅନ୍ଧକାରରେ ସେ ତ ଜମା ଡରୁନାହିଁ । ବାପା କହୁଥିଲେ ନିଜ କାମ ନିଜେ କରିବା ଭଲ । ଛିଃ, ଛିଃ, ମୀତୁ ନାନୀକୁ ଡର ଲାଗିବ ବୋଲି ସେ ତ ମୁନାର ଅପାଙ୍କ ପାଖରେ ବସିଛି । ଘରକୁ ଗଲେ ସବୁକଥା କହିବି ଯେ ମା’ଙ୍କୁ....ବାରମ୍ବାର ଏଇ କଥାଟା ଘୋଷି ହେଉଥିଲା ବେଳେ ହଠାତ୍‌ ସେ ଭାବିଲା-ମୀତୁ ନାନୀ ଯଦି ଜିଦ୍‌ କରେ ମା’ଙ୍କ ପାଖରେ ଶୋଇବ ବୋଲି । ପୁଣି ବାପା ଯଦି ରାଗନ୍ତି । ସେଦିନ ସେ କହିଲେ,

 

-ରାଜୁ, ତୁମ ବିଛଣାକୁ ଯାଅ ।

 

ଅନିଚ୍ଛାରେ ଉଠି ଆସିଲା ସେ ମା’ଙ୍କ କୋଳରୁ । ସେ କ’ଣ ସତରେ ବଡ଼ ପିଲା ? ଓଃ, ସେ ତ ତା କ୍ଲାସର ମନିଟର୍‌ ।

 

ମୀତୁ ନାନୀ ଚିଡ଼େଇଲା ।

 

-ରହ, କହିଦେବି ଯେ ତୋ ସାଙ୍ଗମାନଙ୍କୁ, ତୁମ ମନିଟର ମା’ କୋଳରେ ଶୋଇ ଗପ ଶୁଣିବାକୁ ଜିଦ୍‌ କରେ ।

 

ରାଜୁ କାନ୍ଦ କାନ୍ଦ ହେଲା । ମୀତୁ ନାନୀ ତ ବେଶୀ ଜିଦ୍‌ କରେ ଗପ ଶୁଣିବାକୁ ।

 

ଦିନେ ବାପା ବି ବସିଥିଲେ ମା’ଙ୍କ ପାଖରେ । ଇମିତି ସନ୍ଧ୍ୟାରୁ ଆଉ ଟିକିଏ ଅଧିକ ରାତ୍ରି ହୋଇଥାଏ । ପଢ଼ାଘରେ ବସି ମୀତୁ ନାନୀ ଆଉ ରାଜୁ ପଢ଼ୁଥିଲେ । ଲାଇଟ୍‌ଗୁଡ଼ା ହଠାତ୍‌ ଲିଭିଗଲା । ରାଜୁ ଦୌଡ଼ି ଆସୁଥିଲା ମା’ଙ୍କ ପାଖକୁ । ବାପାଙ୍କୁ ଦେଖି ଟିକିଏ ଦବି ଗଲା ସେ । ବାପା ହୁଏତ କହିବେ,

 

-ପଢ଼ିଥିବା ବିଷୟ ଏବେ ମନରେ ଚିନ୍ତା କର, ଭଲ ମନେ ରହିବ ।

 

କେତେଥର ଏଇ ଆଦେଶ ପାଇଛି ରାଜୁ । ନଚେତ୍‌ କେବେ କେବେ ଲାଇଟ୍‌ ଜଳିବା ଯାଏ ପ୍ରଶ୍ନ ପଚାରି, ପଚାରି ପାଠ ପଢ଼େଇବା ଆରମ୍ଭ କରି ଦେବେ ସେ ।

 

ପାଦ ସ୍ଥିର ହେଲା ରାଜୁର । ନା, ଜମାରୁ ଯିବି ନାହିଁ, ତଥାପି ଅପେକ୍ଷା କରିଥାଏ ଟିକିଏ ବାପା ସେଠାରୁ ପଳାନ୍ତେ କି ! ସେ ମା’ଙ୍କ ପାଖକୁ ଦୌଡ଼ି ଯାଆନ୍ତା । ସେ ଦେଖିଲା, ଝରକା ପାଖ ଦେଇ ମେଞ୍ଚାଏ ଚନ୍ଦ୍ରାଲୋକ ଠିକ୍‌ ମା’, ବାପାଙ୍କ ଉପରେ ପଡ଼ିଛି । ବାପା ତ ବଡ଼ ପିଲା । ସେ କାହିଁକି ମା’ ପାଖରେ ଇମିତି ଲାଗି କରି ବସିଛନ୍ତି ? ବାଃରେ, ହସି ହସି କଣ ଇମିତି ମଜା କଥା କହୁଛନ୍ତି ଯେ ମା’ ବି ଖୁବ୍‌ ହସି ପକାଉଛନ୍ତି । ବାପାମାନେ କ’ଣ ହସନ୍ତି ???

 

ରାଜୁ ଗମ୍ଭୀର ହେଲା । ପୁଣି ଭାବିଲା ବାପାଙ୍କୁ ସେ ଡରିବ କାହିଁକି ? ନା,-ସେ ଦୌଡ଼ି ଦୌଡ଼ି ଯିବ । ବାପାଙ୍କୁ ଠେଲି ଦେଇ ମା’ ପାଖରେ ବସିବ । ଓହୋ, ବଡ଼ ପିଲାମାନେ ବସନ୍ତି ନାହିଁ ଖାଲି.....

 

ବାପା କିନ୍ତୁ ତାକୁ ଦେଖି ପକାଇ ଡାକିଲେ ସେମିତି ହସିହସି ।

 

-କ’ଣ, ମା’ ପାଖରେ ଗେହ୍ଲା ହେବୁ କିରେ ? ଆ, ଏଠିକି ।

 

ଲାଇଟ୍‌ଗୁଡ଼ା ଜଳି ଉଠିଲା । ରାଜୁ ଦୌଡ଼ିଲା ପଢ଼ା ଘରକୁ । ନଚେତ୍‌ ମୀତୁ ନାନୀ ଆଗ ପଢ଼ା ସବୁ ସାରିଦେବ ଯେ ।

 

-ଏ’ ରାଜୁ, ମହମବତୀ ଆଣିବାକୁ କେତେ ସମୟ ଲାଗୁଛି । ଓଃ, ବାବୁ ପାଦ ଗଣି ଗଣି ଚାଲିଛନ୍ତି । ଲାଇଟ୍‌ ତ ଆସି ଗଲାଣି ।

 

ଲାଇଟ୍‌ ଆସିଗଲା ! ଆଉ ମହମବତୀଗୁଡ଼ା ଜଳି ପାରିବ ନାହିଁ । ରାଜୁର ମୁହଁ ଶୁଖିଗଲା ।

 

-ଚୁପ୍‌ କରି ଠିଆ ହେଇଚୁ କଣ ? ବାପା ଆସିଛନ୍ତି, ଉପରକୁ ଚାଲ । ହଁ, ମାଉସୀ, ମୀନା, ବାପି ସମସ୍ତେ ଗାଁରୁ ଆସି ପହଞ୍ଚିଛନ୍ତି ଏବେ ।

 

ରାଜୁ ମୁହଁ ଶୁଖାଇ ଉପରକୁ ଆସିଲା । ମାଉସୀ ଆସିଗଲେ । ଏଥର ହୁଏତ ସ୍ୱାଧୀନ ଭାବରେ ତା’ ବୁଲାବୁଲି ହୋଇ ପାରିବ ନାହିଁ । ହାତରେ ଧରିଥିବା ମହମବତୀ ଦୁଇଟିକୁ ବଡ଼ ଉଦାସ ଦୃଷ୍ଟିରେ ଚାହିଁ ରହୁଥିଲା ସେ ବାରମ୍ବାର । ବାରଣ୍ଡାରେ ଚେୟାରରେ ବସି ମଉସା, ମାଉସୀ, ବାପା ଚା’ ଖାଉଛନ୍ତି ।

 

ବାପାଙ୍କୁ ଦେଖି ରାଜୁକୁ ଡର ଲାଗିଲା । ପାଠ ଆରମ୍ଭ କରି ନାହିଁ ସେ ଏପର୍ଯ୍ୟନ୍ତ । ସେ କିନ୍ତୁ ତାକୁ ପାଖକୁ ଡାକିଲେ ।

 

-କୁଆଡ଼େ ଯାଇଥିଲ ?

 

ଅବାକ୍‌ ହୋଇ ରାଜୁ ତାଙ୍କୁ ଚାହିଁ ରହିଥାଏ ।

 

-ତୁମେ ଭାରି ଭଲ ପିଲା ହୋଇଗଲଣି, ଦେଖୁଛି ।

 

ଓଃ, ବାପା ତେବେ ସବୁ ଜାଣିଗଲେଣି । ସେ ତ ନିଜ କାମ ନିଜେ କରୁଛି । ଲାଇଟ୍‌ ଲିଭିଯିବାରୁ ପାଠପଢ଼ାରେ ସୁବିଧା ହେବ ବୋଲି ମହମବତୀ କିଣିବାକୁ ଯାଇଥିଲା । ରାଜୁ ମନ ଖୁସି ହୋଇଗଲା । ବାପା ଆହୁରି କହୁଛନ୍ତି ଶୀଘ୍ର ବାହାରି ପଡ଼, ଘରକୁ ଯିବା ଏବେ ।

 

ମା’ ତେବେ ଭଲ ହୋଇ ଗଲେଣି । ଆଃ, କି ମଜା ! ରାଜୁ ଦୌଡ଼ିଲା ମୁନା ଓ ପାଖର ଅନ୍ୟ ବନ୍ଧୁମାନଙ୍କୁ ଏଇ ଖବରଟା ଜଣେଇ ଦେବାକୁ ।

Image

 

Unknown

ଆତ୍ମାର ନିର୍ବାସନ

 

ରାତ୍ରିର ନିସ୍ତବ୍‌ଧ ପ୍ରହରରେ ତନ୍ଦ୍ରାର ପ୍ରଲେପ ଆପେ ଆପେ କିଏ ପୋଛି ନେଇଯାଏ । ଦିନସାରା ଅକ୍ଳାନ୍ତ ପରିଶ୍ରମ ପରେ ମଧ୍ୟ ଇମିତି ଚିନ୍ତାନ୍ୱିତ ହୋଇପଡ଼େ ସାଧନ । ମଧ୍ୟାହ୍ନର କର୍ମରତ ଜୀବନରେ ବି ହଠାତ୍‌ ଭଟ୍ଟା ସୃଷ୍ଟି ହୁଏ । ଚିନ୍ତାଧାରାର ଗଣ୍ଡଗୋଳରେ ମୁଣ୍ଟଟା ଚାପି ଧରି ନୀରବରେ ବସି ରହେ ସେ ।

 

ଶୁଭ୍ରା ସାଧନର ସ୍ତ୍ରୀ । ଗତ କିଛି ଦିନ ଧରି ସ୍ୱାମୀଙ୍କର ଏଇ ଅଭିନବ ପରିବର୍ତ୍ତନ ଦେଖି ସେ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ୁଛି ।

 

ନିର୍ଲିପ୍ତ ସାଧନ ଟେବୁଲ ଲ୍ୟାମ୍ପ୍‌ର ଆଲୋକରେ ଦୃଷ୍ଟି ନିବିଷ୍ଟ କରି ଏକାନ୍ତ ଭାବେ ଚିନ୍ତାମଗ୍ନ ଥିଲା ପରି ମନେ ହେଉଥିଲା । ପାଖରେ ଶୁଭ୍ରାର ଉପସ୍ଥିତି ସେ ସତେ କି ମୋଟେ ଜାଣିପାରୁ ନଥିଲା ।

 

କ’ଣ ହୋଇଛି ସାଧନର ! ଘରେ ଥିବାବେଳେ ଶୁଭ୍ରା ସଙ୍ଗେ ଗୋଟିଏ ମିନିଟ୍‌ ବି କଥା ନକହି ସେ ସ୍ଥିର ରହିପାରେନା । କେତେବେଳେ ଖୁବ୍‌ ଖୁସୀ ଥିବା ସମୟରେ ବାରମ୍ବାର ସେଇ କେଇ ପଦ କଥା ଘୋଷିହୁଏ ସେ ।

 

ମୋ କୁମାର ଜୀବନର ସମସ୍ତ ଆଦର୍ଶ, ଲକ୍ଷ୍ୟ କେଉଁଆଡ଼େ ଗଲା କୁହତ ! ତୁମର ମାୟା ସ୍ପର୍ଶରେ ମୁଁ ସତେ କି ଅନ୍ୟ ଏକ ମଣିଷ ପାଲଟି ଗଲିଣି ।

 

ଶୁଭ୍ରା କହେ,

 

-ବେଶ୍‌ ତ, ମୋର ଏ କୃତିତ୍ୱ ପାଇଁ ଗର୍ବ କରିବା ଉଚିତ୍‌ ।

 

ଦୁହେଁ ହସନ୍ତି ।

 

-ତେବେ ମୁଁ ତୁମକୁ ‘ଉର୍ବଶୀ’ ବୋଲି ଡାକେ ।

 

-ଓଃ, ଥାଉ, ଥାଉ । ନିଜକୁ ଆଉ ବିଶ୍ୱାମିତ୍ର ଆଖ୍ୟା ଦିଅନା ।

 

ସେଇ ଗତାୟୁ ଦିନଗୁଡ଼ିକ....

 

ଆଉ ଏବେ ? ....ଦୁଇଟି ନରମ ମନରେ କେଉଁ ଅଜଣା କାରଣ ନେଇ ଦୀର୍ଘଶ୍ୱାସର କରୁଣ ତରଙ୍ଗ ।

 

-ଶୁଭ୍ରା !

 

-ଉଁ ।

 

ଚମକି ଚାହିଁଲା ଶୁଭ୍ରା । ସେ ତ୍ରସ୍ତା । ବିଷାଦ ଓ ବିସ୍ମୟରେ ଅବସନ୍ନ ତାର ମନ ।

 

-ତୁମେ ବରଂ ଖାଇ ନିଅ ଶୁଭ୍ରା । ମୋର ଇଚ୍ଛା ନାହିଁ । କହୁକହୁ ନିଜ ଶୟନ କକ୍ଷକୁ ଦ୍ରୁତ ପଦକ୍ଷେପରେ ଆଗେଇ ଗଲା ସାଧନ । ଶୁଭ୍ରା ନିର୍ବାକ । ଭାବୁଥିଲା ପଚାରନ୍ତା–କୁହ ସାଧନ, କାହିଁକି ? କଣ ହୋଇଗଲା ତୁମର ଏଇ ଅଳ୍ପ ଦିନ ମଧ୍ୟରେ ? କିଏ ତୁମ ମନର ପ୍ରଫୁଲ୍ଲତା ଲୁଟି ନେଲା ?? ....ନା, କିଛି ପଚାରି ପାରିବନି ସେ । କାରଣ ସାଧନ ସତେ କି ନିର୍ବାକ ପାଲଟି ଯାଇଛି-। କିଏ କହିବ ଏଇ ଆକସ୍ମିକ ଭାବାନ୍ତରର କାରଣ । ଶୁଭ୍ରାର ମନେହେଲା ସେ ଗଳା ଫଟେଇ କାନ୍ଦନ୍ତା କି....

 

X X X

 

ପୋଲିସ ସାହେବଙ୍କର ବିଦାୟ ଉପଲକ୍ଷେ ଆୟୋଜିତ ଏକ ଭୋଜୀ ସଭାରେ ସମ୍ପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା ସାଧନ ଉପରେ । ଅବଶ୍ୟ ମାନସିକ ଅସୁସ୍ଥତାବଶତଃ ନିଜର ଅକ୍ଷମତା ପ୍ରକାଶ କରିବାକୁ ଯାଇ ଏଥର ଏ ଦାୟିତ୍ୱରୁ ତାକୁ ମୁକ୍ତି ଦିଆଯାଉ ବୋଲି ସେ ସବିନୟ ପ୍ରତିବାଦ ଜଣାଇଥିଲା । କିନ୍ତୁ ଏ ସବୁ ଶୁଣିବାକୁ ସେମାନେ ଆଦୌ ପ୍ରସ୍ତୁତ ନ ଥିଲେ । ଗତାନୁଗତିକ ଭାବରେ ଇମିତି ସମସ୍ତ ଭୋଜୀ ସଭାର ଦାୟିତ୍ୱ ସୁଚାରୁରୂପେ ସମ୍ପନ୍ନ କରିବାରେ ପୂର୍ବରୁ ବେଶ୍‌ ନାମ ଅର୍ଜନ କରିଥିଲା ସାଧନ । ତେଣୁ ପ୍ରତିବାଦର ପ୍ରସ୍ତାବ ବିରୁଦ୍ଧରେ ଅନେକ ମତାମତ ପରେ ଅଗତ୍ୟା ତାକୁ ରାଜି ହେବାକୁ ହିଁ ହେଲା ।

 

ପାର୍ଟି ଜମି ଉଠିଲାଣି । ପ୍ଲେଟ୍‌, ଚାମଚର ଟୁଣ୍‌ଟାଣ ସଙ୍ଗେ ଚାପା ଶବ୍ଦର କଥାବାର୍ତ୍ତାରେ ଗେଷ୍ଟ ହାଉସ୍‌ ମୁଖରିତ ହୋଇ ଉଠୁଥିଲା କ୍ରମଶଃ । କର୍ମରତ ସାଧନ । କାହାରିକୁ ଅପେକ୍ଷା ନ କରି ସମସ୍ତଙ୍କ ପ୍ରୟୋଜନ ଅନୁସାରେ ଖାଦ୍ୟଦ୍ରବ୍ୟ ଯୋଗାଇ ଦେବାରେ ପୂରାପୂରି ନିଯୁକ୍ତ ହୋଇ ସାରିଥିଲା ସେ ।

 

ହଠାତ୍‌ ନୂଆ ରକମର କୋଳାହଳ । ଓ୍ୟାରଲେସ୍‌ ଆସିଛି । ନୂଆ ଏସ. ପି. ମିଷ୍ଟର ମିଶ୍ର ଘଣ୍ଟାକ ପରେ ଆସି ପୁରୀରେ ପହଞ୍ଚିବେ ।

 

ଦୁଇ ହାତରେ ମିଠାର ଟ୍ରେ ଧରି ଆସୁଥିଲା ସାଧନ । ଅକସ୍ମାତ୍‌ ହାତରୁ ଖସି ପଡ଼ି ପ୍ଲେଟ୍‌ ଗୁଡ଼ିକ ଚୁରମାର ହୋଇଗଲା । ସ୍ଥାଣୁ ପାଲଟିଛି ସାଧନ ।

 

Extremely sorry, sir

 

ବିଦାୟୀ ଏସ୍‌. ପି. ଙ୍କର ଦୃଷ୍ଟି ଆକର୍ଷଣ କରି ଉତ୍ତର ଦେଲା ସେ । ତାର ବିଚଳିତ ଭାବ ପ୍ରତି କାହାରି ଦୃଷ୍ଟି ନ ଥିଲା । ପୁରାତନଙ୍କ ବିଦାୟ ଓ ନୂତନଙ୍କ ଆଗମନ ନେଇ ସମସ୍ତେ ଗଳ୍ପରେ ମଗ୍ନ ଥିଲେ ।

 

ଠିକ୍‌ ସାତଟି ଦିନ ପରେ.....

 

ଜିଲ୍ଲା ପୋଲିସ ସମ୍ମିଳନୀ ପୁରୀରେ ଆରମ୍ଭ ହୋଇ ଯାଇଥିଲା । ଏଥିରେ ସଭାପତିତ୍ୱ କରୁଥିଲେ ନୂତନ ଏସ୍‌. ପି. ସଂଭ୍ରମ ମିଶ୍ର । ସମସ୍ତଙ୍କ ପରିଚୟ ଜାଣିବା ସଙ୍ଗେ ସଙ୍ଗେ ଜିଲ୍ଲାର ବହୁବିଧ ସମସ୍ୟା ସହ ଜଡ଼ିତ ପୋଲିସର କାର୍ଯ୍ୟକଳାପ ପର୍ଯ୍ୟାଲୋଚନା କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

 

ପୁରୀ ଜିଲ୍ଲାର ଏକ ମଫସଲ ପୋଲିସ ଥାନାରେ ସବ୍‌ଇନିସ୍‌ପେକ୍‌ଟର ରୂପେ ସାଧନର ନିଯୁକ୍ତି । ତା ମନରେ ଅସଂଖ୍ୟ ଝଡ଼, ବତାସ ସ୍ୱର ତୋଳିଥିଲେ ସେଦିନ । ବିଚାରାଳୟର ଏକ କୟଦୀର ଚିତ୍ତଚାଞ୍ଚଲ୍ୟରେ ସେ ଅସ୍ଥିର ହୋଇ ପଡ଼ୁଥିଲା କ୍ଷଣକୁ କ୍ଷଣ । ତଥାପି ସେ ଉପସ୍ଥିତ ଥିଲା କର୍ତ୍ତବ୍ୟର ଚାପାରେ ।

 

ସମ୍ମିଳନୀର ସମାପ୍ତି ପରେ.....

 

ସମସ୍ତେ ଯିବା ପାଇଁ ଉଦ୍ୟତ । ଠିକ୍‌ ଏଇ ସମୟରେ ସାଧନ ଖୋଜି ହେଉଥିଲା ରାସ୍ତା-। ଗୋପନରେ ପଳାଇ ଯିବାର ରାସ୍ତା ।

 

ସାଧନ !

 

ଆଃ, କିଏ ଡାକୁଛି ତା’ ନାଁ ଧରି ! ପଛକୁ ଫେରି ଚାହିଁଲା ସେ । ନା, ନ ଯିବାର ଉପାୟ ଆଉ ନାହିଁ । ସ୍ୱୟଂ ପୋଲିସ ସାହେବଙ୍କ ଗାଡ଼ି ପାଖରୁ ଏ ଶବ୍ଦ ଆସୁଛି । ସ୍ୟାଲୁଟ୍‌ ଦେଇ ଠିଆ ହେଲା ସାଧନ ।

 

-ମୋତେ ଡାକୁଥିଲେ ସାର୍‌ !

 

ବିସ୍ମୟ ବିମୂଢ଼ ହେଲେ ସଂଭ୍ରମ ।

 

-ଆ, ମୋ ଗାଡ଼ିରେ ବସ ।

 

ହୃଦୟ ମନ୍ଥି ହୋଇ ପଡ଼ିଲା ସାଧନର ।

 

-କେତେ ଗୁଡ଼ିଏ ଜରୁରୀ କେଶ୍‌ ପାଇଁ ଫୋନ୍‌ ଆସିଥିଲା ସାର୍‌ । ମୋତେ ବରଂ ବିଦାୟ ଦିଅନ୍ତୁ ।

 

ସଂଭ୍ରମ କିଛି ବୁଝିଲେନି । ସାଧନର ହାତ ଟାଣି ଗାଡ଼ିରେ ବସେଇ ଦେଉ ଦେଉ ଗାଡ଼ି ଷ୍ଟାର୍ଟ ହୋଇ ସାରିଥିଲା ।

 

-ଦେଖନ୍ତୁ ସାର୍‌, ସମସ୍ତଙ୍କ ଆଗରେ ଆପଣଙ୍କର ଏ ବ୍ୟବହାର....

 

ସଂଭ୍ରମ ହସି ଉଠିଲେ ।

 

-କିରେ, ବେଶ୍‌ ତ ବଦଳି ଯାଇଛୁ ଦେଖୁଛି ।

 

-ସମୟର ଆବର୍ତ୍ତନରେ ଆମ ସମସ୍ତଙ୍କର ହିଁ ବଦଳି ଯିବା ଉଚିତ୍‌ ।

 

-ସାଧନ !!!

 

ସଂଭ୍ରମ ଆଶ୍ଚର୍ଯ୍ୟରେ ଚିତ୍କାର କରି ଉଠିଲେ । ତା ପରେ କିଛି ସେକେଣ୍ଡର ନୀରବତା ।

 

-ସେଇ ଏକ ସଂକୀର୍ଣ୍ଣ ପଚା ଗଳିରେ ଆମର ସେ ମେସ୍‌......ନାଁଟା କଣ ? କହତ ।

 

-ସୁରମ୍ୟ ମେସ୍‌ ।

 

-ଠିକ୍‌ ତ କୋଠରୀଗୁଡ଼ାକ ବେଶ୍‌ ଅନ୍ଧାରୁଆ । ଆଉ ସେ ଯୋଉ ପାଣିଚିଆ ଡାଲି, ଗୋଡ଼ିମିଶା ଭାତ । ତା’ ସାଙ୍ଗକୁ କଖାରୁ ଘାଣ୍ଟ । ସତେ ଭାରି ଠକୁଥିଲା ମେସ୍‌ ମାଲିକ । ବାସ୍ତବିକ ତୁ ଯଦି ଚେଷ୍ଟା କରି ନ ଥାନ୍ତୁ, ଆମ ଅବସ୍ଥା ତ ସରିଥିଲା ସେଠି ।

 

ସାଧନକୁ ନୀରବ ଦେଖି ପୁଣି କଥା ଆରମ୍ଭ କଲେ ସଂଭ୍ରମ ।

 

-ଦେଖ୍‌ ତ । ଏତେ ସତ୍ତ୍ୱେ ମେସ୍‌ର ନାଁ ପୁଣି ‘‘ସୁରମ୍ୟ’’ ।

 

ସଂଭ୍ରମର ହସରେ ସାଧନ ବି ଯୋଗ ଦେଲା ଏଥର । କିନ୍ତୁ ହଠାତ୍‌ ସେ ଗମ୍ଭୀର ହୋଇ ଉଠିଲା । ଦୂର ଆକାଶର କେଉଁ ଏକ କ୍ଷୁଦ୍ର ତାରକାରେ ତାର ଦୃଷ୍ଟି ନିବଦ୍ଧ ଥିଲା ।

 

ସେଇ ହଜିଲା ଦିନ......ଅପରିଷ୍କାର, ଅଣଓସାରିଆ ଗଳିରେ ଅବସ୍ଥିତ ମେସ୍‌ର ସେଇ ଏକ ଅନ୍ଧାରୁଆ କୋଠରୀ, ସଂଭ୍ରମ ଆଉ ସାଧନ । ବନ୍ଧୁତ୍ୱର ଯେଉଁ ଉଜ୍ଜ୍ୱଳ ପ୍ରଦୀପ ଦୁଇଟି କୋମଳ ପ୍ରାଣରେ ଆଲୋକ ଭରି ଦେଇଥିଲା, ବର୍ତ୍ତମାନର ଚରମ ବାସ୍ତବତାର ଝଡ଼ରେ ସେଇ ଆଲୋକ ଉତ୍ସଟି ହୋଇଛି ଏକାନ୍ତ ନିଷ୍ପ୍ରଭ, ମ୍ଳାନ ।

 

ସାଧନର ଅନ୍ତର ଥରେଇ ଏକ ଦୀର୍ଘଶ୍ୱାସ ମହାଶୂନ୍ୟରେ ବିଲୀନ ହୋଇଥିଲା । ସଂଭ୍ରମର ଚକ୍ଷୁରେ କିନ୍ତୁ ଏ ସବୁ ଧରା ପଡ଼ୁ ନଥିଲା । ଅନେକ ଦିନ ପରେ ଅନ୍ତରଙ୍ଗ ସାଧନକୁ ଦେଖି ଠିକ୍‌ ନୂଆ କରି କଲେଜରେ ପାଦ ଦେଇଥିବା ଛାତ୍ର ପରି ସେ ପ୍ରଗଳଭ ହୋଇ ଉଠିଥିଲା । କିନ୍ତୁ ସବୁ କଥାର ଉତ୍ତର ସେଇ ‘‘ହଁ’’ ସତେ ଏକ ନିର୍ଜୀବ ପ୍ରାଣର ।

 

ପୋଲିସ ସାହେବଙ୍କର ଆଭିଜାତ୍ୟଭରା ବଙ୍ଗଳା ନିକଟତର ହୋଇ ଉଠିଲା । ସଂଭ୍ରମ ବ୍ୟସ୍ତ ହୋଇ କହି ପକାଇଲେ ।

 

-ବିବାହ ପରେ ସୁଧୀରାକୁ ତୁ ଦେଖିନୁ ତ !

 

-ନା ଥାଉ, ଆଉଦିନେ ଆସିଲେ ଦେଖାହେବ ।

 

ସାଧନର ପ୍ରତିବାଦକୁ ଭ୍ରୂକ୍ଷେପ ନ କରି ଏସ୍‌. ପି. ସାହେବଙ୍କର ଗାଡ଼ି ବଙ୍ଗଳାର ପୋର୍ଟିକୋ ତଳେ ନିଃଶବ୍ଦରେ ପହଞ୍ଚି ଯାଇଥିଲା । ସୁଧୀରାକୁ ଆସିବାକୁ ଖବର ପଠେଇ ଲନ୍‌ରେ ପଡ଼ିଥିବା ଗାର୍ଡ଼ନ ଚେୟାରରେ ବସିବା ପାଇଁ ସାଧନକୁ ନିର୍ଦ୍ଦେଶ ଦେଲେ ସଂଭ୍ରମ । ସେ ବି ଆସନ ଗ୍ରହଣ କରିଥିଲେ ।

 

ସାଧନ ଚିନ୍ତାନ୍ୱିତ । ଏସବୁ କଣ ହୋଇ ଯାଇଛି ସୁଧୀରା ! କଲେଜ ଜୀବନର ବାନ୍ଧବୀ ସୁଧୀରା, ଆଉ ଆଜିର ଏସ୍‌. ପି. ସାହେବଙ୍କ ସହଧର୍ମିଣୀ । ନା, ନା, କ୍ଷଣକ ପାଇଁ ମଧ୍ୟ ନିଜକୁ ତାର ଭୁଲିଯିବା ଉଚିତ ନୁହେଁ । ଉଠି ଠିଆ ହେଲା ସେ ।

 

-ମୋତେ ଆଜି ବିଦାୟ ଦିଅନ୍ତୁ ସାର୍‌ । ଥାନାରେ ବହୁତ ଲୋକ ଅପେକ୍ଷା କରିଥିବେ ।

 

ସ୍ୟାଲ୍ୟୁଟ୍‌ କରି ଖୁବ୍‌ ଶୀଘ୍ର ଫେରି ପଡ଼ିଲା ସାଧନ । ବିସ୍ମୟରେ ସଂଭ୍ରମ ନିଶ୍ଚୟ ତାର ପ୍ରସ୍ଥାନ ପଥକୁ ଚାହିଁ ରହିଥିବ । ସୁଧୀରା ଆସି ଶୁଣିଥିବ ସାଧନ ଫେରି ଯାଇଛି । କ୍ଷଣକ ପାଇଁ ହୁଏ ତ କଲେଜ ଜୀବନର କେତୋଟି ଘଟଣା ସ୍ମରଣରେ ସେମାନେ ଆମୋଦ ଅନୁଭବ କରିଥିବେ । ତା’ପରେ ସେମାନଙ୍କର ସ୍ୱାଭାବିକ ଜୀବନ ଧାରାରେ ସାଧନର ସ୍ମୃତି ହଜି ହଜି ଯାଇଥିବ ! କିନ୍ତୁ ସେ.....କ୍ଷଣକର ସାନ୍ତ୍ୱନା ନେଇ ସେ କଣ ସ୍ୱାଭାବିକ, ସହଜ ହୋଇ ପାରିବ ? ତାର ହୃଦୟ ମଧ୍ୟରେ ଅନ୍ତଃସଲିଳା ବନ୍ଧୁତ୍ୱର ଯେଉଁ ସ୍ରୋତ ପ୍ରବାହିତ, କିଏ ବା ଅବରୋଧ କରିବ ତା’ର ଗତିପଥ ? ଆଃ, ସଂଭ୍ରମ ! ବନ୍ଧୁ ସଂଭ୍ରମ !! ଚିରଦିନ ପାଇଁ ସେ ଦୁଷ୍ପ୍ରାପ୍ୟ ହୋଇ ରହିଥିଲା । ପ୍ରାଣଭରି ତାର ବନ୍ଧୁତ୍ୱକୁ ଆଲିଙ୍ଗନ କରି ହେବନି । ଏକାଠି ମନଖୋଲି ହସିବାରେ ମଧ୍ୟ ବିପଦ ଅଛି । ପାଖ କାନ୍ଥବାଡ଼ ବି ଏଥିରେ କାନ ଦେବେ । ହାତ ଠାରି କଥାବାର୍ତ୍ତା ହେବେ ସେମାନଙ୍କ ନାଁରେ ।

 

ଥାଉ ସଂଭ୍ରମ ! ଯଦି କେବେ ସାମାନ୍ୟତମ ତ୍ରୁଟି ଦେଖେ ? ହସି ଉଠିଲା ସାଧନ ପାଗଳଙ୍କ ଭଳି । ସଂଭ୍ରମ କାହିଁକି ନ ଭାବିବ ଯେ ବନ୍ଧୁ ବୋଲି ସାଧନ ତା’ଠାରୁ ବହୁ ସୁବିଧା ଆଶା କରୁଛି । ଏଇ ବନ୍ଧୁତ୍ୱର ଆବରଣ ତଳେ ହୁଏତ ସେ କରୁଛି ତା ପ୍ରତି ଚରମ ଅବମାନନା ।

 

ସଂଭ୍ରମର ଅଧିକାର ଅଛି । ସେ ବିରକ୍ତ ହେବ । ସାଧନର ତ୍ରୁଟି ଦେଖାଇ ଗୁଡ଼ାଏ ବି ଗାଳି ଦେଇପାରେ । ଠିକ୍‌ ସେତିକିବେଳେ ଆନତ ମସ୍ତକରେ ନୀରବ ରହିବା ଛଡ଼ା ତାର ଅନ୍ୟ ଉପାୟ ନଥିବ । ସଂଭ୍ରମ ଇଚ୍ଛା କଲେ ତା’ର ସି. ସି. ଆର୍‌ ବି ଖରାପ କରିଦେଇ ପାରେ ।

 

ନା, ନା....ୟା’ ହୋଇ ପାରେନା । ସଂଭ୍ରମର ନିର୍ଦ୍ଦିଷ୍ଟ ଆସନ ପ୍ରତି ସେ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବାରେ କେବେହେଲେ ଅବହେଳା କରି ପାରେନା ।

 

ମଝିରେ ମାତ୍ର କେତୋଟି ଦିନର ବ୍ୟବଧାନ....

 

ସାଧନକୁ ପୁରୀ ଯିବାକୁ ପଡ଼ିଲା । କେତେକ କେଶ୍‌ ସଂକ୍ରାନ୍ତରେ ଏସ୍‌. ପି. ସାହେବଙ୍କ ସହିତ ଜରୁରୀ ପରାମର୍ଶ କରିବାର କଥା ।

 

ଏଥର ଆଉ କଥାବାର୍ତ୍ତା ନାହିଁ । ସମସ୍ତଙ୍କ ସାମନାରେ ହାତ ଟାଣି ସାଧନକୁ ଘର ଭିତରକୁ ନେଇଗଲା ସଂଭ୍ରମ । ଡାଇନିଂ ଟେବୁଲ ପାଖରେ ବାଧ୍ୟ କରି ବସେଇ ଦେଇ ସୁଧୀରା ଉଦ୍ଦେଶ୍ୟରେ ଚିତ୍କାର କରି ଉଠିଲା ସେ ।

 

ସୁଧୀରା ଅବାକ୍‌ ।

 

-ତୁମେ ସେଦିନ ପଳାଇଗଲ ସାଧନ !

 

ହାତରେ କ’ଣ ଏକ ଖାଦ୍ୟର ପ୍ଲେଟ୍‌ ଧରି ଆସୁ ଆସୁ ପୁଣି ସେ କହିଲା ।

 

-ବାସ୍ତବିକ ତୁମେ ବହୁତ ବଦଳି ଯାଇଛ ।

 

-ଦେଖିଲୁ ତ, ସାଧନ ! ମୁଁ ସେଦିନ କ’ଣ କହୁଥିଲି ତୋତେ । ଠିକ୍‌ କହିଛି ସୁଧୀରା ।

 

ସାଧନ କିଛି କହିଲାନି । କେବଳ ଟିକିଏ ହସିଲା । ସୁଧୀରା କିନ୍ତୁ ସବୁଦିନର ସେଇ ସୁଧୀରା । ଖାଇବା ଟେବୁଲରେ ସାଧନର ଏଇ କୁଣ୍ଠିତ ଭାବ ତା ପାଖରେ ଖୁବ୍‌ ଅସହ୍ୟ । ସୁଯୋଗ ଦେଖି ମାଂସର କଟ୍‌ଲେଟ୍‌ଟା ସାଧନର ପାଟିରେ ପୁରାଇ ଦେଇ ସୁଧୀରା ଅତ୍ୟନ୍ତ ଖୁସିରେ ହସି ପକାଇଲା । ସଂଭ୍ରମ ବି ଯୋଗଦେଲା । ନିରୀହ ମେଷ ଶାବକଟିଏ ପରି ନୀରବରେ ଖାଇବା ପର୍ବ ଶେଷ କଲା ସାଧନ ।

 

ସାଧନକୁ ବିଦାୟ ଦେବାବେଳେ ଏକାବେଳକେ ବକ୍ଷରେ ଜଡ଼ାଇ ଧରିଲା ସଂଭ୍ରମ । ଆଉ ସୁଧୀର ଲନ୍‌ ପାଖରୁ କିଛି ଦୂର ରାସ୍ତାକୁ ଆସି ପାଟି କରୁଥିଲା ।

 

-ଦେଖ ସାଧନ, ଆର ଥରକ ଶୁଭ୍ରାକୁ ସାଥିରେ ଆଣିବାକୁ ଯେପରି ଭୁଲି ନ ଯାଅ....

 

ବଡ଼ ବଡ଼ ପାଦ ପକାଇ ଆଗକୁ ଚାଲିଛି ସାଧନ । ସେ ନିଜେ କିଏ ? କ’ଣ ?? କ୍ଷଣକ ପାଇଁ ତା’ ମୁଣ୍ଡରେ କିଛି ପଶୁ ନ ଥିଲା । ସେ କେବଳ ଶୁଣୁଥିଲା ସୁଧୀରା, ସଂଭ୍ରମଙ୍କ ମିଳିତ ହାସ୍ୟରୋଳ ।

 

+ + +

 

ଛୁଟୀରେ ରହିବାକୁ ଶେଷ ସିଦ୍ଧାନ୍ତ କଲା ସାଧନ । ଦିନକୁ ଦିନ ସ୍ୱାମୀଙ୍କର ମାନସିକ ଦ୍ୱନ୍ଦରେ ବ୍ୟଥିତ ହୋଇ ଏ ସିଦ୍ଧାନ୍ତରେ ଅଗତ୍ୟା ରାଜି ହେବା ଛଡ଼ା ଅନ୍ୟ ଉପାୟ ନ ଥିଲା ଶୁଭ୍ରାର-। ଏଠାରୁ ବଦଳି ହୋଇଗଲେ ସାଧନ ସୁସ୍ଥ ହେବ, ଏ କଥା ଜାଣିବା ପରେ ସେ ଦିନ ଗଣୁଛି । ଛୁଟୀରେ କିଛିଦିନ ଗାଁରେ କଟାଇବାକୁ ପଡ଼ିବ ଜାଣି ଧୀରେ ଧୀରେ ସମସ୍ତ ଜିନିଷ ପ୍ରସ୍ତୁତ କରିବାରେ ଶୁଭ୍ରା ବ୍ୟସ୍ତ ।

 

ତଥାପି ବ୍ୟଥିତ ହୋଇ ଉଠୁଛି ସାଧନ । ଅକସ୍ମାତ୍‌ ଏସ୍‌. ପିଙ୍କ ଟୁର ପ୍ରୋଗ୍ରାମ ପାଇ ତାର ଅସ୍ଥିରତା ଅନେକ ଗୁଣରେ ବଢ଼ି ଯାଇଛି । କିଛି ଦିନ ଧରି ମାନସିକ ଅସୁସ୍ଥତାବଶତଃ ଅଫିସ୍‌ରେ କାଗଜ ପତ୍ର କିଛି ଠିକ୍‌ ଠିକଣା କରି ପାରିନି ସେ । କେତେକ କେଶ୍‌ର ରିପୋର୍ଟ ପଠାଇବାରେ ମଧ୍ୟ ଅଯଥା ବିଳମ୍ବ କରିଛି ସେ ।

 

କିନ୍ତୁ ସଂଭ୍ରମ ହୁଏ ତ ତାକୁ କିଛି କହି ନ ପାରେ । କିନ୍ତୁ କାହିଁକି ? ସଂଭ୍ରମର ଦୟା; ଅନୁକମ୍ପା... । ତା’ପକ୍ଷରେ ଏକାନ୍ତ ଅସହ୍ୟ ।

 

ବରଂ ସେ ଯଦି ଚାଲିଯାଏ ?

 

ଘର ସାରା ଘୂରି ବୁଲୁଥିଲା ସାଧନ । ସେ କିଛି ଗୋଟାଏ ଖୋଜୁଛି । ମୁକ୍ତି, ଦ୍ୱନ୍ଦର ପରିସମାପ୍ତି । ଟିକିଏ ସମୟ ତଳେ ଏ. ଏସ୍‌. ଆଇ ଖବର ପଠାଇଥିଲେ । ଏସ୍‌. ପି. ସାହେବ ହେଡ଼ କ୍ୱାଟର୍ସ ଛାଡ଼ିବାର ଏକ ଘଣ୍ଟା ହୋଇଗଲାଣି । ତଥାପି ସାଧନ ନୀରବ ।

 

ଦୂରରୁ ସେଇ ଏକ ନିର୍ଦ୍ଦିଷ୍ଟ ରଙ୍ଗର କାର୍‌ । ଏ. ଏସ୍‌. ଆଇଙ୍କ ଖବର... । ଏ ସବୁରେ ବିଚଳିତ ହୋଇ ପଡୁଥିଲା ସେ । ଡାକ ବଙ୍ଗଳା ରାସ୍ତା ଛାଡି ତାର କ୍ୱାଟର୍ସ ଆଡ଼କୁ ସେଇ ଗାଡ଼ିର ଗତି ପରିବର୍ତ୍ତନ ଦେଖି ସେ ପ୍ରାୟ ପାଗଳ ପରି ଶୁଭ୍ରାକୁ ଚିତ୍କାର କରି ଡାକୁଥିଲା ।

 

-ଦେଖ, ଶୁଭ୍ରା । ସଂଭ୍ରମ ପ୍ରାୟ ଆସି ଯିବ । ଆଉ ତୁମେ କ’ଣ କହିବ ଜାଣ ? ହଠାତ୍‌ ଜରୁରୀ ଖବର ପାଇ ମୁଁ ଗାଁକୁ ଚାଲିଯାଇଛି ।

 

ଶୁଭ୍ରା ନିର୍ବାକ, ନିସ୍ପନ୍ଦ । ସାଧନର ଅସ୍ଥିରତା ତଥାପି ତା ପାଖରେ ଏକ ରହସ୍ୟ କୁହେଳୀ ସୃଷ୍ଟି କରୁଥିଲା...ଆଉ, ସେ ପାଖେ ବାହାର କବାଟ ଖଟ୍‌ ଖଟ୍‌ କରି ସଂଭ୍ରମ ସେମିତି ଡାକି ଚାଲିଥିଲା ସାଧନର ନାମ ଧରି... ।

Image

 

ପତଙ୍ଗ

 

ନନ୍ଦିନୀ ଆସୁଛି । କଲେଜ ଗାଡ଼ି ତାକୁ ଛାଡ଼ିଦେଇ ଯିବା ପରେ ସେମିତି ଏକ ଭଙ୍ଗୀରେ ଫାଟକ ଖୋଲି ଘର ଭିତରକୁ ଯିବା ରାସ୍ତାରେ ସିଧା ନ ଯାଇ ଇତସ୍ତତଃ ହୋଇ ବଗିଚାରେ ବୁଲିବାରେ କିମିତି ଏକ ଆମୋଦ ଅନୁଭବ କରେ ସେ । ବାଁ କଡ଼ରେ ଝୁଲି ପଡ଼ିଥିବା ଶାଢ଼ୀର କାନିକୁ ସଜତ୍ନେ ଅଣ୍ଟାରେ ଖୋସି ପ୍ରତ୍ୟେକଟି ଫୁଲଗଛ ତଦାରଖ କରିବାରେ ଲାଗିଯାଏ ନନ୍ଦିନୀ । ବିଦାୟୀ ସୂର୍ଯ୍ୟର ଲାଲରଶ୍ମିରୁ କିଛି ତାରି ବଗିଚାର ଗଛପତ୍ରକୁ ଖୋଜି ସତେ କି ଆସିଥାଏ ସେତେବେଳେ । ଏ ଆକାଶରେ ଏତେ ରଙ୍ଗ, ଏତେ ଛଟା ! ଗଛର ଯତ୍ନ ନେଉ ନେଉ ଆକାଶକୁ ଚାହିଁ ଭାବବିହ୍ୱଳା ହେଲା ନନ୍ଦିନୀ । କ୍ଷଣକ ପାଇଁ ଭୁଲିଗଲା ସେ ଦିନଯାକର କ୍ଳାନ୍ତି ।

 

ମାଗ୍‌ନୋଲିଆରେ ସୁନାରଙ୍ଗର କଢ଼ି ଧରିଛି । ଗୋଲାପ ଗୁଡ଼ିକ ବେଶ୍‌ ଗହଳ ହୋଇ ଉଠିଲାଣି । ବର୍ଷା ଆରମ୍ଭରେ ଡାଳ କିଛି କାଟି ଦେଲେ ଶୀତ ଦିନରେ ସୁନ୍ଦର ଫୁଲ ଫୁଟିବ । ସବୁ ଫୁଲ ଗଛ ମଧ୍ୟରେ କଅଁଳିଆ ଦୂବ ଘାସର ଏକ ସବୁଜ ଗାଲିଚା । ନିଜ ହାତରେ ଗୋଟି ଗୋଟି ଦୂବ ଘାସ ଏଇଠି ରୋଇ ସେ ଲନ୍‌ ପ୍ରସ୍ତୁତ କରିଥିଲା । ଆଃ, ଏଇ ଘାସର ଶଯ୍ୟାରେ କି ଆରାମ ଲାଗୁଛି ସତେ ! ତଳୁ ବାଲ୍‌କନି ଉପରକୁ ମାଡ଼ିଛି କ୍ରିପର । ତାର ସିଜନ୍‌ ଆସିଲେ ପେନ୍ଥି ପେନ୍ଥି ନାଲି ଫୁଲରେ ସଜେଇ ଦେବ ସେ ବାଲ୍‌କନିର ଧାରଗୁଡ଼ିକୁ ।

 

ଉପରକୁ ଲମ୍ବିଗଲା ଦୃଷ୍ଟି । ଏଇ କେତେ ବର୍ଷ ତଳର କଥା । ନିତି କଲେଜରୁ ଫେରିବା ବେଳକୁ ସେଇଠି ଠିଆ ହୋଇଥାଏ ତାରି ପ୍ରତୀକ୍ଷାରତା ଏକ ନାରୀ ମୁର୍ତ୍ତି । ବୋଉ-ଶାନ୍ତ, ନମ୍ରତାର ଏକ କମନୀୟ ପ୍ରତିମୂର୍ତ୍ତି । ନନ୍ଦିନୀର କଲେଜ ଫେରନ୍ତା ଭୋକ ଦ୍ୱିଗୁଣ ବଢ଼ିଯାଏ । ପଚାରେ–

 

-ବୋଉ, ଆଜି କ’ଣ ଖାଇବାକୁ ରଖିଚୁ ? ବୋଉ ମୁହଁରେ ହସ ।

 

-ପାଗିଳୀଟା, ଆଗ ଘରକୁ ଆ । ଗୋଡ଼ହାତ ଧୋଇ ପକା...

 

ନା...ସେ ଦିନ ଆଉ ନାହିଁ । ବୋଉ ବି ନାହିଁ । ବାଲ୍‌କନିର ସେଇ ସ୍ଥାନଟି ଶୂନ୍ୟ ରହିଛି-। ସେ ଶୂନ୍ୟତା ଅପୂରଣୀୟ । ଖାଲି ସେ ଲଗାଇଥିବା କ୍ରିପରଟି ସ୍ମୃତିକୁ ପୁନର୍ଜନ୍ମ ଦେଉଛି ।

 

ସବୁଦିନ ଇମିତି ଗାଧୁଆ ଘରେ ପାଦ ନ ଦେଉଣୁ ଗୋଟିଏ ଜୀର୍ଣ୍ଣ ଡାକ ଶୁଣାଯାଏ ।

 

-ମା’ ନନ୍ଦା.....

 

ଇଚ୍ଛା କରି ସଙ୍ଗେ ସଙ୍ଗେ ଯାଏ ନା ନନ୍ଦିନୀ, ଦୂରରୁ କେବଳ ଜବାବ ଦିଏ-ଯାଉଛି, ବାପା । ଏତକ କହିବା ପରେ ସୁଧିରଞ୍ଜନ ବାବୁଙ୍କ ପାଖକୁ ଯିବାକୁ ତାକୁ ଅନ୍ତତଃ ପନ୍ଦର ମିନିଟ୍‌ରୁ କମ୍‌ ଲାଗେ ନାହିଁ । ଗାଧୁଆଟା ସାରି ଲୁଗା ବଦଳେଇ ଖାଇବା ଘରକୁ ପଶିଯାଏ ନନ୍ଦିନୀ । କିଛି ପାଟିରେ ପୂରେଇ ପାଣି ଗ୍ଲାସଟା ତରତରରେ ପିଇ ଦେଇ ବାପାଙ୍କ ପାଖରେ ପହଞ୍ଚିଯାଏ ସେ ।

 

ସୁଧୀରଞ୍ଜନ ବାବୁଙ୍କୁ କିଛି କହିବାକୁ ପଡ଼େନା ! ଏକ ବିରାଟ ଶୂନ୍ୟତା ଗ୍ରାସ କରିଥାଏ ତାଙ୍କୁ ସବୁବେଳେ । ନିର୍ଲିପ୍ତ, ଉଦାସ ଦୃଷ୍ଟି ତୋଳି ତାଙ୍କ ଶୋଇବା ଘରର ଗୋଟିଏ କୋଣରେ ସେ ପଡ଼ି ରହିଥାଆନ୍ତି । ସେ ପାରାଲିସିସ୍‌ ରୋଗୀ । ବାମ ଅଙ୍ଗଟି ତାଙ୍କର ପୂରାପୂରି ଅଚଳ ।

 

ନନ୍ଦିନୀ ସେ ଘରେ ପହଞ୍ଚି ବାପାଙ୍କ ପାଖକୁ ଯାଏ ନା । ପ୍ରଥମେ ଆକ୍ଷିରେ ପଡେ ଘର ଅନ୍ଧାର । ସନ୍ଧ୍ୟା ଗତ ହୋଇ ଯାଇଥିଲେ ହେଁ ଏ ଘର ପ୍ରତି ଦୃଷ୍ଟି କାହାର ନ ଥିଲା । ସୁଇଚ୍‌ ଟିପି ଆଲୁଅ ଜଳାଇଲା ସେ । ଭଲ୍ୟୁମ କମାଇ ପାଖ ଟେବୁଲ୍‌ରେ ରେଡ଼ିଓଟା ବି ଖୋଲି ଦେଲା । ଠିକ୍‌ ସେଇ ସମୟରେ ପ୍ରାୟ ସଂବାଦ ପ୍ରଚାର ହେଉଥାଏ ।

 

ସୁଧୀରଞ୍ଜନ ବାବୁ ମନୋନିବେଶ କଲେ । ନନ୍ଦିନୀ ପ୍ରଫୁଲ୍ଲିତା ହେଲା । ହୁଏତ ମାଳିନୀ କିମ୍ବା ଜୟନ୍ତଙ୍କର ଏଇ କାମଟା ପୂର୍ବରୁ କରିବା ଉଚିତ ଥିଲା ।

 

ନନ୍ଦିନୀ ତଳେ ଜୟନ୍ତ, ତା’ପରେ ମାଳିନୀ । ନନ୍ଦିନୀ ଉପରେ ଯିଏ ତା ଅପା, ତାର ହିସାବ ଆଉ ଏ ଘରେ ହୁଏ ନା । ଏ ଘରର ସମସ୍ତଙ୍କ ମତକୁ ଉପେକ୍ଷା କରି ସେ ବିବାହ କଲା ତା’ର ବନ୍ଧୁ ଅନଙ୍ଗକୁ । ଅନଙ୍ଗର ସେପରି କିଛି ବ୍ୟକ୍ତିତ୍ୱ ମଧ୍ୟ ନ ଥିଲା । ତିନି ଚାରି ଥରରେ ବି. ଏ. ପାଶ କରି ବହୁ ଦିନ ଘରେ ବସିବା ପରେ ଏବେ ସେକ୍ରେଟାରୀଏଟ୍‌ରେ କିରାନୀ ଚାକିରି ଖଣ୍ଡିଏ ଯୋଗାଡ଼ କରିଛି ବୋଲି ଶୁଣିଥିଲା ନନ୍ଦିନୀ । ଅଲିଅଳୀ ଅପା ପାଇଁ ଏବେ ବି ତା’ ଆକ୍ଷିରୁ ଝରେ ପାଣି ।

 

ଆଉ ମାଳିନୀ-ବି. ଏ. ପାଶ କରିବା ପରେ ଶିକ୍ଷୟିତ୍ରୀ ଟ୍ରେନିଂ ନେଇଥିଲେ ମଧ୍ୟ ଘରେ ବସିବାକୁ ସେ ଭଲପାଏ ବୋଲି ଉତ୍ତର ଦେଉଛି । ଆଉ ପଢ଼ିବାର ଆଗ୍ରହ ନାହିଁ ତା’ର, କିମ୍ବା ଚାକିରି ପାଇଁ ଚେଷ୍ଟା କରି ନାହିଁ କେବେ । ପଚାରିଲେ କହେ-ଏତେ କଷ୍ଟ କରି ଚାକିରି ଖୋଜି କରିବା ଠାରୁ ତୋ ଟଙ୍କାରେ ବସି ଖାଇବା ବରଂ ଭଲ, ନନ୍ଦା ଅପା । ତାର ପିଲାଳିଆମୀ ଦେଖୁ ଦେଖୁ ପରିସ୍ଥିତି ଭୁଲିଯାଏ ନନ୍ଦିନୀ । ତା’ର ମନେ ହୁଏ–ମାଳିନୀ, ସେଇ ଫ୍ରକ ପିନ୍ଧା ଛୋଟ ଝିଅଟିଏ-। ଅବୁଝା..ନିହାତି ଅବୁଝା ।

 

ଆଉ ଜୟନ୍ତ-ତାକୁ କଦାପି ସହ୍ୟ କରାଯାଇ ପାରେନା । ମ୍ୟାଟ୍ରିକ୍‌ ଖଣ୍ଡ ବି ପାଶ କରି ପାରିଲା ନି ଏ ଯାଏ । ଅଥଚ ମାଳିନୀଠାରୁ ଦେଢ଼ ବର୍ଷ ବଡ଼ ସେ । ଦାମି ଦାମି କନାରେ ପ୍ୟାଣ୍ଟ, ସାର୍ଟ କରିବା, ସାଙ୍ଗମାନଙ୍କ ସଙ୍ଗେ ପିକ୍‌ନିକ୍‌, ସିନେମା ଯିବା ଛଡ଼ା ଘରେ ଯେ ତାର କିଛି ଦାୟିତ୍ୱ ଅଛି ସେ ଭାବି ପାରେ ନା । ପିଲାଦିନୁଁ ବାପା ବୋଉ ତାକୁ ଅତିରିକ୍ତ ଗେହ୍ଲା କରିଦେଲେ । ଯେତେବେଳେ ଯାହା କହିବ ହଁ ଛଡ଼ା ନା କରି ନାହାନ୍ତି କେହି ଘରେ । କିଏ ଜାଣିଥିଲା ଅକାଳରେ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ସୁଧୀରଞ୍ଜନ ପଟ୍ଟନାୟକ ଅବସର ଗ୍ରହଣ କରିବେ । ତାପରେ ଏ ପରିବାରର ଭାଗ୍ୟାକାଶରେ ଦୁର୍ଦ୍ଦଶାର କଳା ମେଘ ଛାଇଯିବ ।

 

ଅପାର ସ୍ୱଇଚ୍ଛାରେ ବିବାହ, ବୋଉର ମୃତ୍ୟୁ, ପରେ ପରେ ବାପାଙ୍କର ଏ ଅକ୍ଷମତା..ନନ୍ଦିନୀ ଭାବି ପାରିଲାନି ମନ ହେଉଥିଲା ମୁଣ୍ଡଟା ଚାପି ଧରି କିଛି ସମୟ ବସି ରହନ୍ତା କି !

 

ଇମିତି କେତେ ଥର କଲେଜରୁ ଫେରି ଜୟନ୍ତକୁ ପାଖରେ ବସାଇ ବୁଝାଇ ବସେ ସେ-। ସେତେବେଳେ ନିଜକୁ ସେ ଅତ୍ୟନ୍ତ ବୟସ୍କା ମନେ କରେ । ଗୋଟି ଗୋଟି କରି ଘର କଥା, ବାପାଙ୍କ କଥା ସବୁ କହେ ନନ୍ଦିନୀ । ଜୟନ୍ତ କିଛି ଶୁଣେ । ପୁଣି ଉଠି ଠିଆ ହୁଏ ଯିବାକୁ । ନନ୍ଦିନୀ ଚିତ୍କାର କରେ ।

 

-ତତେ ଆହୁରି ଅନେକ କହିବାର ଅଛି ଜୟନ୍ତ !

 

-ସେ ଗୁଡ଼ା ବେଶୀ ଶୁଣିଲେ ମୋ ମୁଣ୍ଡ ଖରାପ ହୋଇଯିବ ।

 

-ବେଶ୍‌, ଆଉ ଶୁଣିବା ଦରକାର ନାହିଁ । ବରଂ ତୁ ଗୋଟାଏ ବ୍ୟବସାୟରେ ମନ ଦେ । ଏ ଘର କଥା କିଛି ବୁଝ ।

 

ଜୟନ୍ତ ହସି ପକାଇଲା ।

 

-ବୁଝିଲୁ ନନ୍ଦା ଅପା, ବରଂ ତୁ ସେ ପାଖ କଡ଼ର ଖାଲି ଘର ଗୁଡ଼ାକରେ କିଛି କଲେଜ ପିଲା ବସେଇ ତୋ ଇଂଲିଶ୍‌ ପଢ଼େଇବା ଆରମ୍ଭ କରି ଦେ । ଆଉ କିଛି ଅଧିକା ଟଙ୍କା ଘରକୁ ଆସିଯିବ । ଅଭାବ ବି ଏତେ ହେବ ନି ।

 

ନନ୍ଦିନୀ ନୀରବ ରହିଗଲା ହୁଏତ ଜୟନ୍ତକୁ ଆଉ ବୁଝେଇବାର ବାଟ ନ ଦେଖି । ଜୟନ୍ତ ପୁଣି ପାଟି ଖୋଲିଲା ।

 

-ତୁ ଆଗ ଶୀଘ୍ର ବାହା ହୋଇଗଲୁ, ନନ୍ଦା ଅପା; ଏ ଘର ନରକକୁ ଯାଉ । ତୁ ଚିନ୍ତା କରନା ।

 

-ତୁପ୍‌ କର, ଜୟନ୍ତ !

 

ନନ୍ଦିନୀ ତାକୁ ଶାସନ କଲା । ସେତେବେଳକୁ କିନ୍ତୁ ଜୟନ୍ତ ଯାଇ ସାରିଲାଣି । ବାହାର ରାସ୍ତାରେ ତା’ର ସାଙ୍ଗ ଜଣେ ସାଇକେଲ୍‌ ଘଣ୍ଟି ବଜାଉଛି ।

 

ତା’ଠାରୁ ଦୁଇବର୍ଷ ସାନ ହୋଇ ଜୟନ୍ତ ତାକୁ ସଜାଗ କରି ଦେଇଗଲା । ଚାକିରି କରିବାର ବର୍ଷେ ବି ହୋଇନାହିଁ ନନ୍ଦିନୀର । ଚବିଶ ବର୍ଷ ବୟସ ହେଲା ତାକୁ । ପାଠ, ଚାକିରି, ଆଉ ତା’ପରେ ତା’ର ବିବାହ କରିବା ଖୁବ୍‌ ଯୁକ୍ତିଯୁକ୍ତ କଥା । ନଚେତ୍‌ ତାର ବୟସ ଗଡ଼ିଯିବ । ସେ ଆହୁରି ବୁଢ଼ୀ ହୋଇଯିବ । ନିଜ କଥା ଭାବିବାର ଅବସର ହିଁ ସେ ପାଏନା ।

 

ସେ ଚାହିଁଥିଲା ଜୟନ୍ତ କିଛି ଗୋଟାଏ କରୁ । ତା’ପରେ ତାକୁ ବିବାହ କରିଦେବ ସେ । ଆଉ ମାଳିନୀକୁ ବିବାହ ଦେବାରେ ଖୁବ୍‌ ଯେ ଅସୁବିଧା ହେବ ବୋଲି ସେ ଭାବିନି । ଏସବୁ ଦାୟିତ୍ୱରୁ ମୁକ୍ତ ହେବା ପରେ ବାପାଙ୍କ ଦାୟିତ୍ୱ ସେ ଅନ୍ୟ କାହାକୁ ଦେବାକୁ ଚାହେଁନା । ଜୀବନର ଯେଉଁ ପ୍ରାନ୍ତରେ ଥିଲେ ମଧ୍ୟ ତାଙ୍କ ସେବାରେ ଅବହେଳା କରି ପାରିବନି ସେ ।

 

-ମା, ନନ୍ଦା !

 

ନନ୍ଦିନୀ ବାପାଙ୍କ ଆଡ଼କୁ ଦୃଷ୍ଟି ଫେରାଇଲା । ହାତରେ ସେଇ ଇଂରାଜୀ ଉପନ୍ୟାସ ଖଣ୍ଡିକ ଧରି କେଜାଣି କେତେ ସମୟ ହେବ ସେ ଏଇଠି ଠିଆ ହୋଇ ରହିଛି । ବାପା କଣ ଭାବିଥିବେ ହୁଏତ ।

 

ଟେବୁଲ ଝାଡ଼ିବା କାମ ସାରି ସୁଧୀରଞ୍ଜନ ବାବୁଙ୍କ ମୁଣ୍ଡ ଉପରର ଝରକା ଖୋଲିଦେଲା ସେ ।

 

ଆକାଶରେ ଫିକା ବାଦାମୀ ରଙ୍ଗର ମେଘମାନେ ଭାସି ଯାଉଥିଲେ । ତାରି ଅନ୍ତରାଳରେ ଉଜ୍ଜ୍ୱଳ ଚନ୍ଦ୍ର । ମେଞ୍ଚାଏ ଆର୍ଦ୍ର ଜ୍ୟୋତ୍ସ୍ନା ଝରକା ଦେଇ ପଶି ଆସିଲା । ନନ୍ଦିନୀ ଟିକିଏ ଉଦାସ ହୋଇ ପଡ଼ିଲା । ପୂଝାରୀ ଚା’ ରଖି ଦେଇଗଲା । ନନ୍ଦିନୀ ଡାକିଲା,

 

-ଶୁଣ, ରାତି ସାଢ଼େ ସାତରେ ବାପା କେବେ ଚା’ ଖାଆନ୍ତି ?

 

ପୂଝାରୀ ମୁହଁରେ ଅସନ୍ତୋଷର ସ୍ପଷ୍ଟ ଆଭାସ । ସୁଧୀରଞ୍ଜନ ବାବୁ କଥାଟା ସହଜ କରିନେଲେ ।

 

-ତୁ ବ୍ୟସ୍ତ ହୁଅନା, ମା । ମାଳିନୀ ଆଜି ମୋ ଚା’ କଥାଟା ବୋଧହୁଏ ଭୁଲି ଯାଇଛି ।

 

ବୟସ୍କ ପୂଝାରୀ ଭାରୀ ମୁହଁ କରି କଥା ଆରମ୍ଭ କଲା ।

 

-ସାନ ଝିଅ କହୁଛନ୍ତି ଚା’ ଦେଇଆସ, ଏବେ ବଡ଼ ଆସି କହୁଛନ୍ତି ବାପା ଏତେବେଳେ ଚା’ ଖାଆନ୍ତି ନାହିଁ । ଆମେ କାହା କଥା କରିବୁ ?

 

ଉତ୍ତର ଆଶାରେ ସୁଧୀରଞ୍ଜନ ବାବୁଙ୍କୁ ଚାହିଁଛି ସେ । ନନ୍ଦିନୀ ନିଜକୁ ଟିକିଏ ସଂଯତ କରି ନେଲା ।

 

-ହଉ, ଠିକ୍‌ ଅଛି । ଏବେ ଯାଅ ରୋଷାଇ କଥା ବୁଝ ।

 

ସୁଧୀରଞ୍ଜନ ବାବୁଙ୍କୁ ଚା’ ପିଇବା ପାଇଁ ଉଠେଇ ବସେଇ ଦେଉ ଦେଉ ନନ୍ଦିନୀ ମନେକଲା ଯତ୍ନ ଅଭାବରେ ସତେ ଯିମିତି ଦିନକୁ ଦିନ ବାପା ଭାଙ୍ଗି ପଡ଼ିଲେଣି । କଲେଜରେ ସେଇ କେତେ ଘଣ୍ଟା ପଢ଼େଇବା ବେଳେ ନିଜକୁ ବହୁତ ହାଲୁକା ମନେକରେ ସେ, କିନ୍ତୁ ଘରେ ପାଦ ଦେଉ ଦେଉ ତା’ ମନଟା ଭାରାକ୍ରାନ୍ତ ହୋଇଉଠେ । ଗୋଟି ଗୋଟି ହୋଇ ଘରର ପ୍ରତ୍ୟେକଟି ସମସ୍ୟା ମନରେ ଦେଖାଦିଏ । ବରଂ କଲେଜ ଭଲ । କଲେଜ କମନ୍‌ ରୁମ୍‌ର ଆଳାପରତ ସମୟଗୁଡ଼ିକ ଆହୁରି ଭଲ । ତେବେ ସେଦିନ ସାନ ଭାଇ ଜୟନ୍ତ କ’ଣ ଭୁଲ କହିଲା-?

 

ସୁଧୀରଞ୍ଜନ ବାବୁଙ୍କ ଶୋଇବା ଘରୁ ଚାଲି ଆସି ମାଳିନୀକୁ ଖୋଜୁଛି ସେ । ଏଇ ଘଣ୍ଟାକ ତଳେ ସରୋଜ ମହାନ୍ତି ସଙ୍ଗେ ଆଳାପ କରୁଥିଲା ସେ । କଲେଜର ଲିଜର୍‌ ପିରିଅଡ଼ରେ କେବେ କିମିତି ଦେଖାହୁଏ ସରୋଜ ସଙ୍ଗେ । ଦୁଇଜଣ ଏକା କଲେଜରେ ପଢ଼ି ଆସିଲେ । ତା’ପରେ ଚାକିରି ଏକା କଲେଜରେ ମଧ୍ୟ । ଖୁବ୍‌ ଭଲ କ୍ରିକେଟ ଖେଳେ ସରୋଜ । ଗୋରା ଲମ୍ବା ଚେହେରା ସଙ୍ଗେ କ୍ରିକେଟ୍‌ ଖେଳାଳିର ପୋଷାକ ମଧ୍ୟ ବେଶ୍‌ ମାନେ ତାକୁ । ଦିନେ ଖେଳର ପ୍ରଶଂସା କରିବାକୁ ଯାଇ କଣ ଇମିତି ସବୁ କହି ପକାଇଲା ନନ୍ଦିନୀ । ପରେ ଭାବିଲେ କିମିତି ଏକ ସଲ୍ଲଜ ଭାବ ତା’ ମନକୁ ଆଚ୍ଛନ୍ନ କରି ପକାଏ । ଆଉ ସରୋଜ-ସେ ବି କିଛି କମ୍‌ ନୁହନ୍ତି । କହିଲେ,

 

-ନନ୍ଦିନୀ, ତୁମ କମନୀୟ ରୂପକାନ୍ତିରେ ବୌଦ୍ଧିକ ଚିନ୍ତାଧାରାର ଛାପ ସୁସ୍ପଷ୍ଟ । ତୁମ ଆକ୍ଷିର ସ୍ନିଗ୍‌ଧତା, କଣ୍ଠର ଭାଷାରେ ସତେ ଯେପରି ଆକର୍ଷଣର ଫୁଲ ଫୁଟି ଉଠେ ।

 

ନନ୍ଦିନୀ ନୀରବ ରହିଗଲା । ସରୋଜର ଚାହାଣିର ପରିସମାପ୍ତି ସତେ କି ନଥିଲା ।

 

ସଂଧ୍ୟାରେ ଅଧିକାଂଶ ଦିନ ନନ୍ଦିନୀ ଘରକୁ ଚାଲିଆସେ ସରୋଜ । କେତେଆଡ଼ୁ କେତେ ଆଳାପ ଆଲୋଚନା ମଧ୍ୟରେ ସମୟ ଜଣାପଡ଼େ ନି ତାକୁ । ମାଳିନୀ ମଧ୍ୟ ସେଇ ଜାତିର ଲୋକ । ଭାରି ଗପୁଡ଼ିଟାଏ । ଚିପା ପୋଷାକଠାରୁ ଆରମ୍ଭକରି ଜନ୍ମନିୟନ୍ତ୍ରଣ ପର୍ଯ୍ୟନ୍ତ ନାନାପ୍ରକାର ଆଲୋଚନାରେ ସେ ପ୍ରଗ୍‌ଳଭା ହୋଇ ଉଠେ, ନନ୍ଦିନୀ କିନ୍ତୁ ବସିପାରେନା । ୟାଡ଼ୁ ସାଡ଼ୁ ଗୁଡ଼ାଏ କଥା ଗପିବା ତା ନୀତିବିରୁଦ୍ଧ । ତା’ ଛଡ଼ା ବାପାଙ୍କ ଔଷଧ ଆଉ ରାତ୍ରିଖାଇବା ବିଷୟରେ ସମୟାନୁବର୍ତ୍ତିତା ପ୍ରତି ସେ ବେଶ୍‌ ସଚେତନ ।

 

ସରୋଜଠାରୁ ବିଦାୟ ମାଗି ଚାଲିଆସେ ସେ । ମାଳିନୀ ଫାଟକ ପର୍ଯ୍ୟନ୍ତ ବଳେଇ ଦେବାକୁ ଯାଏ । କଥା କହୁ କହୁ କାହିଁ କେତେ ସମୟ ଅଟକି ଯାଏ । ବୋଉ ଥିଲେ ଏ ସବୁ କଣ ପସନ୍ଦ କରନ୍ତା ? ବୈଠକଖାନାର ଏକ ଅଂଶରେ ବସି ନନ୍ଦିନୀ ଭାବୁଥିଲା ଆଉ ଅପେକ୍ଷା କରିଥିଲା ମାଳିନୀକୁ ।

 

ପଛପଟେ ‘‘ଅପା’’ କହି ହଠାତ୍‌ ତାକୁ ଚମକାଇ ଦେଲା ମାଳିନୀ । ମୁକୁଳା ଆକାଶ ତଳେ ରଙ୍ଗୀନ ପର ଝାଡି ଫୁଲରୁ ଫୁଲକୁ ଉଡ଼ି ବୁଲୁଥିବା ପ୍ରଜାପତି ଭଳି ଦିଶୁଛି ମାଳିନୀ । ତା ମୁହଁରେ ହସର ଦୀପାଳି ଜଳୁଛି । ରୂପ ସଜ୍ଜାରେ ଏକ ନୂତନତାର ସ୍ୱାଦ ।

 

ଈଷତ୍‌ ହସିଲା ନନ୍ଦିନୀ ।

 

-ବେଶ୍‌ ତ ସାଜିସୁଜି କୁଆଡ଼େ ଆଜି ଯାଇଥିଲୁ ?

 

-ତତେ କହିପାରିନି, ନନ୍ଦା ଅପା । ସେଇ ମ, ତୋ ସାଙ୍ଗ ସରୋଜ ବାବୁ ଏକା ଜିଦ୍‌ ପରା । ଖାଲି ଖାଲି ବସି କ’ଣ କରିବା ଏ ସଂଧ୍ୟାରେ; ବରଂ ଚାଲ କୁଆଡ଼େ ଘେରାଏ ବୁଲି ଆସିବା । ଅପା ତ ତୁମର କାର୍ଯ୍ୟବ୍ୟସ୍ତ-

 

ନୀରବରେ ‘‘ହୁଁ’’ ମାରିଲା ନନ୍ଦିନୀ ।

 

-ଆରେ କଣ ମ, ଖାଲି ‘‘ହୁଁ’’ ।

 

-ଦିନକୁ ଦିନ ତୋର ସ୍ୱେଚ୍ଛାଚାରିତା ବଢ଼ି ଯାଉଛି, ମାଳା ।

 

-ତୁ ଯାହାକୁ ସ୍ୱେଚ୍ଛାଚାରିତା କହୁଛୁ, ମୁଁ ଯଦି କହେ ମୋ ପାଇଁ ଓ ଆମ ଘର ପାଇଁ ସେ ମଙ୍ଗଳକର ।

 

-ଥାଉ, ସେ ସବୁ ।

 

-ତେବେ ଆଉ ପଦେ ଶୁଣ, ନନ୍ଦା ଅପା । ସରୋଜ ସଙ୍ଗେ ମୋ ବାହାଘର ଏକଦମ୍‌ ପକ୍‌କା ।

 

-ଓଃ...ମାଳା, ତୋର କ’ଣ ମୁଣ୍ଡ ଖରାପ !

 

-ବାପାଙ୍କ ଅବସ୍ଥା ତ ଦେଖୁଛୁ । ଆଉ ଭାଇର ଯାହା ପ୍ରକୃତି । ଏ ସବୁ ମଧ୍ୟରେ ଯଦି ସରୋଜ ବାବୁ ନିଜେ ବିବାହ ପ୍ରସ୍ତାବ ଉଠାଇଛନ୍ତି, ମୁଁ ମନା କରିବାଟା କଣ ଭଲ ହୋଇଥାନ୍ତା ?

 

ନନ୍ଦିନୀ ସ୍ତବ୍‌ଧ, ନିର୍ବାକ୍‌ ।

 

-ତୋ ବିବାହ...ସରୋଜ ସଙ୍ଗେ !!!

 

-ହଁ ନନ୍ଦା ଅପା, ସେଇୟା ତ ମୁଁ କହୁଛି । କାଲି ପରା ସେ ନିଜେ ବାପାଙ୍କ ପାଖରେ ଏ ପ୍ରସ୍ତାବ ଦେବାକୁ ଆସିବେ ।

 

ହଠାତ୍‌ ଗୋଟିଏ କମ୍ପନ ଅନୁଭବ କଲା ନନ୍ଦିନୀ । ଜୀବନ ବହ୍ନିରେ ପତଙ୍ଗ ସାଜି ଦେଇଛି ସେ । ପାଗଳୀଙ୍କ ପରି ହସୁଛି ନନ୍ଦିନୀ ।

 

-ମିଛ, ସବୁ ମିଛ, ମାଳା ।

 

-ନନ୍ଦା ଅପା.... !!!

 

ସେମିତି ହସୁଛି ନନ୍ଦିନୀ । ଆଉ ତାର ମନେ ହେଉଛି ସତେ କି ଅକ୍ଷମ ପିତା, ଖିଆଲି ଜୟନ୍ତ ତାକୁ ହିଁ କେନ୍ଦ୍ରିବିନ୍ଦୁ କରି ଘୂରିବାରେ ଲାଗିଛନ୍ତି ।

 

(ଆକାଶବାଣୀ କଟକ ସୌଜନ୍ୟରୁ) ।

Image

 

ନିଷ୍ପନ୍ଦ ମଳୟ

 

ନିଶାର୍ଦ୍ଧରେ ଏଇ ଦୁଃଖଦ ମୁହୂର୍ତ୍ତର ଦୃଶ୍ୟ ଅତ୍ୟନ୍ତ ମର୍ମନ୍ତୁଦ । ଶବ ଚାଲିଛି, ଶବବାହକମାନଙ୍କ ଗୁରୁଗମ୍ଭୀର ସ୍ୱର ନିଶ୍ଚୁପ ବାତାବରଣକୁ ଥରାଇ ଦେଉଛି, ରହି ରହି ଶୁଣା ଯାଉଛି....ରାମ ନାମ ସତ୍ୟ ହୈ...ହରି ନାମ ସତ୍ୟ ହୈ....ଶୋଭାଯାତ୍ରାର ଲୋକସଂଖ୍ୟା ବହୁତ କମ୍‌ । କିନ୍ତୁ ସମସ୍ତଙ୍କୁ ଯେପରି ଗ୍ରାସ କରିଛି ଏ ବିପଦର ଛାୟା ।

 

ପଶ୍ଚାଦ୍‌ଭାଗରେ ଚାଲିଛି ଗୋଟିଏ ରିକ୍‌ସା । ରିକ୍‌ସାରେ ବସିଥିବା ପନ୍ଦର, ଷୋଳ ବର୍ଷର କିଶୋରଟିର ଆଖି ଛଳ ଛଳ, ଅନବରତ ଝରୁଛି ଲୁହ । ଗୋଟିଏ ହାତରେ ଶବଦାହ ସମୟରେ ଦରକାର କରିବା ପାଇଁ ସାମାନ୍ୟ କିଛି ସାମଞ୍ଜସ୍ୟ ନଥିବା ଜିନିଷ, ଅନ୍ୟ ହାତଟିରେ ରିକସାକୁ ଭରା ନ ଦେଇଥିଲେ ହୁଏତ ନିଜର ଭାରସାମ୍ୟ ରକ୍ଷା କରିବା ତା ପାଇଁ ସମ୍ଭବ ହୁଅନ୍ତା ନାହିଁ । ଆକୁଳ ନେତ୍ରରେ ଶବଟି ଆଡ଼େ ଚାହିଁ ଚାହିଁ ଦୀର୍ଘଶ୍ୱାସ ସହ ମୁଣ୍ଡ ତଳକୁ ପୋତିବା ଏବଂ ମଝିରେ ମଝିରେ କଇଁ କଇଁ ହୋଇ କାନ୍ଦି ଉଠି ହଠାତ୍‌ ଆଖି ପୋଛିବା ବ୍ୟତୀତ ଆଉ କୌଣସି ସାନ୍ତ୍ୱନା ସେ ପାଇପାରୁ ନ ଥିଲା ।

 

ଚାରିମାସ ତଳେ ଏମିତି ଏକ ଝଡ଼ ବହି ଯାଇଥିଲା ତା’ ଜୀବନରେ, ବାପାଙ୍କର ଦେହାବସାନ, ଅତି ଆକସ୍ମିକ ଭାବରେ..... । ରାଜମିସ୍ତ୍ରୀ କାମ ସାରି ଟିକିଏ ଦୂର ବାଟରୁ ସେ ଫେରୁ ଫେରୁ ରାତି ଆଠଟା ବାଜି ଯାଇଥିଲା । ସବୁଦିନ ପରି ଗାଧୋଇବା ପରେ ପିଲାମାନଙ୍କୁ ପାଖରେ ବସାଇ ହସି ହସି ସନ୍ତୁଷ୍ଟରେ ରାତ୍ରି ଖାଦ୍ୟ ଖାଇଥିଲେ ତା’ର ବାପା, କିନ୍ତୁ ଠିକ୍‌ ଖାଇବା ପରେ ପରେ ହିଁ ମା’କୁ ବିଛଣାଟା ପକାଇବାକୁ କହି ସବୁ ପିଲାମାନଙ୍କୁ ପାଖକୁ ଡ଼କାଇ ମା’ ଆଡ଼କୁ ଚାହିଁ କହିଲେ....‘‘ହଠାତ୍‌ ଚାଲିଯିବାକୁ ପଡ଼ିବ ବୋଲି ଜାଣିନ ଥିଲି । ଦୁଃଖ କରି ଲାଭ ନାହିଁ । ବିଶୁ, କାଶୀ ଅଛନ୍ତି... ।’’

 

ପୁଅ ଦୁହିଙ୍କ ପାଖରୁ ଦୃଷ୍ଟି ଫେରାଇ ଅଧିକ କ’ଣ କହିବା ପାଇଁ ମା’କୁ ଚାହିଁ ରହିଲେ ସେ, କିନ୍ତୁ ଛାତିଟା ଯନ୍ତ୍ରଣା ଯୋଗୁଁ ଚାପି ଧରି, ଅଳ୍ପ ସମୟ ଭିତରେ ସବୁଦିନ ପାଇଁ ଆଖି ବୁଜି ନିଶ୍ଚିନ୍ତରେ ଚାଲିଗଲେ ।

 

ଆତ୍ମୀୟମାନଙ୍କର ଆକୁଳ କ୍ରନ୍ଦନ । ସାଇଲୋକମାନଙ୍କର ହା-ହା-କାର ରାମ ମିସ୍ତ୍ରୀକୁ ଫେରାଇ ଆଣି ପାରିଲା ନାହିଁ ।

 

କେତେ କିଏ ପାଖରୁ ଦୂରରାସ୍ତାରୁ ଡାକି ଆସିନ୍ତି କୋଠାକାମ କରିବାକୁ । କାହିଁକି ନା ସେ ଠକି ଜାଣି ନଥିଲା, ପଇସାଟି ଠିକ୍‌ ପାଇବା ଆଶାରେ ବଡ଼ କରଣୀ ଓ ଗଜଟିଏ ହାତରେ ଧରି, ଅନ୍ୟ ସରଞ୍ଜାମର ବ୍ୟାଗ୍‌ଟିଏ କାନ୍ଧରେ ଓହଳାଇ ଠିକ୍‌ ସମୟରେ ଘରୁ ବାହାରି ଚାଲିଯିବାର ସମସ୍ତେ ତାକୁ ଦେଖିଛନ୍ତି । ସେଇମାନେ ତାକୁ ଝୁରି ହେଉଛନ୍ତି ଏବେ ବି ।

 

କାମକୁ ଗଲାବେଳେ କେବେ ସେ ଡାକିଛି–

 

‘‘ଆରେ ବିଶୁ ! ମୋ ସଙ୍ଗରେ ଚାଲ ଆଜି, କାମ ନ ଦେଖିଲେ ଶିଖିବୁ, ଜାଣିବୁ କିପରି-?

 

ବିଶୁ ବାପ କଥାର ଉତ୍ତର ନଦେଇ କାଚର ବାଟି କେତେଟା ପକେଟରେ ପକାଇ ଦେଇ ବାହାରିଯାଏ । ମା’ ଡାକେ–‘‘ବାପ କଥା ନ ଶୁଣି କୁଆଡ଼େ ପଳେଇ ଯାଉଛୁରେ ବିଶୁଆ ?’’

 

ପଛରୁ ଶୁଣାଯାଏ ବାପା ମା’ଙ୍କୁ କହୁଥିବା କଥା କେତେ ପଦ-‘‘ଯାଉ ଆଜି ପିଲାଟା ଖେଳୁ ଟିକିଏ ସାଙ୍ଗଙ୍କ ସାଙ୍ଗେ । ସାତଦିନରେ ଦିନଟାଏ ତ ଇସ୍କୁଲ ଛଟି । ଆଉଦିନେ ଯିବ ମୋ ସାଙ୍ଗରେ ।’’

 

ହସି ହସି ବାହାରିଯାଏ, ମା’ ଦୁଃଖ କରି କହେ–‘‘କେବେ-ହେଲେ କାହା କଥା ଶୁଣିଲା ନାହିଁ; କୋଉ କାମରେ ବି ମନ ଦେଲା ନାହିଁ । ଆମ ପରି ଲୋକର ଏତେ ଖେଳବୁଲ କ’ଣ ? ଦିନଟିଏ କାମକୁ ନ ଗଲେ ଯାହା ଘରେ ଚୁଲୀ ଜଳେନା....’’

 

ତାହାପରେ କିଛି କଥା ତାକୁ ଶୁଣାଯାଏନା, ସେତେବେଳକୁ ଦାଣ୍ଡ ବାରଣ୍ଡାରେ ତାକୁ ଅପେକ୍ଷା କରି ବସି ଥାଆନ୍ତି ପାଖ ‘ହିନ୍ଦୁ ହୋଟେଲ’ ବାଲାର ପୁଅ କୃଷ୍ଣ, ସାମନା ତେଜରାତି ଦୋକାନୀର ଭାଇ ‘ହେମା’, ଆଉ ପାଖ ଆଖର ଜଣେ ଦୁଇଜଣ ଓକିଲ ବାବୁଙ୍କର ପୁଅମାନେ, ଏମିତି ଅନେକ ।

 

ବିଶୁ ବାହାରକୁ ବାହାରି ଆସିଲେ, ସମସ୍ତେ ଏକାଠି ହୋଇ ରାସ୍ତାର ଛାଇଜାଗା ଦେଖି ଖେଳି ବାହାରନ୍ତି; ଖେଳ ଚାଲେ ଅନେକ ସମୟ ପର୍ଯ୍ୟନ୍ତ । ଠଣ, ଠାଣ କରି ଗୋଟିଏ କାଚବାଟିରେ ଅନ୍ୟଟି ବାଜେ । ସମସ୍ତେ ନିରୀକ୍ଷଣ କରିଥାଆନ୍ତି ସେଇଆଡ଼େ, ତା’ପରେ ଚାଲେ କହୁଣୀରଖି ମାପ, ଟିକିଏ ଭୁଲ୍‌ ହୋଇଗଲେ ପାଟିତୁଣ୍ଡ କରି ଉଠନ୍ତି ଗୁଡ଼ାଏ ପିଲା । ବୁଢ଼ା ବୁଢ଼ାମାନେ ବିରକ୍ତ ହେଲେ ମଧ୍ୟ, ସେ ଆଡ଼େ କାହାର ନଜର ନ ଥାଏ । ବାଟି ଖେଳରୁ ମନ ଛାଡ଼ିଲେ ସେମାନେ ଖେଳନ୍ତି ‘ଗୁଚି ତାଣ୍ଡୁ’ ନଚେତ୍‌ ଶୀତଦିନ ହୋଇଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଚାଲେ ‘ଗୁଡ଼ି’ ଉଡ଼ା । ସମୟ ଚାଲିଯାଏ । ଖେଳରୁ ମନ ଛାଡ଼େନା ।

 

ପାଠପଢ଼ାରେ କେବେ ମନ ଲାଗେନା ବିଶୁର । ଗୋଟାଏ ଗୋଟାଏ ଶ୍ରେଣୀରେ ଦୁଇ, ତିନିବର୍ଷ ରହି ସାନ ପିଲାମାନଙ୍କ ସଙ୍ଗେ ପଢ଼ିବାର ଲଜ୍ଜା, ବାପା ବୁଝେନା, ମା’ବି ।

 

ସେମାନେ ପଦେ କହନ୍ତି-‘‘ମନଲଗାଇ ପଢ଼ିଲେ ସବୁ ଠିକ୍‌ ହୋଇଯିବ ।’’ ସ୍କୁଲ ଯାଏ ବାଧ୍ୟରେ, ଶ୍ରେଣୀ ଶିକ୍ଷକଙ୍କ ମାଡ଼, ଗାଳି ଅଭ୍ୟାସରେ ପଡ଼ି ଖରାପ ଲାଗେନା । ତେଣୁ ଦୈନିକ ଘରକୁ ଦିଆଯାଉଥିବା ପାଠପଢ଼ା ନ କରି ପାରିଲେ ଚିନ୍ତା ନ ଥାଏ । ଖେଳି ଖେଳି କ୍ଳାନ୍ତ ହୋଇ ଘରକୁ ଫେରିଲେ ମା’ କହେ-, ‘ବିଶୁରେ, ଦେଖୁଛୁତ ବାପା କେତେ କଷ୍ଟରେ ପଇସା କମଉଛି, ତୁ ପାଠରେ ମନ ଦେଲେ ସେ କେତେ ଖୁସି ହୁଅନ୍ତା ।’’

 

ବିଶୁର ଦୁଇ ଆଖିରେ ପୁଣି ଅଶ୍ରୁର ବନ୍ୟା ।

 

‘‘ସତେ କ’ଣ ମା’ ଚାଲିଗଲୁ ମୋରି ଉପରେ ଅଭିମାନ କରି ? ତୋ ବଦଳରେ ମୁଁ ଯଦି ମରି ପାରିଥାଆନ୍ତି ! ମା’ଲୋ କୁଆଡ଼େ ଚାଲିଗଲୁ ତୁ....ମୁଁ କ’ଣ କରିବି ଲୋ ମା’....କହିଯାଅ ମତେ.... ।’’

 

ଆଉ ଥରେ କ’ଣ ମନେ ପଡ଼ି କଇଁ କଇଁ ହୋଇ କାନ୍ଦି ଅଧୈର୍ଯ୍ୟ ହୋଇ ଉଠିଲା ସେ, ଶବ ଶୋଭାଯାତ୍ରା ଆଗେଇ ଚାଲିଥାଏ । ପଛରେ ପଡ଼ିଛି ‘ବିଶୁ’ର ବିକ୍‌ସା ।

 

ସାଇ ରିକ୍‌ସା ବାଲା ସନିଆଁ ବାଉରୀ । ମା’ ଶବ ପାଖରେ ବିକଳରେ ଅଧୀର ହୋଇ କାନ୍ଦୁଥିବା ବିଶୁକୁ ଟାଣିଆଣି ନିଜ ରିକ୍‌ସାରେ ବସେଇ ନେଇ ଆସୁଛି । ସେ ବଡ଼ପୁଅ, ମୁଖାଗ୍ନି ଦେଲେ ଯାଇ ମା’ର ମୁକ୍ତି । ସାଇ ଲୋକେ କାନ୍ଧ ଭିଡ଼ିଛନ୍ତି ଏ ଦୁଃଖ ସମୟରେ, ସନିଆଁ ବୁଝାଉଛି-‘‘ଥାଉରେ ବାଇୟା, ଯେ ଗଲା ଗଲା । ଆଉ କାନ୍ଦି ବାଡ଼େଇ ହେଲେ କ’ଣ ସେ ଫେରି ଆସିବ ?’’

 

‘‘ମା’ ସତରେ ତେବେ ଫେରିବ ନାହିଁ ସନିଆଁ ଭାଇ ???’’ ବିଶୁ କାନ୍ଦ କାନ୍ଦ ସ୍ୱରରେ ପଚାରିଲା ।

 

ଦୂରରୁ ଯେମିତି ତାତ୍ସଲ୍ୟ ହୋଇ ପ୍ରତିଧ୍ୱନିତ ହେଲା–ଫେରିବ ନାହିଁ....ଫେରିବ ନାହିଁ...-

 

ଥରକ ପାଇଁ ହେଲେ ସେ ତା’ର ଗୋଟିଏ କଥା ରଖି ଥାଆନ୍ତା ! ବାପା ଥିଲାବେଳେ ଚିନ୍ତା ନ ଥିଲା । କେବେ ବି ପ୍ରାୟ କିଛି କହୁ ନ ଥିଲେ, ସେ ଗଲା ପରେ ମା’, ଜେଜେମା କେତେ ବୁଝାନ୍ତି ସବୁବେଳେ । ସାଇଲୋକେ କହନ୍ତି-‘‘ଆରେ ତୁ ରାମମିସ୍ତ୍ରୀ ପୁଅଟି ? ଖାଲି ରାସ୍ତାରେ ଖେଳି ଖେଳି କ’ଣ ସମୟ କଟଉଛୁ ?’’

 

ବାପା ଗଲା ପରେ ସେ ସ୍କୁଲ ଯିବ ବନ୍ଦକରି ଦେଇଛି, ପଇସା କାହିଁ ? ବହି କିଣିବ, କାଗଜ କିଣିବ, ଦରମା ଦେବାକୁ ହେବ । ଆଜି ଗଣେଶ ପୂଜା ଚାନ୍ଦା, କାଲି ରେଡ଼କ୍ରସ ଚାନ୍ଦା ଇତ୍ୟାଦି ଇତ୍ୟାଦି ।

 

ମା ଆଉ ବେଶୀ କିଛି କହେନା, ଜେଜେମା ମୁହଁ ଖୋଲେ କେବେ କିମିତି । ‘‘ଜଳିବା କିମିତିରେ ବିଶୁଆ ? ସାନ ସାନ ଭାଇ ଭଉଣୀ ତିନୋଟି ତୋର, କ’ଣ ଖାଇ ପିନ୍ଧି ମଣିଷ ହେବେ-?’’

 

ଜେଜେମା କଥାରେ ବରା, ପିଆଜି, ପକୋଡ଼ି-ଚା’ର ଛୋଟ ଦୋକାନଟିଏ ଖୋଲିଲା ବିଶୁ, ପାଖରେ ବସି ଜେଜେମା ସବୁ ବତାଇଦିଏ । ମା’ ବିରି, ଖେସାରି ବାଟି ସଜାଡ଼ି ପଠାଇଦିଏ ।

 

ଦୋକାନ ଚାଲି ପାରିଲାନାହିଁ । କାହାକୁ ସେ ମନା କରିବ ? ସମସ୍ତେ ମାଗିବେ ଚା’ ଚା ସଙ୍ଗେ ଗରମ ପକୋଡ଼ି । ବରା, ପିଆଜି । ପଇସା ଦେଲାବେଳକୁ ପଛରେ, ସେମାନେ ଖେଳ ସାଙ୍ଗ, ନଚେତ୍‍ ସେମାନଙ୍କର ବାପା, ଭାଇ । ବିଶୁ ଜବରଦସ୍ତି ପଇସା ମାଗି ପାରେ ନାହିଁ । ଖାତାରେ ନାଁ ଟିପି ରଖେ; ପଛରେ ମାଗିଗଲେ, ଆଜି, କାଲି କହି ବି ସେମାନେ ଦିଅନ୍ତି ନାହିଁ । ଶେଷକୁ କଳିବି ଲାଗିଯାଏ ସେମାନଙ୍କ ସଙ୍ଗରେ । ଜେଜେମା ବୁଝେଇ ବୁଝେଇ ଥକେ କାହାକୁ ଧାର ନ ଦେବାକୁ; ବିଶୁ ବିରକ୍ତିରେ ଦୋକାନ ଭାଙ୍ଗି ଦେଇ ବସିଯାଏ । ଏତେ ବେଶୀ ଉପଦେଶ ଖାଲି ବାହାରୁ ବାହାରୁ ତାକୁ ଛୁଇଁଯାଏ; ମନ ଭିତରେ ପଶିପାରେ ନାହିଁ ।

 

ପୁଣି ପୂର୍ବପରି ବେଶୀ ସମୟ ପାଇ ଧାର୍‌ରେ ଜଳଖିଆ ଖାଉଥିବା ସେହି ବନ୍ଧୁମାନଙ୍କ ସଙ୍ଗରେ ଖେଳରେ ମାତିଗଲା ସେ, ବାପା ବଞ୍ଚିଥିବାବେଳେ ସାମନରେ ଦୁଇବଖରା ଘର ଦୋକାନ ପାଇଁ ଭଡ଼ାଲାଗିଥିଲା । ଭଡ଼ାଟିଆ ଦିଅନ୍ତି ଚାଳିଶ୍‌ ଚାଳିଶ୍‌ କରି । ଏମିତି ଆସେ ଅଶୀଟି ଟଙ୍କା । ତା’ଛଡ଼ା ବାରବର୍ଷର ସାନଭାଇ କାଶୀର ଛୋଟିଆ ପାନଦୋକାନ ଖଣ୍ଡେ । ସକାଳରୁ ରାତି ନଅଟା ବାଜେ ଦୋକାନକୁ ଜଗି ବସିଥାଏ କାଶୀ, ଭୁଲରେ ବି ପାନ ଖଣ୍ଡିଏ କାହାକୁ ଧାର୍‌ ଦବ ନାହିଁ । ସିଧା କହିହେବ, ‘‘ତମଠୁଁ ପଇସା ମାଗି ଯିବ କିଏ ? ବାଆ ତ ଚାଲିଗଲା । ଘର ଚଳିବ କେମିତି ? ଭାଇର ଦୋକାନ ପରା ଏଇ କାଳିବାକି ପାଇଁ ବୁଡ଼ିଲା ।’’

 

ନାଲିରେ ଅଙ୍କା ବଙ୍କା କରି ବଡ଼ ବଡ଼ ଅକ୍ଷର ଲେଖି ଝୁଲାଇ ଦେଇଥାଏ ସେ ‘‘ଧାର ମାଗନ୍ତୁ ନାହିଁ ।’’

 

ସାଇଲୋକେ କିଏ, କିଏ ବୁଝନ୍ତି । ସବୁବେଳେ ପ୍ରାୟ ଧାରରେ ସିଗାରେଟ ମାଗୁଥିବା ଲମ୍ୱା କଲିଆ, ଝିଅ ପୋଷକ ପିନ୍ଧା ଅଧା ବାବୁମାନେ ‘ଚୋଠା’ଟାଏ, ‘ବେକାରିଆ କଥା ଗପୁଛି’ କହି ଅନ୍ୟ ଦୋକାନ ଆଡ଼େ ଚାଲିଯାଆନ୍ତି । ସାମନା ବାରଣ୍ଡାରେ ଜାଲ ବୁଣୁଥିବା ରଘୁଆ କେଉଟର ବୁଢ଼ାବାପା କହେ-‘‘ସାବାସରେ ପୁଅ, ତୁ ଠିକ୍‌ ରାମମିସ୍ତ୍ରୀର ନାଁ ରଖିବୁ ।’’

 

କାଶୀ କୁଆଡ଼େ ଚାହେଁନା, କାହା କଥା ଶୁଣେନା । ଚୁପ୍‌ଚାପ ଭାଙ୍ଗୁଥାଏ ପାନ, ଦୋକାନରେ ଗରାଖ ନଥିଲେ ଗୁଆକାତିରେ କଚ୍‌ କଚ୍‌ କରି ଗୁଆ କାଟେ । ନଚେତ୍‌ ବହି ଧରି ଗୀତ ବୋଲେ, ବାହାରର ବାଜେ ପିଲାଙ୍କୁ ଦୋକାନ ପାଖରେ ଅଯଥାରେ ବସିବାକୁ ପ୍ରଶ୍ରୟ ଦିଏ ନାହିଁ ।

 

ବେଳେ ବେଳେ ବିଶୁ ଆସି ତାକୁ ଲାଲ ଆଖି ଦେଖାଇ ଶାସନ କରେ–

 

‘‘କିବେ ଶଳା, ବିଦିଆ ଭାଇକୁ ନଡ଼ିଆ ବିସ୍କୁଟ ଦେଲୁନି କାହିଁକି ? ତୋ ପଇସା କ’ଣ ସେ ଖାଇଯାଇ ଥାଆନ୍ତା ? ପୁଣି ମାଡ଼ ଉଁଚାଇ କହେ–‘‘ଦେବି ଧରି ଏକ ଜାବଡ଼ା ଯେ, ଶଳାର ଦାନ୍ତ ଭାଙ୍ଗିଯିବ ।’’

 

କାଶୀ ମୁହଁ ଖୋଲି କଳି ସୃଷ୍ଟି କରିବାକୁ ପାଏ ନାହିଁ, ସେମିତି ଗୁଆ କାଟୁଥାଏ । ନଚେତ୍‌ ଭାଇ କଥାରେ ତାଳ ଦେଇ ହସୁଥିବା ଗରାଖମାନଙ୍କ ଚାହିଦାରେ ପାନ ଭାଙ୍ଗୁଥାଏ । ଏତିକିବେଳେ ସେ ପାଖରୁ ରଘୁଆର ବୁଢ଼ାବାପା ଚିତ୍କାର କରେ–

 

‘‘କିରେ ବିଶୁଆ, ଭାରିତ ସାହସ, ମାଇଲୁ ଦେଖି ତାକୁ’’ ପାଟି ଶୁଣି ଜେଜେମା ନଇଁ ନଇଁ ବାହାରି ଆସେ ପଦାକୁ । କବାଟ ପାଖରେ ଅଳ୍ପ ଫାଙ୍କ କରି ବାହାରକୁ ଚାହେଁ ମା’, ସେଆଡ଼େ ଥରେ ମାତ୍ର ଚାହିଁଦେଇ ନଈକୂଳ ଆଡ଼େ ଚାଲିଯାଏ ବିଶୁ ।

 

ବଟକେଶ୍ୱର ମହାଦେବ ମନ୍ଦିର ପାଖରେ ବଉଳ ଗଛର ସିମେଣ୍ଟ ବେଦି ଉପରେ ସନ୍ଧ୍ୟାବେଳୁ ଆରମ୍ଭ ହୋଇଯାଏ ତାସ୍‌ ଖେଳ । ବହୁ ପ୍ରକାରର ଖେଳ, ରାତି ଡେରି ହେଲେ ପଇସା ବାଜି ରଖି ‘ତିନିପତ୍ରି’ ଖେଳ ।

 

ବିଶୁ ଦିନେହେଲେ ସେ ଖେଳ ଖେଳିପାରେନା । ପଇସା କାହିଁ ? କିଏ ଦବ ? ଖେଳ ଦେଖି ମନ ଖାଲି ହାଇଁ ପାଇଁ ହୁଏ । ରାସ୍ତାର ଏପାଖ ସେପାଖକୁ ଚାହିଁ ଡର ଡର ଭାବ ନେଇ ସେମାନେ ଖେଳନ୍ତି । କେବେ କିମିତି ଚାଳେ ଖଞ୍ଜଣୀ ମାଡ଼, ତ୍ରିନାଥ ମେଳା ବହି ବୋଲା ହେଉଥାଏ । ସମସ୍ତଙ୍କ ଆଖି ଲାଲ, ବିଶୁ ହାତଯୋଡ଼ି ବସିଯାଏ, ଗଞ୍ଜେଇ ଭୋଗ ଟିକିଏ ଭାଗରେ ପଡ଼ିଲେ ଭଲ ।

 

ଘରକୁ ଗଲେ ପୁଣି ସବୁ ଭୁଲିଯାଏ । କାଶୀକୁ ମାରିବା କଥା, ‘ତିନିପତ୍ରି’ ଖେଳପାଇଁ ମା’କୁ ଧମକାଇ ପଇସା ନେବା କଥା ।

 

ଖାଲି ବିରକ୍ତିରେ ପାଟି କରେ ସେ–‘‘ଖାଇବାକୁ ଦେବୁ କି ନାହିଁ ମୁଁ ଶୋଇବାକୁ ଚାଲିଯିବି ନୋହିଲେ ?’’

 

ମା ଉତ୍ତର ନ ଦେଇ ବିଛଣାରୁ ଉଠିଆସେ, ତା’ ଛାତିଥରା ଦୀର୍ଘଶ୍ୱାସ ଦେଖି ମନେ ମନେ ବିରକ୍ତ ହୁଏ ବିଶୁ ଏବଂ ଭାବେ...ଆଜି ଏ ଘର ନ ମାଡ଼ନ୍ତି କି ? ପଖାଳ ଗଣ୍ଡେ କି ରୁଟି ଦିଖଣ୍ଡ ଦେବେ ବୋଲି ଖାଲି ରାଗ ଗର ଗର ।

 

ସେତିକିବେଳେ ଜେଜେମା’ ବିଡ଼ି ବିଡ଼ି ହୋଇ କହୁଥାଏ–

 

‘ରୋଜଗାରିଆ ପୁଅଟାଏନା, ଅଡ଼ର୍‌ ପକଉଛି ଦେଖ ।’’

 

‘‘ତୋର ଖାଇଯାଉଛି କିଲୋ ବୁଢ଼ୀ ।’’

 

‘‘ଯାରେ ପଳା ଖାଇ ଦେଇସାରି ବଉଳ ବେଦିକୁ, ଗୁଲିଆମାନଙ୍କର ଖଞ୍ଜଣୀ ମାଡ଼ ସରିଗଲାଣି ।’’

 

‘‘ବୁଢ଼ୀ ମାଙ୍କେଡ଼ୀ, ରହିଥା ତତେ ଦେଖି ନଉଛି ।’’

 

ଏତିକିବେଳେ ମା’ ମୁହଁ ଖୋଲି କହେ–

 

‘‘କାହିଁକି ଭଲା ସେମତେ ହେଉଛୁ ବିଶୁଆ ?’’

 

ପାଟିରେ ଭାତ ଗୁଣ୍ଡାଏ ଦେଉ ଦେଉ ଗାଉଁ ଗାଉଁ କରି କହେ ସେ-‘‘ମାଗିଥେଲି ପରା ଟଙ୍କାଟାଏ, ଦେଇଥିଲୁ ନା ? ସରାଗାତ କରି ପୋତି ରଖିଥା, କାଶୀଆକୁ ଦବୁ ।’’

 

ଜେଜେମା ବୁଢ଼ୀର ପାଟି ଶୁଣାଯାଏ–

 

‘‘ଦବତ, ତୋ ଭଳି ତ ସାଇର ବଜାରୀ ପିଲାଙ୍କ ସଙ୍ଗେ ବାଟି ଖେଳୁନି । ପଇସା ରୋଜଗାର କରି ମା’କୁ ବଢ଼େଇ ଦେଉଛି ।’’

 

ମା’ର ବିଷର୍ଣ୍ଣ ମୁହଁ ଦେଖି ପାରେନା ବିଶୁ, ଘର କଡ଼ରୁ ଛିଣ୍ଡା ମଶିଣା ସଙ୍ଗେ ଘୋଡ଼ି ହେଲା ଖଣ୍ଡକ ନେଇ ତମ୍‌ ତମ୍‌ ହୋଇ ଦାଣ୍ଡ କବାଟଟା ଜୋରରେ ବାଡ଼େଇ ଦେଇ ପଳାଇ ଯାଏ ସେ ନଈବନ୍ଧ ଆଡ଼େ ।

 

ନଈ ସେ ପାଖରୁ ସୂର୍ଯ୍ୟ ଉଠି ଆଖିରେ ଖରା ପଡ଼ିଲେ ନିଦ ମଳ ମଳ ହୋଇ ଘରକୁ ଫେରେ ସେ । କିନ୍ତୁ ଘର ଭିତରକୁ ଆସି ପୁଣି ଗାଢ଼ ନିଦରେ ଶୋଇପଡ଼େ । କିଏ ତାକୁ ସଅଳ ଉଠେଇବାକୁ ବା ଯିବ କାହିଁକି ? କି କାମ ତା’ର ଅଛି ? ଇସ୍କୁଲ ବନ୍ଦ, ଗୁଡ଼ିଆ ଦୋକାନ ହେଲା ନାହିଁ । ରାଜମିସ୍ତ୍ରୀ କାମ ଶିଖିବାରେ ମନ ଦେଲା ନାହିଁ । ଦିନ ଦଶଟା ବାଜିଲେ ବାସି କାମ ସାରି ଗାଧୋଇ ଆସିଲେ ମା’ ତାକୁ ଗଡ଼େଇ ଗଡ଼େଇ ବିଛଣାରୁ ଉଠାଏ ।

 

ଦାନ୍ତ କାଠିଟାଏ ନେଇ ନଈଆଡ଼େ ଯାଇ ଫେରିବାବେଳକୁ ଦିନ ଏଗାରଟା । ସେତେବେଳକୁ କାଶୀ ଦୋକାନରେ ଭିଡ଼ । ଜଳଖିଆ ଖାଇ ଦେଇ ବିଶୁ ଚାଲିଯାଏ ସାଇ ସାରା ବୁଲି ବୁଲି ଗପ ମାରିବାକୁ । ନଚେତ୍‌ କୋଉ ସାଙ୍ଗର ଦୋକାନରେ ବସି ଟ୍ରାଜିଷ୍ଟରରୁ ସିନେମା ଗୀତ ଶୁଣି ଦିନ ଦୁଇ ବାଜିଲେ ଘରକୁ ଫେରେ ଗାଧୋଇ ଯିବାକୁ ।

 

ସେତେବେଳକୁ ଖରାଦିନ ବୋଲି ଦ୍ୱିପହରେ ଦୋକନଟା ବନ୍ଦ କରି ଦେଇ ମା’ ପାଖରେ ବସି କାଶୀ ପଇସା ଗଣୁଥାଏ । ତାକୁ ଦେଖି ବିଶୁକୁ ହସ ମାଡ଼େ, ସେ କହେ, ‘‘ଭାରି ଗୁଡ଼ାଏ ପଇସା ରୋଜଗାର କରି ପକାଉଛି ନା ପାନ ଦୋକାନରୁ ଦଶଥର ନ ଗଣିଲେ ହବ କେମିତି ? ଜାଣିଥା ମା’ ଆଜି ମୋତେ ଟଙ୍କାଟାଏ ଦବୁ । ଭଲ ଖେଳଟାଏ ପଡ଼ିଛି ‘ଗ୍ରାଣ୍ଡ’ରେ । ହେମା, ବିଦିଆ ହେରିକା ସମସ୍ତେ ଯିବେ କହୁଥିଲେ ।’’

 

ବହୁଥର ବିଶୁ ଘର କଣ ସବୁ ସନ୍ଧାନ କରିଛି । କୋଉଠି ଥରେ ଯଦି ମା’ର ସଞ୍ଚିତ ଅର୍ଥର ସତ୍ତା ସେ ଖୋଜି ପାଆନ୍ତା । ନା, କେବେ ସେ ପାଇ ପାରେନା କିଛି । କିନ୍ତୁ ମା’ର ଶବ ଅଗଣାରେ ପଡ଼ିଥିବା ବେଳେ....କୃଷ୍ଣର ବାପା ତାକୁ ବୁଝାବୁଝି କରି ଜିନିଷପତ୍ର କିଣିବାକୁ ଯେତେବେଳେ ପଇସା ମାଗିଲା, ତାକୁ କେବଳ ବିସ୍ମିତ କାତର ଦୃଷ୍ଟିରେ ଚାହିଁ ରହିଥିଲା ବିଶୁ....ଆଖି ପୋଛି ପୋଛି ଜେଜେମା’ ପାଖକୁ ଧାଇଁଗଲା କାଶୀ । ବାହୁନି ବାହୁନି ପୁଅ ବୋହୁଙ୍କ ଗୁଣ ଗାଉଥିବା ଜେଜେମା’ ବୁଢ଼ୀର ହାତଟାଣି ହାଣ୍ଡିଶାଳ ଭିତରକୁ ନେଇଗଲା ସେ...ତଣ୍ଡି ଫଟାଇ କୋହ ଉଠୁଛି ସବୁ ଭାବିଲା ବେଳକୁ..... ।

 

ମା ଶୋଇ ଯାଇଛି ଶେଷ ନିଦ୍ରାର ନିଶ୍ଚିନ୍ତ ନିଦରେ । ସେ ଯଦି ଜାଣି ପାରୁ ଥାଆନ୍ତା ତାର ବହୁ ଦିନର ସଞ୍ଚିତ ପଇସା ତାରି ଦାହ କାମରେ ଲାଗୁଛି ! ! କାଶୀ ବଢ଼େଇ ଦଉଛି ଦଶଟା ଟଙ୍କା ସାଇ ଭାଇଙ୍କ ହାତରେ ।

 

ସେ କିଛି ଜାଣେନା, କିଛି ବି କରିନି ଘର ପାଇଁ । ବାପ ଚାଲିଗଲା । ଚାରିଟା ମାସ ପରେ ଝାଡ଼ା, ବାନ୍ତି ଭୋଗି ମା’ ବି ଚାଲିଗଲା । ମା’ ଯେତେବେଳେ ଦୁର୍ବଳ ହୋଇ ବିଛଣାରେ ପଡ଼ିଥିଲା ଜେଜେମା’ କେତେ ନେହୁରା ହୋଇଥିଲା ତା’ ପାଖରେ–‘‘ବାପା ବିଶୁ, ଓଷଧ ଦି ପାନ ଆଣନ୍ତୁ ନାହିଁ ? ଦେଖୁନୁ ତୋ ମା’ଟା କେତେଟା ଦିନରେ କଣ ହୋଇ ଗଲାଣି ।’’

 

ବିଶୁ ପ୍ରତିଶୋଧ ନେବା ଭଳି କହିଲା-‘‘ମୁଁ କ’ଣ କରି ପାରିବି ? ତୋ ରୋଜଗାରିଆ ପୁଅକୁ କହୁନୁ ?’’ ତାପରେ ‘ହେମା’ ଦୋକାନରେ ବସି ଟ୍ରାଂଜିଷ୍ଟର ଖୋଲି ଗୀତ ଶୁଣିବାରେ ଲାଗିଥିଲା ସେ ।

 

ମନଟା କିନ୍ତୁ କୋଉଥିରେ ଲାଗିଲା ନାହିଁ । ମୁଢ଼ିଦିଟା ପାଟିରେ ପକେଇ ଆସି ସବୁ ଅଶାନ୍ତି । ଭୋକରେ ପେଟ କାଟିବାକୁ ଆରମ୍ଭ କରିଦେଲା । ଘରେ ରୋଷେଇ ବନ୍ଦ । ବରଂ ଘରକୁ ନ ଯାଇ ନଈକୂଳର ବରଗଛ ତଳ ପାନ ଦୋକାନ ପାଖ ବେଞ୍ଚ ଉପରେ ପେଟ ମାଡ଼ି ଶୋଇ ପଡ଼ିବାକୁ ସେ ସ୍ଥିର କଲା ।

 

ଠିକ୍‌ ଆସିଲା ବେଳେ ମା’ ତାକୁ ପାଖକୁ ଠାରି ଖନେଇ ଖନେଇ କହିଲା–‘‘ବାପାରେ, ଆଜି ରୋଷେଇ କରି ପାରିବିନି । କାଶୀ ପାଖରୁ ପଇସା ନେଇ ହୋଟେଲ୍‌ରେ ଖାଇଦେବୁ.... ।’’ ଛି, ଛି, ନ ଖାଇବ ପଛକେ, କାଶୀଆ ପଇସାରେ ପୁଣି....

 

ମୁହଁ ବୁଲେଇ ନିଦରେ ଶୋଇବାକୁ ଚେଷ୍ଟା କଲା ବିଶୁ । ଘରକୁ ଗଲେ ବୁଢ଼ୀଟା ରଖେଇ ଦେବନି-ଯା ଡାକ୍ତର ଡାକ । ଔଷଧ ଆଣ...ରାତିରେ ଗଦ ଗଛର ଶୁଖିଲା ଚେର ବାଟି ମା’କୁ ପେଇଥିଲା ବୁଢ଼ୀ-ଝାଡ଼ାବାନ୍ତି କମିଛି, ଦେହ ସେମିତି ଗରମ ରହିଛି । ମୁହଁଟା କିମିତି କାଇଲା ଦିଶୁଥିଲା....

 

ଛାଇ ନିଦଟା ଅକସ୍ମାତ୍‌ ଭାଙ୍ଗିଯାଇ ଝାଳଟାଏ ବହିଗଲା ତା’ର । କିଏ ତା’ପାଖରେ ଠିଆ ହୋଇ ତାକୁ ହଲେଇ ଉଠେଇ ଦେଲା ପରି ଲାଗିଲା । ସତେ ଯେମିତି ତାରି ବାପା, ହାତରେ କରଣୀ, ଗଜ ଧରିଛି, କାନ୍ଧରେ ଓହଳିଛି ଛୋଟିଆ ବେଗ୍‌ ଖଣ୍ଡିକ ।

 

‘‘ବିଶୁଆ, ବିଶୁଆ, ଉଠିପଡ଼, ମା’ ପାଇଁ ଔଷଧ ନେବୁ ନାହିଁ ? ଯା ଜଲଦି ଘରକୁ ।’’

 

ବିଶୁ ବିରକ୍ତିରେ ଏପାଖ ସେ ପାଖ ହେଇ କାହାକୁ ଖୋଜିହେଲା । ବନ୍ଧତଳେ ପାହାଚ ପାଖରେ ‘ହେମା’ର ବଡ଼ଭାଇ ଗାଧୋଉଥିଲା । ସେଇ ଆଡ଼କୁ ଚାହିଁ ସେ କହିଲା-‘‘ଶଳା...ଶାନ୍ତିରେ ବି ଟିକିଏ ଶୋଇ ଦେବେନି ମଣିଷକୁ ।’’

 

ରାଗରେ ସେଠାରୁ ଉଠିଯାଇ ନଈରେ ବୁଡ଼ଟାଏ ମାରି ଉଠି ଆସିଲା ବେଳକୁ ହେମାର ବଡ଼ ଭାଇ ପଚାରିଲା ତାକୁ–

 

‘‘କିରେ ବିଶୁଆ । ମା’ର ଦେହ ଆଜି କେମତେ ଅଛି ?’’ ମୁହଁଟା ଭାରି କରି ତାକୁ କଣ ହଁ ହାଁ ମାରି ଦେଇ ଉଠି ଆସିଲା ପାଣିରୁ ସେ । ଓଦା ଗାମୁଛା ବଦଳି ପକେଇ ଚିପୁଡ଼ି ଦେଇ ସେମିତି ଯାଇ ପହଞ୍ଚିଲା ସେ ସାଇର ହୋମିଓପାଥି ଡାକ୍ତରଙ୍କ ପାଖରେ; ଦୋକାନ ଖୋଲୁ ଖୋଲୁ ବିଶୁକୁ ଘର କଥା କେତେ ପଚାରି ବସିଲେ ସେ । ମା’ର ଦେହକଥା ଶୁଣି ଆଗରୁ ଔଷଧ ନେଇଥିଲେ ଭଲ ହୋଇ ଥାଆନ୍ତା କହି ଚିନ୍ତିତ ଭାବରେ ଔଷଧ ଖୋଜିହେଲେ ।

 

ଔଷଧ ଧରି ଆସି ପହଞ୍ଚିବାବେଳକୁ ପ୍ରାୟ ସନ୍ଧ୍ୟା ସମୟ; ବାହାର ରାସ୍ତାଟା ଯାହାବା ଟିକିଏ ସଫା ଦେଖାଯାଉଥିଲା, ଘର ଭିତର କିନ୍ତୁ ଏକବାରକେ ଅନ୍ଧାର । ଡିବିଟାଏ ବି ଲଗାଇବାକୁ ସାନ ଭଉଣୀ ଭୁଲିଯାଇଥିଲା ।

 

ଅଣଓସାରିଆ ବାରଣ୍ଡାରେ ମଶିଣା ଖଣ୍ଡରେ ଶୋଇଥାଏ ମା’, ତୁଳସୀ ପତ୍ର ପକାଯାଇ ଥିବା ପାଦୁକାପାଣି ଟିକିଏ ଜେଜେମା ତ’ପାଟିରେ ଦେଉଥାଏ, ପାଖରେ ଭାଗବତ ବହି ଖଣ୍ଡକ ଧରି ବସିଥାଏ କାଶୀ । ସାନଭଉଣୀ ହୀରା ସେପାଖରୁ ଡିବିରିଲଗାଇ ଆଣି ଜେଜେମା ଆଡ଼େ ଦେଖାଇଲା । କ୍ଷୀଣ ଆଲୋକରେ ମା’ ମୁହଁଟା ଶେତା ଦେକଯାଉଥାଏ । ଧୀରେ ଧୀରେ ତା’ ଦୁଇ ଓଠ ଖୋଲିବାକୁ ଚେଷ୍ଟା କରି ଆଉ ଟିକିଏ ପାଣି ଦେଲା ଜେଜେମା, ଠିକ୍‌ ସେତିକିବେଳେ ବିଶୁ ଟିକିଏ ଆତଙ୍କିତ ହୋଇ ପଡ଼ିଲା, ମନେପଡ଼ିଲା....

 

-‘‘ବିଶୁଆ, ବିଶୁଆ, ଉଠିପଡ଼, ଔଷଧ ନେଇ ଘରକୁ ଯା....’’ ତେବେ ? ତେବେ କ’ଣ...ନାଇଁତ ମା’ଟିକିଏ ଭଲ ହେଲାଣି, ଭଲ ମଣିଷଙ୍କ ଭଳି ଚାହିଁ ଦେଖୁଛି ଚାରିଆଡ଼-ତା’କୁ ଖୋଜୁଛି କି ? ସାଇର କେତେଜଣ ସ୍ତ୍ରୀଲୋକଙ୍କୁ ଠେଲି ମା’ ମୁହଁ ପାଖକୁ ଆଗେଇଲା ସେ । ମା’ର ଆଖି ଦୁଇଟା ତା’ ଆଖିରେ ମିଶିଲା । ଆଉ ପଲକ ପଡ଼ିଲା ନାହିଁ । ଖାଲି ଓଠ ଥରିଉଠିଲା କ’ଣ କହିବ ବୋଲି, କାଳେ ଶୋଷ ଲାଗୁଥିବ ବୋଲି ଶାମୁକାରେ ପାଦୁକାପାଣି ଟିକିଏ ନେଇ ତା’ ପାଟିରେ ଦେଲା ବିଶୁ ।

 

ଓଠ କଡ଼ରୁ ଗଡ଼ି ଆସିଲା ଲାଳମିଶା ପାଣିର ଧାର । ସେ ହଲାଇ ଦେଇ ଡାକିଲା-‘‘ମା’ ଆଉ ଶୋଷ ଲାଗୁଛି ?’’

 

ଉତ୍ତର ନାହିଁ । ଦେହ ହାତ ଏକାବେଳକେ ଥଣ୍ଡା, ହାତ ପାପୁଲିଟା ମନକୁ ଖୋଲିଯାଇ ଔଷଧ ପୁଡ଼ିଆଟା ତଳେ ପଡ଼ିଗଲା । ଏକଧ୍ୟାନରେ ମା’କୁ ଚାହିଁ ରହିଥିଲା ବିଶୁ, ମା’ର ଦେହଟା ଟିକିଏ ହଲି ସ୍ଥିର ହେଇଗଲା ।

 

ହାଉଳି ଖାଇ କାନ୍ଦି ଉଠିଲା ଜେଜେମା’ ତା’ ସଙ୍ଗେ କାଶୀ, ହୀରା, ସୁନା । ମା’ର ଶବ ଉପରେ ମୁଣ୍ଡ କଚାଡ଼ି ଭୋ ଭୋ କରି କାନ୍ଦି ଉଠିଲା ବିଶୁ । ‘‘ମା’ଲୋ ତୁ କୁଆଡ଼େ ଗଲୁ, ଆଉ ଅମାନିଆ ହେବି ନାଇଁଲୋ ମା’, ତୁ ଯାହା କହିବୁ କରିବି...ଥରେ ମତେ ଆଖି ଖୋଲି ଚାହାଁ । ...ପଦଟିଏ କଥା କହ... ।’’

 

ସାଇଲୋକ ବୁଝେଇଲେ–

 

‘‘ବିଶିଆ.....ବିଶିଆ, ଉଠିଯାଆରେ ବାପା ସେଠୁ ।’’

 

‘‘ନା....ନା ମୋ ମା’କୁ ମୁଁ ଛାଡ଼ି ଦେବିନିଲୋ ।’’ ଛାତି, ପେଟ ଆଉଟି ହୋଇ କୋହ ଉଠୁଥାଏ । କାନ୍ଦି କାନ୍ଦି ଗଡ଼ୁଥାଏ ବିଶୁ । ସୁନା, ହୀରା ଦଇ ଭଉଣୀ ଆହୁରି ବିକଳ ହୋଇ ପାଟି କରୁଥାନ୍ତି । ବୁଢ଼ୀ ଜେଜେମା’ ନ ମରି ବଞ୍ଚିରହିଛି ବୋଲି ନିଜକୁ ଧିକ୍‌କାର କରି ବାଡ଼େଇ କଚାଡ଼ି ହେଉଥାଏ । ଦୁଇ ଚାରିଜଣ ସାଇର ସ୍ତ୍ରୀଲୋକ ତାକୁ ଧରାଧରି କରି ସାନ୍ତ୍ୱନା ଦେଉ ଦେଉ ନିଜ ଆଖି ପୋଛୁଥାଆନ୍ତି ବାରମ୍ୱାର, ଦେଖାଣାହାରୀଙ୍କ ଆଖିରେ ଲୁହ । ସବୁ ଯୋଗାଡ଼ କରି ଶବ ଉଠୁ ଉଠୁ ରାତି ଅଧ ।

 

ମେ, ଚାଲିଗଲା ସବୁଦିନ ପାଇଁ । କାଶୀ, ହୀରା, ସୁନାର ଦାୟିତ୍ୱ ତା’ରି ଉପରେ ଲଦିଦେଇ ନିଶ୍ଚିନ୍ତରେ ଯୁଇ ଉପରେ ଶୋଇଯାଇଛି ସେ, ଜଳି ଜଳି ଉପରକୁ ଉଠୁଛି ନିଆଁ । ସେଇଆଡ଼େ ଚାହିଁ ମୁଣ୍ଡରେ ହାତଦେଇ ବସିଛି ବିଶୁ । ଅନ୍ତର ଭିତରର ଶୋକର ଉଚ୍ଛ୍ୱାସକୁ ଦବେଇ ଦେବାପାଇଁ କେତେବେଳେ ସେ ଛାତିରେ ହାତ ରଖୁଛି, ପୁଣି କେତେବେଳେ ମନକୁ ମନ କହି ହଉଛି–

 

‘‘ନାଁ...ଆଉ କାନ୍ଦିବିନି ଲୋ ମା, ମୁଁ ଯଦି କାନ୍ଦିବି, କାଶୀ, ସୁନା, ହୀରା, ବୁଢ଼ୀମା’କୁ ବୁଝେଇବ କିଏ ??

Image

 

ଚୈତ୍ରର କାରୁଣ୍ୟ

 

ଚୈତ୍ର ସନ୍ଧ୍ୟାରେ ଉଚ୍ଛୃଙ୍ଖଳ ପବନ ବେଶ୍‌ ଆମୋଦଦାୟକ ମନେ ହେଉଥିଲା । ରାସ୍ତାକଡ଼ର ଗଛମାନଙ୍କରୁ ପତ୍ରସବୁ ଝରି ପଡ଼ୁଥିଲା । ଦୂରରୁ ଦିଶୁଛି ଗୋଟାଏ ପାହାଡ଼ । କେଉଁ ପୁରାଣଯୁଗରୁ ସ୍ମୃତିର ସ୍ମାରକୀ ହୋଇ ଠିଆ ହୋଇ ରହିଛି । ଲକ୍ଷ୍ମଣର ଶକ୍ତିଭେଦ ସମୟରେ ରାମଙ୍କର ବିକଳ ସହି ନ ପାରି ପବନପୁତ୍ର ହନୁମାନ ଯାଇଥିଲେ ବିଶଲ୍ୟକରଣୀ ସନ୍ଧାନରେ । ତା’ପରେ ବିଶଲ୍ୟକରଣୀ ଚିହ୍ନି ନ ପାରି ପୂରା ଏହି ଗନ୍ଧମାର୍ଦ୍ଦନ ପର୍ବତଟାକୁ କନ୍ଧରେ ବୋହିନେଇ ଆସିଥିଲେ । ଅନୁପମ କବି କଳ୍ପନା !

 

ପାହାଡ଼ ଉପରେ ଚନ୍ଦ୍ର ଉଠି ଆସୁଛି । ଶୁକ୍ଳା ଦ୍ୱାଦଶୀର ଚନ୍ଦ୍ର । ମାତ୍ର ଟିକିଏ ସମୟ ପରେ ଆକାଶରେ ଢଳି ଢଳି ମାତାଲଙ୍କ ପରି ଆଗେଇ ଚାଲିବ ସେ ।

 

ଚଇତ ପର୍ବରେ ମତୁଆଲା ହୋଇ ଉଠିବେ ସେମାନେ । ଗୀତ ନାଚର ଆସର ଜମି ଉଠିବ । ପ୍ରକୃତ ଜୀବନକୁ ହିଁ ଉପଭୋଗ କରୁଛନ୍ତି ସେହିମାନେ । ରୋମାଞ୍ଚିତା ହେଲେ କାନ୍ତି । ରାସ୍ତାଗୁଡ଼ାକ କି ଫାଙ୍କା ! ଜଣା ପଡ଼ୁଛି ଅନେକ ଦିନକୁ ଲୋକ ଚଳାଚଳ ହୋଇନାହିଁ । ସାମନାରେ କ୍ଷୁଦ୍ର ଜନବସ୍ତିଟିଏ ହେବ କି କଣ । କ୍ଷୀଣ ଆଲୋକର ସରୁ ରେଖାଟିଏ ରାସ୍ତାରେ ହଲୁଛି । ଚୈତ୍ରର ମନମତାଣିଆ ପବନ ଢେଉ ପରି ବାଡ଼େଇ ହୋଇ ଯାଉଛି ବିଶ୍ୱମୟଙ୍କ ସରକାରୀ ଜିପ୍‌ରେ । ଗଛ ପତ୍ର ଫାଙ୍କରେ ମୁହଁ ଲୁଚାଇ ଲୁଚି ଯାଉଛି ଚନ୍ଦ୍ର । ସେ ବି ଲୁଚୁକାଳି ଖେଳୁଛି କି କଣ ।

 

ବିଶ୍ୱମୟ ଆସିଛନ୍ତି ଗ୍ରସ୍ତରେ । ବିଶେଷ କରି କେବେ କିପରି ଏ ପାଖକୁ ଆସିଲେ କାନ୍ତିଙ୍କୁ ସାଥିରେ ଆଣିବା କଥା ମନେ ପଡ଼େ ତାଙ୍କର ।

 

ସୁନ୍ଦର ପ୍ରାକୃତିକ ଦୃଶ୍ୟର ମଧୁର ସମନ୍ୱୟ । ଜ୍ୟୋତ୍ସ୍ନାପ୍ଳୁତ ରୁପେଲି ରାତିରେ ପାହାଡ଼, ଝରଣା ମାୟା ରଚେ । ଆଦିବାସୀ ସଙ୍ଗୀତ ଓ ନୃତ୍ୟରେ ଆତ୍ମହରା ହୁଅନ୍ତି କାନ୍ତି । ସହରର କୋଳାହଳମୟ ଜୀବନ, ଚାକଚକ୍ୟ, ସିନେମା ଇତ୍ୟାଦି ଭୁଲି ଏଇ ଅନିର୍ବଚନୀୟ ପରିବେଶରେ ମୁଗ୍‌ଧା ପ୍ରେମିକା ପାଲଟିଛନ୍ତି ସେ ।

 

ବିଶ୍ୱମୟ ଚିନ୍ତାନ୍ୱିତ । କେଉଁ ବିଷୟ ଗଭୀର ଭାବେ ବିଶ୍ଳେଷଣ କରିବାରେ ଲାଗିଛନ୍ତି ସେ । ଶାନ୍ତ ପ୍ରକୃତିର ନୀରବ ଦର୍ଶକ କାନ୍ତି ।

 

ଗାଡ଼ି ରହିଲା ସରକାରୀ ବିଶ୍ରାମ ଭବନ ସାମନାରେ । ବିରାଟ ଏକ ଜନ ପଟୁଆର ଅପେକ୍ଷା କରି ରହିଛି । କୋଳାହଳ ଭିତରେ ଶୁଣାଗଲା–ଆମଙ୍କୁ ଚାଉଳ ଦିଅ । ଅଟା ଦିଅ ।

 

ବିଶ୍ୱମୟ ବିଚଳିତ ହେଲେ । ‘‘ତୁମେ ସୁଟ୍‌ ଭିତରକୁ ଚାଲିଯାଅ, କାନ୍ତି’’ କହି ସେ ଜନତାର ନିକଟତର ହେଲେ । କାହିଁ ସେ ସ୍ୱପ୍ନ ! ଯାହା ପାଇଁ ବାଟରେ ସେ ଆତ୍ମହରା ହୋଇ ଉଠିଥିଲା । ବାହାରକୁ ବିସ୍ମୟରେ ଦୃଷ୍ଟିପାତ କଲେ କାନ୍ତି ।

 

ବିଶ୍ୱମୟଙ୍କର କର୍ମଚାରୀମାନେ ବେଶ୍‌ ବୁଝାଇବାରେ ଲାଗିଛନ୍ତି । କିଛି ଲାଭ ହେଲା ନାହିଁ । ସେମାନେ ପୁଣି ଚିତ୍କାର କରୁଛନ୍ତି । ଭୋକିଲା ଆତ୍ମାର କରୁଣ ଚିତ୍କାର, ବିଶ୍ୱମୟ ନିମ୍ନସ୍ୱରରେ କ’ଣ କହି ଚାଲିଛନ୍ତି । ଶିକ୍ଷକଙ୍କ ବାଧ୍ୟଛାତ୍ର ପରି ଫେରି ଯାଉଛନ୍ତି ସେମାନେ । ବିଶ୍ୱମୟ ବି ଫେରିଲେ ।

 

-ହେଇ ଦେଖ, ମାତ୍ର ସାତଟା ତିରିଶ । ଘଣ୍ଟାକ ମଧ୍ୟରେ ମୁଁ ଆସୁଛି, କାନ୍ତି ।

 

-କିନ୍ତୁ ତୁମର ଏବେ ତ କିଛି ଯିବାର ନ ଥିଲା ?

 

-କେତେଥର କହିଛି ଏ ସବୁ କଥାରେ କେବେହେଲେ ପ୍ରତିବାଦ କରିବ ନାହିଁ ।

 

ବିରକ୍ତ ହେଲେ ସେ ।

 

-ମାତ୍ର କଣ ହୋଇଛି କହିବ ନାହିଁ ? ଶାନ୍ତି ସ୍ୱରରେ ପଚାରିଲେ କାନ୍ତି । ବିଶ୍ୱମୟ ହସିଲେ ।

 

-ତୁମ ସୌଖୀନ ମନରେ ଏସବୁ କୌଣସି ଦରକାରରେ ଆସିବ ନାହିଁ । ହ୍ୟାଣ୍ଡବ୍ୟାଗ୍‌ରେ ଫ୍ୟାମିନା, ଫିଲ୍ଳଫେୟାର ଇତ୍ୟାଦି ଅଛି । ସେଥିରେ ମନ ନ ମାନିଲେ ଏଇ କମନୀୟ ରାତ୍ରିର ପ୍ରକୃତି ଉପରେ କବିତା ମଧ୍ୟ ଲେଖିପାର ।

 

ଫେରିଗଲେ ବିଶ୍ୱମୟ । ହେନା, ମାଳତୀ ଗଛର ସଜ୍ଜିତ ସ୍ତମ୍ଭପାଖରେ ପାଷାଣୀ ଅହଲ୍ୟା ସାଜି ଠିଆ ହୋଇ ରହିଲେ କାନ୍ତି । ମନରେ ବାରମ୍ୱାର ଗାର ଟାଣୁଛି ତାଙ୍କର କଥାଗୁଡ଼ିକ-। ଠିକ୍‌ କହିଗଲେ ବିଶ୍ୱମୟ । ସେ ବା କ’ଣ କରୁଛି ? ସ୍ୱାମୀଙ୍କ ସଙ୍ଗେ ଗସ୍ତରେ ଆସିବା ତାର ବିଳାସ ଛଡ଼ା କଣ ହୋଇପାରେ ? ସେମାନେ ଦୁଇଜଣ । ଜଣେ ନିଜକୁ କ୍ଷୁଧିତ ଜନତାର ସୁଖଦୁଃଖ ସଙ୍ଗେ ସଂଶ୍ଳିଷ୍ଟ କଲାବେଳେ ଆଉ ଜଣେ ??? ନିଜ ଅଜାଣତରେ ସେହି ସ୍ଥାନ ପରିତ୍ୟାଗ କରି ଉଦ୍ୟାନର କୃତ୍ରିମ ଜଳାଧାର ନିକଟରେ ଠିଆ ହୋଇରହିଛନ୍ତି କାନ୍ତି ।

 

-ଆଜ୍ଞା, ଏ ବୁଢ଼ୀଟି ଆପଣଙ୍କ ସଙ୍ଗେ ଦେଖା କରିବାକୁ ଆସିଛି ।

 

ଭୂତ ଦେଖି ଚମକିଲା ପରି ମନେ ହେଲା କାନ୍ତିଙ୍କର । ଦେହରେ ମାତ୍ର କେଇଖଣ୍ଡି ହାଡ଼-। କଙ୍କାଳସାର ପ୍ରାଣୀଟିଏ କ’ଣ କହିଲା ତାଙ୍କୁ । ଟିକିଏ ଦୂରରେ ବାଡ଼ିଟିଏ ଭରା ଦେଇ ଠିଆ ହୋଇ ରହିଛି ବୁଢ଼ୀଟିଏ । ଫାଟକ ପାଖରୁ ରାମହରି ଦୌଡ଼ି ଆସୁଛି, ବିଶ୍ୱମୟଙ୍କ ଅଡ଼ର୍ଲି ପିଅନ ।

 

-ତୁମକୁ ସବୁ ଏ ରାତିରେ ଏ ପାଖକୁ ଆସିବାକୁ କିଏ କହିଲା ? ପାଖ ବାରଣ୍ଡାରେ ବୁଢ଼ୀକୁ ବସାଇବାକୁ ନିର୍ଦ୍ଦେଶ ଦେଇ ଆଗେଇଲେ କାନ୍ତି ।

 

-ତୁମର ବଡ଼ ପୁଅ ତ ଥିବ ।

 

ପୁଅ, ବୋହୂ ସଭିଏଁ ଥିଲେ ମା’ । ଜୁଆନ ଟୋକୀଟା ପେଟର ଦାଉ ସହି ନ ପାରି ପରପୁରୁଷ ହାତ ଧରି ବିଦେଶ ପଳାଇଲା । ଏଇ ତ ତିରିଶ ବର୍ଷର ଭେଣ୍ଡିଆ ପୁଅ । ମୋରି ଆକ୍ଷି ଆଗରେ ଖାଇବାକୁ ନ ପାଇ ପଡ଼ି ପଡ଼ି ମରିଗଲା ।

 

ଅଶ୍ରୁଳ ଇତିହାସର ଅବଶେଷରେ ମର୍ମନ୍ତୁଦ କ୍ରନ୍ଦନ ବୁଢ଼ୀଟିର ପଞ୍ଜରା ଥରାଇ ଦେଲା । ପଥର ପାଲଟିଛନ୍ତି କାନ୍ତି ।

 

-ସବୁ ଦେଖି ଏ ଆକ୍ଷିରୁ ପାଣି ବୋହି ବୋହି ଶେଷରେ ମୁଁ ଅନ୍ଧୁଣୀ ହେଲି, ମା’ । ପାଞ୍ଚବର୍ଷର ନାତିଟୋକାକୁ ସର୍ବୋଦୟ ଛତରକୁ ପଠାଇ ଦେଇଛି । ବଞ୍ଚିଯାଉ ।

 

-ତୁମେ ଖାଇବାକୁ ପାଉଛ ତ ?

 

କାନ୍ତିଙ୍କର ସବିସ୍ମୟ ପ୍ରଶ୍ନ ।

 

-ଏ ପୋଡ଼ା ପ୍ରାଣ ବଞ୍ଚି କି ଲାଭ, ମା ? ତଥାପି ପେଟ ଦାଉ କି ସହି ହୁଏ । ଶୁଣିଲି ରାଇଜର ରାଜା ଆସିଛନ୍ତି ଏଇ ଡାକବଙ୍ଗଳାକୁ । ଟିକିଏ ଦୁଃଖ ଜଣାଇବାକୁ ଚାଲି ଆସିଲି ।

 

-ଭଲ କରିଛ । ଏବେ ଏଇ ପାଖରେ ଅନେକ ସରକାରୀ ବେସରକାରୀ ସାହାଯ୍ୟ କେନ୍ଦ୍ର ଖୋଲା ହେଲାଣି । ତୁମର ଆଉ ଅସୁବିଧା ହେବ ନାହିଁ । ଦିନକୁ ଅନ୍ତତଃ ଓଳିଏ ପେଟପୂରା କରି ଖାଇବାକୁ ପାଇବ ।

 

ମୁହଁକୁ ଦୁଇ ଫୁଙ୍ଗୁଳା ଆଣ୍ଠୁ ଭିତରେ ଚାପି ରଖି ବସି ରହିଥିଲା ବୁଢ଼ୀଟି । ପିଅନକୁ ଡାକିଲା କାନ୍ତି ।

 

-ବୁଢ଼ୀ ଆଉ ତା ସାଥି ଲୋକକୁ ଏଠାରେ ଖାଇବାକୁ ଦିଅ ।

 

କଙ୍କାଳସାର ଲୋକଟି ଖାଦ୍ୟ ନାଁ ଶୁଣି ଆଗତୁରା ଉଠି ଠିଆହେଲା । ବୁଢ଼ୀର ହାତ ଧରି ଉଠାଇ ଚାଲିବାକୁ ଆରମ୍ଭ କଲା । ପୁଣି ଚିନ୍ତାରେ ମଗ୍ନ ହେଲେ କାନ୍ତି । ଏଇ ତେବେ ଅବସ୍ଥା ! ଏଇଥିପାଇଁ କହିଗଲେ ସେ ମୋ ମୁଲାୟମ ମନରେ ଏ ସବୁ କିଛି ହିଁ ଦରକାରରେ ଆସିବ ନାହିଁ ।

 

ଆକ୍ଷି ଆଗରେ ଚାଲିଯାଉଛି ସେଇ ଆନ୍ଧୁଣୀ ବୁଢ଼ୀଟି ତାର ସାଥିର ହାତ ଧରି । ଆହାଃ, କେତେ ଦିନ ପରେ ସେମାନଙ୍କ ପେଟରେ ଖାଦ୍ୟଟିକିଏ ପଡ଼ିଥିବ କେଜାଣି ! ଦୁଇ ଟୋପା ଉଷ୍ମ ଅଶ୍ରୁର ମୁକ୍ତା ବିନ୍ଦୁ ଢଳ ଢଳ ହେଲା କାନ୍ତିର ଆକ୍ଷିରେ । ବିଶ୍ରାମ ଭବନର ପାକଶାଳା ଆଡ଼ୁ ମାଂସ ତରକାରୀ ଆଉ ମୋଗଲାଇ ପରଟା ଭଜାର ବାସ୍ନା ଉଠୁଛି । ସେମାନଙ୍କ ଚର୍ଚ୍ଚା ପାଇଁ କେତେ ସବୁ ଆୟୋଜନ ହେଉଛି । ଆଉ ଟିକିଏ ପରେ ଡାଇନିଂ ଟେବୁଲ ଉପରେ ଖାଦ୍ୟ-ଆସର ଜମି ଉଠିବ । ବିଶ୍ୱମୟଙ୍କ ସଙ୍ଗେ ମଧୁର ଆଳାପ ଆଲୋଚନା । ତା’ପରେ ଖାଇବା ଶେଷ କରି ସୁସଜ୍ଜିତ ସୁଟ୍‌ର ମେହଗାନି ଖଟ ଉପରେ ଥିବା ଡନଲପ୍‌ ପିଲୋ ଉପରେ ନିହାତି ଖାମ୍‌ଖିୟାଲି ଭାବେ ଗଡ଼ି ପଡ଼ିବ ସେ । ରେକର୍ଡ଼ ପ୍ଳେୟାରର ଯାଦୁଭରା ସଙ୍ଗୀତ ଶୁଣୁ ଶୁଣୁ ନିଜ ଅଜାଣତରେ କେତେବେଳେ ହୁଏ ତ ଶୋଇ ପଡ଼ିବ ସେ । ସରକାରୀ ବିଶ୍ରାମ ଭବନଠାରୁ ଅନେକ ଦୂରରେ ଅନାହାର ଜନିତ ଅନିଦ୍ରାରେ କିଏ କାନ୍ଦୁଥିବ । ସେ ଚିତ୍‌କାର ତା’ କାନରେ ପଶିବ କାହିଁକି !

 

କାନ୍ତି ହସୁଛନ୍ତି । କିନ୍ତୁ ତଣ୍ଟିରେ ଜମାଟ ବାନ୍ଧିଛି କୋହ । ରାମହରିର ପାଟି ଶୁଣାଯାଉଛି-

 

-ନାଇଁ, ନାଇଁ, ତୁମେ ସବୁ ପାଟି ନ କରି ଫେରି ଯାଅ । ଥରେ ତ କହିଲି ସାଇବ ତୁମ କାମରେ ଯାଇଛନ୍ତି । ଆରେ ବାବା, ସାଇବ ବି ତୁମ ଭଳି କିଛି ଖାଇ ନାହାନ୍ତି । ଏତେ କାମ କରି ଖାଇବା ପିଇବାରେ କ’ଣ ଠିକଣା ରହୁଛି ।

 

ପିଅନ୍‌ଟି ଖୁବ୍‌ ବୁଢ଼ା । କେତେ ସାଇବଙ୍କ ଅମଳ କଟିଗଲାଣି ଜୀବନରେ ସେମାନଙ୍କ ସେବା, ସୁଖ ସୁବିଧା ଛଡ଼ା ତା ଆକ୍ଷିରେ କିଛି ହିଁ ପଡ଼େ ନା ।

କାନ୍ତି ଡାକିଲେ–ରାମହରି, ସେମାନଙ୍କ ଭିତରୁ ଜଣକୁ ମୋ ପାଖକୁ ଡାକି ଦିଅ ।

ଆଉ କିଛି କହିବାର ନ ଥିଲା ତାର । ନୀରବରେ ଜଣକୁ ପଠାଇ ଦେଲା ସେ ।

-ଆମେ ଖାଇବାକୁ ପାଉନାହୁଁ, ମା’ । କିଛି ନାହିଁ ଆମର । ନଅଙ୍କ ଦୁର୍ଭିକ୍ଷ ପୁଣି ଦେଖା ଦେଲାଣି । ଗଛର ପତ୍ର ଖାଇ ଜୀବନ ବଞ୍ଚାଇବାକୁ ଚେଷ୍ଟାକରି ମଧ୍ୟ ବିଫଳ ହେଲୁଣି ।

-ତୁମ ଘର କେଉଁ ପଞ୍ଚାୟତରେ ?

ରାମହରିର ଧୈର୍ଯ୍ୟ ସୀମା ଟପିଥିଲା ।

-ତୁମ ସେଠି ତ ମୁଣ୍ଡପିଛା ହିସାବରେ ରିଲିଫ ଚାଉଳ ବଣ୍ଟା ହେଉଛି । ସରକାରୀ ସାହାଯ୍ୟ ତ ପାଉଛ । ପୁଣି କାହିଁକି ଆସି ଏଠି ଭିଡ଼ ଲଗାଉଛ ? ନିକଲ୍‌ ଏଠୁ ସବୁ ।

ରାମହରିକୁ ଚୁପ୍‌ କରିବାକୁ ନିର୍ଦ୍ଦେଶ ଦେଲେ କାନ୍ତି ।

-ନା, ମା । ଆମ ଆଡ଼େ ମରୁଡ଼ି ସେପରି ରୂପ ନେଇ ନି, ଘାସ ପତ୍ର ଖାଇବା କଥା ମିଛ-। କଳାହାଣ୍ଡି ଜିଲ୍ଲାରେ ଲୋକଙ୍କ ଅବସ୍ଥା ଏପରି ହୋଇ ସାରିଲାଣି । ସରକାରୀ ସାହାଯ୍ୟ ଆଳରେ ଲୋକେ ବେଶୀ ପର ଉପରେ ନିର୍ଭର କରୁଛନ୍ତି । ଏ ପାଖରେ କିନ୍ତୁ ହଇରାଣର ଦିନ ଆସୁଛି, ମା । ବର୍ଷାଦିନ ହେଲେ ଏମାନଙ୍କର ହଇରାଣର ସୀମା ରହିବ ନାହିଁ ।

ରାମହରି ଘଟଣାଟାକୁ ପରିଷ୍କାର କରିଦେଲା । ସେ ସଚ୍ଚୋଟ ଲୋକ । ସେ ଭାବିଚିନ୍ତି କଥା କହେ । କାନ୍ତି ହଠାତ୍‌ କିଛି ଠିକ୍ କରି ପାରିଲେ ନାହିଁ । ତେବେ ମରୁଡ଼ି ଏ ପାଖରେ ଉତ୍କଟ ରୂପ ନେବା ଆଗରୁ ଲୋକେ ବହୁତ ଛାନିଆ ହୋଇଗଲେଣି । ପାଖରେ ସନ୍ତର୍ପଣରେ ଛିଡ଼ା ହୋଇଥିବା ଲୋକଟି କହିଲା–

ସେ ଯାହା କହିଲେ ମିଛ ନୁହେଁ, ଆଜ୍ଞା । ଆମ ପଞ୍ଚାୟତରେ ସବୁ ବନ୍ଦୋବସ୍ତ କରାଯାଇଛି ସତ, କିନ୍ତୁ ଆମେ କିଛି ପାଉନୁ ।

-ଦିଆ ଯାଉଛି ଅଥଚ ପାଉ ନାହଁ !

କାନ୍ତି ବିସ୍ମୟରେ ପଚାରିଲେ ।

-ହଁ, ମା । ଯାହା ବ୍ୟବସ୍ଥା ହୋଇଛି ବାଣ୍ଟୁଥିବା ଲୋକେ ସେଥିରୁ ନିଜ ପାଇଁ ବାଣ୍ଟି ନେଉଛନ୍ତି । ରିଲିଫ କେନ୍ଦ୍ରର ପଛପଟେ ସବୁ ବିକ୍ରୀ ହୋଇ ଯାଉଛି । ଶୁଣିଲୁ ସାଇବ ଆଜି ସେଇ ତଦନ୍ତରେ ଆସିଛନ୍ତି । ଭାବିଲୁ କାଲି ତଦନ୍ତ ପୂର୍ବରୁ ସତ କଥା ଆଉ ଆମ ଦୁଃଖର ଗୁହାରି ଜଣାଇବୁ ।

-ଆରେ, ତୁମେ କ’ଣ ମନେ କରିଛ ସାଇବ ହାତରୁ ତୁମକୁ ଖାଇବାକୁ ଦେବେ । ସବୁତ ବୁଝା ଯାଉଛି । ଇମିତି ଛାନିଆ ହେଉଛ କିଆଁ ?

 

ରାମହରିକୁ ସେ ପଟକୁ ଯିବାକୁ କାନ୍ତି ବିରକ୍ତିରେ ନିର୍ଦ୍ଦେଶ ଦେଲେ ।

 

-ଗୋଟିଏ କଥା, ଆଜ୍ଞା । ଆମ ସାଇବ ଏଇ ସବୁ ବୁଝାବୁଝି କରିବାକୁ ସରକାରଙ୍କୁ ଲେଖି ଦୁଇଜଣ ରିଲିଫ୍‌ ଅଫିସର ବନ୍ଦୋବସ୍ତ କରି ସାରିଲେଣି ।

 

-ସତେ !!!

 

କାନ୍ତି ଖୁସି ହେଲେ ।

 

-ଆଚ୍ଛା, ତୁମେ ସବୁ ମାଟି କାମ କରୁନାହିଁ କାହିଁକି ? ମଜୁରୀ ତ କିଛି ପାଇ ପାରନ୍ତ । କାନ୍ତି ପଚାରିଲେ ।

 

-ସେଥିରେ ମଧ୍ୟ ଠିକାଦାର, ପେଟିଦାରମାନେ ଲାଭ ମାରି ନେଉଛନ୍ତି । ମାପରେ ଠକୁଛନ୍ତି । କମ୍‌ ମଜୁରୀ ଦେଉଛନ୍ତି । ତା’ ବି ଠିକ୍‌ ସମୟରେ ମିଳୁନାହିଁ ।

 

-ତୁମେ ସବୁ ଏବେ ଯାଅ । ନିଶ୍ଚୟ ତୁମର ସୁବିଧା ହୋଇଯିବ ।

 

ସାନ୍ତ୍ୱନା ପାଇ ଫେରିଗଲେ ସେମାନେ । ବିଶ୍ୱମୟଙ୍କ ଗାଡ଼ି ପାଖେଇ ଆସିଲା । କାନ୍ତି ଚଞ୍ଚଳ ପଦକ୍ଷେପରେ ଫେରି ଆସୁ ଆସୁ ହଠାତ୍‌ ଅଟକି ଗଲେ ତାଙ୍କର ସେଇ କଥା ପଦକରେ ।

 

-ମୁଁ ଆଜି ଖାଇ ଆସିଛି କାନ୍ତି । ତୁମେ ଖାଇ ନିଅ ।

 

-ସତେ, ଭୋକିଲା ଜନତାର କର୍ତ୍ତା ପୁଣି କେଉଁଠି ଖାଇ ଆସିଲେ ?

 

ଚିର ଗମ୍ଭୀର ବିଶ୍ୱମୟ ବି ହସି ପକାଇଲେ ।

 

-ସେମାନେ ଯିମିତି ଖାଇଲେ, ବାସ୍ତବିକ କାନ୍ତି, ଲୋକଙ୍କର ଅବସ୍ଥା ଦେଖିଲେ ଖାଇବାର ଆଗ୍ରହ ସ୍ୱତଃ କମି ଯାଉଛି ।

 

ସ୍ନାନାଗାରେ ପ୍ରବେଶ କଲେ ସେ । କାନ୍ତି ତାଙ୍କୁ ବାଧ୍ୟ କଲେ ନାହିଁ । କ୍ଷୀର ଗ୍ଳାସଟିଏ ବିଶ୍ୱମୟଙ୍କୁ ବଢ଼ାଇ ଦେଲେ ସେ ।

 

-ଆଉ, ତୁମେ ! ଇମିତି ପାଣି ପିଇ ରହିଯିବ ?

 

ତାହାତ ଅନେକ ଆଗରୁ ଠିକ୍‌ କରିଛି ମୁଁ ।

 

-ଠିକ୍‌ ଅଛି । ଗୋଟାଏ ଗତିର ଅନାହାରରେ ଆମର ଆଦୌ କିଛି କ୍ଷତି ହେବ ନାହିଁ । ବରଂ ସେଇ ଲୋକମାନଙ୍କର ଅବସ୍ଥା ବୁଝିବାରେ ହୁଏତ ଆମେ ଅଧିକ ସକ୍ଷମ ହୋଇ ପାରିବା, ଭାବୁଛି ।

 

ବିଶ୍ୱମୟଙ୍କ ମନ୍ତବ୍ୟ ଶୁଣି ନୀରବ ରହିଲେ କାନ୍ତି ।

 

ଉଦ୍ୟାନ ସଂଲଗ୍ନ ସିମେଣ୍ଟ ବେଦୀରେ ବସିବାର ସମସ୍ତ ବ୍ୟବସ୍ଥା କରି ଫାଇଲ, କାଗଜପତ୍ର ମଧ୍ୟ ସଜାଇ ରଖିଥିଲା ରାମହରି । ବିଶ୍ୱମୟ ଡାକିଲେ ।

 

-ତୁମେ ବି ଆସ କାନ୍ତି । ଅନ୍ତତଃ ଚୈତ୍ରର ଏ ରାତ୍ରି ବ୍ୟର୍ଥ ନ ହେଉ ।

 

କାନ୍ତି ନୀରବ । ପୁଣି କହିଲେ ବିଶ୍ୱମୟ ।

 

-ଜାଣିଛି, ଲୋକଙ୍କ ଦୁଃଖ ତୁମକୁ ବି ବାଧିଛି । କିନ୍ତୁ ଉପାୟ ନାହିଁ ।

 

କିଛି କ୍ଷଣର ନୀରବତା ପରେ କ’ଣ ଭାବି ଭାବି କହିଲେ କାନ୍ତି ।

 

-ଆଚ୍ଛା, ନିରାଶ୍ରୟ ଶିଶୁ କେତେକଙ୍କ ପାଇଁ ଗୋଟିଏ ଖାଦ୍ୟକେନ୍ଦ୍ର ଆମେ ଖୋଲିଲେ କିପରି ହେବ ? ଆଶାକରେ, ଅରାଜି ହେବ ନାହିଁ । ମୋ ନାମରେ ବ୍ୟାଙ୍କ୍‌ରେ ଗଚ୍ଛିତ ସମସ୍ତ ଟଙ୍କା ଏହି ମହତ୍‌ କାମ ପାଇଁ ତ୍ୟାଗ କରିବାକୁ ମୁଁ ପ୍ରସ୍ତୁତ ଅଛି ।

 

ବିଶ୍ୱମୟଙ୍କ ଚକ୍ଷୁ ଉଜ୍ଜ୍ୱଳ ହେଲା । କାନ୍ତିଙ୍କର ହାତ ଧରିଲେ ସେ ।

 

-ଚାଲ, ତୁମର ଏଇ ପ୍ରସ୍ତାବଟି ସମ୍ପର୍କରେ ଆମେ ଆଲୋଚନା କରିବା ଆଜି ।

 

ଚୈତ୍ର ଆକାଶକୁ ଚାହିଁଲେ କାନ୍ତି । ଏ ଚନ୍ଦ୍ର କ’ଣ ହସୁଛି ??? ନା, ତାଙ୍କୁ ମନେହେଲା ଚନ୍ଦ୍ରରୁ କାରୁଣ୍ୟ ଝରି ପଡ଼ୁଛି ।

Image

 

ଅପରାହ୍ନ

 

ଅମରନାଥ ଝରକା ଖୋଲି ବାହାରୁ ଚାହିଁଲେ । ଖରା ବହୁତ ବେଳୁ କମିଗଲାଣି ବିଦାୟୀ ସୂର୍ଯ୍ୟର ଟିକିଏ ଲାଲ ରଶ୍ମି ଟୁଟୁର ଗୋରା ଗାଲରେ ଚିକ୍‌ଚିକ୍‌ କରୁଛି । ସାଙ୍ଗମାନଙ୍କ ସଙ୍ଗେ ଖେଳିବାରେ ବ୍ୟସ୍ତ ସେ, ତଥାପି ବେଳେ ବେଳେ ଚିତ୍କାର କରୁଛି ତାଙ୍କ ଉଦ୍ଦେଶ୍ୟରେ ।

 

-ଜେଜେ, ଜଲ୍‌ଦି ଆସ, ରାତି ହୋଇଯିବ ।

 

ସବୁଦିନ ସେଇ ଏକା କଥା । ଚାକିରିରୁ ଅବସର ନେବା ପୂର୍ବରୁ ଏବଂ ପରେ ମଧ୍ୟ । ସେଇ ଗୋଟିଏ ରୁଟିନ୍‌ବନ୍ଧା ଜୀବନ ତାଙ୍କର । ଅଫିସରୁ ଫେରି ପୋଷାକ ବଦଳରେ ସେ ବସିବେ ସାମନା ବଗିଚାରେ । ତା’ ପରେ ଚା’ ଗୋଟିଏ କପ୍‌ ପିଇ ସାରି ଟୁଟୁ ଓ ମିନୁ ସଙ୍ଗେ ଆରମ୍ଭ ହେବ ଖେଳ, ଗପ, ବଗିଚାବୁଲା ଆଉ ଫୁଲଗଛମାନଙ୍କର ତଦାରଖ । ତା’ ପରେ ଗତି ଆଠଟାରେ ସାନ ନାତି, ନାତୁଣୀଙ୍କ ସଙ୍ଗେ ରାତ୍ରିଭୋଜନ ଟିକିଏ ପଢ଼ାପଢ଼ି, ବିଶ୍ରାମ । ବାସ୍‌, ସକାଳ ହେଲେ ପୁଣି ପୂର୍ବଦିନର ପୁନରାବୃତ୍ତି ।

 

ହଠାତ୍‌ କାହିଁକି ସେ ଅନୁଭବ କରୁଛିନ୍ତି, ଜୀବନଟା ଏତେ ବେଶୀ ସହଜ ହେବା ଠିକ୍‌ ନୁହେଁ । ତାଙ୍କ ଭଳି ଲୋକ ବସି ରହିବାଟା ଆଦୌ ଉଚିତ ହେଉନାହିଁ । ଗୋଟାଏ ପରିବର୍ତ୍ତନ ଦରକାର । ନାତିର ଡାକରେ ମେସିନ୍‌ ଭଳି ଘରୁ ବାହାରି ଆସି ବଗିଚାରେ ପହଞ୍ଚି ଯାଇଛନ୍ତି ସେ । ନିଜର ଚୌକିରେ ସିଧା ହୋଇ ବସି ଚା’ କପ୍‌ଟା ପାଖକୁ ଉଠାଉଛନ୍ତି; କିନ୍ତୁ ପିଇପାରୁ ନାହାନ୍ତି । ଟୁଟୁ ଆଉ ମିନୁ ତାଙ୍କ ପ୍ଳେଟ୍‌ରୁ ବିସ୍କୁଟ ନେଇ ଚୋବାଉଛନ୍ତି । କେତେ କ’ଣ ଗପି ଚାଲିଛନ୍ତି, କିନ୍ତୁ ସେ ସବୁ ପ୍ରତି ତାଙ୍କର ଲକ୍ଷ୍ୟ ନାହଁ । ସେ କିଛି ଗୋଟାଏ ଚିନ୍ତା କରୁଛନ୍ତି ଏଇ କେତେଦିନ ଧରି ।

 

-ଟୁଟୁ, ଯା’ ତ ଜେଜେମା’ଙ୍କୁ ଡାକି ଆଣିବୁ ।

 

ଟୁଟୁ ଚାଲିଗଲା ଘର ଭିତରକୁ; ମିନୁ ହାତ ଧରି ଘୋଷାରୁଛି ।

 

-ନା, ତୁମେ ଖେଳିବ ଆସ ଜେଜେ । ରାତି ହୋଇ ଯାଉଛି ।

 

-ଆଜି ମୋର ଟିକିଏ କାମ ଅଛି ମା । ତୁ ଯା’ ତୋ ସାଙ୍ଗମାନଙ୍କ ସଙ୍ଗେ ଖେଳିବୁ ।

 

ଜିଦ୍‌ କରି କରି ଶେଷରେ ମିନୁ ତାଙ୍କୁ ଛାଡ଼ି ତା’ ସାଙ୍ଗମାନଙ୍କ ପାଖକୁ ଫେରିଗଲା । ଘର ଭିତରୁ ଦୌଡ଼ି ଦୌଡ଼ି ଆସୁଛି ଟୁଟୁ । ତା’ ପଛରେ କାନିରେ ହାତ ପୋଛି ପୋଛି ଆସୁଛନ୍ତି ତାଙ୍କ ପତ୍ନୀ ସ୍ୱର୍ଣ୍ଣମୟୀ ।

 

କାହିଁକି ଡାକୁଥିଲ କି ? କ’ଣ କହିବ କୁହ, ବହୁତ କାମ ଅଛି ମୋର ।

 

ସେଇ କାମ, ଜଞ୍ଜାଳର ତାଲିକା ଶୁଣିବାର ଇଚ୍ଛା ନ ଥିଲା ଅମରନାଥଙ୍କର, ବରଂ ସେ ଚାହୁଛନ୍ତି ଏସବୁ ମଧ୍ୟରୁ ପତ୍ନୀଙ୍କୁ ଉଦ୍ଧାର କରିବାକୁ । ଚାରି ପୁଅ ଯୋଗ୍ୟର ହେଲେ । ବଡ଼ ବଡ଼ ଚାକିରି, ବ୍ୟବସାୟରେ ରହିଲେ । ସାନ ଦୁଇ ପୁଅ, ବୋହୂ ନାତିନାତୁଣୀ ତାଙ୍କ ପାଖରେ । ଏକମାତ୍ର ଝିଅ ଆଭା ବିହାର ପରେ ସ୍ୱାମୀ ସହ ବିଦେଶରେ ରହୁଛି ।

 

ସବୁ କାମ ସାରିଛନ୍ତି ସେ । ଜୀବନ ସାରା ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ନିଜ ସଂସାର ପାଇଁ । ସବୁ ପାଇଛନ୍ତି, ଅଭାବ ନାହିଁ, ଅସନ୍ତୋଷ ନାହିଁ, କାହା ପାଇଁ ଚିନ୍ତା ନାହିଁ । ମହାସୁଖୀ ସେ-। ତେବେ ଜୀବନର ଶେଷ ଭାଗରେ ଆଉ କାହିଁକି ଅଯଥା ଜଞ୍ଜାଳରେ ଘାଣ୍ଟି ହେବେ ସେମାନେ ?

 

-କିଓ, କିଛି କହୁନ ଯେ, ଡାକି ଆଣିଥିଲ କ’ଣ ଇମିତି ପାଖରେ ବସାଇ ରଖିବ ବୋଲି-?

 

ଅମରନାଥ ମୁହିଁ ଫେରାଇ କହିଲେ ।

 

-ବସୁନ ଟିକିଏ, ଏତେ ବ୍ୟସ୍ତ କାହିଁକି ?

 

-ପୁଝାରୀ ତେଣେ ଚାହିଁ ବସିଥିବ । ପରିବା, ଅଟା କିଛି ଦେଇନି ତାକୁ । ପଇସା ମାଗୁଥିଲା ମାଛ ଆଣିବାକୁ ଯିବ ବୋଲି ।

 

-ସେମାନେ ଦେଇଦେବେ ।

 

-ତୁମେ ଭଲା କିଛି ଘର ଖବର ବୁଝ କେବେ ? ସଙ୍ଗୀତା ଓ ଉଷା ସିନେମା ଦେଖିଗଲେ ଏବେ । ମୁଁ ନ ବୁଝିଲେ ଆଜି ରୋଷେଇ ବନ୍ଦ, ଜାଣିଥାଅ ।

 

ଅମରନାଥ ହସିଲେ କ’ଣ ଭାବି । ପୁଣି ମନଟା ଗୋଳମାଳ ହୋଇଗଲା ପରି ଲାଗିଲା ତାଙ୍କୁ । ସ୍ୱର୍ଣ୍ଣମୟୀଙ୍କ ଅଭିଯୋଗ ସେ କିଛି ବୁଝୁ ନାହାନ୍ତି । ବିଶ୍ରାମ ତେବେ କାହିଁ ? ସ୍ଥିର ହୋଇ ବସି କଥା ଆରମ୍ଭ କଲେ ସେ ।

 

-ହିଁ, ସ୍ୱର୍ଣ୍ଣ, କଥା କ’ଣ କି ମୁଁ ଭାବୁଥିଲି ଚାଲି ଆମେ କାଲି ଗାଁ ଆଡ଼େ ଯାଇ ଟିକେ ବୁଲି ଆସିବା ।

 

ତୁମକୁ ଲାଜ ନାହିଁ । ଯିବ ଯଦି ଏକା ଯାଅ ।

 

ମୁହିଁ ଫଣ ଫଣ କରି ଚୌକି ଛାଡ଼ି ଠିଆ ହୋଇ ପଡ଼ିଲେ ସେ । ବୃଦ୍ଧ ହୋ, ହୋ କରି ହସି ଉଠି କହିଲେ,

 

ଦେଖିବ ରହିଥା, ନିଶ୍ଚୟ ଯିବି ।

 

ତା’ ପରେ ମନକୁ ମନ ଗୁଣୁଗୁଣ ହେଲେ ସେ । ଆସିଥିଲି ଏକା,ଯିବି ଏକା । କି ସ୍ତ୍ରୀ, ପୁତ୍ର କିଏ କାହାର ?

 

ପୁଣି ସେଇ ହସ । ସ୍ୱର୍ଣ୍ଣମୟୀ ଚାଲି ଯାଉ ଯାଉ କହୁଥିଲେ,

 

-ବୁଢ଼ା ହେବାରୁ ୟାଙ୍କ ମୁଣ୍ଡ ଖରାପ ହୋଇଗଲାଣି ।

 

ସାନ ନାତି, ନାତିଣୀ ଦୁହେଁ ଖେଳ ବନ୍ଦ କରି ଜେଜେମା, ଜେଜେ ବାପାଙ୍କୁ ଆଶ୍ଚର୍ଯ୍ୟରେ ଚାହିଁ ରହିଥିଲେ । ହାତଠାରି ସେମାନଙ୍କୁ ପାଖକୁ ଡାକିଲେ ଅମରନାଥ । ବଗିଚାବୁଲା ପରେ ଘର ଭିତରକୁ ଫେରିବେ ସେ ।

 

ପରଦିନ ଖୁବ୍‌ ସକାଳୁ ଉଠି ନିତ୍ୟକର୍ମ ସାରି ନିଜକୁ ପ୍ରସ୍ତୁତ କରୁଥିଲେ ଅମରନାଥ । ତାଙ୍କର ସେହି ଏକା ଜିଦ୍‌, ଗୋଟାଏ ଖିଆଲ ସେ ଗାଁକୁ ଯିବେ । ବହୁ ବର୍ଷ ଧରି ଜନ୍ମମାଟି ସେ ଦେଖିନାହାନ୍ତି । ସାନଭାଇମାନେ ପ୍ରତ୍ୟେକ ବର୍ଷ ତାଙ୍କ ପାଇଁ କିଛି ଭାଗ ଫସଲ ପଠାଇ ଦିଅନ୍ତି । ସେ କେବେ କାହାକୁ ହିସାବ ମାଗି ନାହାନ୍ତି । କିଛି ପଚାରି ନାହାନ୍ତି । କ’ଣ ତାଙ୍କର ଅଭାବ ଅଛି ଯେ ? କିନ୍ତୁ ସେଇ ରାଗଟା ସ୍ୱର୍ଣ୍ଣମୟୀଙ୍କର । ବାରମ୍ୱାର ଏ ବିଷୟରେ ସ୍ୱାମୀଙ୍କର ସତର୍କ କରିଛନ୍ତି ସେ । ଏବେ ବହୁଦିନ ପରେ ଗାଁକୁ ଯିବା ପ୍ରସ୍ତାବ ଶୁଣି ମନ ଭିତରେ ତାଙ୍କର ବିସ୍ଫୋରଣ ସୃଷ୍ଟି ହୋଇଛି । ସେ ଅଭିମାନ କରିଛନ୍ତି । ଅମରନାଥ ଚିରଦିନ ଏମିତି, ନିଜେ ଯାହା ଭଲ ବୁଝିଥିବେ କରିବେ ନିଶ୍ଚୟ, କାହାରି କଥା ଶୁଣିବେ ନାହିଁ ।

 

ମଝିଆଁ ବୋହୂ ଉଷା ପୁରୁଣା ଧଳା ପଞ୍ଜାବୀଟାରେ ବୋତାମ ଲଗାଇବା ଶେଷ କରି ଧରିଥିଲା । ଧୋତି, ପଞ୍ଜାବୀ ପିନ୍ଧି ସାରି ଚଦରଟା କାନ୍ଧରେ ସଜାଡ଼ି ନେଇ ହସି ହସି ମିନୁକୁ ପଚାରିଲେ ସେ ।

 

-ଦେଖିଲୁ, ମୁଁ ତୋର ପସନ୍ଦ ହେଉଛି ?

 

ହିଁ, ଜେଜେ ବାପା, ତୁମେ ଖୁବ୍‌ ସୁନ୍ଦର ଦିଶୁଛ ।

 

ସାନବୋହୂ ହାତରୁ ଚା’ ଫ୍ଳାସ୍‌କ ଓ ହାତବାଡ଼ିଟା ନେଇ ଆତ୍ମତୃପ୍ତିରେ ଆଗେଇଲେ ଅମରନାଥ । ଟିକିଏ ଦୂରରୁ ସ୍ଲିପି ସୁଟ୍‌ ପିନ୍ଧି ନିଦ ମଳମଳ ଆକ୍ଷିରେ ପୁଅ ଦୁହେଁ ତାଙ୍କୁ ଆଶ୍ଚର୍ଯ୍ୟରେ ଚାହିଁ ରହିଥିଲେ । ସ୍ୱର୍ଣ୍ଣମୟୀ ଗମ୍ଭୀର ଭାବରେ ଚା’ କପ୍‌ଟା ଉଠାଇ ନେଇ ମୁହିଁରେ ଲଗାଇଲେ । ଗଲାବେଳେ କେବଳ ‘‘ଯାଉଛି’’ କହି ଚାଲିଗଲେ ଅମରନାଥ । ଏସବୁ ଦୃଶ୍ୟ ତାଙ୍କ ଦୃଷ୍ଟିରେ ପଡ଼ିଲା ନାହିଁ ।

 

ଟ୍ୟାକ୍‌ସି ଯାଉଛି ପ୍ରାୟ ଘର ପର୍ଯ୍ୟନ୍ତ । ଅଳ୍ପ ରାସ୍ତା ଚାଲିବାକୁ ପଡ଼ିଲେ ବି ଚିନ୍ତା ନାହିଁ । ଖରାଟା ଏତେ ବେଶି ଲାଗୁନାହିଁ । କାହାକୁ ଖବର ନ ଦେଇ ହଠାତ୍‌ ପହଞ୍ଚିଗଲେ ସେ । ଭାଇମାନେ, ଘର ଭିତରର ସବୁ ସ୍ତ୍ରୀଲୋକ, ପିଲା ଆସି ତାଙ୍କ ଗୋଡ଼ତଳେ ପଡ଼ୁଛନ୍ତି । ବାପା ମରିଯିବା ପରେ ସେ ତ ଏ ଘରର ମୁରବୀ ।

 

ସ୍ୱପ୍ନ ରାଜ୍ୟରେ ପହଞ୍ଚିଗଲେ ଅମରନାଥ । ଗୋଡ଼ହାତ ଧୋଇବାର ଅବସର ନାହିଁ । କେଉଁ କେତେ ବର୍ଷ ତଳେ ଆସିଥିଲେ ସେ । କିମିତି କ’ଣ ଖବର ପାଇ ଗାଁରୁ କେତେ ଲୋକ ଆସି ପହଞ୍ଚିଗଲେଣି । କାହାକୁ କାହାକୁ ଅଧା ଚିହ୍ନା ହେଉଛନ୍ତି ତ ପୁଣି କାହାକୁ ଆଦୌ ଚିହ୍ନିପାରୁ ନାହାନ୍ତି-। ବୁଢ଼ୀବୁଢ଼ୀମାନଙ୍କୁ ଅବଶ୍ୟ ଭଲ ଭାବେ ଚିହ୍ନୁଛନ୍ତି । ପଚାରି ପଚାରି ବୁଝୁଛନ୍ତି ସୁବିଧା ଅସୁବିଧା ।

 

କାହା ଘରେ ଖାଇବାକୁ ନାହିଁ, କେତେ ଯୁବକ ସହରରୁ ଡାକ୍ତରୀ, ଇଂଜିନିୟରିଂ, କୃଷିବିଦ୍ୟା ପାଶ୍‌ କରି ମଧ୍ୟ ବେକାର ହୋଇ ବସିଛନ୍ତି । କିଏ ଚିରଦିନ ଧରି ରୋଗରେ ସଢ଼ିଲେ ବି ପଇସା ଅଭାବରେ ଭଲ ଚିକିତ୍ସା ପାଇଁ ସହରକୁ ଯାଇପାରୁ ନାହିଁ ।

 

ଭାଇମାନେ ମନେ ମନେ ବିରକ୍ତ । ସମସ୍ତେ ଯିବା ପରେ ବ୍ୟସ୍ତ ହୋଇ କହିଲେ,

 

-ଏମାନଙ୍କ ସଙ୍ଗେ କଥାବାର୍ତ୍ତା କଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ । ମହା ଅଳସୁଆ, କୁଟିଳ ପ୍ରକୃତିର ଏ ସମସ୍ତେ । ଆପଣ, ଭାଇ ଏମାନଙ୍କ ଅସଲରୂପ ଚିହ୍ନି ପାରିବେ ନାହିଁ-

 

ଅମରନାଥ ଦୀର୍ଘଶ୍ୱାସ ନେଇ କହିଲେ,

 

-ସବୁ ବୁଝିଛି, ଚିହ୍ନିଛିରେ ବାବୁ । ବାଘ, ଭାଲୁ ସିଂହାଠାରୁ ତ ଏମାନେ ହିଂସ୍ର ନୁହନ୍ତି । ସେମାନେ ତ ମଣିଷର ନିର୍ଦ୍ଦେଶ ମାନି ଚଳୁଛନ୍ତି । ଏମାନେ ତ ହେଲେ ମଣିଷ । ଆମେ ଚେଷ୍ଟା କଲେ ସେମାନଙ୍କର ଅଜ୍ଞତା, ଦାରିଦ୍ର୍ୟ ଦୂର ହୋଇ ପାରିବ ସହଜରେ । ବେଶି କିଛି କରିବାକୁ ହେବନାହିଁ । ସବୁ ଅଛି ଏଇଠି, କେବଳ ଉପଯୁକ୍ତ ଚିନ୍ତାଧାରାର ଅଭାବ ।

 

ଦ୍ୱିପ୍ରହରେ ଖାଇସାରି ବିଶ୍ରାମ ନେବା ସମୟରେ ପୁତୁରାମାନଙ୍କ ସଙ୍ଗେ ପାଠ ବିଷୟ କଥାବାର୍ତ୍ତା କରୁ କରୁ ବରାଦ କଲେ ସେ-

 

-ଦେଖ୍‍ ରଘୁ, ଏ ଗାଁରେ ଯୁବକ ସଂଘ ଗଠନ କରିଥିବା ତୋ ସାଙ୍ଗମାନଙ୍କୁ ଆଜି ସନ୍ଧ୍ୟାରେ ମୋ ପାଖକୁ ଡାକି ଆଣିବୁ । ତା’ପରେ ଆସନ୍ତା କାଲି ମୁଁ ସବୁଆଡ଼ ବୁଲାବୁଲି କରି ଦେଖିବି ।

 

ସାନଭାଇମାନେ ଆସି ଆଶ୍ଚର୍ଯ୍ୟରେ ଚାହିଁ ରହିଥିଲେ ତାଙ୍କୁ ।

 

-କ’ଣ ଭାବୁଛ ? ମୋର ତ ପୁଣି କିଛି କାମ ଦରକାର । ଏପର୍ଯ୍ୟନ୍ତ ସରକାରଙ୍କ ପାଖରେ କାମ କଲି । ସେଥିରୁ ଛୁଟି ମିଳିଲା । ଭାବୁଛି, ମୋର ମୂଲ୍ୟବାନ ଚିନ୍ତାସବୁକୁ ନେଇ ଜନ୍ମମାଟି ପାଇଁ ଯଦି କିଛି କରିପାରେ, ବାକୀ କେଇଟା ଦିନ ଭଲରେ କଟିଯିବ ।

 

ସେ ଆଦୌ କ୍ଳାନ୍ତ ନୁହନ୍ତି । ବିଶ୍ରାମ କ’ଣ ତାଙ୍କର ଦରକାର ? କଥାବାର୍ତ୍ତା ଚାଲିଛି । ସମବାୟ ସମିତି ଗଠନ, ସରକାର ଋଣର ଉପଯୁକ୍ତ ବିନିଯୋଗ, ଡାକ୍ତରଖାନା, ବାଳିକାସ୍କୁଲ, ପୂର୍ବରୁ ଥିବା ହାଇସ୍କୁଲଟିର ଉନ୍ନୟନ, ଗ୍ରାମ ପାଇଁ ବିଜୁଳିଯୋଗାଣ-ଏମିତି କେତେ କ’ଣ ସବୁ । ଅମରନାଥ କଥାର ମହତ୍ତ୍ୱ ମାତ୍ର ଅଳ୍ପ ସମୟ ମଧ୍ୟରେ ସମସ୍ତକୁ ଆକୃଷ୍ଟ କଲାଣି । ବାଡ଼ିରେ ପରିବା, ପୋଖରୀରେ ମାଛଚାଷ, କୁକୁଡ଼ାପାଳନ, ଉନ୍ନତଧରଣର କୃଷିପ୍ରଣାଳୀର ଆବଶ୍ୟକତା ସବୁ ବୁଝାଇ ଚାଲିଛନ୍ତି ସେ । ଶରୀରରେ ସିନା ଶକ୍ତିର ଅଭାବ କିନ୍ତୁ ମନର ଶକ୍ତି ଅସୀମ । ସେ ରହିବେ ଏଇ ଗାଁରେ, ସମସ୍ତଙ୍କୁ ଉତ୍ସାହିତ କରିବେ, ବୃଦ୍ଧି ବତାଇବେ । ଦେଖାଯାଉ, କ’ଣ ହେଉଛି-

 

ତାଙ୍କ କଥାରେ ବାଧାଦେଇ କିଏ କହିଲା,

 

-ସବୁ ହେବ ଭାଇ, କିନ୍ତୁ ଆପଣ ଏଠି ରହିଲେ ତ !

 

-କ’ଣ ବିଶ୍ୱାସ ହେଉନି ତୁମମାନଙ୍କର ?

 

X X X

 

ଦୁଇଦିନ କହି ସାତଦିନ ପରେ ଗାଁରୁ ଫେରିଲେ ଅମରନାଥ । ପୂର୍ବାପେକ୍ଷା ଆହୁରି ସତେଜ ମନେ ହେଉଥିଲେ ସେ । ମନରେ କିଛି ଦୁର୍ଲଭ ଜିନିଷ ପାଇଯିବାର ଭାବ । ପ୍ରଫୁଲ ଚିତ୍ତରେ ନାତି, ନାତୁଣୀଙ୍କ ସଙ୍ଗେ ବଗିଚାରେ ସନ୍ଧ୍ୟା କଟାଉଥିଲେ ସେ ।

 

ସ୍ୱର୍ଣ୍ଣମୟୀ ଚା’କପ୍‌ଟା ଧରି ପହଞ୍ଚିଗଲେ ଠିକ୍‌ ସେଇ ସମୟରେ । ମୁହିଁ ହସ ହସ, ଚିର ବ୍ୟସ୍ତତାର ଭାବ ନାହିଁ । ସ୍ୱାମୀଙ୍କ ପାଖ ଚୌକିର ବସିପଡ଼ି ଆରମ୍ଭ କଲେ ସେ ।

 

-ଜାଣିଛ, ନିଉୟର୍କରୁ ଚିଠି ଆସିଛି ଆଭା ପାଖରୁ ।

 

କ’ଣ ଲେଖିଛି ? ଭଲ ଅଛି ତ ?

 

ହିଁ ସେମାନେ ଆସୁଛନ୍ତି ଦୁଇମାସ ଛୁଟୀନେଇ । ମାସକରୁ ବେଶି ଏଠାରେ କଟାଇ ତା’ ଶ୍ୱଶୁର ଘରକୁ ଯିବ । ପଢ଼ୁନ ଚିଠିଟା ।

 

-ଥାଉ, ରଖ । ଆଉ କଣ କୁହ ।

 

ଟୁଟୁ ଆଡ଼େ ବଲ୍‌ଟା ଗଡ଼ାଇ ଦେଇ ଅମରନାଥ ଚୌକିରେ ଆସି ବସି ପଡ଼ିଲେ ।

 

-କଥା କ’ଣ କି, ଏ ଘରଗୁଡ଼ା ବହୁଦିନରୁ ଚୂନ, ରଙ୍ଗ ହୋଇ ନାହିଁ; ପୁଣି ଉପରର ଗେଷ୍ଟ ରୁମ୍‌ଟାର ଆଉ ଟିକେ କାମ ବାକି ରହିଛି ।

 

-ମୁଁ କ’ଣ କରି ପାରିବି କହୁଛ ? ପୁଅମାନଙ୍କ ସହିତ କଥାବାର୍ତ୍ତ କର । ଯାହା ଦରକାର ମନେ କରୁଛ କର । ମାତ୍ର ଦୁଇଟା ଦିନ ପାଇଁ ମୁଁତ ୟାଡ଼େ ଆସିଛି କେବଳ ସେମାନଙ୍କ କାମରେ ।

ଓ, ତେବେ ତୁମେ ୟାଡ଼କୁ ଗାଁରେ ରହିବ ?

ହ, ଠିକ୍‌ ସେଇୟା ।

ବେଶ୍‌, ଆମ ଭାଗ ଫସଲ ଯିମିତି ସବୁ ଠିକ୍‌ ପାଇ ପାରିବା ଦେଖିବ ।

ଇସ୍‌, କି ଲୋଭ । ପୁଣି ସେଇ କାମର ବରାଦ ! ସ୍ୱର୍ଣ୍ଣମୟୀ ତାଙ୍କୁ ଟିକିଏ ନିଜ ଇଚ୍ଛାରେ ଚଳିବାକୁ ଦେବେ ନାହିଁ ।

-ନା, ଏଠି ଶାନ୍ତି ନାହିଁ ।

କ’ଣ ଗୁଡ଼ାଏ ବକୁଚ ? ଘରକୁ ଆସିଲେ ତୁମେ ଇମିତି ବିରକ୍ତ ହୁଅ କାହିଁକି ?

-ଓଃ, ମତେ ଟିକିଏ ସ୍ୱାଧୀନତା ଦିଅ ଭଲା ।

-କିଏ ୟାକୁ ବାନ୍ଧି ରଖୁଛି କି ?

ବିରକ୍ତିରେ ଘର ଭିତରକୁ ଫେରିଗଲେ ସ୍ୱର୍ଣ୍ଣମୟୀ । ଚୌକିଟାରେ ଅର୍ଦ୍ଧସୁପ୍ତ ଅବସ୍ଥାରେ ପଡ଼ିରହି ସନ୍ଧ୍ୟା ଆକାଶର ଦୃଶ୍ୟ ଦେଖୁଥିଲେ ଅମରନାଥ । ପୁଣି ବେଳେ ବେଳେ ମନକୁ ମନ କହୁଥିଲେ,

-ପଡ଼ିଥାଉ ଏ ଜଞ୍ଜାଳର ମହାସମୁଦ୍ରରେ । ସେ କିନ୍ତୁ ମୁକ୍ତ । ସେ ଯାହା ପାଇଛନ୍ତି ତା’ର ମୂଲ୍ୟ ସ୍ୱର୍ଣ୍ଣ କିଛି ବୁଝିବ ନାହିଁ ।

Image